Unknown

 

 

 

 

 

 

 

 

 

 

 

ବିଉଟି କୁଇନ୍‌ ସରିତା

ଶ୍ରୀ ଗିରିଧାରୀ ମହାରଣା

 

ଏହି ମହିଳାଙ୍କର ବୟସ ୩୦ ଭିତରେ ହେବ । ବର୍ଣ୍ଣ ଶ୍ୟାମଳ । ମୁଖମଣ୍ତଳର ଗଢ଼ଣ ଖୁବ୍‌ ଚମତ୍କାର । ହୁଏତ ପ୍ରସାଧନର ଆଧିକ୍ୟ ଯୋଗୁ ବୟସର ପ୍ରାଦୁର୍ଭାବ ବେଶ୍‌ ଗୋପନୀୟ ହୋଇଯାଇଛି । ନାମ ତାଙ୍କର ଶ୍ରୀମତୀ ଚନ୍ଦ୍ରାବତୀ ଦାସ । ହାଲ୍‌ସାକିନ ଅର୍ଥାତ୍‌ ବର୍ତ୍ତମାନର ନିବାସ ରୟଲ ହୋଟେଲ । କୋଠରି ନମ୍ବର କ-୫୫ । ଭଦ୍ରମହିଳା ଆସିଛନ୍ତି ଆଗ୍ରାରୁ । ଏତକ ଏକନିଶ୍ୱାସରେ କହିସାରି ଛାୟା ଦୀର୍ଘ ନିଶ୍ୱାସ ତ୍ୟାଗ କଲା ।

 

ଟେବୁଲ ଉପରେ ଥିବା ପେପରଓ୍ୱେଟ୍‌ଟାକୁ ଘୁରାଉ ଘୁରାଉ ଶତ୍ରୁଜିତ୍‌ କହିଲେ—ଆଗ୍ରାରୁ ଆସି ଜଣେ ଓଡ଼ିଆ ମହିଳା ଏଠା ରୟଲ ହୋଟେଲରେ ଅବସ୍ଥାନ କରି ମୋର...ଅର୍ଥାତ୍‌ କୁମାରୀ ଛାୟାଙ୍କ ନିକଟରେ ଉପସ୍ଥିତ ହେବାର କାରଣଟା ତ କଣ ମୁଁ ଜାଣିପାରିଲି ନାହିଁ ?

 

କୁମାରୀ ଛାୟାକୁ ତା’ର ବିବାହର ଭେଟି ଦେବାପାଇଁ ସେ ଆସିନାହାନ୍ତି । ସେ ଆସିଛନ୍ତି ଏକମାତ୍ର ଖ୍ୟାତନାମା ଗୋଏନ୍ଦା ଶତ୍ରୁଜିତଙ୍କ ପାଖକୁ । ବିଷୟଟା ଖୁବ୍‌ ଗୁରୁତର । ଆଉ ଏକାନ୍ତ ଗୋପନୀୟ । ଅର୍ଥାତ୍‌ ଶତ୍ରୁଜିତଙ୍କ ବ୍ୟତୀତ ସେ ଆଉ କାହାରିକୁ କହିବାକୁ ଚାହାନ୍ତି ନାହିଁ । ଭଦ୍ରମହିଳା ଡ୍ରଇଂ ରୁମର ସୋଫାସେଟ ଉପରେ ନ ବସି ଇତସ୍ତତଃ ଭାବରେ ପଦଚାରଣା କରୁଛନ୍ତି-। ଆଉ ସାମାନ୍ୟ ବିଳମ୍ବ ହେଲେ ଏଠାକାର ନିୟମ ଭଙ୍ଗ କରି ସେ ହୁଏତ ସିଧା ଏଇଠାରେ ବିରାଜମାନ ହେଇଯିବେ ।

 

ଅର୍ଥାତ୍‌ ତାଙ୍କ ନାମ ଶ୍ରୀମତୀ ଚନ୍ଦ୍ରବତୀ ଦାସ । ଆସିଛନ୍ତି ଆଗ୍ରାରୁ । ବର୍ଣ୍ଣ ଶ୍ୟାମଳ ହେଲେ ବି ଦେଖିବାକୁ ସୁନ୍ଦରୀ । ମୁଖମଣ୍ତଳଟି ବିଶେଷ ଚମତ୍କାର ।

 

ଶତ୍ରୁଜିତ୍‌ଙ୍କଠାରୁ ଚନ୍ଦ୍ରାବତୀର ପ୍ରଶଂସା ଶୁଣି ଛାୟା କ୍ରୋଧରେ କହିଲା—ବେଶ୍‌, ଏଠାକୁ ପଠାଇ ଦେଉଛି । କିନ୍ତୁ ଆଜି ସନ୍ଧ୍ୟା ଛଅଟାର ପ୍ରୋଗ୍ରାମ ଯେମିତି କାନସେଲ ନ ହୁଏ ! ଶତ୍ରୁଜିତଙ୍କ ଉତ୍ତରକୁ ଅପେକ୍ଷା ନ କରି ପୁସିଙ୍ଗ୍‌ ଡୋର ଖୋଲି ଛାୟା ସେ କୋଠରିରୁ ବାହାରିଗଲା ।

 

କେତେକ ମୁହୂର୍ତ୍ତ ପରେ ପୁଣି ସୁଇଂ ଡୋର ଖୋଲିଗଲା । ଛାୟାବର୍ଣ୍ଣିତ ଶ୍ରୀମତୀ ଚନ୍ଦ୍ରବତୀ ଦାସ ହାତରେ ଭେନିଟି ବ୍ୟାଗ ଧରି ଭିତରକୁ ଆସୁ ଆସୁ ନମସ୍କାର ଜଣାଇଲେ ।

 

ପ୍ରତିନମସ୍କାର ଜଣାଇ ଶ୍ରୀମତୀ ଦାସଙ୍କୁ ଆସନ ଗ୍ରହଣ କରିବାକୁ ଅନୁରୋଧ କଲେ ଶତ୍ରୁଜିତ୍‌ । ତାହାରି ଭିତରେ ତାଙ୍କର ସତର୍କ ଚକ୍ଷୁ ଶ୍ରୀମତୀ ଦାସଙ୍କ ଉପରୁ ବାରମ୍ବାର ଫେରିସାରିଥିଲା । କିନ୍ତୁ ହଠାତ୍‌ କିଛି ପ୍ରକାଶ କରିବାକୁ ହୁଏତ ସାହସ ପାଇପାରୁ ନ ଥିଲେ ।

 

ମୁଁ ଶୁଣିଲି, ଆପଣ ଆଗ୍ରାରୁ ସିଧାସଳଖ ଏଇଠିକୁ ଆସିଛନ୍ତି ?

 

ହଁ, ଆପଣଙ୍କ ପାଖକୁ ଆସିବା ବ୍ୟତୀତ ମୋର ଆଉ ଉପାୟ ନ ଥିଲା । ତେବେ ମୋର କୌଣସି ନିଜସ୍ୱ କାମ ନେଇ ମୁଁ ଆପଣଙ୍କ ପାଖକୁ ଆସିନାହିଁ ।

 

ତା ହେଲେ... ?

 

ଶ୍ରୀମତୀ ଦାସ ଟିକିଏ ରହିଲେ । ତା ପରେ କହିଲେ—ମୋର ଜଣେ ବାନ୍ଧବୀଙ୍କ କାତର ଅନୁରୋଧ ଉପେକ୍ଷା ନ କରି ମୋତେ ଏଠକୁ ଆସିବାକୁ ପଡ଼ିଲା । ସେ ଏଭଳି ଏକ ପରିସ୍ଥିତି ଭିତରେ ପଡ଼ିଯାଇଛନ୍ତି ଯେ...

 

ସେଇ ପରିସ୍ଥିତି ପାଇଁ ତାଙ୍କ ପରିବର୍ତ୍ତେ ଆପଣଙ୍କୁ ଆସିବାକୁ ପଡ଼ିଲା ?

 

ଆପ ତତଃ ଆପଣଙ୍କ କଥା ଅନେକାଂଶରେ ଠିକ୍‌ । ସେ ଏଇ ପରିସ୍ଥିତି ପାଇଁ ଏଭଳି ମର୍ମାହତ ହୋଇପଡ଼ିଛନ୍ତି ଯେ...

 

କିନ୍ତୁ ଆପଣ ?

 

ଦେଖନ୍ତୁ, ପ୍ରଥମରୁ ମୁଁ ଆପଣଙ୍କୁ କହୁଛି, ଏ ଘଟଣା ସହିତ ମୋର କୌଣସି ସମ୍ପର୍କ ନାହିଁ । ତେବେ ମୋର ବାନ୍ଧବୀଙ୍କ ଅନୁରୋଧରେ ତାଙ୍କ ତରଫରୁ ମୁଁ ଆପଣଙ୍କ ନିକଟକୁ ଆସିଛି । ସେମାନଙ୍କର ଏଇ ଘଟଣା ଭିତରେ ମୁଁ ସଂପୃକ୍ତ ହୋଇପଡ଼େଁ ଏ କଥା ମୁଁ ଚାହେ ନାହିଁ । ମୋର ବିଶ୍ୱାସ, ଆପଣ ମୋର ଏଇ ମତ ସହିତ ଏକମତ ହେବେ ।

 

ଶତ୍ରୁଜିତ୍‌ କିଛି ସମୟ ସ୍ଥିର ଦୃଷ୍ଟିରେ ଶ୍ରୀମତୀ ଦାସଙ୍କୁ ଅନାଇ ରହିଲେ । ଶ୍ରୀମତୀ ଦାସ ଠିକ୍‌ ସେତିକିବେଳେ ତାଙ୍କର ଭେନିଟି ବ୍ୟାଗ ଖୋଲି ଦଶଟଙ୍କିଆ ନୋଟରେ ଗୋଟାଏ ବଣ୍ତଲ ଟେବୁଲ ଉପରେ ରଖି କହିଲେ—ଏଥିରେ ଦେଢ଼ହଜାର ଟଙ୍କା ରହିଛି । ମୋର ବାନ୍ଧବୀ ଏଇ ଟଙ୍କା ଆପଣଙ୍କୁ ଦେବାପାଇଁ କହିଛନ୍ତି ।

 

କିନ୍ତୁ କାହିଁକି ?

 

କେବଳ ତାଙ୍କୁ ତଥା ତାଙ୍କର ସ୍ୱାମୀଙ୍କୁ ଭବିଷ୍ୟତ ଦୁର୍ନାମରୁ ରକ୍ଷା କରିବା ସଙ୍ଗେ ସଙ୍ଗେ ଏକ ସରଳା ଝିଅକୁ ପତନ ମୂଖରୁ ଉଦ୍ଧାର କରିବାକୁ ।

 

ମୁଁ ଆପଣଙ୍କ କଥା ଠିକ୍‌ଭାବରେ ବୁଝିପାରିଲି ନାହିଁ ।

 

ଶ୍ରୀମତୀ ଦାସ କିଛି ନ କହି ଭେନିଟି ବ୍ୟାଗ ଖୋଲିଲେ । ତା ଭିତରୁ ବଷ୍ଟ୍‌ ସାଇଜର ଏକ ଫଟୋଗ୍ରାଫ୍‌ ବାହାରକରି ଶତ୍ରୁଜିତଙ୍କ ହାତକୁ ବଢ଼ାଇଦେଲେ ।

 

ଫଟୋଗ୍ରାଫ୍‌ ଉପରେ ଦୃଷ୍ଟି ପଡ଼ିବା ସଙ୍ଗେ ସଙ୍ଗେ ଶତ୍ରୁଜିତ୍‌ଙ୍କ ମୂଖମଣ୍ତଳ ସଂକୁଚିତ ହୋଇଆସିଲା । ଆଉ ଚକ୍ଷୁ ଦୁଇଟା ଫଟୋଗ୍ରାଫ୍‌ ଉପରେ ଲାଗିରହିଲା ।

 

କୌଣସି ଏକ ନୃତ୍ୟର ବିଶେଷ ଭଙ୍ଗୀରେ ତରୁଣୀଟିର ଫଟୋଗ୍ରାଫ୍‌ ନିଆଯାଇଛି । ଶରୀରର ଅର୍ଦ୍ଧାଧିକ ଭାଗ ସମ୍ପୂର୍ଣ୍ଣ ଉଲଗ୍ନ । ଦେହର ଯୌବନଶ୍ରୀ ସୂକ୍ଷ୍ମ ବସ୍ତ୍ର ଭେଦ କରି ପ୍ରକାଶମୂଖୀ ହେବାପାଇଁ ଯେପରି ଉଦ୍‌ବିଘ୍ନ ହୋଇପଡ଼ିଛି । ତରୁଣୀଟି ସୁଶ୍ରୀସୁନ୍ଦରୀ । ଫଟୋଗ୍ରାଫ୍‌ଟିକୁ ନିଜଆଡ଼କୁ ଢଳାଇ ଆସଟ୍ରେ ଉପରେ ରଖିଲେ ଶତ୍ରୁଜିତ୍‌ । ତା ପରେ ଶ୍ରୀମତୀ ଦାସଙ୍କୁ ଅନାଇ କହିଲେ—କିନ୍ତୁ ଏଇ ନର୍ତ୍ତକୀ ସହିତ ଆପଣଙ୍କର ବାନ୍ଧବୀଙ୍କର ସମ୍ପର୍କ କଣ ?

 

ନିଜର ଏକମାତ୍ର ଝିଅ । ଆପଣ କହନ୍ତୁ, ମିଷ୍ଟର ଶତ୍ରୁଜିତ୍‌ କୌଣସି ଏକ ସମ୍ଭ୍ରାନ୍ତ ପରିବାରର ଝିଅ, ଏଇଭଳି ଅଧାଲଙ୍ଗୁଳୀ ହେଇ ଯଦି ବାର—କ୍ଳବ—ହୋଟେଲରେ ନାଚେ, ତା ହେଲେ, ତା’ ହେଲେ ବାପମାଆଙ୍କର ମନ କଣ ନ ହେବ ! ଆଉ ଏକ ସମ୍ବାଦ ତାଙ୍କର ମାନସମ୍ମାନ, ପ୍ରତିପତ୍ତି ଉପରେ କିଭଳି ଆଘାତ କରିବ ଆପଣ ନିଶ୍ଚୟ ଅନୁଭବ କରିପାରୁଥିବେ ।

 

ଶତ୍ରୁଜିତ୍‌ ହସିଲେ—ଶ୍ରୀମତୀ ଦାସ ! ତାଙ୍କ ଝିଅ ଯଦି ଠିକ୍‌ ଏଇଭଳି ଭାବରେ କୌଣସି କ୍ଲବ, ବାର ଅଥବା ହୋଟେଲରେ ନାଚେ ମୋର ସେଥିରେ କରିବାର କଣ ଅଛି ? ନିଜ ଝିଅକୁ ଶାସନ କରିବାର ଅଧିକାର ଯେତେବେଳେ ସେମାନେ ହରାଇସାରିଛନ୍ତି....

 

ନା, ନା, ମିଷ୍ଟର ଶତ୍ରୁଜିତ୍‌ ! ଆପଣ ଘଟଣାଟି ବିଷୟରେ ଏପର୍ଯ୍ୟନ୍ତ କିଛି ଶୁଣିବାକୁ ପାଇ ନ ଥିବାରୁ ଏଭଳି ଉତ୍ତର ସହଜ ଭାବରେ ଦେଇପାରୁଛନ୍ତି । କିନ୍ତୁ ପ୍ରକୃତରେ ସବୁ ଶୁଣିସାରିଲେ ଆପଣ ବିଚାର କରି ଦେଖିବେ ଯେ ଝିଅର ଏଇ ପରିସ୍ଥିତି ଶୁଣି ବିଚାରୀ ମା କିଭଳି ସାଂଘାତିକ ପରିସ୍ଥିତି ଭିତରେ ପଡ଼ିଛି ।

 

ଶତ୍ରୁଜିତ୍‌ କୌଣସି ମନ୍ତବ୍ୟ ନ ଦେଇ ସିଗାରେଟରେ ଅଗ୍ନି ସଂଯୋଗ କଲେ ।

 

ଶ୍ରୀମତୀ ଉଦ୍‌ବିଗ୍ନତା ସହକାରେ କହିଲେ—ଆପଣ ପ୍ରଭାସ ବହିଦାର ଆଇ. ଏ. ଏସ୍‌.ଙ୍କ ନାମ ଶୁଣିଥିବେ, ସେ କି ପ୍ରଶାସନିକ ଅଫିସର ଭାବରେ ଆଗ୍ରାରେ ରହିଛନ୍ତି ?

 

ପ୍ରଭାସ ବହିଦାର...ଏଇ ନାମଟି ଉଚ୍ଚାରିତ ହେବାମାତ୍ରେ ଶତ୍ରୁଜିତ୍‌ ଯେମିତି ଚମକିଉଠିଲେ—ଆପଣ କହୁଛନ୍ତି, ଏଇ ଝିଅଟି ହେଉଛି ପ୍ରଭାସ ବହିଦାରଙ୍କର ? ମିସେସ୍‌ ଦାସଙ୍କ କଥା ଯେମିତି ବିଶ୍ୱାସ କରିପାରିଲେ ନାହିଁ ଶତ୍ରୁଜିତ୍‌ ।

 

ହଁ, ମୋର ମନେହୁଏ, ପ୍ରଭାସ ବହିଦାରଙ୍କୁ ଆପଣ ଜାଣିଛନ୍ତି । ସେ ଯେ କିଭଳି ରକ୍ଷଣଶୀଳ ଆଉ କେତେ କଠୋର ସେକଥା ଆଉ ଆପଣଙ୍କୁ ଜଣାଇବାକୁ ପଡ଼ିବ ନାହିଁ ।

 

ମୁଁ କିନ୍ତୁ ବିଶ୍ୱାସ କରିପାରୁନାହିଁ, ମିସେସ ଦାସ, ପ୍ରଭାତ ବହିଦାରଙ୍କ ଝିଅ ହୋଇ....

 

ଶୁଣନ୍ତୁ ମିଷ୍ଟର ଶତ୍ରୁଜିତ୍‌ ! ପିଲାଟି ଦିନରୁ ନୃତ୍ୟ ପ୍ରତି ସରିତାର ଆଗ୍ରହ ଖୁବ୍‌ ବେଶି ଥିଲା । କିନ୍ତୁ ଆଜିକାଲି ଏଇ ସୌଖୀନ ନୃତ୍ୟରତାମାନେ ଯେଭଳି ସ୍ୱର୍ଗର ରମ୍ଭା, ଉର୍ବଶୀ, ମେନକାଙ୍କଠାରୁ ଆଉ କେତେପାଦ ଉପରକୁ ଉଠିଗଲେଣି ତାହା ଦେଖି ପ୍ରଭାସ ବହିଦାରଙ୍କ ଭଳି ଜଣେ ଖ୍ୟାତିସମ୍ପନ୍ନ, ରକ୍ଷଣଶୀଳ ବ୍ୟକ୍ତି ଯେ ତାଙ୍କ ଝିଅକୁ ଏଥିପାଇଁ ଅନୁମତି ଦେବେ ଏହା ଆଶା କରିବା କଥା ନୁହେଁ । ତଥାପି ଏଭଳି ଶିକ୍ଷାରୁ ସେ ବଞ୍ଚିତ ହୋଇଥିଲେ ବି କିଭଳି ସେ ଯେ ଏତେଦୂର ଆଗେଇଗଲା ଆମେ ଚିନ୍ତା କରିପାରୁନାହୁଁ ।

 

ବେଶ୍‌, ତା’ପରେ... ?

 

ଏତେ ରକ୍ଷଣଶୀଳ ଆଉ କଠୋର ହେଲେ ବି ଶ୍ରୀଯୁକ୍ତ ବହିଦାରଙ୍କର ନିଜର ଜନ୍ମଭୂମି ଆଉ ମାତୃଭାଷା ପ୍ରତି ମମତା ଥିଲା ଖୁବ୍‌ବେଶି । ସରିତା ତାଙ୍କର ଏକମାତ୍ର ଝିଅ ହେଇଥିଲେ ବି ଓଡ଼ିଶା ବାହାରେ କୌଣସିଠାରେ ତାକୁ ଶିକ୍ଷା ଦେବାକୁ ତାଙ୍କର ଆଗ୍ରହ ନ ଥିଲା । ତେଣୁ ବାଲେଶ୍ୱରରେ ତାଙ୍କ ମାମୁଁଙ୍କ ପାଖରେ ରହି ସେ ପାଠ ପଢ଼ୁଥିଲା । ତାଙ୍କର ମାମୁଁ ଥିଲେ ଜଣେ ସାମରିକ ଅଫିସର । ସେଠାରୁ ସେ ରାଜସ୍ଥାନ ବଦଳି ହେଇ ଯିବାରୁ ସରିତା ହଷ୍ଟେଲରେ ରହି ପାଠ ପଢ଼ୁଥିଲା ।

 

ଓ...ବେଶ୍‌, ତା’ପରେ... ?

 

ଏଇ କେତେଦିନ ତଳେ ତା’ର ମା’ ଏଇ ଫଟୋଗ୍ରାଫ୍‌ ଖଣ୍ତିକ ପାଇ ବିଚଳିତ ହୋଇପଡ଼ିଲେ । ସେ କିମିତି ଜାଣିବାକୁ ପାଇଲେ ଯେ ତାଙ୍କର ଝିଅ ତାଙ୍କ ଅଜାଣତରେ ଏଇ କାମରେ ଲିପ୍ତ ରହିଛି ।

 

ଆଉ ଏଇ ଫଟୋଖଣ୍ତିକ ସେ ପାଇଲେ କେମିତି ?

 

ସେକଥା ମୁଁ ଜାଣେ ନାହିଁ । ମୁଁ ମଧ୍ୟ ଏଭଳି ପ୍ରଶ୍ନ କରି କୌଣସି ଉତ୍ତର ତାଙ୍କଠାରୁ ପାଇନାହିଁ ।

 

ଶତ୍ରୁଜିତ୍‌ ବେଶ୍‌ କିଛି ସମୟ ଗମ୍ଭୀର ହୋଇଉଠିଲେ । ତା’ପରେ କହିଲେ—ମୁଁ କିନ୍ତୁ ଏ ବିଷୟରେ କ’ଣ କରିପାରିବି ମିସେସ୍‌ଦାସ ? ଆପଣ ବରଂ ପୋଲିସର ଆଶ୍ରୟ ନିଅନ୍ତୁ ।

 

ଶ୍ରୀମତୀ ଦାସ ହସିଲେ-ଆପଣଙ୍କୁ ତାଙ୍କ ପରିବାର ବିଷୟରେ ସମସ୍ତ କିଛି ଜଣେଇଲି, ମିଷ୍ଟର ଶତ୍ରୁଜିତ୍‌ ! ପୋଲିସ କାନକୁ ଏ କଥାଟା ଗଲେ କେବେ ଗୋପନୀୟ ହୋଇ ରହିବ ନାହିଁ । ଆଉ ବହିଦାରଙ୍କ କାନରେ ଯଦି ଏକଥା ପଡ଼େ ତା’ହେଲେ ସରିତାକୁ ସେ ଯେ ତ୍ୟାଜ୍ୟ କରିଦେବେ, ଏଥିରେ କୌଣସି ସନ୍ଦେହ ନାହିଁ । ଏହି ଭୟରେ ତା’ର ମା ଅସ୍ଥିର ହୋଇପଡ଼ିଛନ୍ତି ।

 

ଶତ୍ରୁଜିତ୍‌ ପୁଣି ଖଣ୍ତିଏ ସିଗାରେଟରେ ଅଗ୍ନି ସଂଯୋଗ କରି କହିଲେ—ମୁଁ ଏ ବିଷୟରେ ଏତେ ହଠାତ୍‌ କିଛି କହିପାରୁନାହିଁ, ଶ୍ରୀମତୀ ଦାସ !

 

ଦୟା କରନ୍ତୁ, ମିଷ୍ଟର ଶତ୍ରୁଜିତ୍‌ ! ଆପଣ ହିଁ ଏକମାତ୍ର ଲୋକ ଯିଏ କି ଏ ବିପଦରୁ ତାଙ୍କୁ ଉଦ୍ଧାର କରିପାରିବ । ତା’ଛଡ଼ା ଆଉ ଗୋଟାଏ କଥା ଜାଣନ୍ତି ମିଷ୍ଟର ଶତ୍ରୁଜିତ୍‌, ଆସନ୍ତାବର୍ଷ ତା’ର ବିଭାଘର ହେବାର ସ୍ଥିର ହୋଇସାରିଛି । ପାତ୍ରଟି ବର୍ତ୍ତମାନ ଆମେରିକାରେ ରିସର୍ଚ୍ଚ କରୁଛି । ଆଉ ଛ’ମାସ ପରେ ସେ ଫେରିଆସିବ । ଆଉ ତା’ ପୂର୍ବରୁ ଯଦି ସରିତାକୁ କୌଣସିମତେ ଉଦ୍ଧାର କରା ନ ଯାଏ, ତା’ହେଲେ...

 

ଏବେ କ’ଣ ଆଉ ସେ ପଢ଼ାପଢ଼ି କରୁନାହିଁ ?

 

ହଁ, କିନ୍ତୁ ଏବେ ତ କଲେଜ ବନ୍ଦ । କଲେଜ ବନ୍ଦ ହେଲା ପରେ ଘରକୁ ନ ଯାଇ ଏଇ ସହର ଭିତରେ ରହିଛି ।

 

ଏଇ ସହର ଭିତରେ ?

 

ଅବଶ୍ୟ ସେ କୋଉଠି ରହୁଛି ମୁଁ ଜାଣେ ନାହିଁ । କାଲି ଅପ୍ରତ୍ୟାଶିତ ଭାବରେ ଏଠାକାର ‘ଲା-ବେଲା’ ହୋଟେଲରେ ତା’ର ଏଇ ନୃତ୍ୟ ପ୍ରୋଗ୍ରାମ ଥିବାର ସମ୍ବାଦ ମୁଁ ପାଇଲି ।

 

‘ଲା-ବେଲା’ ହୋଟେଲରେ...

 

ହଁ, ଶୁଣିଛି, ଦୀର୍ଘ ପନ୍ଦର ଦିନ ପାଇଁ ପ୍ରତ୍ୟହ ଘଣ୍ଟାଏ ଲେଖାଏଁ ତା’ର ପ୍ରୋଗ୍ରାମ ରହିଛି-

 

ଆପଣ ଗତକାଲି ଲା-ବେଲା ଯାଇଥିଲେ ?

 

ଅନ୍ତତଃ ଥରେ ତା’ ସହିତ ଦେଖା କରି ତା’ ମାଆର ପରିସ୍ଥିତି ବୁଝାଇବାପାଇଁ । ସେଠାରେ ତ ବାହାର ଲୋକଙ୍କୁ ଟିକେ ଟିକେଟ ମିଳିବା ବହୁତ ମୁସ୍କିଲ । ତଥାପି ମୁଁ ଜଣେ ସ୍ତ୍ରୀଲୋକ ହୋଇଥିବାରୁ ଟିକେଟଟିଏ ପାଇବା ପାଇଁ ଅସୁବିଧା ହେଲା ନାହିଁ । ମିଷ୍ଟର ଶତ୍ରୁଜିତ୍‌...ଆପଣଙ୍କ ପାଖରେ ଏକଥା ମଧ୍ୟ କହିବାକୁ ସଂକୋଚ ଲାଗୁଛି ।

 

ମାନେ... ?

 

ଶ୍ରୀମତୀ ଦାସଙ୍କ ମୁଖମଣ୍ତଳ ଅବନମିତ ହୋଇଆସିଲା—ମୁଁ ଶୁଣିଥିଲି, ଏଭଳି ‘ଅଧା ଲଙ୍ଗୁଳୀ’ ନୃତ୍ୟ କେବଳ ବେଶ୍ୟାମାନେ ହିଁ କରିପାରନ୍ତି । ଗୋଟିଏ ଉଚ୍ଚଶିକ୍ଷିତା, ସମ୍ଭ୍ରାନ୍ତ ବଂଶର ଝିଅ ଯେ...

 

ଶତ୍ରୁଜିତ୍‌ କ୍ରମଶଃ ଗମ୍ଭୀର ହୋଇଆସୁଥିଲେ । ସିଗାରେଟ ଉପରେ ଶକ୍ତ ଚାପଟିଏ ଦେଇ କହିଲେ—ତା’ପରେ ତା’ ସହିତ ସାକ୍ଷାତ୍‌ କଲେ ନିଶ୍ଚୟ ?

 

ନା ।

 

ମାନେ... ?

 

ତା’ ସହିତ ଦେଖା କରିବାପାଇଁ ଜଣେ ବିଏରର ହାତରେ ମୁଁ ଖଣ୍ତିଏ ଚିଠି ପଠାଇଥିଲି । ମୋର ବିଶ୍ୱାସ ଥିଲା, ମୋର ନାମ ଶୁଣିବାମାତ୍ରେ ସେ ନିଶ୍ଚୟ ଆସିବ ... ତା’ପରେ କିଛି ସମୟ ରହିଯାଇ କହିଲେ—ମିଷ୍ଟର ଶତ୍ରୁଜିତ୍‌ ! ମୋ ସହିତ ଦେଖା କରିବା ତ ଦୂରର କଥା, ଓଲଟି ଖବର ଦେଲା ସେ ମୋତେ ଜାଣେ ନାହିଁ । ଅଜଣା ଲୋକ ସହିତ ଆଳାପ କରିବାକୁ ତା’ ପାଖରେ ସମୟ ନାହିଁ ।

 

ସ୍ଥିରଦୃଷ୍ଟିରେ ଶ୍ରୀମତୀ ଦାସଙ୍କୁ କିଛି ସମୟ ଅନାଇ ରହିବା ପରେ ଶତ୍ରୁଜିତ୍‌ କହିଲେ—ସରିତାର ଏଭଳି ପରିବର୍ତ୍ତନର କାରଣ କ’ଣ, ସେ ବିଷୟରେ କିଛି ଜାଣନ୍ତି ଶ୍ରୀମତୀ ଦାସ ?

 

ନରମାୟା ନାରାୟଣଙ୍କୁ ବି ଅଗୋଚର, ମିଷ୍ଟର ଶତ୍ରୁଜିତ୍‌ ! ତେଣୁ ମୋର ଅନୁରୋଧ, ଆପଣ ମୋର ବାନ୍ଧବୀଙ୍କୁ ଏଇ ବିପଦରୁ ଉଦ୍ଧାର କରନ୍ତୁ ।

 

ତା’ହେଲେ ସରିତାର ଆଜି ‘ଲା-ବେଲା’ରେ ପ୍ରୋଗ୍ରାମ ରହିଛି ?

 

ହଁ, ସନ୍ଧ୍ୟା ସାଢ଼େ ଛ’ଟାରେ...

 

ବେଶ୍‌, ଆପଣ ତା’ହେଲେ ସରିତା ବିଷୟରେ ଅନୁସନ୍ଧାନ କରିବାପାଇଁ ଏଗ୍ରିମେଣ୍ଟ ଫର୍ମରେ ଦସ୍ତଖତ୍‌ କରନ୍ତୁ । ତା’ପରେ ଆପଣ ଏବେ ରହୁଥିବା ହୋଟେଲକୁ ଫେରିଯାଆନ୍ତୁ । ସନ୍ଧ୍ୟାଠାରୁ ରାତିର ଯେକୌଣସି ମୁହୂର୍ତ୍ତରେ ଏ ବିଷୟରେ ପଦକ୍ଷେପର ଅଗ୍ରଗତି ବିଷୟରେ ମୁଁ ଆପଣଙ୍କୁ ସୂଚନା ଦେବି ।

 

କିନ୍ତୁ ଏଗ୍ରିମେଣ୍ଟ... !

 

ଅନ୍ୟ କିଛି ନୁହେଁ । କେବଳ କେତେକ ଆବଶ୍ୟକତା ଦୃଷ୍ଟିରୁ ଆପଣଙ୍କୁ ସେତକ କରିବାକୁ ପଡ଼ିବ ।

 

ଶ୍ରୀମତୀ ଦାସ ନୀରବ ହୋଇଗଲେ ।

 

ଡ୍ରଏର ଭିତରୁ ଗୋଟିଏ ଫାଇଲ ବାହାର କରି ତା’ ଦେହରେ କ’ଣ ଲେଖିଲେ ଶତ୍ରୁଜିତ୍‌-। ତା’ପରେ ତାହ ଶ୍ରୀମତୀ ଦାସଙ୍କ ଆଡ଼କୁ ବଢ଼ାଇଦେଲେ ।

 

ଶ୍ରୀମତୀ ଦାସ ଦସ୍ତଖତ୍‌ କରୁ କରୁ ଟେଲିଫୋନର ରିଂ ହେଲା । ରିସିଭର ଉଠାଇନେଲେ ଶତ୍ରୁଜିତ୍‌ । କହିଲେ, କ’ଣ ହେଲା ଛାୟା ? ଆଉଜଣେ ଭଦ୍ରଲୋକ...ଖୁବ୍‌ ଜରୁରୀ କାମରେ ? କ’ଣ କହିଲ ? ମିଶ୍ର ଏଣ୍ତ ମିଶ୍ର ଏଣ୍ଟରପ୍ରାଇଜର୍ସର ଇୟରାମ ମିଶ୍ର ? ...ନା, ଟିକିଏ ଅପେକ୍ଷା କରିବାକୁ କୁହ । ଶ୍ରୀମତୀ ଦାସ ଗଲା ପରେ ପରେ ଭିତରକୁ ପଠାଇବ ।’ ରିସିଭର ରଖି ବୁଲିଆସିଲାବେଳକୁ ଶ୍ରୀମତୀ ଦାସ ଫର୍ମରେ ଦସ୍ତଖତ୍‌ କରି ଶତ୍ରୁଜିତ୍‌ଙ୍କ ହାତକୁ ବଢ଼ାଇଦେଲେ ।

 

ଆପଣଙ୍କର ସହଯୋଗର ସମ୍ବାଦ ପାଇ ଶ୍ରୀମତୀ ବହିଦାର ଯେ କେତେ ଆନନ୍ଦିତ ହେବେ, ତାହା କଳ୍ପନାତୀତ, ମିଷ୍ଟର ଶତ୍ରୁଜିତ୍‌ ! ବେଶ୍‌, ମୁଁ ଯାଇ ଆପଣଙ୍କ ଟେଲିଫୋନ୍‌କୁ ଅପେକ୍ଷା କରିଥିବି ।

 

ନମସ୍କାର ଜଣାଇ ଶ୍ରୀମତୀ ଦାସ ସେ କୋଠରିରୁ ବାହାରିଗଲେ ।

 

ସେ ବାହାରିଯିବ ପରେ ପରେ ପୁଣି ଏକ ଦୁଶ୍ଚିନ୍ତା ଭିତରେ ପଡ଼ିଲେ ଶତ୍ରୁଜିତ୍‌ । ମିଶ୍ର ଏଣ୍ତ୍‌ ମିଶ୍ର ଏଣ୍ଟରପ୍ରାଇଜର୍ସର ମେନେଜିଂ ପାର୍ଟନର ଜୟରାମ ମିଶ୍ରଙ୍କ ଅକସ୍ମାତ୍‌ ଆଗମନ ତାଙ୍କୁ ଗଭୀର ଦ୍ୱନ୍ଦ୍ୱ ଭିତରେ ପକାଉଥିଲା । କାରଣ ସେମାନଙ୍କ ସହିତ ବ୍ୟକ୍ତିଗତ ପରିଚୟ ନ ଥିଲେ ବି ବିଭିନ୍ନ ବିଜ୍ଞାପନରୁ ତାର ଲୋକପ୍ରିୟତା ସେ ବୁଝିପାରିଥିଲେ ।

 

ସୁଇଂଡୋର ଖୋଲା ହେବା ଶଦ୍ଦରେ ସେ ସଚେତନ ହୋଇଗଲେ । ଭିତରକୁ ଯିଏ ଆସୁଥିଲେ ତାଙ୍କର ବୟସ ୩୫ ରୁ ଊର୍ଦ୍ଧ୍ୱ ନ ହେଲେ ବି ଅକାଳରେ ମୁଣ୍ତର କେଶଗୁଡ଼ିକ ଧଳା ପଡ଼ିଆସିଥିଲା । ଏ ସବୁ ବାଦ୍‍ ଦେଲେ ଲୋକଟି ବେଶ୍‌ ହୃଷ୍ଟପୁଷ୍ଟ, ଆଉ ଶ୍ୟାମଳ ବର୍ଣ୍ଣର ।

 

ପ୍ରତିନମସ୍କାର ଜଣାଇ ଶତ୍ରୁଜିତ୍‌ କହିଲେ—ଆସନ୍ତୁ ମିଶ୍ରବାବୁ !

 

ଜୟରାମଙ୍କ ମୁଖମଣ୍ତଳରେ ଭୟର କାଳିମା ବିଶେଷ ଭାବରେ ପରିସ୍ଫୁଟ ହେଉଥିଲା । ସେ ଚେୟାରରେ ବସୁ ବସୁ କହିଲେ—ଆପଣ ମୋତେ ରକ୍ଷା କରନ୍ତୁ, ମିଷ୍ଟର ଶତ୍ରୁଜିତ୍‌ ! ନ ହେଲେ କାଲି ହୁଏତ ସୂର୍ଯ୍ୟୋଦୟ ଦେଖିବା ମୋ ପକ୍ଷରେ ସମ୍ଭବ ହେବ ନାହିଁ ।

 

ମାନେ... ?

 

ଜୟରାମଙ୍କର ମୁଖମଣ୍ତଳ ଶୁଭ୍ର ପଡ଼ିଆସୁଥିଲା । କମ୍ପିତ କଣ୍ଠରେ ସେ କହିଲେ—ଏଇ କେଇ ମୁହୂର୍ତ୍ତ ପୂର୍ବରୁ ନିର୍ଘାତ ମୃତ୍ୟୁ ନିକଟରୁ ସୌଭାଗ୍ୟକ୍ରମେ ବଞ୍ଚି ଆପଣଙ୍କ ନିକଟକୁ ଦୌଡ଼ିଆସିଛି, ମିଷ୍ଟର ଶତ୍ରୁଜିତ୍‌ !

 

ଅର୍ଥାତ୍‌... ? ବିସ୍ମିତ କଣ୍ଠରେ ଶତ୍ରୁଜିତ୍‌ କହିଲେ ।

 

ନିଜର ଊର୍ଦ୍ଧ୍ୱ ଶ୍ୱାସ ପ୍ରଶ୍ୱାସକୁ ବନ୍ଦ କରିବାପାଇଁ ପ୍ରଯତ୍ନ କରୁକରୁ ଶ୍ରୀ ମିଶ୍ର କହିଲେ—ମିଶ୍ର ଏଣ୍ତ୍‌ ମିଶ୍ର ଏଣ୍ଟରପ୍ରାଇଜର୍ସର ନାମ ଆପଣ ଶୁଣିଥିବେ । ପାଞ୍ଚବର୍ଷ ତଳେ ମୁଁ ଆଉ ସୌଭାଗ୍ୟ ଆମେ ଦୁହେଁ ମିଶି ଏଇ ବ୍ୟବସାୟ ଆରମ୍ଭ କରିଥିଲୁଁ । ଆମ ଉଭୟଙ୍କ ପ୍ରଚେଷ୍ଟାରେ ବ୍ୟବସାୟର ପରିସର ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଆସ୍ତେ ଆସ୍ତେ ଲାଭ ବି ବଢ଼ୁଥିଲା । ସେତେବେଳର ୫୦ ହଜାର ଟଙ୍କାର ବ୍ୟବସାୟ ଏବେ ପ୍ରାୟ ପାଖାପାଖି ତିନିଲକ୍ଷ ଟଙ୍କାରେ ପହଞ୍ଚିଲାଣି ।

 

କିନ୍ତୁ ଆପଣଙ୍କର ଭୟ କାହିଁକି ?

 

ପୂର୍ବରୁ ମୋ ମନରେ ଏଇଭଳି ସନ୍ଦେହ ଆସୁଥିଲେ ବି ମୁଁ ହଠାତ୍‌ ଏ କଥା ବିଶ୍ୱାସ କରିପାରୁ ନ ଥିଲି । ଆଜି ପ୍ରାୟ ଦୁଇଟାବେଳେ ସୌଭାଗ୍ୟ ଆସି ମୋ ଚେମ୍ବରରେ ପହଞ୍ଚିଲା, ଆଉ ମୋତେ ଅନୁରୋଧ କଲା ଚନ୍ଦକାର ଫରେଷ୍ଟ ଅଫିସକୁ ଯିବା ପାଇଁ । ତା କଥା ମୁଁ ହଠାତ୍‌ ଅବିଶ୍ୱାସ କରିପାରିଲି ନାହିଁ । କାରଣ ଆମେ ଏ ବର୍ଷ କିଛି ଜଙ୍ଗଲ ଲିଜରେ ନେବାକୁ ସ୍ଥିର କରିଥିଲୁଁ-। ସେଇଥିପାଇଁ ମୁଁ କିଛି ପ୍ରତିବାଦ କଲି ନାହିଁ । ସୌଭାଗ୍ୟ ନିଜେ ଗାଡ଼ି ଡ୍ରାଇଭିଂ କରୁଥିଲା ଆଉ ମୁଁ ତା ପାଖରେ ବସିଥିଲି । ଗାଡ଼ି ସମତଳ ରାସ୍ତା ଛାଡ଼ି ଯେତେବେଳେ ନିଘଞ୍ଚ ଜଙ୍ଗଲ ଭିତରେ ପ୍ରବେଶ କଲା ସେତେବେଳେ ହଠାତ୍‌ ତା ମୁଣ୍ତ କଣ ହେଉଛି ବୋଲି କହି ମୋତେ ଡ୍ରାଇଭିଂ କରିବାକୁ ଅନୁରୋଧ କଲା । ତା’ର ଏ ଛଳନା ମୁଁ ହାଠାତ୍‌ ବୁଝିପାରିଲି ନାହିଁ । ଗାଡ଼ି ବନ୍ଦ କରି ସେ ପଛ ସିଟ୍‌କୁ ଚାଲିଗଲା ଆଉ ମୁଁ ୧୫/୨୦ ମାଇଲ ବେଗରେ ଗାଡ଼ି ଚଳାଇବାକୁ ଲାଗିଲି । ହଠାତ୍‌ ପଛରେ ଖଡ଼ ଖଡ଼ ଶଦ୍ଦ ହେବାରୁ ମୋ ମନରେ ସନ୍ଦେହ ହେଲା । ତତ୍‌କ୍ଷଣାତ୍‌ ପଛକୁ ଅନାଇ ଦେଖେ ତ ସୌଭାଗ୍ୟ ହାତରେ ଖଣ୍ତିଏ ଲୁହା ରଡ୍‍ ରହିଛି । ଆଉ ତା’ର ଲକ୍ଷ୍ୟ ଯେ ମୋର ମୁଣ୍ତ ଉପରେ ଥିଲା ତା’ ମୁଁ ସହଜରେ ବୁଝିପାରିଲି । ତେଣୁ ହଠାତ୍‌ ବ୍ରେକ୍‌ମାରି ମୁଁ ଗାଡ଼ି ଅଟକାଇଦେବାରୁ ସେ କହିଲା ଯେ ସିଟ୍‌ଭିତରେ କେହି ଏ ରଡ୍‍ଟା ରଖିଦେଇଥିଲା । ଆଉ ତାକୁ ସେ ବାହାର କରୁଥିଲା । କିନ୍ତୁ ତାର କଥା କହିବାର ଭଙ୍ଗୀ ଭିତରେ ସନ୍ଦେହ କରିବାର ଯଥେଷ୍ଟ କିଛି ଅବକାଶ ଥିଲା । ମୁଁ ହଠାତ୍‌ ଆଉ କିଛି ପ୍ରତିକ୍ରିୟା ପ୍ରକାଶ ନ କରି କହିଲି ଯେ ମୁ ମୋ ଅଫିସ ଡ୍ରଏର ଭିତରେ ୧୦ହଜାର ଟଙ୍କାର କ୍ୟାସ ଛାଡ଼ିଆସିଛି । ଆଉ ଡ୍ରଏର ଲକ୍‌ କରିବାକୁ ଭୁଲିଯାଇଛି-। ସେ ମଧ୍ୟ ଆଉ କୌଣସି ପ୍ରତିବାଦ କଲା ନାହିଁ । ଆମେ ଉଭୟେ ଅଫିସକୁ ଫେରିଆସିଲୁଁ-। ସେ ଅଫିସକୁ ଗଲା ପରେ ମୁଁ ସିଧାସଳଖ ଆପଣଙ୍କ ପାଖକୁ ଧାଇଁଆସିଛି ।

 

ବିସ୍ମିତ ଭାବରେ ତାଙ୍କୁ ଲାକ୍ଷ୍ୟ କରି ଶତ୍ରୁଜିତ୍‌ କହିଲେ—ଏଇ ସାମାନ୍ୟ ଘଟଣାରୁ ସେ ଯେ ଆପଣଙ୍କୁ ହତ୍ୟା କରିବେ ଏ ଆଶଙ୍କା ଆପଣ କାହିଁକି କରୁଛନ୍ତି ?

 

ଘଟଣାଟା ସାମାନ୍ୟ ନୁହେଁ, ମିଷ୍ଟର ଶତ୍ରୁଜିତ୍‌ ! ଆଉ ସେ ଯେ ମୋତେ ଏକାନ୍ତ ଭାବରେ ହତ୍ୟା କରିବାପାଇଁ ଷଡ଼ଯନ୍ତ୍ର ଚଳାଇଛି ଏ ବିଷୟର ସନ୍ଧାନ ମୁଁ ପାଇଛି ।

 

କିନ୍ତୁ କାହିଁକି ସେ ଆପଣଙ୍କୁ ହତ୍ୟା କରିବେ ? ତା ଦ୍ୱାରା ତାଙ୍କର ଲାଭ ହେବ ?

 

ଅନେକ କିଛି, ମିଷ୍ଟର ଶତ୍ରୁଜିତ୍‌ ! ଅବଶ୍ୟ ଦୀର୍ଘଦିନ ଧରି ମନ ଭିତରେ ଏଇ ଯନ୍ତ୍ରଣା କେବଳ ଗୋପନ ରଖିଥିଲି ମୋର ଆତ୍ମସମ୍ମାନ ଦୃଷ୍ଟିରୁ । ହେଲେ ଆପଣଙ୍କ ପାଖରେ ସେସବୁ ଲୁଚାଇ କିଛି ଲାଭ ହେବ ନାହିଁ । ଜୟରାମ କିଛି ସମୟ ନୀରବ ରହିଗଲେ । ତା’ ପରେ ସିଗାରେଟ ଖଣ୍ତିଏ ଶତ୍ରୁଜିତ୍‌ଙ୍କୁ ଦେଇ ନିଜେ ଅପର ଖଣ୍ତିକରେ ଅଗ୍ନି ସଂଯୋଗ କରୁ କରୁ କହିଲେ–ଆମ ଅଫିସରେ କାମ କରୁଥିବା ଏକ ଶରଣାର୍ଥୀ ମୁଁ ଭଲ ପାଇ ବସିଥିଲି । ଅବଶ୍ୟ ତାର ରୂପରେ ମୁଗ୍‌ଧ ହୋଇ ନୁହେଁ, ତାର କର୍ମଦକ୍ଷତା ଯୋଗୁ । ଶେଷରେ ଦୁଇବର୍ଷ ତଳେ ମୁଁ ତାକୁ ବିବାହ କରିଥିଲି । ବିବାହର ଗୋଟିଏ ବର୍ଷ ବେଶ୍‌ ହସଖୁସିରେ ଆମ ସଂସାର ଚଳିଯାଉଥିଲା-। ସୌଭାଗ୍ୟ ଥିଲା ମୋର ବନ୍ଧୁ । ତାକୁ ଅବିଶ୍ୱାସ କରିବାର କିଛି କାରଣ ନ ଥିଲା । ମୁଁ ଘରେ ଥିଲା ନଥିଲାବେଳେ ସେ ଅଧିକାଂଶ ସମୟରେ ଆସୁଥିଲା । କିନ୍ତୁ ଏଇ ସମୟ ଭିତରେ ମୋର ସ୍ତ୍ରୀ ଆଉ ତା’ ଭିତରେ ଯେ ଏକ ଗୋପନ ଭାବ ବଢ଼ିଉଠିଥିଲା ସେକଥା ମୁଁ ସହଜରେ ଜାଣିପାରି ନ ଥିଲି-। ଆଉ ଯେତେବେଳେ ଜାଣିଲି, ସେତେବେଳେ ମୋ ସ୍ତ୍ରୀ ଆଉ ମୋ ଭିତରେ ମନାନ୍ତର ସୃଷ୍ଟି ହେଲା-। ସେଇଥିପାଇଁ ଆଜକୁ ପ୍ରାୟ ଛ’ମାସ ହେବ ସେ ତା’ର ବାପମାଆଙ୍କ ପାଖକୁ କଲିକତା ଯାଇ ଆଉ ଫେରିନାହିଁ । ଏହି ଭିତରେ ମୁଁ ସନ୍ଧାନ ପାଇଲି ଯେ ସୌଭାଗ୍ୟ ଅନେକଥର କଲିକତା ଯାଇ ତା’ ସହିତ ମିଳାମିଶା କରୁଛି । ଉଭୟେ ଗୋପନ ଚକ୍ରାନ୍ତ କରି ମୋତେ ହତ୍ୟା କରିବାକୁ ଚେଷ୍ଟା ଚଳାଇଛନ୍ତି ।

 

ଶତ୍ରୁଜିତ୍‌ଙ୍କ ମୁଖମଣ୍ତଳରେ ଚିନ୍ତାର ରେଖା ଫୁଟିଉଠିଲା । ତାଙ୍କ ଉପରୁ ଦୃଷ୍ଟି ଫେରାଇଆଣି ଜୟରାମ କହିଲେ—କେବଳ ଏତିକି ନୁହେଁ, ମି: ଶତ୍ରୁଜିତ୍‌, ବ୍ୟବସାୟ ଭଲ ଚାଲିବା ପରେ ଆମେ ଉଭୟେ ଏକଲକ୍ଷ ଟଙ୍କାର ଏକ ଜଏଣ୍ଟ ଇନ୍‌ସିଓରେନସ୍‌ କରିଥିଲୁଁ । ମୋର ମୃତ୍ୟୁ ପରେ ସେ ଟଙ୍କା ସୌଭାଗ୍ୟ ପାଇବ । ଏଆଡ଼େ ବିଜିନେସ୍‌ ଅପର ପକ୍ଷରେ ରତ୍ନା ।

 

ବୁଝିଲି । କିନ୍ତୁ ମି: ମିଶ୍ର, ଆପଣ ଏ ବିଷୟରେ ପୋଲିସରେ ଖବର ଦେଲେ ବିଶେଷ ଭଲ ହୁଅନ୍ତା । ଆଉ ସେମାନେ ନିଶ୍ଚିତ ଭାବରେ ଆପଣଙ୍କୁ ଯେ ଏ ବିପଦରୁ ଉଦ୍ଧାର କରିନିଅନ୍ତେ ଏଥିରେ ଆଉ କିଛି ଭାବିବାର ନ ଥିଲା । ଆପଣ ଯାଆନ୍ତୁ ।

 

ମି : ଶତ୍ରୁଜିତ୍‌, ସୌଭାଗ୍ୟ ବିପକ୍ଷରେ ପ୍ରମାଣ ଦେବାଭଳି ମୋ ନିକଟରେ କିଛି ନାହିଁ । ତେଣୁ ପୋଲିସ୍‌ ଯେ ସହଜରେ ବିଶ୍ୱାସ କରିବ ଏହା ମୁଁ ଆଶା କରିପାରୁନାହିଁ । ଅନ୍ୟ ଦିଗରୁ ଦେଖିବାକୁ ଗଲେ ଏହାଦ୍ୱାରା ଲାଭ ଅପେକ୍ଷା କ୍ଷତିର ସମ୍ଭାବନା ଯଥେଷ୍ଟ ବେଶୀ । ଅବଶ୍ୟ ଏଠାକୁ ଆସିବା ପୂର୍ବରୁ ମୋର ଓକିଲ ବାନାମ୍ବର ମହାପାତ୍ରଙ୍କ ସହିତ ପରାମର୍ଶ କରିଥିଲି । ପୋଲିସ୍‌ ଅପେକ୍ଷା ସେ ଆପଣଙ୍କର ସାହାଯ୍ୟ ନେବାକୁ ମୋତେ ପରାମର୍ଶ ଦେଇଥିଲେ । ତା’ ଛଡ଼ା ଆଜି ରାତିଟା ହିଁ ମୋ ପକ୍ଷରେ ଜୀବନ ମରଣର ଏକ ସନ୍ଧିକ୍ଷଣ ।

 

ଅର୍ଥାତ୍‌ ?

 

କାଲି ସେ ପୁରୀ-ହାଓଡ଼ା ଏକ୍‌ସପ୍ରେସରେ କଲିକତା ଯିବାପାଇଁ ବର୍ଥ ରିଜର୍ଭ କରିବି । ଆଜି ରାତିକି ଯଦି ତା’ର ଗତିବିଧି ଉପରେ ଆପଣ ଲକ୍ଷ୍ୟ ରଖନ୍ତେ ତା’ହେଲେ ମୁଁ ରକ୍ଷା ପାଇଯାଆନ୍ତି ।

 

ମାନେ... ?

 

ମୁଁ ଭଲଭାବରେ ଜାଣେ ଏବେ ସେ ଅଫିସରେ ରହିଛି । ଖଣ୍ତିଏ ନୀଳରଙ୍ଗର ହ ଓ୍ୟାଇନ ଆଉ ଡୀପ୍‌ ବ୍ଲାକ୍ କଲର ଟେରେଲିନ୍ ଟ୍ରାଉଜର ପିନ୍ଧିଛି । ସେଠାରୁ ସେ ଛଅଟାବେଳେ ତା’ର ଘରକୁ ଯିବ । ତା’ର ଚକୋଲେଟ୍ କଲରର ଆମ୍ୱାସାଡର ଗାଡିଟିଏ ବି ସେଠାରେ ରହିଛି । ତେଣୁ ଆପଣ ଛଅଟାର କିଛି ସମୟ ଆଗରୁ ଗଲେ ନିଶ୍ଚୟ ତାକୁ ଦେଖିପାରିବେ, ଆଉ ଅନୁସରଣ କଲେ ଅନାୟାସରେ ତା’ର ଗତିବିଧି ନିୟନ୍ତ୍ରଣ କରିପାରିବେ ।

 

ଅର୍ଥାତ୍ ଆପଣ କହିବାକୁ ଚାହୁଛନ୍ତି ତାକୁ ପୂରାପୂରି ଅନୁସରଣ କରିବାକୁ—ସେ କୋଉଠିକି ଯାଉଛି—କ’ଣ କରୁଛି । ତା’ପରେ ଆପଣଙ୍କ ଘରକୁ ଗଲେ.....

 

ଆପଣଙ୍କର ଏଇ ସାହାଯ୍ୟ ପାଇଁ ମୁଁ ଗଭୀର କୃତଜ୍ଞ ହୋଇ ରହନ୍ତି, ମି: ଶତ୍ରୁଜିତ୍ ! ଆଉ ଆପଣଙ୍କ ପାରିଶ୍ରମିକ ବାବଦ...

 

ମି: ମିଶ୍ର, ମୁଁ ଖୁବ୍ ଦୁଃଖିତ ଯେ ଆଜିକ ପାଇଁ ମୁଁ ଆପଣଙ୍କୁ କୌଣସି ପ୍ରକାର ସାହାଯ୍ୟ କରିପାରୁନାହିଁ । କାରଣ ଠିକ୍ ଆପଣଙ୍କ ଆସିବା ଆଗରୁ ମୁଁ ଏକ ଚକ୍ତିପତ୍ରରେ ସ୍ୱାକ୍ଷର କରିଛି, ଆଉ ତାହା ଅତ୍ୟନ୍ତ ଜରୁରୀ ।

 

ମି: ଶତ୍ରୁଜିତ୍....., ହତାଶ କଣ୍ଠରେ ଜୟରାମ କହିଲେ—ଆପଣ ଯଦି ଆଜି ରାତିକି ମୋତେ ରକ୍ଷା ନ କରନ୍ତି ତା’ହେଲେ....

 

ଶତ୍ରୁଜିତ୍ ଚିନ୍ତାମଗ୍ନ ହୋଇପଡ଼ିଥିଲେ । ଜୟରାମଙ୍କୁ କୌଣସି ଉତ୍ତର ନ ଦେଇ ଟେଲିଫୋନ୍ ଉଠାଇଲେ—ଛାୟା, ତନ୍ମୟଙ୍କୁ କଣ୍ଟ କ୍‌ଟ୍‌କରି ମୋତେ ଦିଅ । ତା’ପରେ ରିସିଭର ରଖିଦେଇ କହିଲେ—ବେଶ୍, ଆପଣଙ୍କ ପାଇଁ ତନ୍ମୟଙ୍କୁ ଅନୁରୋଧ କରୁଛି । ତା’ ସଙ୍ଗେ ସଙ୍ଗେ ଆଉ ମଧ୍ୟ ମୋର ଆପଣଙ୍କୁ ଅନୁରୋଧ ଆପଣ ଆଜି ରାତିକ ପାଇଁ ଆପଣଙ୍କ ଘରକୁ ନ ଫେରି କୌଣସି ଏକ ବିଶ୍ୱସ୍ତ ବନ୍ଧୁଙ୍କ ଘରେ ରହିଯାଆନ୍ତୁ । ଏଭଳି କେହି ବନ୍ଧୁ ଆପଣଙ୍କର ଅଛନ୍ତି, ଯାହାଙ୍କ ଉପରେ ଆପଣ ବିଶ୍ୱାସ ରଖିପାରିବେ ?

 

ଜୟରାମ କିଛି ସମୟ କ’ଣ ଭାବି କହିଲେ—ଆପଣ ଠିକ୍ କହିଛନ୍ତି, ମି: ଶତ୍ରୁଜିତ୍ ! ମୁଁ ଏଠାରୁ ଫେରି ସିଧାସଳଖ ବାନାମ୍ୱର ପାଖକୁ ଚାଲିଯିବି । ଆଉ ସେଇଠାରେ.....

 

ଟେଲିଫୋନ୍ ରିଂ ହେଲା । ଶତ୍ରୁଜିତ୍ ରିସିଭର ଉଠାଇ ନେଇ ଅନ୍ୟ ପାର୍ଶ୍ୱରୁ ନମସ୍କାର ଜଣାଉଥିବ । ତନ୍ମୟଙ୍କୁ ପ୍ରତିନମସ୍କାର ଜଣାଇ କହିଲେ—ମୋର ବିଶ୍ୱାସ ତମେ ମିଶ୍ର ଏଣ୍ତ ମିଶ୍ର ଏଣ୍ଟରପ୍ରାଇଜର୍ସର ଜୟରାମ ମିଶ୍ରଙ୍କୁ ଜାଣିଥିବ । କିନ୍ତୁ ସେ ଠିକ୍ ପହଞ୍ଚିବାର ଅଳ୍ପ ସମୟ ଆଗରୁ ମୁଁ ଆଉ ଗୋଟିଏ କେସ୍ ନେଇସାରିଛି । ତମେ ତ ଜାଣ ଗୋଟାଏ କେସ୍‌ର ସମାଧାନ ନ କରି ସାରିବା ପର୍ଯ୍ୟନ୍ତ ଆଉ କେସ୍‌ ମୁଁ ଗ୍ରହଣ କରେ ନାହିଁ । ଏଆଡ଼େ ଜୟରାମବାବୁଙ୍କ କେସ୍ ମଧ୍ୟ ଜରୂରୀ । ତା’ପରେ ତାଙ୍କର କଥାବାର୍ତ୍ତା କରି ସବୁ ବୁଝିନିଅ । ତା’ପରେ ଜୟରାମଙ୍କ ହାତକୁ ରିସିଭର ବଢ଼ାଇଦେଲେ ।

 

ନମସ୍କାର ଜଣାଇ ଜୟରାମ କହିଲେ—ମି: ଶତ୍ରୁଜିତ୍ ଆପଣଙ୍କୁ ସମସ୍ତ କଥା କହିସାରିଛନ୍ତି । ଆଜ୍ଞା, ଠିକ୍ ଛ’ଟାରେ ସେ ଅଫିସରୁ ବାହାରିବ । ହଁ, ଗାଡ଼ିଟା ଚକୋଲେଟ୍ କଲରର...ଆଜ୍ଞା, ନା, ମୁଁ ଏବେ ମୋର ଓକିଲଙ୍କ ପାଖକୁ ଯାଉଛି । ....ହଁ, ଫୋନ୍ କରିବି । ....ଆଜ୍ଞା, ହଜାରେ ଟଙ୍କା ମୁଁ ଏବେ ଦେଇଯାଉଛି । ନମସ୍କାର । ରିସିଭର ରଖି ଦୀର୍ଘଶ୍ୱାସ ନେଲେ ଜୟରାମ ।

 

ବେଶ୍, ଆପଣ ଏଥର ନିଃସନ୍ଦେହରେ ଯାଆନ୍ତୁ । ଆଉ କେତେକ କଥା ମୁଁ ତନ୍ମୟଙ୍କୁ କହିବି ।

 

ଜୟରାମ ହଜାରେ ଟଙ୍କାରେ ଚେକ୍‌ଟିଏ ଦେଇ ସେ କୋଠିରିରୁ ବାହାରିଗଲେ । ତାଙ୍କ ଗତିପଥ ଉପରେ ଦୃଷ୍ଟି ନିବଦ୍ଧ କରି ଖଣ୍ତିଏ ସିଗାରେଟରେ ଅଗ୍ନି ସଂଯୋଗ କଲେ ଶତ୍ରୁଜିତ୍ । ତା’ପରେ ହଠାତ୍ କ’ଣ ରିସିଭର ଉଠାଇନେଲେ—ଆସ, ଛାୟା ! ପୁଣି ରିସିଭର୍ ରଖି କୋଠରି ଭିତରେ ପଦଚରାଣା କରିବାରେ ଲାଗିଲେ ।

 

ଛାୟା ଭିତରକୁ ଆସିବା ମାତ୍ରେ ଶତ୍ରୁଜିତ୍‍ଙ୍କ ପାଦ ଦୁଇଟା ସ୍ଥିର ହୋଇଗଲା—ଶ୍ରୀମତୀ ଦାସ ଆଉ ଜୟରାମ ମିଶ୍ର ଉଭୟଙ୍କ କଥା ତମେ ଶୁଣିଚ । କହିପାରିବ ଏ ଦୁଇଟା ଘଟଣା ଭିତରେ କୌଶସି ସମ୍ୱନ୍ଧ ଅଛି କି ନାହିଁ ?

 

କିଛି ଥିଲା ଭଳି ମୁଁ ବିଶ୍ୱାସ କରିପାରୁନାହିଁ । କାରଣ ବର୍ତ୍ତମାନର ଅନୁମାନ ଅନୁସାରେ ଦୁଇଟା ଘଟଣାର ଦିଗ ଭିନ୍ନମୁଖୀ । ଏଇ ଦୁଇ ଭିନ୍ନମୁଖୀ ଘଟଣାର ମୂଳ ଗୋଟିଏ ହେବା ଅସମ୍ବବ ନ ହେଲେ ବି ବିଶ୍ୱାସଯୋଗ୍ୟ ନୁହେଁ ।

 

ଚିନ୍ତିତ ମନରେ ସିଗାରେଟ୍ ଟାଣୁ ଟାଣୁ ହଠାତ୍ ଶତ୍ରୁଜିତ୍ କହିଲେ—ଆଚ୍ଛା, ଶ୍ରୀମତୀ ଦାସ ଆଉ ଜୟରାମ ମିଶ୍ର କ’ଣ ଏକସାଙ୍ଗରେ ଆମ ଅଫିସକୁ ଆସିଥିଲେ ?

 

ନା ତ ! ବୋଧହୁଏ ଶ୍ରୀମତୀ ଦାସ ଆପଣଙ୍କ ପାଖକୁ ଆସିବାର ୨୦ ମିନିଟ୍ ପରେ ଜୟରାମ ଆସିଥିଲେ ।

 

କିନ୍ତୁ ଗଲାବେଳେ...

 

ଉଭୟ ଅବଶ୍ୟ ମୋ କେବିନ୍ ଭିତର ଦେଇ ପାସ୍ କରିଥିଲେ । କିନ୍ତୁ ସେମାନଙ୍କ ଭିତରେ ପରିଚୟ ଥିଲା ଭଳି ମୋର ମନେ ହେଲା ନାହିଁ ।

 

ଶତ୍ରୁଜିତ୍ ଆଉ କିଛି ପ୍ରଶ୍ନ ନ କରି ଚେୟାର ଉପରେ ବସିଲେ—ବସ, ଛାୟା ! ଆଚ୍ଛା, ତମେ ହୋଟେଲ ‘ଲା-ବେଲା‘ ବିଷୟରେ କିଛି ଜାଣିଛ ?

 

‘ଲା-ବେଲା’ ?

 

ହଁ ।

 

କିନ୍ତୁ ହଠାତ୍ ‘ଲା-ବେଲା’ ଆପଣଙ୍କର ଦୃଷ୍ଟି ଆକର୍ଷଣ କଲା କାହିଁକି ?

 

ଅର୍ଥାତ୍ ?

 

ମୁଁ ଅବଶ୍ୟ ତା’ ବିଷୟରେ ବିଶେଷ କିଛି ଜାଣେ ନାହିଁ । ତେବେ ସମଗ୍ର ଓଡ଼ିଶାରେ ଅତ୍ୟାଧୁନିକ ହୋଟେଲ ଆଉ ଲଜିଂ ଭାବରେ ଏବେ ତା’ର ଖ୍ୟାତି ବହୁତ ବଢ଼ିଛି । ତା’ପରେ ହଠାତ୍ କ’ଣ ଭାବି ସେ କହିଲା ହଁ ମନେପଡ଼ିଲା, ଆପଣ ଗତ ମାସରେ କାଶ୍ମୀର ଯାଇଥିଲାବେଳେ ଏଇ ‘ଲା-ବେଲ’ ବିଷୟରେ କିଛି ଚାପା ଜନରବ ପ୍ରକାଶ ପାଇଥିଲା । ଆଉ ସେଇ ଜନରବର ସତ୍ୟମିଥ୍ୟା ପରୀକ୍ଷା କରିବାପାଇଁ ପୋଲିସ ବି ଅନୁସନ୍ଧାନ ଚଳାଇଥିଲା । କିନ୍ତୁ ପରେ ଜନରବ ମିଥ୍ୟା ବୋଲି ପୋଲିସ ରିପୋର୍ଟ ପ୍ରକାଶ ପାଇଥିଲା ମୁଁ ଜନରବକୁ ଅସ୍ୱୀକାର କରୁନାହିଁ । ନିଶ୍ଚୟ ତା’ ଭିତରେ କିଛି ସତ୍ୟତା ରହିଛି ।

 

ଅର୍ଥାତ୍ ?

 

ପ୍ରତ୍ୟକ୍ଷରେ ‘ଲା-ବେଲା’ ହୋଟେଲ ନାମରେ ପ୍ରସିଦ୍ଧ ହେଲେ ବି ପରୋକ୍ଷରେ ତାହା ବ୍ୟଭିଚାର ପାଇଁ ସୁଖ୍ୟାତ ।

 

ତା’ହେଲେ ସରିତ ଘଟଣାକୁ ସାମାନ୍ୟ ବୋଲି ଜ୍ଞାନ କରିବା ଉଚିତ ହେବ ନାହିଁ ?

 

ତା’ ମାନେ ଆଜି ଆପଣ ‘ଲା-ବେଲା’ରେ ଥିବା ପ୍ରୋଗ୍ରାମ ଦେଖିବାକୁ ଯାଉଛନ୍ତି ।

 

ପ୍ରୋଗ୍ରାମ ନୁହେଁ ଛାୟା, ତାହାରି ଭିତରେ.....

 

ବେଶ୍, ଆଜି ଯଦି ଆପଣ ମୋ ଅନୁରୋଧ ରକ୍ଷା ନ କରନ୍ତି ତା’ହେଲେ ମୁଁ ଆପଣଙ୍କ ସହିତ ‘ଲା-ବେଲା’ ଯିବି ।

 

କିନ୍ତୁ ତମ ପାଇଁ ଯେ ଆଜି ଏଠାରେ ବହୁତ କାମ ରହିଛି ।

 

ଯୋଉ କାମ ରହିଛି ସେ କାମ ତନ୍ମୟବାବୁ ଠିକ୍ ଚଳାଇନେଇପାରିବେ ।

 

ଶତ୍ରୁଜିତ୍ କିଛି ସମୟ ଛାୟାକୁ ଅନାଇ ରହି କହିଲେ—ମୋତେ ଖରାପ ଭାବିବ ନାହିଁ, ଛାୟା ! ମୁଁ ଏକାନ୍ତରେ ସରିତାକୁ ଷ୍ଟଡି କରିବାକୁ ଚାହେଁ । ମୋର ଆଶଙ୍କା ହୁଏ ତମର ଉପସ୍ଥିତିରେ ସରିତା ନିକଟରୁ କୌଣସି ପ୍ରଶ୍ନର ଉତ୍ତର ଆଶା କରିବା ସହଜ ହେବ ନାହିଁ । ତା’ଛଡ଼ା ‘ଲା-ବେଲା’ର ପରିସ୍ଥିତି ବି ଷ୍ଟଡି କରିବାକୁ ପଡ଼ିବ ।

 

ଛାୟା କିଛି ନ କହିଲେ ବି ଶତ୍ରୁଜିତଙ୍କର ଏଇ ଉତ୍ତରରେ ସେ ଯେ ସନ୍ତୁଷ୍ଟ ନ ଥିଲା ତାହା ପରିଷ୍କାର ଭାବରେ ଜଣା ପଡ଼ୁଥିଲା । ଛାୟା ଭଳି ଜଣେ କର୍ମଦକ୍ଷ ସହକାରିଣୀ ପାଇବା ସହଜ ନ ଥିଲା । ସେଥିପାଇଁ ତାକୁ ମନେ ମନେ ଖୁବ୍ ଭଲ ପାଉଥିଲେ ଶତ୍ରୁଜିତ୍ । ତେଣୁ ଚେୟାର ଛାଡ଼ି ଛାୟାର କାନ ପାଖରେ କ’ଣ ଅନୁଚ୍ଚ କଣ୍ଠରେ କହିଲେ ଶତ୍ରୁଜିତ୍ । ଛାୟା ହସିହସି ଛିଡ଼ା ହେଇପଡ଼ି କହିଲା—ଆପଣ ଯଦି ଜେମ୍‌ସ ବଣ୍ତର ଟାଇପ୍ ଗ୍ରହଣ କରନ୍ତି, ମୋର ତ ଅବସ୍ଥା ଶେଷ ହେଇଯିବ । ସରିତା ଗୋଟିଏ ସମ୍ଭ୍ରାନ୍ତ ପରିବାରର ଝିଅ । ତା’ ଛଡ଼ା ସୁନ୍ଦରୀ ତରୁଣୀ, ପୁଣି ଗାନ୍ଧର୍ବ ବିଦ୍ୟାରେ ପ୍ରବୀଣା ।

 

ଛାୟାର ଗଣ୍ତଦେଶରେ ଚପେଟାଘାତ କରି ଶତ୍ରୁଜିତ୍ କହିଲେ—ତମ ଚକ୍ଷୁର ଜ୍ୟୋତି ମୋ ଚାରିପାଖରେ ଅକ୍ଷୟ କବଚ ଭଳି ଘୁରି ବୁଲୁଥିଲା ଯାଏ, କୌଣସି ସୁନ୍ଦରୀ ତରୁଣୀର ଦୃଷ୍ଟି ସେଇ ଚକ୍ର ଭେଦ କରିପାରିବ ନାହିଁ । ଦେଖ ସାଢ଼େ ଛଅଟା ବାଜିବାକୁ ଆଉ ମାତ୍ର ଦେଢ଼ଘଣ୍ଟା । ତମେ ‘ଲା-ବେଲା’ ର ମେନେଜରଙ୍କୁ ଫୋନ୍ କରି ମୋ ପାଇଁ ଦୁଇଟା ସିଟ୍ ରିଜର୍ଭ କରିନିଅ । ସିଟ୍‌ଗୁଡ଼ିକ ଠିକ୍ ଗୋଟିଏ ପାର୍ଶ୍ୱରେ ହେଇଥିବ । ସହଜ ଭାବରେ ଅନ୍ୟ ଦର୍ଶକଙ୍କର ଦୃଷ୍ଟି ସେଥିପ୍ରତି ଯେମିତି ଆକୃଷ୍ଟ ହେବ ନାହିଁ ।

 

ଛାୟା ସମ୍ମତି ଜଣାଇ ରିସିଭର ଉଠାଇଲା । ‘ଲା-ବେଲା’ ସହିତ ସଂଯୋଗ କରି କହିଲା—ମୁଁ ମେନେଜରଙ୍କ ସହିତ କଥା ହେବାକୁ ଚାହେଁ । ମୁଁ ଛାୟା, ହଁ ସେଇ ନାମରେ ପରିଚିତ-। ଶତ୍ରୁଜିତ୍‌ଙ୍କର ସେକ୍ରେଟେରୀ । ନମସ୍କାର ! ମିଷ୍ଟର ଶତ୍ରୁଜିତ୍ ‘ଲା-ବେଲା’ରେ ଥିବା ଆପଣଙ୍କର ଆଜିର ନୃତ୍ୟ ସମାବେଶ ଦେଖିବାକୁ ଚାହାନ୍ତି । ଶୁଣନ୍ତୁ, ଦୁଇଟା ସିଟ୍ । ସିଟ୍‌ଗୁଡ଼ିକ କିନ୍ତୁ ଗୋଟିଏ ପାର୍ଶ୍ୱରେ ହେବା ଦରକାର । ନା, ନା, ମିଷ୍ଟର ହୁସେନ, ସେମିତି କିଛି ଆଶଙ୍କା କରିବା ଆପଣଙ୍କର ଉଚିତ ନୁହେଁ । ଆରେ ବାବା, ତା’ ମାନେ ସେ ସିନେମା, ଥିଏଟର ଅବା ଅନ୍ୟ କିଛି ମନୋରଞ୍ଜନରେ ଭାଗ ନେଇପାରିବେ ନାହିଁ । ବହୁତ ଧନ୍ୟବାଦ । ସେ ବୋଧହୁଏ ଘଣ୍ଟାଏ ଭିତରେ ପହଞ୍ଚୁଛନ୍ତି । ରିସିଭର୍ ରଖି ଛାୟା ନିଜ ଚେୟାର୍ ଉପରକୁ ଫେରିଆସିଲା ।

 

କିଛି ସମୟ ଟେବୁଲ ଉପରେ ଥିବା ପେନ୍‌ସିଲରେ ଗାର କାଟୁ କାଟୁ ଛାୟା କହିଲା—ସେଇ ଦ୍ୱିତୀୟ ବ୍ୟକ୍ତିଟି କିଏ ?

 

ଦ୍ୱିତୀୟ ବ୍ୟକ୍ତି ?

 

ହଁ, ଯିଏ ଆପଣଙ୍କ ସହିତ ‘ଲା-ବେଲା’ରେ ସରିତାର ନୃତ୍ୟ ଦେଖିବାକୁ ଯିବ ?

 

ନାହିଁ ତ !

 

ତା’ହେଲେ ଦୁଇଟା ସିଟ୍ ?

 

ଶତ୍ରୁଜିତ୍ ହସିଲେ—ଶୁଣିଛି, ‘ଲା-ବେଲା’ ସିଟ୍‌ଗୁଡ଼ିକ ସ୍ୱତନ୍ତ୍ର । ପ୍ରତ୍ୟେକ ଦୁଇଟା ସିଟ୍ ଆଗରେ ଗୋଟିଏ ଟେବୁଲ । ନୃତ୍ୟ ଉପଭୋଗ କରିବା ସଙ୍ଗେ ସଙ୍ଗେ ଖାଦ୍ୟପାନୀୟର ବି ବ୍ୟବସ୍ଥା ରହିଛି । ବିଜିନେସ୍‌ର ଏ ଗୋଟାଏ ବଡ଼ ଟେକ୍‌ଟିକସ । ତେଣୁ ମୋ ପାଖରେ ଥିବା ସିଟ୍‌ଟି ସରିତା ପାଇଁ ରିଜର୍ଭ କରିଛି ।

 

ଛାୟାର ବିସ୍ମିତ ଚକ୍ଷୁ ଦୁଇଟା ଶତ୍ରୁଜିତଙ୍କ ଉପରେ ଲାଖିରହିଲା—କିନ୍ତୁ ସରିତାର ପରା ପ୍ରୋଗ୍ରାମ ରହିଛି ?

 

ମାତ୍ର ଘଣ୍ଟାଏ । ଗୋଟାଏ ଘଣ୍ଟା ପରେ ମୋ ପାଖକୁ ଆସିବାରେ ତା’ର ଅସୁବିଧା ହେବ ନାହିଁ ।

 

ଆପଣଙ୍କର କଣ ବିଶ୍ୱାସ ସେ ଆପଣଙ୍କ ପାଖକୁ ଆସିବ ?

 

ମିଷ୍ଟର ହୁସେନ ବୋଧହୁଏ ‘ଲା-ବେଲା’ର ମେନେଜର । ମୋ କଥା ଶୁଣି ସେ କେମିତି ସନ୍ଦିଗ୍‌ଧ ହେଇପଡ଼ିଛି ତମେ ତ ଶୁଣିଲ । ଯୋଉମାନେ କୌଣସି ଅପରାଧରେ ଲିପ୍ତ, ସେମାନେ ସଦାବେଳେ ଆମମାନଙ୍କୁ ଭୟ କରିବାରେ ଅଭ୍ୟସ୍ତ । ତେଣୁ ମୋର ବିଶ୍ୱାସ, ହୋସେନ ମୋ ସହିତ ନିଶ୍ଚିତ ଭାବରେ ସରିତାର ସାକ୍ଷାତ୍ କରାଇଦେବ ।

 

ସରିତା ସହିତ କଣ ମିଷ୍ଟର ହୁସେନଙ୍କର କୌଣସି ସମ୍ପର୍କ ରହିଛି ?

 

ସେକଥା ମୁଁ ବିଶ୍ୱାସ କରିପାରୁନାହିଁ । ତେବେ ଆଜି ଏ ବିଷୟରେ ଅଧିକାଂଶ ପରିଷ୍କାର ହେଇଯିବ ବୋଲି ମୋର ବିଶ୍ୱାସ । ଆଉ ତମେ ଯଦି ଚାହଁ, ଭିନ୍ନ ନାମରେ ଠିକ ଆମ ସିଟର ପଛକୁ ସିଟ୍‌ଟିଏ ଯୋଗାଡ଼ କରିବାର ବନ୍ଦୋବସ୍ତ କର । ମୋର ବିଶ୍ୱାସ, ସ୍ତ୍ରୀ ଲୋକମାନଙ୍କ ପ୍ରତି ‘ଲା-ବେଲା’ରେ କୁଆଡ଼େ ବିଶେଷ ସମ୍ମାନ ରହିଛି । ତେଣୁ ସିଟ୍‌ଟିଏ ପାଇବାରେ ଅସୁବିଧା ହେବ ନାହିଁ ।

 

ଛାୟା ନୀରବରେ ସମ୍ମତି ଜଣେଇଲା—ତା ହେଲେ ମୁଁ ଆସୁଛି । ଧୀର ପଦକ୍ଷେପରେ ସେ କୋଠରିରୁ ବାହାରିଗଲା ଛାୟା । ଶତ୍ରୁଜିତ୍ ପୁଣି ଥରେ ସରିତାର ଫଟୋଗ୍ରାଫ୍ ଉପରେ ଦୃଷ୍ଟି ସ୍ଥିର କଲେ । କେତେକ ସମୟ ତାକୁ ଲକ୍ଷ୍ୟ କରିବା ପରେ ପକେଟସ୍ଥ କରି ବାହାରକୁ ଆସିଲେ ।

 

ରତନା ସହିତ ଦେଖା ହେଇଗଲା ।

 

ତୋ ଦେଈ କିମ୍ୱା ମୁଁ ରାତି ନଅଟା ପୂର୍ବରୁ ଫେରୁନାହୁଁ । କୁଆଡ଼ୁ ଫୋନ୍ ଆସିଲେ ଦୃଷ୍ଟି ରଖିବୁ ।

 

ରତନାର ଉତ୍ତରକୁ ଅପେକ୍ଷା ନ କରି ପ୍ରାସାଦର ବାହାରକୁ ଆସିଲେ । ପର ମୁହୂର୍ତ୍ତରେ ପ୍ରିୟ ସ୍କୁଟରଟି ତାଙ୍କୁ ନେଇ ପୋଲିସ ଷ୍ଟେସନରେ ପହଞ୍ଚାଇଦେଲା ।

 

ରଜତ ବହିଦାରଙ୍କୁ ପାଇବାରେ ଅସୁବିଧା ହେଲା ନାହିଁ । କେତେକ ମୁହୂର୍ତ୍ତ ପୂର୍ବରୁ ସେ ବାହାରୁ ଫେରିଥିଲେ । ଆସନ୍ତୁ, ଆସନ୍ତୁ ଶତ୍ରୁଜିତ୍‌ବାବୁ, ଆଜି ହଠାତ୍ କେମିତି ଏଆଡ଼େ ମାଡ଼ିଆସିଲେ ?

 

ଚେୟାରରେ ବସୁ ବସୁ ଶତ୍ରୁଜିତ୍ କହିଲେ—ଛାୟା ପାଖରୁ ଶୁଣିଲି ଗତ ମାସ ‘ଲା-ବେଲା’....

 

‘ଲା-ବେଲା’....ହୋଟେଲ ‘ଲା-ବେଲା’ କଥା ଆପଣ କହୁଛନ୍ତି ?

 

ହଁ ।

 

ତା’ ହେଲେ ଆପଣ ବି ତା ପଛରେ ପଡ଼ିଗଲେଣି ?

 

ନା, ସିମିତି କିଛି ନୁହେଁ । ତେବେ ‘ଲା-ବେଲା’ରେ ହଠାତ୍ କାହିଁକି ଅନୁସନ୍ଧାନ ଆରମ୍ଭ କରିଦେଲେ ସେତକ ଜାଣିବା ମୋର ଦରକାର । ଅବଶ୍ୟ କାହିଁକି, ସେକଥା ପରେ ମୁଁ ଆପଣଙ୍କୁ କହିବି ।

 

ଏ ଅନୁସନ୍ଧାନରେ ବିଶେଷ କିଛି ଗୁରୁତ୍ୱ ନ ଥିଲା । ମୁଁ ଶୁଣିଲି, ହୋଟେଲ ‘ଲା-ବେଲା’ କେତେକ ଅସାମାଜିକ କାମରେ ଲିପ୍ତ ରହିଛି । ଅନୁସନ୍ଧାନରେ ମୁଁ ଯଦିଓ ଜାଣିପାରିଲି ସେଠାରେ ସେଇଭଳି କାମସବୁ ଚାଲିଛି, ତଥାପି ଆଇନଗତ ପଦକ୍ଷେପ କିଛି ନେବାଭଳି କୌଣସି ପ୍ରମାଣ ମୋର ଦୀର୍ଘ ପ୍ରଚେଷ୍ଟା ପରେ ବି ମିଳିଲା ନାହିଁ ।

 

ସେହି ହୋଟେଲର ମାଲିକ ବିଷୟରେ ତଥ୍ୟ ସଂଗ୍ରହ କଲେ ନିଶ୍ଚୟ ?

 

ମିଶ୍ର ଏଣ୍ତ ମିଶ୍ର ଏଣ୍ଟରପ୍ରାଇଜର୍ସର ସୌଭାଗ୍ୟ ମିଶ୍ର ଆପାତତଃ ବର୍ତ୍ତମାନ ପାଇଁ ତା’ର ମେନେଜିଂ ପାର୍ଟନର ଭାବରେ ରହିଛନ୍ତି । ଏହି ହୋଟେଲଟିରେ ଅନ୍ୟ ଯୋଉମାନଙ୍କର ମାଲିକାନା ସ୍ୱତ୍ୱ ରହିଛି ସେମାନେ ହେଲେ ଆଡ୍‌ଭୋକେଟ ଅଶୋକ ମହାନ୍ତି, ଡାକ୍ତର ସଦାନନ୍ଦ ମିଶ୍ର ଆଉ ରିଟାୟାର୍ଡ ପୋଲିସ ଇନ୍‌ସପେକ୍‌ଟର ଜର୍ଜ ପାତ୍ର ।

 

ଶତ୍ରୁଜିତ୍‌ଙ୍କ ଚକ୍ଷୁରେ ଚମକ ଖେଳିଉଠିଲା—ସୌଭାଗ୍ୟ ମିଶ୍ର ତା’ର ମେନେଜିଂ ପାର୍ଟନର ?

 

କ‘ଣ ହେଲା ?

 

ନା, ସେମିତି କିଛି ନୁହେଁ । ତା’ ହେଲେ ମିଷ୍ଟର ବହିଦାର, ଏଇ ଚାରିଜଣଙ୍କ ଭିତରୁ କେବଳ ସୌଭାଗ୍ୟ ମିଶ୍ର ତା‘ର ଦେଖାଶୁଣା କରନ୍ତି ?

 

ଅନ୍ୟମାନେ ଦୂରରେ ରହୁଥିବାରୁ ଏ ସବୁ କାମ ସୌଭାଗ୍ୟ ମିଶ୍ରଙ୍କୁ ଦେଖିବାକୁ ପଡ଼େ । ମୋଟାମୋଟି କହିବାକୁ ଗଲେ ଏହି ଆଧୁନିକ ହୋଟେଲର ଅର୍ଦ୍ଧେକ ଅଂଶ ହିଁ ସୌଭାଗ୍ୟଙ୍କର । ଆଉ ତାଙ୍କ ତରଫରୁ ମେନେଜର ହୁସେନ ସମସ୍ତ ବୁଝାସୁଝା କରନ୍ତି ।

 

ଗଭୀର ଦୁର୍ଭାବନା ଭିତରେ ଯେମିତି ପଡ଼ିଯାଇଥିଲେ ଶତ୍ରୁଜିତ୍ । ନିଜ କପାଳରେ ଫୁଟିଉଠୁଥିବା ସ୍ୱେଦବିନ୍ଦୁକୁ ରୁମାଲରେ ଅପସାରଣ କରି କହିଲେ—ତା’ହେଲେ ଆପଣଙ୍କର ଅନୁମାନ ଜନରବ ଅସତ୍ୟ ନୁହେଁ ?

 

ନା....

 

ସୌଭାଗ୍ୟ ମିଶ୍ରଙ୍କ ସହିତ ଆପଣଙ୍କର ସାକ୍ଷାତ୍ ହେଇଥିଲା ?

 

ନା, ମେନେଜର ତାଙ୍କ ପାଖକୁ ଫୋନ୍ କଲାବେଳେ ସେ ବାହାରକୁ ଯାଇଥିଲେ ।

 

ସିଗାରେଟ ପ୍ୟାକେଟଟି ରଜତ ବହିଦାରଙ୍କ ହାତକୁ ବଢ଼ାଇଦେଇ ନିଜେ ଖଣ୍ତିକରେ ଅଗ୍ନି ସଂଯୋଗ କଲେ । ତା’ ପରେ ଚେୟାର ଛାଡ଼ୁ ଛାଡ଼ୁ ପୁଣି ବସିପଡ଼ି କହିଲେ—ମିଷ୍ଟର ବହିଦାର, ଏଇ କେତେଦିନ ଧରି ‘ଲା-ବେଲା’ରେ ଏକ ବିଶେଷ ଧରଣର ନୃତ୍ୟ ପ୍ରୋଗ୍ରାମ ଚାଲିଛି ବୋଲି ଶୁଣିଲି । ଆପଣ କେବେ ତାହା ଦେଖିଛନ୍ତି ?

 

ରଜତ ବହିଦାର ହସିଲେ—ହୁସେନ ନିଜେ ଆସି ମୋତେ ଦୁଇଥର ନିମନ୍ତ୍ରଣ କରିଥିଲେ । କିନ୍ତୁ କେତେକ ଅସୁବିଧା ଯୋଗୁ ମୁଁ ସେ ସୁଯୋଗ ହରାଇଥିଲି ।

 

ବେଶ୍, ଆଜି ଆପଣ ଚାଲନ୍ତୁ । ପୋଲିସ ବେଶରେ ନୁହେଁ; ସାଦା ସିଧା ବେଶରେ । ମୁଁ ମଧ୍ୟ ଯାଉଛି । କିନ୍ତୁ ଆମେ ଦୁଇଜଣ ଯେ ଏକ ସହିତ ଯାଉଛୁଁ ଏହା ଯେମିତି ସେ ଭାବି ନ ପାରନ୍ତି-

 

ସନ୍ଦିଗ୍‌ଧ ହେଇଉଠିଲା ମିଷ୍ଟର ବହିଦାରଙ୍କ ମୁଖମଣ୍ତଳ । ତା’ ହେଲେ ଆପଣ ଅନ୍ୟ ଏକ ଉଦ୍ଦେଶ୍ୟ ରଖି ‘ଲା-ବେଲା’ରେ ଉଠୁଛନ୍ତି ?

 

ଆପଣଙ୍କ ଅନୁମାନ ସତ୍ୟ; କିନ୍ତୁ ମୋର ଅନୁମାନ ଯେ କେତେଦୂର ସତ ମୁଁ ନିଜେ ବି ଭାବିପାରୁନାହିଁ ।

 

ଅର୍ଥାତ୍.... ?

 

ସେଇ ବିଖ୍ୟାତ ନର୍ତ୍ତକୀର ନାମ ସରିତା । ଆଉ ତା ବିଷୟରେ କିଛି ଜାଣିବାପାଇଁ ମୁଁ ବିଶେଷ ଆଗ୍ରହୀ । ଶତ୍ରୁଜିତ୍ ଟିକିଏ ରହିଲେ । ତା ପରେ ହାତ ଘଣ୍ଟାକୁ ଅନାଇ କହିଲେ—ମୁଁ ଉଠୁଛି ମିଷ୍ଟର ବହିଦାର ! ‘ଲା-ବେଲା’ରେ ନିଶ୍ଚୟ ସାକ୍ଷାତ ହେବ ।

 

ରଜତ ବହିଦାର କ’ଣ କହିଆସୁଥିଲେ । ଶତ୍ରୁଜିତ୍ କିନ୍ତୁ ତାଙ୍କୁ କହିବାର ଅବସର ନ ଦେଇ ଉଠିଆସିଲେ । ପର ମୁହୂର୍ତ୍ତରେ ତାଙ୍କର ସ୍କୁଟରଟି ରାଜପଥ ଉପରେ ଛୁଟିବାରେ ଲାଗିଲା । ଅବଶେଷରେ ସହରଠାରୁ କିଞ୍ଚିତ୍ ଦୂରରେ ଥିବା ଆଲୋକସୁସଜ୍ଜିତ ‘ଲା-ବେଲା’ର ପ୍ରକାଣ୍ତ ଗେଟ୍ ନିକଟରେ ଅଟକିଲା । ଗେଟ୍‌ର ଉଭୟ ପାର୍ଶ୍ୱରେ ଦୁଇଜଣ ଦରଓ୍ୟାନ୍ ଦଣ୍ତାୟମାନ ହୋଇଥିଲେ । ରିକ୍‌ସା, କାର ଧୀରେ ଧୀରେ ହୋଟେଲ ପୋର୍ଟିକୋରେ ନିଜ ନିଜର ସଂଖ୍ୟା ବୃଦ୍ଧି କରିବାରେ ଲାଗୁଥିଲେ । ଗେଟ୍ ନିକଟରୁ ଏକ ପ୍ରଶସ୍ତ ପଥ ଦେଇ ‘ଲା-ବେଲା’ ସମ୍ମୁଖସ୍ଥ କାଉଣ୍ଟରରେ ପ୍ରବେଶ କଲେ ଶତ୍ରୁଜିତ୍ । କାଇଣ୍ଟରରେ ଭିଡ଼ ସୃଷ୍ଟି ହୋଇଥିଲା । କେତେଜଣଙ୍କ ଅନ୍ତେ ଶତ୍ରୁଜିତଙ୍କ କାର୍ଡଟି ଉପରେ ଦୃଷ୍ଟି ପଡ଼ିବାରୁ କାଉଣ୍ଟର କ୍ଲର୍କ ବିସ୍ମିତ ଭଙ୍ଗୀରେ ଶତ୍ରୁଜିତଙ୍କୁ ଅନାଇ କହିଲା—ଆପଣଙ୍କ ଆସିବା ସଙ୍ଗେ ସଙ୍ଗେ ମେନେଜର ତାଙ୍କ ରୁମ୍ ଭିତରକୁ ଆପଣଙ୍କୁ ନେଇଯିବାକୁ ଅନୁରୋଧ କରିଥିଲେ । ଆସନ୍ତୁ ।

 

ଶତ୍ରୁଜିତ୍ କିଛି ନ କହି ସେଇ କ୍ଳର୍କଟିର ପଛେ ପଛେ ଏକ ସୁସଜ୍ଜିତ କକ୍ଷ ଭିତରେ ପ୍ରବେଶ କଲେ । କୋଠରି ଭିତରେ ବସିଥିବା ଏକମାତ୍ର କ୍ଷଣଦେହୀ ଦୀର୍ଘକାୟ ବ୍ୟକ୍ତିଟି ଯେ ମେନେଜର ହୁସେନ୍ ଏଥିରେ ଆଉ ତାଙ୍କର ସନ୍ଦେହ ନ ଥିଲା । ଶତ୍ରୁଜିତଙ୍କ ଉପରେ ଦୃଷ୍ଟି ପଡ଼ିବାମାତ୍ରେ ଚେୟାର ଛାଡ଼ୁ ଛାଡ଼ୁ ଯୋଡ଼ହସ୍ତରେ ନମସ୍କାର ଜଣାଇ ମି: ହୁସେନ୍ କହିଲେ—ଆସନ୍ତୁ ମିଷ୍ଟର ଶତ୍ରୁଜିତ୍ !

 

ତାଙ୍କ ଅନୁରୋଧରେ ଏକ ଲେଦର କୁସନ ଚେୟାର ଅଧିକାର କଲେ ଶତ୍ରୁଜିତ୍ । କ୍ଲର୍କଟି ସେ କୋଠରିରୁ ବାହାରିଯିବା ପରେ ମି: ହୁସେନ୍ କହିଲେ—ଆପଣ ଯେ ଆସିବେ ଏହା ମୋର ବିଶ୍ୱାସର ବାହାରେ ଥିଲା, ଆଜ୍ଞା ! ଆଉ ଆସିବା ପରେ.....ମି: ହୁସେନ୍ କ’ଣ କହୁ କହୁ ଅଟକିଲେ ।

 

ଆସିବା ପରେ.... ?

 

ସେମିତି କିଛି ନୁହେଁ । ତଥାପି ହଠାତ୍ ଆପଣଙ୍କର ଆସିବା ମୂଳରେ ନିଶ୍ଚୟ କିଛି ଉଦ୍ଦେଶ୍ୟ ରହିଛି । ଆପଣ ତ ଜାଣିଛନ୍ତି, ମିଷ୍ଟର ଶତ୍ରୁଜିତ୍, ଏହି ସହରରେ ଏଇ ମାତ୍ର ଗୋଟିଏ ସର୍ବାଧୁନିକ ସଂସ୍ଥା ଯୋଉଥିରେ ପ୍ରତ୍ୟେକଙ୍କର ମନୋରଞ୍ଜନ ପାଇଁ ଆମେ ଖୁବ୍ ତତ୍ପର । ସେଇଥିପାଇଁ ଅନ୍ୟାନ୍ୟ ଲଜିଙ୍ଗ୍ ଅପେକ୍ଷା ଏଠାରେ ବୋର୍ଡରମାନଙ୍କର ସଂଖ୍ୟା ଅଧିକ । ଏପରିକି ଅନ୍ତତଃ ଗୋଟାଏ ମାସ ହେବ ବହୁଲୋକ ଏଠାରେ ସ୍ଥାନ ନ ପାଇ ଫେରିବାରେ ଲାଗିଛନ୍ତି । ଖାସ୍ ଏଇଥିପାଇଁ ସମବ୍ୟବସାୟୀ ଗୋଷ୍ଠି ଆମ ଉପରେ ଅତ୍ୟନ୍ତ କ୍ଷୁବ୍‌ଧ ହୋଇପଡ଼ିଛନ୍ତି ଯାହା ଫଳରେ ସେମାନେ ଏହା ବିରୁଦ୍ଧରେ ନାନା ଅପପ୍ରଚାର ଚଳାଇବାରେ କୁଣ୍ଠାବୋଧ କରୁନାହାନ୍ତି । ଫଳରେ ପୋଲିସ କର୍ମଚାରୀଙ୍କ ବିଷଦୃଷ୍ଟିରେ ଆମେ ପଡ଼ୁଛୁଁ ।

 

ମିଷ୍ଟର ହୁସେନଙ୍କ ପ୍ରଦତ୍ତ ସିଗାରେଟ୍ ଖଣ୍ତିକରେ ଅଗ୍ନି ସଂଯୋଗ କରୁ କରୁ ଶତ୍ରୁଜିତ୍ ହସିଲେ—ମିଷ୍ଟର ହୁସେନ, ସେଭଳି କୌଶସି ଉଦ୍ଦେଶ୍ୟ ନେଇ ମୁଁ ଏଠାକୁ ଆସିନାହିଁ । ଶୁଣିଲି, ଏଇ ଲଜିଂରେ ସରିତାର ନୃତ୍ୟ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । ଆଉ କେବଳ ସେଇ ସରିତାପାଇଁ ମୁଁ ଏଠାରେ ଆସିଛି ।

 

ଅର୍ଥାତ୍.... ? ମିଷ୍ଟର ହୁସେନଙ୍କ କଣ୍ଠସ୍ୱରରେ ଇତସ୍ତତଃତା ଦେଖା ଦେଲା ।

 

ସିଗାରେଟ୍‌ର ଗୁଣ୍ତଗୁଡ଼ାକ ଆସଟ୍ରେ ଭିତରେ ପକାଉ ପକାଉ ଶତ୍ରୁଜିତ୍ କହିଲେ—ମିଷ୍ଟର ହୁସେନ ! ମୋତେ ଟିକିଏ ଏଇ ଦିଗରେ ସାହାଯ୍ୟ କରିପାରିବେ ?

 

ମୁଁ ଆପଣଙ୍କ କଥା ବୁଝିପାରିଲି ନାହିଁ ।

 

ମାନେ, ଏକ ସରିତା ବିଷୟରେ ମୁଁ କିଛି ଜାଣିବାରୁ ଚାହେଁ ।

 

କିନ୍ତୁ....କିନ୍ତୁ...

 

ମିଷ୍ଟର ହୁସେନ ! ମୋର ଦୃଢ଼ ବିଶ୍ୱାସ ଥିଲା ଏ ଦିଗରେ ଆପଣଙ୍କଠାରୁ ମୁଁ ଅନେକ କିଛି ସାହାଯ୍ୟ ପାଇବି ବୋଲି ।

 

ଆପଣମାନଙ୍କୁ ବିଶେଷତଃ ଆପଣଙ୍କୁ କୌଣସି ବିଷୟରେ ସହଯୋଗ କରିବାକୁ ମୁଁ କେବେ କୁଣ୍ଠାବୋଧ କରିବି ନାହିଁ । କିନ୍ତୁ ସରିତା ଭଳି ଗୋଟାଏ ନର୍ତ୍ତକୀ ବିଷୟରେ ଜାଣିବାକୁ ଆପଣ ହଠାତ୍ ବ୍ୟସ୍ତ ହୋଇପଡ଼ିଥିବା ଯୋଗୁ ମୁଁ ସନ୍ଦିହାନ ହୋଇପଡ଼ିଛି, ମିଷ୍ଟର ଶତ୍ରୁଜିତ୍ !

 

ସନ୍ଦିହାନ ? କୋଉ ବିଷୟରେ ?

 

ନର୍ତ୍ତକୀର ଅନ୍ତରାଳରେ....

 

ନା, ନା, ମିଷ୍ଟର ହୁସେନ ! ଏହା ଏକାନ୍ତ ବ୍ୟକ୍ତିଗତ । ଆପଣଙ୍କର ଏ ବିଷୟରେ ଭୟ କରିବାର କୌଣସି କାରଣ ନାହିଁ । ମୁଁ ଯୋଉ ସରିତାକୁ ଖୋଜୁଛି ଏ ହୁଏତ ସେ ସରିତା ହେଇ ନ ପାରେ । ମୁଁ ଏତିକି ମାତ୍ର ଆପଣଙ୍କ ପାଖରୁ ଜାଣିବାକୁ ଚାହୁଛି, ଏଇ ସରିତା କିଏ, ଆଉ ଆପଣ ତା’ ବିଷୟରେ କିଛି ଜାଣିଛନ୍ତି କି ନାହିଁ ?

 

ନା, ମିଷ୍ଟର ଶତ୍ରୁଜିତ୍ ! କେବଳ ଏଇ ଲଜିଂର ସୁନାମ ଦୃଷ୍ଟିରୁ ବିଭିନ୍ନ ନର୍ତ୍ତକୀଙ୍କ ସହିତ ଆମର ସମ୍ପର୍କ ରକ୍ଷା କରିବା କଥା, କେବଳ ବ୍ୟାବସାୟିକ ଦୃଷ୍ଟିରୁ । ସେଇଥିପାଇଁ ଏଇ ଧରଣର କେତେକ ଲୋକଙ୍କ ବିଷୟରେ ଆମେ ଜାଣିବାକୁ ଇଚ୍ଛା କରୁନା ।

 

ମାନେ, ଆପଣ ସରିତା ବିଷୟରେ କିଛି ଜାଣିନାହାନ୍ତି ?

 

କେବଳ ଏତିକି ଜାଣେ, ସେ ଭଲ ନର୍ତ୍ତକୀ । ତା’ ବିଷୟରେ କୌଣସି ସମ୍ୱାଦ ଦେବାକୁ ସେ ସର୍ବଦା ଅନିଚ୍ଛୁକ । ଏଭଳିକି ବିଜ୍ଞାପନ ନ ଦେବା ପାଇଁ ତା’ ସହିତ କଣ୍ଟ୍ରାକ୍‌ଟ୍‌ ବେଳେ ଏକମତ ହେବାକୁ ପଡ଼େ । ଆଉ ସର୍ବଦା ସେ ସାମ୍ବାଦିକମାନଙ୍କଠାରୁ ଦୂରେଇ ରହିବାକୁ ଚେଷ୍ଟା କରେ ।

 

ସେ ନିଜେ ଆପଣଙ୍କ ସହିତ ଏଭଳି ଚୁକ୍ତି କରିଥିଲା ?

 

ନା, ତା’ ତରଫରୁ ତା’ର ମେନେଜର ଅକ୍ଷୟ ସେନ୍ କଣ୍ଟ୍ରାକ୍‌ଟ କରିଥିଲେ । ଆଉ ପନ୍ଦର ଦିନ ପାଇଁ ଚୁକ୍ତିପତ୍ରରେ କେବଳ ସରିତା ଦସ୍ତଖତ୍ କରିଥିଲା ।

 

ସେ ଏଠାରେ କୋଉଠି ରହୁଛି ?

 

ମୁଁ ଜାଣେନା । ସେ ବିଷୟରେ ସେ କାହାରିକୁ ସୁଯୋଗ ଦେବାକୁ ପ୍ରସ୍ତୁତ ନୁହେଁ । ଅବଶ୍ୟ କଣ୍ଟ୍ରାକ୍‌ଟ ବେଳେ ଆମର ଏଇ ଲଜିଂରେ ରହିବାପାଇଁ ମୁଁ ତାକୁ ଅନୁରୋଧ କରିଥିଲି । ତା ତରଫରୁ ଅକ୍ଷୟ ସେନ୍ ଏଠାରେ ରହିବାପାଇଁ ମନା କରିଥିଲେ । କାରଣ ସରିତା ନୃତ୍ୟ ଶେଷ ପରେ ଏକାନ୍ତରେ ରହିବାକୁ ଇଚ୍ଛା କରେ । ଏଠାରେ ରହିଲେ ନିଶ୍ଚୟ କୌଣସି ଦର୍ଶକ ତାକୁ ସାକ୍ଷାତ୍ କରିବାପାଇଁ ବିରକ୍ତ କରିପାରେ ।

 

ତା’ହେଲେ ଏଇ ହେଲା ତା’ର ଏଠାରେ ନ ରହିବାର ପ୍ରଧାନ କାରଣ ?

 

ଆପାତତଃ ତା’ର ମେନେଜରଙ୍କ ମନ୍ତବ୍ୟରୁ ତାହା ହିଁ ଜଣାପଡ଼େ ।

 

ଏବେ ସରିତା ଆସିଯାଇଥିବ ନିଶ୍ଚୟ ?

 

ହାତଘଣ୍ଟା ଉପରୁ ଦୃଷ୍ଟି ଫେରାଇ ମିଷ୍ଟର ହୁସେନ କହିଲେ—ସେ ବିଷୟରେ ମଧ୍ୟ ସେ ଖୁବ୍ ତତ୍ପର । ତା’ର ପ୍ରୋଗ୍ରାମ ଆରମ୍ଭ ହେବାର ମାତ୍ର ଅଧଘଣ୍ଟାଏ ଆଗରୁ ସେ ଆସିବ । ତା’ପରେ ସିଧାସଳଖ ଗ୍ରୀନରୁମ ଭିତରେ ପ୍ରସାଧନରେ ବ୍ୟସ୍ତ ରହିବ ।

 

ଅର୍ଥାତ୍ କେହି ଯେପରି ତା’ ସହିତ ଆଳାପ କରିବାର ସୁବିଧା ନ ପାଇବେ ।

 

ହୁଏତ ଆପଣଙ୍କ ଅନୁମାନ ସତ୍ୟ ।

 

ତା’ ତରଫରୁ ନିଶ୍ଚୟ ଅର୍କେଷ୍ଟ୍ରାଙ୍କ ପାର୍ଟିର କେହି ଆସୁଥିବେ ?

 

ନା, ସବୁ ଟେପ୍ ରେକର୍ଡର ।

 

ଅର୍ଥାତ୍ ରଙ୍ଗମଞ୍ଚରୁ ତା’ ବିଷୟରେ କାହାରିଠାରୁ କୌଣସି ତଥ୍ୟ ମିଳିବ ନାହିଁ ?

 

ମୁଁ ଅବଶ୍ୟ ସଠିକ୍ ଭାବରେ କିଛି କହିପାରିବି ନାହିଁ । ତେବେ ମାଧୁରୀଠାରୁ ନିଶ୍ଚୟ କିଛି ନା କିଛି ସମ୍ୱାଦ ମିଳିବ ।

 

ମାଧୁରୀ ?

 

ହଁ, ଆମର ଜଣେ ଏମ୍ପ୍ଳୟୀ, ଅର୍ଥାତ୍ ଷ୍ଟାପ୍ ଡ୍ୟାନ୍‌ସର । ତାହାରି ଉପରେ ମଞ୍ଚର ଦାୟିତ୍ୱ ମଧ୍ୟ ରହିଛି । ଷ୍ଟେଜ୍ ବିଷୟରେ ସମସ୍ତ ବୁଝାଶୁଣା ସେ କରେ ।

 

ବହୁତ ଧନ୍ୟବାଦ, ମିଷ୍ଟର ହୁସେନ୍ ! ଆଚ୍ଛା, ମିଷ୍ଟର ହୁସେନ୍, ସରିତା ସହିତ ସାକ୍ଷାତର ସୁଯୋଗ ମିଳିବ ନାହିଁ ?

 

ଆପଣଙ୍କର ପରିଚୟ ଦେଇ....

 

ଶତ୍ରୁଜିତ୍ ଟିକିଏ ଭାବିଲେ । ତା’ପରେ କହିଲେ—କିଛି କ୍ଷତି ନାହିଁ । ତେବେ ଏ ବିଷୟରେ ସିଧାସଳଖ ଆପଣ ତା’ ସହିତ ସମ୍ପର୍କ ପ୍ରତିଷ୍ଠା କରନ୍ତୁ । ଆଉ ମୋର ସେକ୍ରେଟେରୀ ବୁକ୍ କରିଥିବା ଦୁଇଟା ସିଟ୍‌ର ଗୋଟାଏ ତା’ ପାଇଁ ମୁଁ ପୂର୍ବରୁ ରିଜର୍ଭ କରିଛି ।

 

ଅର୍ଥାତ୍ ଆପଣ ଏକାକୀ.... ?

 

ହଁ, ତା’ର ଡ୍ୟାନ୍‌ସ ଶେଷ ହେବା ସଙ୍ଗେ ସଙ୍ଗେ ମୋ ପାଖକୁ ନେଇଆସିଲେ ଖୁବ୍ ଭଲ ହେବ । ମୋର ମନେହୁଏ, ତା’ର ଡ୍ୟାନ୍‌ସ ପରେ ପରେ ଆପଣଙ୍କର ଆହୁରି ପ୍ରୋଗ୍ରାମ ମଧ୍ୟ ରହିଛି ।

 

ହଁ ।

 

ପର ମୁହୂର୍ତ୍ତରେ ରଙ୍ଗମଞ୍ଚର ପ୍ରଥମ ଘଣ୍ଟି ଶୁଣାଯିବା ସଙ୍ଗେ ସଙ୍ଗେ ମିଷ୍ଟର ହୁସେନ୍ କହିଲେ—ଆଉ ୨୦ ମିନିଟ୍ ପରେ ଆମର ପ୍ରୋଗ୍ରାମ ଆରମ୍ଭ ହେଇଯିବ । କିଛି ମନେ କରିବେନି ମିଷ୍ଟର ଶତ୍ରୁଜିତ୍ ! ମେନେଜର ହିସାବରେ ସମସ୍ତ କିଛିର ତଦାରଖ ମୋତେ କରିବାକୁ ପଡ଼ିବ । ଆପଣ ଆପଣଙ୍କର ସିଟ୍‌କୁ ଯାଆନ୍ତୁ । ୱେଟର୍ ଆପଣଙ୍କ ପାଇଁ ସମସ୍ତ କିଛି ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ପାଇଛି । ମୁଁ ପୁଣି ପରେ ଆପଣଙ୍କୁ ଦେଖା କରିବି ।

 

ଶତ୍ରୁଜିତ୍ ଧନ୍ୟବାଦ ଜଣାଇ ବାହାରକୁ ଆସିଲେ । କାଉଣ୍ଟର କେବିନ ପାଖରୁ କିଛିଦୂର ଛାଡ଼ି ହଲ୍‌କୁ ରାସ୍ତା । ଏ ପର୍ଯ୍ୟନ୍ତ ବି ଲୋକଙ୍କର ସମାଗମ ଲାଗିରହିଥିଲା । ସେଇମାନଙ୍କ ପଛେ ପଛେ ଆସି ହଲ୍‌ର ପ୍ରବେଶପଥ ପାରି ହେବା ମାତ୍ରେ ଆଉ ଜଣେ ୱେଟର ତାଙ୍କର ପାସ୍‍ ଦେଖି ତା’ର ପଛେ ପଛେ ଅନୁସରଣ କରିବାକୁ ଅନୁରୋଧ ଜଣାଇଲା । ଛାଇ ଅନ୍ଧକାରର ଅପୂର୍ବ ସମନ୍ୱୟ ଭିତରେ ୱେଟର ପଛେ ପଛେ କିଛିଦୂର ଅଗ୍ରସର ହେବା ପରେ ଗୋଟାଏ ଅନୁଚ୍ଚ ସନ୍‌ମାଇକା ଟେବୁଲକୁ ଲକ୍ଷ୍ୟ କରି ୱେଟର କହିଲା—ଏଇଟା ହେଉଛି ଆପଣଙ୍କର ସିଟ୍ ।

 

ଧନ୍ୟବାଦ ଜଣାଇ ଶତ୍ରୁଜିତ୍ ଟେବୁଲର ସମ୍ମୁଖରେ ପଡ଼ିଥିବା ଚେୟାର ଉପରେ ବସିଲେ । ତାଙ୍କର ଡାହାଣ ପାଖକୁ ଆଉ ଗୋଟିଏ ଶୂନ୍ୟ ଚେୟାର ରହିଥିଲା । ଛାଇ ଅନ୍ଧକାର ଭିତରେ ବି ତାଙ୍କର ଶ୍ୟେନ ଦୃଷ୍ଟି ଚତୁଃପାର୍ଶରୁ ଘୁରିଆସିଥିଲା । ସେ ଯେଉଁଠାରେ ବସିଥିଲେ ସେଠାରୁ ଅଳ୍ପଦୂରରେ ଷ୍ଟେଜ୍ । ପ୍ରକାଣ୍ତ ଏକ ହଲ ଆଉ ଅନୁରୁପ ସାଜସଜ୍ଜା ଦେଖି ବିସ୍ମିତ ନ ହୋଇ ରହିପାରିଲେ ନାହିଁ ଶତ୍ରୁଜିତ । ହଲ୍‌ଟିର ସମସ୍ତ ଉପକରଣ ଖୁବ୍ ମୂଲ୍ୟବାନ୍ ।

 

ଅଳ୍ପ କେତେକ ଟେବୁଲ ବାଦ୍‌ଦେଲେ, ପ୍ରାୟ ପ୍ରତ୍ୟେକ ଟେବୁଲରେ ଅସଂଖ୍ୟ ଯୋଡ଼ି ବିଭିନ୍ନ ରଙ୍ଗବେରଙ୍ଗ ପୋଷାକରେ ସଜ୍ଜିତ ହୋଇ ବସିଥିଲେ । ସେମାନଙ୍କ ନିର୍ଦ୍ଦେଶ ଅନୁସାରେ କର୍ମତତ୍ପର ତରୁଣୀ ପରିଚାରିକାଗଣ ବିଭିନ୍ନ ଖାଦ୍ୟପାନୀୟ ପରିବେଷଣ କରିଚାଲିଥିଲେ ।

 

ସାର୍‌ !

 

ହଠାତ୍‌ ଏକ ତରୁଣୀକଣ୍ଠର ମଧୁର ଗୁଞ୍ଜନ ଶୁଣି ଚମକିଉଠିଲେ ଶତ୍ରୁଜିତ୍‌ । ପରିଚାରିକାଟିଏ ଟ୍ରେରେ କିଛି ବିସକୁଟ ଆଉ ପାନୀୟ ଆଣି ଟେବୁଲ ଉପରେ ରଖିଲା ।

 

ଧନ୍ୟବାଦ । ମୋ ପାଇଁ ଗୋଟିଏ ଗ୍ଲାସ୍‌ଲିମନ ସ୍କ୍ୱାସ ଆଣି ଦେଲେ ମୁଁ ଖୁବ୍‌ ଆନନ୍ଦିତ ହେବି ।

 

ପରିଚାରିକାଟି ବିନା ଉତ୍ତରରେ ସେଠାକୁ ଚାଲିଗଲା । ପରେ ପରେ ଦ୍ୱିତୀୟ ଘଣ୍ଟି ବାଜିଉଠିବା ସଙ୍ଗେ ସଙ୍ଗେ ବଂଶୀର ମଧୁର ମୂର୍ଚ୍ଛନା ରଙ୍ଗମଞ୍ଚ ଉପରୁ ଭାସିଆସିଲା । ପୁଣିଥରେ ଶତ୍ରୁଜିତଙ୍କର ତୀକ୍ଷ୍‌ଣ ଦୃଷ୍ଟି ହଲ୍‌ଭିତରେ ଘୁରିବୁଲିବାରେ ଲାଗିଲା । ଠିକ୍‌ ତାଙ୍କର ପଛକୁ ପୂର୍ବରୁ ଶୂନ୍ୟ ପଡ଼ିଥିବା ସିଙ୍ଗଲ ସିଟରେ ବସିଥିଲା ଛାୟା । ତା’ଠାରୁ କିଛିଦୂର ଛାଡ଼ି ରଜତ ବହିଦାର । ସ୍ମିତହାସ୍ୟର ରେଖା ଖେଳାଇ ପୁଣି ଷ୍ଟେଜ୍‌ଆଡ଼କୁ ଦୃଷ୍ଟି ଫେରାଇଲେ ଶତ୍ରୁଜିତ୍‌ । ହଲ ଭିତରେ ଥିବା ପ୍ରତ୍ୟେକ ଦର୍ଶକ ନିଜ ନିଜ ଭିତରେ ଗଳ୍ପ କରିବାରେ ଲାଗିରହିଥିଲେ । ଅନ୍ୟ କାହାରି ଦୃଷ୍ଟି ତାଙ୍କ ପ୍ରତି ଆକୃଷ୍ଟ ହୋଇ ନ ଥିବା ଦେଖି ସେ ନିଶ୍ଚିନ୍ତ ହେଲେ ।

 

ପୂନର୍ବାର ପରିଚାରିକାଟି ପ୍ରବେଶ କଲା । ସାହାସ୍ୟ ବଦନରେ ତା’ ହାତରୁ ଗ୍ଲାସଟି ନେବା ସଙ୍ଗେ ସଙ୍ଗେ ତୃତୀୟ ଘଣ୍ଟି ବାଜିଉଠିଲା । ପରମୁହୂର୍ତ୍ତରେ ହଲ୍‌ରୁ ଆଲୋକ ପୂର୍ଣ୍ଣମାତ୍ରାରେ ନିର୍ବାପିତ ହୋଇଗଲା । ଆଉ ତା’ ସହିତ ହଲ୍‌ର ଚାପ ଗୁଞ୍ଜନରେ ହଠାତ୍‌ ପୂର୍ଣ୍ଣଛେଦ ପଡ଼ିଗଲା ।

 

ଆଟେନସନ୍‌ ପ୍ଲିଜ୍‌, ଆଟେନସନ୍‌ ପ୍ଲିଜ୍‌ ! କେତେକ ଅତ୍ୟାବଶ୍ୟକ କାରଣବଶତଃ କୁମାରୀ ସରିତାଙ୍କର ନୃତ୍ୟ ଆମେ ଆଜି ମାତ୍ର ଆଉ ପାଞ୍ଚମିନିଟ୍‌ ପରେ ଆରମ୍ଭ କରିବାକୁ ଯାଉଛୁଁ । ତେଣୁ ଆଜିକାର ପ୍ରଥମ ପ୍ରୋଗ୍ରାମ ତାଙ୍କ ନୃତ୍ୟ ପରେ ଦେଖିବାକୁ ପାଇବେ । ଆମର ବିଶ୍ୱାସ ଆମର ଏଇ ପରିବର୍ତ୍ତନକୁ ଆପଣମାନେ ନିଶ୍ଚୟ ସ୍ୱାଗତ କରିବେ । ବର୍ତ୍ତମାନ ଏଇ ପାଞ୍ଚମିନିଟ୍‌ ପାଇଁ ଆଜିକାର ନିମନ୍ତ୍ରିତ କଣ୍ଠଶିଳ୍ପୀ ସୁବୋଧଙ୍କର ସଙ୍ଗୀତ ଶୁଣନ୍ତୁ । ପୁଣି ଥରେ ଆପଣମାନଙ୍କ ନିକଟରେ କ୍ଷମା ମାଗି ମୁଁ ରହୁଛି ।

 

କଣ୍ଠସ୍ୱର ବନ୍ଦ ହୋଇଯିବା ସଙ୍ଗେ ସଙ୍ଗେ କରତ ଲିଧ୍ୱନିରେ କିଛି ସମୟ ପାଇଁ ହଲ୍‌ଘରଟି ପ୍ରକମ୍ପିତ ହୋଇ ନୀରବ ହୋଇଗଲା । ପରେ ପରେ ମଞ୍ଚର ଝିନ ପରଦା ଧୀରେ ଧୀରେ ମୁକୁଳିତ ହେବା ସଙ୍ଗେ ସଙ୍ଗେ ଶିଳ୍ପୀଙ୍କର ମଧୁର କଣ୍ଠସଙ୍ଗୀତ ପବନରେ ଭାସିବୁଲିଲା । ଅନ୍ୟମାନଙ୍କ ପାଇଁ ପ୍ରୋଗ୍ରାମର ପରିବର୍ତ୍ତନ ବିଶେଷ ଆନନ୍ଦର ବିଷୟ ହୋଇଥିଲେ ବି ତାହା ଶତ୍ରୁଜିତଙ୍କୁ ଗଭୀର ସନ୍ଦେହ ଭିତରେ ପକାଉଥିଲା । ହଠାତ୍‌ ଏଭଳି ପରିବର୍ତ୍ତନର କାରଣ ସେ ସହଜରେ ବୁଝିପାରିଲେ ନାହିଁ ।

 

ଧୀରେ ଧୀରେ ପକେଟରୁ ସିଗାରେଟ୍‌ ଖଣ୍ତିଏ ବାହାର କରି ଅଗ୍ନିସଂଯୋଗ କରିବାରେ ଲାଗିଲେ । ତା’ପରେ ତାଙ୍କର ଦୃଷ୍ଟି କିଛି ସମୟ ପାଇଁ ଗାୟକଙ୍କ ଉପରେ ସ୍ଥିର ରହିଲା । ହଠାତ୍‌ ନିଜର ବାମ ହାତ ଉପରେ କାହାର ସ୍ପର୍ଶ ଅନୁଭବ କରି ସେ ଚମକି ଉଠିଲେ । ତାଙ୍କର ଦୃଷ୍ଟି ଅପ୍ରତ୍ୟାଶିତ ଭାବରେ ସେଇଆଡ଼େ ବୁଲିଆସିଲା । ରଙ୍ଗମଞ୍ଚର ଆଲୋକରେ କିଛିମାତ୍ରାରେ ସେ ସ୍ଥାନଟି ଆଲୋକିତ ହୋଇଉଠିଥିଲା । ନିଜ ପାଖରେ ସଂପୂର୍ଣ୍ଣ ଅଜଣା ଏକ ତରୁଣୀକୁ ଦେଖି ସେ ସନ୍ଦିଗ୍‌ଧ ହୋଇପଡ଼ିଲେ ।

 

ତରୁଣୀଟି ତାଙ୍କର ଆହୁରି ପାଖକୁ ଲାଗିଆସି କହିଲା—ସରିତା ତାଙ୍କର ନୃତ୍ୟ ଶେଷ ହେବା ପରେ ପରେ ଆପଣଙ୍କ ପାଖକୁ ଆସିବାକୁ ସମ୍ମତ ହୋଇଛନ୍ତି । ଆଉ ତାଙ୍କର ଅନୁରୋଧକ୍ରମେ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି ।

 

ତରୁଣୀଟି ଉପରେ ସ୍ଥିର ଥିବା ତାଙ୍କର ଦୃଷ୍ଟି ପୁଣିଥରେ ହଲ୍‌ର ଚତୁର୍ଦ୍ଦଗରେ ଘୁରିଆସିଲା । ନା, ସମସ୍ତଙ୍କର ଦୃଷ୍ଟି ପୂର୍ବଭଳି ଷ୍ଟେଜ୍‌ ଉପରେ ଲାଗିରହିଥିଲା । ପୁଣି ସ୍ୱାଭାବିକ ଅବସ୍ଥାକୁ ଫେରିଆସି କହିଲେ—ଆପଣ ?

ମାଧୁରୀ । ମେନେଜରଙ୍କ ପାଖରୁ ଆପଣ ମୋ ନାମ ଶୁଣିଥିବେ ।

ଏଥର ହସହସ ମୁଖରେ ତା’ ସହିତ କରମର୍ଦ୍ଦନ କରୁକରୁ ଶତ୍ରୁଜିତ କହିଲେ—ଆପଣଙ୍କ ନୃତ୍ୟ ବିଷୟରେ ମେନେଜର ବହୁତ କହୁଥିଲେ । ଦେଖା ପାଇ ବିଶେଷ ଆନନ୍ଦିତ ହେଲି-। ଆପଣଙ୍କର ଯଦି ସମୟ ଥାଏ କିଛି ସମୟ.....

ଓ...ମାତ୍ରା ପାଞ୍ଚମିନିଟ୍‌ ମୁଁ ଆପଣଙ୍କ ପାଇଁ ଦେଇପାରେ । ଏଇ ମାତ୍ର କିଛି ସମୟ ପରେ ସରିତାର ନୃତ୍ୟ ଆରମ୍ଭ ହେଇଯିବ । ନୃତ୍ୟ ଆରମ୍ଭ ହେବା ପରେ ମୋର ସେଠାରେ ରହିବା ନିହାତି ଦରକାର ।

ବହୁତ ଧନ୍ୟବାଦ...ବସନ୍ତୁ । ବାମ ପାର୍ଶ୍ୱରେ ବସିଥିବା ଚେୟାରରୁଉଠି ଅନ୍ୟ ଚେୟାରରେ ଯାଇ ଶତ୍ରୁଜିତ୍‌ ବସିଲେ ।

ମୁଁ ଶୁଣିଲି ସରିତା ତା’ର ମେନେଜର ଆସେ, ଆଉ ନୃତ୍ୟ ପରେ ପରେ ପୁଣି ସାଙ୍ଗରେ ନେଇ ଚାଲିଯାଏ...

ହଁ । ତ’ ଭିତରେ କ’ଣ ଯେ ଅଛି ମୁଁ କିଛି ଜାଣିପାରୁନାହିଁ । ହୁଏତ ସେଇଥିପାଇଁ ଆପଣଙ୍କ କଥା ଶୁଣିବାପରେ ସେ ପ୍ରୋଗ୍ରାମ ବଦଳାଇଦେବାକୁ ଅନୁରୋଧ କରିଛି ।

ମାନେ... ?

ମାନେ...ହୁଏତ ତା’ର ମେନେଜରର ଉପସ୍ଥିତିରେ ସେ ଅନ୍ୟ କାହା ସହିତ କଥା ହେବାକୁ ଇଚ୍ଛା କରେ ନାହିଁ । ସେଇଥିପେଇଁ...

ସେତେବେଳେ କ’ଣ ତା’ର ମେନେଜର ନ ଥାଏ... ?

ପ୍ରାୟ ଅଧିକାଂଶ ସମୟରେ ତା’ର ନୃତ୍ୟ ଆରମ୍ଭ ହେବା ଆଗରୁ ସେ ଚାଲିଯାଏ, ଆଉ ଠିକ୍‌ ନୃତ୍ୟ ଶେଷ ହେବା ସଙ୍ଗେ ସଙ୍ଗେ ଗାଡ଼ି ଧରି ଫେରିଆସେ । ଏଇଥିପାଇଁ ସରିତା ସହିତ କଥାବାର୍ତ୍ତା କରିବାକୁ ବି ସୁଯୋଗ ମିଳେ ନାହିଁ ।

ସରିତା ଝିଅଟି କେମିତି ?

କୋଉ ବିଷୟରେ ?

ଆଚାର ବ୍ୟବହାର ଆଉ...

ହଁ...ରୂପର ତେଜ ଅଛି । ତା ପରେ ନଙ୍ଗୁଳୀ ନୃତ୍ୟ...ସମସ୍ତେ ମୁଗ୍‌ଧ ହେବା କଥା । ଭୁରି ଭୁରି ପ୍ରଶଂସା ବାହାରିବା ବିଚିତ୍ର ନୁହେଁ । ସେଇଥିପାଇଁ ତା’ର ବିଶେଷ ଗର୍ବ । ଆମମାନଙ୍କ ପରି ସାମାନ୍ୟ ବେତନଭୋଗୀ ନର୍ତ୍ତକୀ ତା ଭଳି ଏକ ଖ୍ୟାତନାମା ଝିଅ କଥା ହେବା କେଡ଼େ ଲାଜର କଥା !

ମାଧୁରୀ ଯେ ସରିତା ପ୍ରତି ଈର୍ଷାମୁଖର ହେଇପଡ଼ିଛି, ତାହା ଆଉ ବୁଝିବାକୁ ବିଳମ୍ୱ ଲାଗିଲା ନାହିଁ ଶତ୍ରୁଜିତ୍‍ଙ୍କର । ତେଣୁ ତାକୁ ଉତ୍ସାହିତ କରିବାପାଇଁ କହିଲେ—ଝିଅଟାର ବାପମାଆ ନିଶ୍ଚୟ ଅଲାଜୁକ । ତା ନ ହେଲେ...

ବାପାମାଆ ଥାଇ କୌଣସି ଝିଅ ପଇସା ଲୋଭରେ, ଅନ୍ତତଃ ଆମ ଭାରତବର୍ଷରେ, ଆଗେଇ ଆସିବେ ନାହିଁ । ସରିତା ହୁଏତ...ହଠାତ୍‌ ରଙ୍ଗମଞ୍ଚର ପରଦା ପତନରେ ମାଧୁରୀ ଇତସ୍ତତଃ ହୋଇପଡ଼ି କହିଲା—ମୁଁ ଆସୁଛି । ତା ପରେ ଶତ୍ରୁଜିତ୍‌ଙ୍କ ଉତ୍ତରକୁ ଅପେକ୍ଷା ନ କରି ଦ୍ରୁତ ପଦରେ ସେଠାରୁ ଚାଲିଗଲା ।

ପରମୁହୂର୍ତ୍ତରେ ଏକ ଚିତ୍ତଉତ୍ତେଜକ ଯନ୍ତ୍ର ସଂଗୀତର ମୂର୍ଚ୍ଛନା ପରଦାପ ତଜନିତ ମୁଖରୋଳକୁ ପୂରାପୂରି ବନ୍ଦ କରିଦେଲା । ଶତ୍ରୁଜିତ୍‌ ମଧ୍ୟ ଉତ୍କଣ୍ଠିତ ଭାବରେ ମଞ୍ଚ ଆଡ଼କୁ ଅନାଇ ରହିଲେ । ଧୀରେ ଧୀରେ ମଞ୍ଚର ପରଦା ଅପସରି ଯାଉଥିଲା । ମଞ୍ଚ ଉପରେ ନୀଳ ଆଲୋକର ମାୟା ପ୍ରକଟିତ ହେଉଥିଲା । କେତେକ ମୁହୂର୍ତ୍ତ ପରେ ତାରକ ଖଚିତ ନୀଳକାଶ ଉପରେ ଫୁଟିଉଠିଲା ଚନ୍ଦ୍ର । ତା’ର କିରଣରେ ମଞ୍ଚଉପରୁ ନୀଳାକାଶର ମାୟା କିଛି ପରିମାଣରେ ଦୂର ହୋଇଆସିଲା । ନଟରାଜ ଭଙ୍ଗୀରେ ଅସ୍ପଷ୍ଟ ଏକ ଛାୟାମୂର୍ତ୍ତି କେବଳ ଦୃଷ୍ଟିଗୋଚର ହେଲା । ପରେ ପରେ ଆଲୋକ ସଂପତରେ ସେଇ ଛାୟା ମୂର୍ତ୍ତିମନ୍ତ ଜଣାଗଲା । ତା ପରେ ଏକ ତୀବ୍ର ଗୋଲାକାର ଆଲୋକ ଛାୟାମୂର୍ତ୍ତିର ମୁଖମଣ୍ଡଳ ଉପରେ ପଡ଼ିଲା ।

ଶତ୍ରୁଜିତଙ୍କର ଦୃଷ୍ଟି ସେଇ ସୁନ୍ଦର ମୁଖମଣ୍ତଳର ନୟନଯୁଗଳ ଉପରେ ଲାଖିରହିଲା । ଧୀରେ ଧୀରେ ବାଦ୍ୟଯନ୍ତ୍ରର ଧ୍ୱନି ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସରିତାର ଅବୟବ ଦୋହଲିବାରେ ଲାଗିଲା ।

ଇସ୍‌ ! ଶତ୍ରୁଜିତ୍‌ ଆଉ ସ୍ଥିର ଭାବରେ ନୃତ୍ୟର ମୁଦ୍ରା ଦେଖିପାରିଲେ ନାହିଁ । କାରଣ ସରିତା ପୂରାପୂରି ସେଇ ଗୋଲାକାର ଆଲୋକର ପିଣ୍ତଭିତରକୁ ଆସିଯାଇଥିଲା । କିଞ୍ଚିତ୍‌ ଆବରଣଶୋଭିତ ବକ୍ଷଦେଶର ଦର୍ଶନ ହଲ୍‌ର ଦର୍ଶକମାନଙ୍କ ମନରେ ଗୁଞ୍ଜନ ସୃଷ୍ଟି କରୁଥିଲା । ତା ପରେ ତାଳି ପରେ ତାଳି ।

ପୂର୍ବଠାରୁ ବାଦ୍ୟଯନ୍ତ୍ରର ସ୍ୱନ ତୀବ୍ର ହୋଇଉଠିବା ସଙ୍ଗେ ସଙ୍ଗେ ବିଦ୍ୟୁତ୍‌ଚପଳ ସରିତାର ତନୁଲତାର ମୁକୁତା ନାଭି….ପରେ ପରେ ଝିନ ବସ୍ତ୍ରରେ ଆବୃତ ନିମ୍ନଦେଶ ସଙ୍ଗେ ସଙ୍ଗେ ଉଦ୍ଦଣ୍ତ ନୃତ୍ୟ ଶତ୍ରୁଜିତଙ୍କ ମସ୍ତିଷ୍କରେ ଯେମିତି ତୀବ୍ର ଦହନ ସୃଷ୍ଟି କରୁଥିଲା । ତାଙ୍କର ଇଚ୍ଛା ହେଉଥିଲା ଆଇନ କାନୁନର ଶୃଙ୍ଖଳାକୁ ଭ୍ରୂକ୍ଷେପ ନ କରି ଏଇ ମୁହୂର୍ତ୍ତରେ ସେ ଲପ୍ରଦାନ କରି ଯେମିତି ସରିତାକୁ ନିଃଶେଷ କରିଦିଅନ୍ତେ । ଓଡ଼ିଆ ଝିଅର ଏଇ କଳଙ୍କିତ ଅଧ୍ୟାୟ ଏଇଠାରୁ ଯେମିତି ଲୋପ ହୋଇଯାଆନ୍ତା । ତାଙ୍କର ହାତ ଦୁଇଟି ମୁଷ୍ଟିବଦ୍ଧ ହୋଇ ସେହିପରି ଭାବରେ ରହିଗଲା । ଦର୍ଶକମାନଙ୍କ ଘନ ଘନ କରତାଳି ସହିତ ମୁକ୍ତ କଣ୍ଠରେ ପ୍ରଶଂସା ତାଙ୍କୁ ଯେମିତି ନିଷ୍କ୍ରିୟ କରିପକାଇଲା ।

ହଲ୍‌ ଭିତରେ ନୃତ୍ୟନିପୁଣା ସରିତାର ପ୍ରଶଂସା ଭିତରେ ଧୀରେ ଧୀରେ ମଞ୍ଚ ଉପରେ ଚନ୍ଦ୍ର ବିଲୁପ୍ତ ହୋଇଆସୁଥିଲା । ଆଉ ନୃତ୍ୟରତା ସରିତା ପୂର୍ବରୁ ସେଇ ନଟରାଜ ସମସ୍ତଙ୍କୁ ଭଙ୍ଗୀରେ ସମସ୍ତଙ୍କୁ ନମସ୍କାର ଜଣାଇ ଅସ୍ପଷ୍ଟ ହୋଇଆସୁଥିଲା ।

ଚମତ୍କାର !

ଏକ୍‌ସିଲେଣ୍ଟ !

 

ଓ୍ୱଣ୍ତରଫୁଲ !

 

ଆଉ ଘନ ଘନ କରତାଳି ଭିତରେ ମଂଚ ପରଦା ଦ୍ୱାରା ଆବୃତ ହୋଇସାରିଥିଲା । ସେଇଭଳି ସ୍ତବ୍ଧ ଭାବରେ ପରଦାକୁ ଅନାଇ ରହିଥିଲେ ଶତ୍ରୁଜିତ୍‍ ମସ୍ତିସ୍କ ଭିତରର ଭାବନା ଶକ୍ତି ପରାହତ ହୋଇସାରିଥିଲା ।

 

ମିସ୍ଟର ଶତ୍ରୁଜିତ୍‍ !

 

ହଠାତ୍‌ କାହାର ସମ୍ୱୋଧନରେ ସଂବିତ୍‌ ଫେରିଆସିଲା ତାଙ୍କର । ଠିକ୍‌ ତାଙ୍କ ନିକଟରେ ଛିଡ଼ାହୋଇ ଲକ୍ଷ୍ୟ କରୁଥିଲେ ମିଷ୍ଟର ହୁସେନ ।

 

ସରିତାର ଏଇ ନୃତ୍ୟ ଦେଖିଲେ, ମିଷ୍ଟର ଶତ୍ରୁଜିତ୍‌ ? ଆପଣଙ୍କ ପରି ପ୍ରତିଦିନ ଶହ ଶହ ଦର୍ଶକ ସରିତାର ଏଇ ନୃତ୍ୟ ଦେଖିବାପାଇଁ ଉନ୍ମାଦ ଭଳି ଏଠାକୁ ଧାଇଁ ଆସୁଛନ୍ତି । ପାଶ୍ଚାତ୍ୟ ଦେଶରୁ କ୍ରମେ କ୍ରମେ ଏଇଭଳି ନୃତ୍ୟର ଆଦର ଏ ଦେଶରେ ପ୍ରସାର ଲାଭ କରୁଛି । ଆପଣ କହିପାରନ୍ତି, ଏଭଳି ନୃତ୍ୟ ପରିବେଷଣ କରି ଆମେ ଲୋକଙ୍କୁ ଭ୍ରଷ୍ଟ କରୁଛୁଁ । ତେଣୁ ପ୍ରଦର୍ଶନ ପାଇଁ ଆମମାନଙ୍କୁ ଆଇନ ଆଗକୁ ଝିଙ୍କିବାକୁ ଆପଣମାନେ ଚେଷ୍ଟା କରୁଥିବା ସ୍ୱାଭାବିକ । କିନ୍ତୁ ଅର୍ଦ୍ଧଶିକ୍ଷିତ ଏଇ ଓଡ଼ିଆ ଅପେକ୍ଷା ଭାରତର ସର୍ବଶ୍ରେଷ୍ଠ ସହର ବା ନଗର ଅଥବା ନଗରୀମାନଙ୍କରେ ଶହ ଶହ ନ୍ୟାୟାଧୀଶ, ବୃଦ୍ଧିଜୀବୀ, ଶିକ୍ଷକ, ଛାତ୍ର ଆଉ ସମ୍ଭ୍ରାନ୍ତ ଉଚ୍ଚଶିକ୍ଷିତ ବ୍ୟକ୍ତିମାନେ ମୁକ୍ତାଙ୍ଗନରେ ଦେଶୀ ବିଦେଶୀ ଏଇ ନୃତ୍ୟବିଶାରଦା ତରୁଣୀମାନଙ୍କୁ ବହୁ ମୂଲ୍ୟ ଦେଇ ଯେତେବେଳେ ନୃତ୍ୟ ଉପଭୋଗ କରୁଛନ୍ତି, ଆଉ ସେଇ ସଂସ୍ଥା ଯଦି ଏଇ ଅପରାଧରେ ଦଣ୍ତିତ ହେଉନାହିଁ, ଆମକୁ ଆପଣମାନଙ୍କ କୋଉ ସାହସରେ ଦଣ୍ତିତ କରିବେ ?

 

ମିଷ୍ଟର ହୁସେନ !

 

ଦେଖନ୍ତୁ ମିଷ୍ଟର ଶତ୍ରୁଜିତ୍‌, ଏଇ ଭିତରେ ବୃଦ୍ଧ, ବୃଦ୍ଧା, ଯୁବକ-ଯୁବତୀ କିଭଳି ତା’ର ନୃତ୍ୟରେ ଆନନ୍ଦିତ ହୋଇଉଠିଛନ୍ତି । ହଠାତ୍‌ ଆଉ କଣ କହୁ କହୁ ସେ ଅଟକିଗଲେ । ଷ୍ଟେଜ୍‌ର ପାର୍ଶ୍ୱ ଦ୍ୱାରଟି ଖୋଲିଯାଇଥିଲା । ତାହାର ଭିତରୁ ବାହାରିଆସୁଥିବା ଜଣେ ତରୁଣୀ ଉପରେ ଦୃଷ୍ଟି ନିବଦ୍ଧ କରି ସେ କହିଲେ—ସରିତା ଆସିଗଲା ।

 

କିନ୍ତୁ ତାଙ୍କର କଥା ହେବା ପୂର୍ବରୁ କିଛି ସମୟ ପୂର୍ବେ ମଞ୍ଚ ଉପରେ ମାୟା ସୃଷ୍ଟି କରିଥିବା ସରିତାର ଯେମିତି ବିରାଟ ପରିବର୍ତ୍ତନ ଆସିଯାଇଥିଲା । ହାଲକା ସବୁଜ ରଙ୍ଗର ଟେରେଲିନ ଶାଢ଼ି ଆଉ ତଦ୍ରୂପ ମ୍ୟାଚ୍‌ କରୁଥିବା ଏକ ବ୍ଲାଉଜର ଆବରଣ ଭିତରେ ମଞ୍ଚରେ ନିଜର ନଗ୍ନ ତନୁ ଶହ ଶହ ଦର୍ଶକଙ୍କ ଆଗରେ ପରିବେଷଣ କରୁଥିବା ସରିତା ଯେମିତି ନବଜନ୍ମ ଲାଭ କରିଥିଲା ।

 

ଏ ହେଉଛନ୍ତି ମିଷ୍ଟର ଶତ୍ରୁଜିତ୍‌, ସରିତା ଦେବୀ ! ଓଡ଼ିଶାର ପେରି ମେଶନ ଭଳି ତମେ ଭାବିପାର । ମୋର ମନେହୁଏ ମିଷ୍ଟର ଶତ୍ରୁଜିତଙ୍କ ବିଷୟରେ ତମେ କିଛି ଶୁଣିଛ ?

 

ହଠାତ୍‌ ସରିତାର ଚକ୍ଷୁ କେମିତି ଭୀତତ୍ରସ୍ତ ହୋଇପଡ଼ିଲା । କିନ୍ତୁ ନିଜକୁ ସଂଯତ କରିନେଇ ନମସ୍କାର ଜଣାଉ ଜଣାଉ କହିଲା—ଆପଣଙ୍କର ସାକ୍ଷାତ ପାଇ ଆନନ୍ଦିତ ହେଲି, ମିଷ୍ଟର ଶତ୍ରୁଜିତ୍‌ !

 

ତା’ହେଲେ ମୁଁ ଆସୁଛି, ମିଷ୍ଟର ଶତ୍ରୁଜିତ୍‌ ! ମିଷ୍ଟର ହୁସେନ ଅପେକ୍ଷା ନ କରି ସେ ସ୍ଥାନ ପରିତ୍ୟାଗ କଲେ ।

 

ବସନ୍ତୁ ସରିତା ଦେବୀ ! ଆପଣଙ୍କର ନୃତ୍ୟ ମୋତେ ବିଶେଷ ଭାବରେ ମୁଗ୍‌ଧ କଲା ।

 

ଏଥର ପୁଣି ସରିତାର ଚକ୍ଷୁରେ ସେଇ ସମ୍ମୋହନ ଶକ୍ତି ଦେଖାଦେଲା । ମଧୁର କଣ୍ଠରେ ସେ କହିଲା—ଏଥିପାଇଁ କେବଳ ଆପଣମାନଙ୍କପରି ଦର୍ଶକଙ୍କର ଶୁଭେଚ୍ଛା ଯେ ରହିଛି ତାହା ନୁହେଁ, ମିଷ୍ଟର ଶତ୍ରୁଜିତ୍‌, ଆଜୀବନ ନୃତ୍ୟନିପୁଣା ମୋ ମାଆଙ୍କର ଆଶୀର୍ବାଦ ମୋତେ ଏଇ ସଫଳତା ପାଇଁ ସାହାଯ୍ୟ କରିଛି ।

 

ସରିତାର ଏଇ କଥାରେ ଶତ୍ରୁଜିତ୍‌ ଦ୍ୱନ୍ଦ୍ୱରେ ପଡ଼ିଗଲେ । ସନ୍ଦିଗଧ୍‌ ଦୃଷ୍ଟିରେ ତାକୁ ଅନାଇ କହିଲେ–ଆପଣଙ୍କର ମାଆ...

 

ଏବେ ବି ତାଙ୍କର ନୃତ୍ୟ ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ଯେ ତାଙ୍କର ବୟସ ଅତିକ୍ରାନ୍ତ ହୋଇଯାଇଛି । ଆଉ ତାଙ୍କର ଶିଥିଳ ଅଙ୍ଗଲତା ଦେହରେ ନୃତ୍ୟର ଗଭୀର ମୁଦ୍ରା ଏପରି ଭାବରେ ଜୀବନ୍ତ ହୋଇଉଠିଛି...

 

ଅବିଶ୍ୱାସ୍ୟ ଭଙ୍ଗୀରେ ସରିତାକୁ କିଛି ସମୟ ଲକ୍ଷ୍ୟ କରି ହଠାତ୍‌ କାହିଁକି ନିଜକୁ ପ୍ରକୃତିସ୍ଥ କରିନେଲେ ଶତ୍ରୁଜିତ୍‌ । ତା’ପରେ ଜଣେ ତରୁଣୀ ପରିଚାରିକାକୁ ଡାକି କହିଲେ—ଏଭଳି ନୃତ୍ୟ ପରିବେଷଣ ପରେ ଯେ କେହି କ୍ଳାନ୍ତ ହୋଇପଡ଼ିବା ସ୍ୱାଭାବିକ । ତେଣୁ କିଛି...

 

ସରିତା ହସିଲା—ଆପଣଙ୍କର ଅନୁରୋଧ ମୁଁ ଏଡ଼ାଇଯିବି ନାହିଁ, ମିଷ୍ଟର ଶତ୍ରୁଜିତ୍‌, ପ୍ରକୃତରେ ଏଭଳି ନୃତ୍ୟ ପରେ ମୁଁ ବିଶେଷ କ୍ଳାନ୍ତ ହୋଇପଡ଼େ ।

 

ତା’ ହେଲେ...

 

କିଛି ମଟନ ଚପ ଆଉ ଚିକେନ ରୁଷ୍ଟ...

 

ପରିଚାରିକାଟି ସସିତ ଦୃଷ୍ଟି ଫେରାଇ ସେଠାରୁ ଚାଲିଗଲା । ତା’ଉପରୁ ଦୃଷ୍ଟି ଫେରାଇ ଶତ୍ରୁଜିତ୍‌ କହିଲେ—ଆପଣଙ୍କର ନାମ ସରିତା ନା ଅସଲ ନାମ...

 

ମାୟା...

 

ମାୟା... ?

 

ହଁ । କିନ୍ତୁ ହଠାତ୍‌ ଯେମିତି ସରିତା ସନ୍ତ୍ରସ୍ତ ହୋଇପଡ଼ିଲା । ତା’ର ଏଇ ଭାବ ଶତ୍ରୁଜିତଙ୍କ ମନରେ ଆଶାର ସଂଚାର କଲା । ସେ କହିଉଠିଲେ—ମିସେସ ଚନ୍ଦ୍ରାବତୀ ଦାସଙ୍କୁ ଆପଣ ଜାଣିଛନ୍ତି ନିଶ୍ଚୟ ?

 

ବିସ୍ମୟରେ ସରିତାର ଚକ୍ଷୁ ଦୁଇଟା ଶତ୍ରୁଜିତଙ୍କ ଉପରେ ଲାଗିରହିଲା । ଚନ୍ଦ୍ରାବତୀ ଦାସ...କାହିଁ...କିଛି ସମୟ ମନେ ପକାଇବାକୁ ଚେଷ୍ଟା କରି ବ୍ୟର୍ଥ ହୋଇ ସେ କହିଲା—ଏଭଳି ନାମ ତ ମୁଁ କେବେ ଶୁଣିନାହିଁ । ପରିଚୟ ତ ଦୂରର କଥା ।

 

ଅର୍ଥାତ୍‌ ସେ ଆଜି ଆପଣଙ୍କ ମାଆଙ୍କର ଘନିଷ୍ଟ ଅନ୍ତରଙ୍ଗତାର ପରିଚୟ ମୋ ଆଗରେ ଦେଉଥିଲେ...

 

ମୋ ମାଆଙ୍କର ! ଚମକି ଉଠିଲା ସରିତା ।

 

ହଁ । ଗତକାଲି ସେ ଆପଣଙ୍କୁ ଦେଖା କରିବାକୁ ଏଇଠିକି ଆସିଥିଲେ । ଆଉ ଆପଣଙ୍କ ସହିତ ଦେଖା କରିବାକୁ ସେ ଏକ ଚିଠି ମଧ୍ୟ ପଠାଇଥିଲେ । କିନ୍ତୁ ଆପଣ ତାଙ୍କୁ ଦେଖା କରିବେ ନାହିଁ ବୋଲି ସିଧାସଳଖ ମନା କରିଦେଲେ ।

 

ଆପଣ କ’ଣ କହୁଛନ୍ତି ମିଷ୍ଟର ଶତ୍ରୁଜିତ୍‌ ? ମୋତେ ବିଶ୍ୱାସ କରନ୍ତୁ, କାହାର ଚିଠି ମୁଁ ପାଇନାହିଁ । ଆଉ କାଲି ଏଇଭଳି ଏକ ନାମରେ କୌଣସି ମହିଳାଙ୍କୁ ଦେଖା କରିବାକୁ ମୁଁ ମନା କରିନାହିଁ ।

 

ପରିଚାରିକା ବରାଦ ଅନୁସାରେ ଖାଦ୍ୟ ଆଣି ପରିବେଷଣ କରିଗଲା । ଖାଦ୍ୟ ଆସିଯିବା ସଙ୍ଗେ ସଙ୍ଗେ ସେ ନିକଟସ୍ଥ ଏକ ଟ୍ୟାପ୍‌ରୁ ହାତ ଧୋଇ ଆସି ଖାଇବାରେ ଲାଗିପଡ଼ିଲା-। ଗଭୀର ଭାବରେ ତାକୁ ଅନୁଧ୍ୟାନ କରୁଥିଲେ ଶତ୍ରୁଜିତ୍‌ । ସେ ଯେମିତି ଖୁବ୍‌ କ୍ଷୁଧାର୍ତ୍ତ ହୋଇପଡ଼ିଥିଲା । ନଜେ ମାଂସ ପ୍ଲେଟର ସତ୍‌କାର କରୁ କରୁ ଶତ୍ରୁଜିତଙ୍କର ଯେମିତି ମନେ ହେଲା ହୁଏତ ଏକ ଭୁଲ ସଂଧାନ ପାଇ ଏଠାରେ ଆସି ପହଞ୍ଚିଛନ୍ତି । ଆଉ ସେ ସରିତା ପ୍ରକୃତରେ ଏ ସରିତା ନୁହେଁ । କିନ୍ତୁ ପର ମୁହୂର୍ତ୍ତରେ ସେ ଖୁବ୍‌ ଗମ୍ଭୀର ହୋଇ ଉଠିଥିଲେ । ସରିତାର କଥାବାର୍ତ୍ତା ଆଉ ତା’ର ମୁଖର ଭଙ୍ଗୀ ତାଙ୍କୁ ସନ୍ଦେହରେ ପକାଉଥିଲା ।

 

ସେ କ’ଣ ପଚାରି ଆସୁ ଆସୁ ସରିତା ଖାଦ୍ୟ ଶେଷ କରି ପୁଣି ଟ୍ୟାପ୍‌ପାଖକୁ ଚାଲିଗଲା । ଶତ୍ରୁଜିତ୍‌ ମଧ୍ୟ ଅବଶିଷ୍ଟ ଖାଦ୍ୟ ତ୍ୟାଗ କରି ଉଠିଗଲେ । ପୁଣି ଉଭୟେ ଫେରି ଆସିବାବେଳକୁ ଟେବୁଲ ସଫା ହୋଇସାରିଥିଲା । ନିଜର ମଣିବନ୍ଧ ଉପରେ ଥିବା କ୍ଷୁଦ୍ର ଓ୍ୟାଚ୍‌ଉପରୁ ଦୃଷ୍ଟି ଫେରାଇ ସରିତା ଚଞ୍ଚଳ ହୋଇଉଠିଲା । ତା’ର ଦୃଷ୍ଟି ଇତସ୍ତତଃ ଭାବରେ ହଲ୍‌ ଆଉ ପ୍ରବେଶପଥ ଉପରୁ ଫେରିଆସିଲା ।

 

ବସନ୍ତୁ, ସରିତା ଦେବୀ !

 

ନା, ମିଷ୍ଟର ଶତ୍ରୁଜିତ୍‌ ! ଆଉ ଘଣ୍ଟାଏ ଭିତରେ ମୋର ଅନ୍ୟ ଏକ ପ୍ରୋଗ୍ରାମ ଆଟେଣ୍ତ କରିବାର ରହିଛି । ଆପଣଙ୍କ ସାକ୍ଷାତ ଆଉ ଚର୍ଚ୍ଚାରେ ମୁଁ ବିଶେଷ କୃତଜ୍ଞ ।

 

ଆପଣଙ୍କ ସହିତ ଅନେକ କଥା ଅଛି, ସରିତା ଦେବୀ ! ଆପଣ ଅବଶ୍ୟ ମନରେ କିଛି ଭାବିପାରନ୍ତି, ସେଥିରେ ମୋର କିନ୍ତୁ ଦୁଃଖ ନାହିଁ ।

 

ମିଷ୍ଟର ଶତ୍ରୁଜିତ୍‌ !

 

ଏ ଦିଗରେ ପାଦ ବଢ଼େଇଲାବେଳେ ଥରେ ଆପଣଙ୍କର ବାପାଙ୍କ କଥା ଚିନ୍ତା କରିଥିଲେ ? ଥରେ ଆପଣ ଭାବିଥିଲେ ଆପଣଙ୍କର ଆଇ. ଏ. ଏସ. ବାପାଙ୍କ ସମ୍ମାନ ଆଉ ପ୍ରତିପତ୍ତି ଉପରେ ଏଇ ଘଟଣା କେତେ ଆଘାତ ଦେବ ?

 

ଶତ୍ରୁଜିତଙ୍କର ଏଇ କଥା ଉପରେ ହଠାତ୍‌ ସରିତାର ମୁଖମଣ୍ତଳ ଶୁଭ୍ର ହୋଇଆସିଲା । କମ୍ପିତ କଣ୍ଠରେ ସେ କହିଲା—ଏସବୁ ଆପଣ କ’ଣ କହୁଛନ୍ତି ମିଷ୍ଟର ଶତ୍ରୁଜିତ୍‌ ? ମୋର ବାପାଙ୍କର ଆଇ. ଏ. ଏସ. ସହିତ ସଂପର୍କ କ’ଣ ? ବେଶ୍‌, ମୁଁ ଆସୁଛି ।

 

ସରିତା ଚାଲିଯିବାକୁ ବସିବାରୁ ଶତ୍ରୁଜିତଙ୍କର ଯେମିତି ମନେ ହେଲା ଏଇ ହେଉଛି ସରିତା, ଆଉ କୌଣସି ଏକ ଦୁଷ୍ଟ ବଳୟ ଭିତରେ ବନ୍ଦୀ ହୋଇ ନିରୂପାୟ ହୋଇପଡ଼ିଛି । ଏଇ ମୁହୂର୍ତ୍ତର ସଦ୍‌ବ୍ୟବହାର ନ କଲେ ଆଉ ହୁଏତ ତା’ର ସନ୍ଧାନ ପାଇବା ସମ୍ଭବ ହେବ ନାହିଁ । ତେଣୁ ସେ କ୍ଷିପ୍ର ବେଗରେ ସରିତାକୁ ଧରୁ ଧରୁ ତାଙ୍କର ବାମ ହାତ ତା’ର କଟି ବେଷ୍ଟନ କରିଗଲା । ସରିତା ଛଡ଼ାଇବାକୁ ଚେଷ୍ଟା କରି ବ୍ୟର୍ଥ ହେବାରୁ ଚିତ୍କାର କରି କହିଲା—ଆପଣ ମୋତେ ଛାଡ଼ିଦିଅନ୍ତୁ, ମିଷ୍ଟର ଶତ୍ରୁଜିତ୍‌ ! ସତ କହୁଚି, ମୋର ବାପା କେହି ଆଇ. ଏ. ଏସ. ଅଫିସର ନାହାନ୍ତି-

 

ସରିତା ! ତମେ ଯଦି ଏହିଭଳି ଆତ୍ମାପ୍ରତାରଣା ଭିତରେ ନିଜକୁ ବୁଡ଼େଇ ରଖିବାକୁ ଚେଷ୍ଟା କରୁଥାଅ, ତା’ ହେଲେ ଏଭଳି ବିପଦ ଭିତରକୁ ତମେ ଚାଲିଯିବ ଯେ କେହି ଆଉ ତମକୁ ଉଦ୍ଧାର କରିପାରିବେ ନାହିଁ ।

 

ସରିତା କିଛି କହିବା ପୂର୍ବରୁ ହଠାତ୍‌ ତାଙ୍କ ବାମ ହାତ ଉପରେ କାହାର ଆଘାତ ପାଇ ଶତ୍ରୁଜିତ୍‌ ଚମକିଉଠିଲେ । ଦୀର୍ଘ ଏକ ବଳିଷ୍ଠ ଯୁବକ କ୍ରୁଦ୍ଧ ଭାବରେ ତାଙ୍କୁ ଅନାଇ କହୁଥିଲା—ଆପଣଙ୍କୁ ଭଦ୍ରାମି ଜଣାନାହିଁ ! ମିସ୍‌ ସରିତା, ମୁଁ ବାରମ୍ୱାର ତମକୁ କହିଛି, ଏଭଳି ଭୟଙ୍କର ଲୋକମାନଙ୍କ ସହିତ ମିଳାମିଶା କରିବା ତମର ଉଚିତ ନୁହେଁ । ଯାଅ, ନିଜର କାମ ଶୀଘ୍ର ଶେଷ କର ।

 

ନା, ତମେ ଛିଡ଼ାହୁଅ, ସରିତା ! ସରିତାକୁ ଅଟକାଇ ରଖିବାକୁ ଚେଷ୍ଟା କରିବା ସମୟରେ ଉପରୋକ୍ତ ଯୁବକଟି ସରିତାକୁ ଟାଣିନେଇ କହିଲା—ଚାଲିଯାଅ କହୁଛି ।

 

ନା, ତମେ ଛିଡ଼ାହୁଅ, ସରିତା !

 

ଏମାନଙ୍କ ପାଟିତୁଣ୍ତ ଭିତରେ ଅନେକ ଦର୍ଶକ ବି ଆସି ସେଠାରେ ଏକତ୍ରିତ ହୋଇସାରିଥିଲେ । ଶତ୍ରୁଜିତଙ୍କୁ ଭ୍ରୂକ୍ଷେପ ନ କରି ସରତା ସେଇ ଯୁବକଟିର ନିର୍ଦ୍ଦେଶରେ ଷ୍ଟେଜ୍‌ଆଡ଼କୁ ଚାଲିଗଲା ।

 

ମିଷ୍ଟର ଶତ୍ରୁଜିତ୍‌ ! ମୁଁ ଆପଣଙ୍କୁ ପ୍ରଥମରୁ କହିଥିଲି, ଯେମିତି କୌଣସି ଅପ୍ରିୟ ପରିସ୍ଥିତି ସୃଷ୍ଟି ନ ହୁଏ । ଯାଆନ୍ତୁ, ମିଷ୍ଟର ସେନ୍‌, ଏ ପରିସ୍ଥିତି ପାଇଁ ମୁଁ ବିଶେଷ ଦୁଃଖିତ ।

 

କିନ୍ତୁ ମିଷ୍ଟର ହୁସେନ, ମୁଁ ସରିତାକୁ ଚାହେଁ ।

 

ନା, ସେ ଆପଣଙ୍କ ଭଳି ଲୋକ ସହିତ କଥା ହେବାକୁ ଅନିଚ୍ଛୁକ । ମୁଁ ତାଙ୍କର ମେନେଜର । ତାଙ୍କ ନିରାପତ୍ତାର ଦାୟିତ୍ୱ ମୋ ଉପରେ ।

 

ଶତ୍ରୁଜିତଙ୍କ ଉତ୍ତରକୁ ଭ୍ରୁକ୍ଷେପ ନ କରି ଅକ୍ଷୟ ସେନ୍‌ ଚାଲିଗଲା । ହଲ୍‌ଭିତରେ କିଛି ସମୟ ପାଇଁ ହା ହୋଲ୍ଲା ସୃଷ୍ଟିହେଇଯାଇଥିଲା । କିନ୍ତୁ ରଜତ ବହିଦାରଙ୍କ ହସ୍ତକ୍ଷେପ ଫଳରେ ସମସ୍ତେ ପୁଣି ନିଜ ନିଜ ସ୍ଥାନକୁ ଫେରିଗଲେ ।

 

ମିଷ୍ଟର ଶତ୍ରୁଜିତ୍‌ !

 

ପରାଜୟର ଗ୍ଳାନିରେ ଶତ୍ରୁଜିତ୍‌ଅତ୍ୟନ୍ତ ମର୍ମାହତ ହୋଇପଡ଼ିଲେ । ଇଚ୍ଛା କରିଥିଲେ ସେଇ ମୁହୂର୍ତ୍ତରେ ସେ ସରିତାକୁ ଅଟକାଇ ପାରିଥାଆନ୍ତେ । କିନ୍ତୁ କ’ଣ ଭାବି ସେ ନୀରବ ହୋଇଗଲେ । ମୁଁ ଆସୁଛି ମିଷ୍ଟର ବହିଦାର—ଏତକ ମାତ୍ର କହି ସେ ଦ୍ରୁତ ପଦରେ ବାହାରକୁ ବାହାରି ଆସିଲେ । ବାହାର କରିଡ଼ରରେ କେହି ନ ଥିଲେ । ହଠାତ୍‌ ଭିତର ଆଡ଼କୁ ଦୌଡ଼ି ମୁଁ ଆସୁ ଆସୁ ଶତ୍ରୁଜିତଙ୍କ ସହିତ ଏକପ୍ରକାର ଧକ୍‌କା ହୋଇଗଲା ଛାୟାର ।

 

ଛାୟା !

 

ସରିତା ଆଉ ତା’ର ମେନେଜର କାରରେ ବସି ଏଇ ମୁହୂର୍ତ୍ତରେ ବାହାରିଗଲେ । ମୁଁ ଭାବୁଛି ତାଙ୍କୁ ଅନୁସରଣ କଲେ ଅନ୍ତତଃ ସେମାନଙ୍କ ରହିବା ଜାଗାଟା ବିଷୟରେ ଜାଣିହେବ ।

 

ବହୁତ ଧନ୍ୟବାଦ । କିନ୍ତୁ...ଠିକ୍‌ ଅଛି । ତମେ ଶୀଘ୍ର ଆସ ।

 

ଏକପ୍ରକାର ଊର୍ଦ୍ଧ୍ୱଶ୍ୱାସରେ ଦୌଡ଼ି ଦୌଡ଼ି ଦୁହେଁ ସ୍କୁଟର ପାଖକୁ ଚାଲିଆସିଲେ । ଠିକ୍‌ ସେତିକିବେଳେ ସେମାନଙ୍କ ଗାଡ଼ିଟା ଗେଟ୍‌ପାର ହୋଇ ଯାଉଥିଲା । ବାଇକ୍‌ଟା ଷ୍ଟାର୍ଟ କରୁ କରୁ ଶତ୍ରୁଜିତ୍‌ କହିଲେ—ମୋର ବିଶ୍ୱାସ, ତମେ ବାଇକ୍‌ ଚଳାଇଲେ ଅସୁବିଧା ହେବ ନାହିଁ । କାରଣ ସେମାନଙ୍କର ଦୃଷ୍ଟି ମୋ ଉପରେ ନ ପଡ଼ି ତମ ଉପରେ ପଡ଼ିବ । ଫଳରେ ସେମାନଙ୍କୁ ମୁଁ ଯେ ଅନୁସରଣ କରୁଛି ସେ ଧାରଣା ଆସିବ ନାହିଁ ।

 

ଶତ୍ରୁଜିତଙ୍କ କଥା ଶେଷ ନ ହେଉଣୁ ଛାୟା ବାଇକରେ ବସି ସାରିଥିଲା । ଶତ୍ରୁଜିତ୍‌ ପଛରେ ବସିପଡ଼ିବା ମାତ୍ରେ ବାଇକ୍‌ଟି ଗତି କରିବାରେ ଲାଗିଲା । ରାସ୍ତା ବିଶେଷ ଗହଳି ନ ଥିଲା-। ଖୁବ୍‌ଶୀଘ୍ର ଛାୟା ଆଗ କାର୍‌ଟିକୁ ଅନୁସରଣ କରିବାକୁ ସମର୍ଥ ହେଲା । ଆଗ ଗାଡ଼ିଟି କ୍ଷିପ୍ର ବେଗରେ ଛୁଟି ଚାଲିଥିଲା । କେତେକ ମୁହୂର୍ତ୍ତ ଗତି କଲାପରେ ପୁଣି ଏକ ସଂକୀର୍ଣ୍ଣ ରାସ୍ତା ଧରି ଆଗେଇବାକୁ ଲାଗିଲା । ପର ମୁହୂର୍ତ୍ତରେ ସୁଭାଷ ରୋଡ଼ରେ ଥିବା ଏକ କ୍ଷୁଦ୍ର ପ୍ରାସାଦ ନିକଟରେ ଗାଡ଼ିଟା ବନ୍ଦ ହେଇଗଲା । ଛାୟା କିନ୍ତୁ ବେଶ୍‌ କିଛି ଦୂରରୁ ବାଇକ୍‌ଟା ବନ୍ଦ କରିଦେଲା । ସେଇଠାରୁ ସେମାନେ ପରିଷ୍କାର ଭାବରେ ପ୍ରାସାଦଟିକୁ ଦେଖିପାରୁଥିଲେ ।

 

ଗାଡ଼ିଟି ବନ୍ଦ ହେବା ସଙ୍ଗେ ସଙ୍ଗେ ଉଭୟେ ସେଥିରୁ ଓହ୍ଲାଇପଡ଼ିଲେ । ଆଗରେ ଥିଲା ସରିତା । ବୋଧହୁଏ ପ୍ରାସାଦରେ ଆଉ କେହି ନ ଥିଲେ । ଆଉ ସରିତା ଦ୍ୱାର ଖୋଲୁଥିଲା । ତା’ପରେ ଉଭୟେ ଭିତରେ ପ୍ରବେଶ କରିବା ସଙ୍ଗେ ସଙ୍ଗେ ଦ୍ୱାର ବନ୍ଦ ହେଇଗଲା ।

 

ପ୍ରସାଦଟି ଖୁବ୍‌ କ୍ଷୁଦ୍ର ଆଉ ଏକମହଲା ବିଶିଷ୍ଟ । କେତେକ ମୁହୂର୍ତ୍ତ ପରେ ଏକ କୋଠାରିର ଝରକା ଖୋଲିଗଲା । ଏଥର ଶତ୍ରୁଜିତ୍‌ ଦେଖିପାରିଲେ ସରିତା ଠିକ୍‌ ଝରକାକୁ ଲାଗି ଛିଡ଼ା ହୋଇଥିଲା । ଆଉ ତା’ର ଆଗରେ ସେଇ ଯୁବକଟି । ହୁଏତ ସେମାନେ କ’ଣ କଥାବାର୍ତ୍ତା କରୁଥିଲେ । ତା’ପରେ ଯୁବକଟି ବାହାରକୁ ଆସିଲା । ପଛରେ ସରିତା । ପୁଣି ଦ୍ୱାର ଖୋଲିଗଲା । ଯୁବକଟି ଦ୍ୱାର ପାର ହେବା ସଙ୍ଗେ ସଙ୍ଗେ ପୁଣି କବାଟ ବନ୍ଦ ହୋଇଗଲା । ଯୁବକଟି କିନ୍ତୁ ସେ ଆଡ଼କୁ ନ ଚାହିଁ ସିଧା ଗାଡ଼ି ଭିତରେ ପ୍ରବେଶ କଲା । ପର ମୁହୂର୍ତ୍ତରେ ଗାଡ଼ିଟିକୁ ବ୍ୟାକ୍‌କରି ରାସ୍ତା ଉପରକୁ ଫେରାଇ ଆଣିଲା । ପରେ ପୁଣି ରାସ୍ତାରେ ଅପର ପାର୍ଶ୍ୱରେ ଥିବା ଏକ ଦ୍ୱିତଳ ପ୍ରାସାଦ ପାଖରେ ଗାଡ଼ି ନେଇ ବନ୍ଦ କଲା । ସେଇ ଦ୍ୱିତଳ ପ୍ରାସାଦଟିଏ ବାଉଣ୍ତରୀ ଥିବା ଯୋଗୁ ସହଜରେ ତା’ର ଗତିବିଧି ଜାଣି ହେଲା ନାହିଁ ।

 

ଶତ୍ରୁଜିତଙ୍କର ଦୃଷ୍ଟି ପୁନର୍ବାର ଏକମହଲା କୋଠା ଉପରକୁ ଫେରିଆସିଲା । ସେତେବେଳେକୁ ସରିତା ପୋଷାକ ବଦଳାଇବାରେ ଲାଗିଥିଲା । ପୋଷାକ ବଦଳାଇ ସାରି କେତେକ ମୁହୂର୍ତ୍ତ ସେ ଝରକା ପାଖରେ ଛିଡ଼ା ହୋଇ ରାସ୍ତା ଉପରକୁ ଚାହିଁଲା । ପରେ ଝରକା ବନ୍ଦ କରିଦେଲା । ଅବଶେଷରେ ଝରକାର ଫାଙ୍କ ଦେଇ ଆସୁଥିବା ଆଲୋକ ମଧ୍ୟ ବନ୍ଦ ହୋଇଗଲା ।

 

ସରିତା ବୋଧହୁଏ ଶୋଇପଡ଼ିଲା । ଅନୁଚ୍ଚ କଣ୍ଠରେ ଛାୟା କହିଲା ।

 

ଦୀର୍ଘନିଶ୍ୱାସ ନେଇ ଶତ୍ରୁଜିତ୍‌ କହିଲେ—ଯାହାହେଉ ମନରୁ ଗୋଟିଏ ଦୁଶ୍ଚିନ୍ତା ଗଲା, ଛାୟା !

 

ଏବେ ତା’ ପାଖକୁ ଯିବା ?

 

ନା । କାରଣ ତା’ର ମେନେଜର ସେନ୍‌କୁ ଦେଖିଲ ତ ! ସେ କେମିତି ଠିକ୍‌ ସେଇ ପ୍ରାସାଦ ସମ୍ମୁଖରେ ଥିବା ପ୍ରାସାଦରେ ରହିଛି । ମୋର ମନେହୁଏ ଆମେ ସେଠାକୁ ଯିବା ମାନେ ପରିସ୍ଥିତି ଆହୁରି ଖରାପ ହୋଇପଡ଼ିବ ।

 

ତା’ହେଲେ...

 

ମୋର ବିଶ୍ୱାସ, ଏବେ ଭୟର କୌଣସି କାରଣ ନାହିଁ । ସେମାନେ ଆଜି ରାତିକ ପାଇଁ ଆଉ କୁଆଡ଼େ ଯାଉନାହାନ୍ତି । ଦୂରରେ ରହିଲେ ବି ତା’ର ଦୃଷ୍ଟି ଅନ୍ତତଃ ରାତିରେ ବରାବର ତା’ ଉପରେ ରହୁଥିବ । ଆଉ ଦିନରେ ଏଥିରେ ନିଶ୍ଚିତ ଭାବରେ ବ୍ୟତିକ୍ରମ ହେବାର ସମ୍ଭାବନା ରହିଛି-। ତା’ ଛଡ଼ା ମିସେସ୍‌ ଦାସ ମଧ୍ୟ ଆମ ସହିତ ଉପସ୍ଥିତ ରହିବା ନିହାତି ଆବଶ୍ୟକ । ତାଙ୍କୁ ସାଙ୍ଗରେ ନେଇ ଏଠାକୁ ଆସିଲେ ଆଇନତଃ ଆମର କୌଣସି କ୍ଷତି ହେବ ନାହିଁ । ଅଥବା ଏଇ ସମ୍ୱାଦ ବାହାରେ ପ୍ରଚାରିତ ହେବା ପାଇଁ ସୁଯୋଗ ମିଳିବ ନାହିଁ ।

 

କିନ୍ତୁ ରାତିରେ ଯଦି.... ?

 

ବିଶ୍ୱାସ ନୁହେଁ । ତଥାପି ମୁଁ ବ୍ୟବସ୍ଥା କରିଚି । ଆସ, ତୁମକୁ ସିଧା ଘରେ ଛାଡ଼ିଦେଇ ଆସି ମୁଁ ଅନ୍ୟ ବ୍ୟବସ୍ଥା କରିବି । କଥା ଶେଷ କରିବା ପୂର୍ବରୁ ବାଇକ୍‌ଟି ଷ୍ଟାର୍ଟ କରିସାରିଥିଲେ ଶତ୍ରୁଜିତ୍‌ । ଛାୟା ବସିବା ମାତ୍ରେ ବାଇକ୍‌ଟି ସେ ସ୍ପିଡ୍‍ ଉପରକୁ ନେଇଆସିଲେ । ପୂନର୍ବାର ବାଇକ୍‌ଟି କ୍ଷିପ୍ରବେଗରେ ଛୁଟୁଥିଲା । କେତେକ ମୁହୂର୍ତ୍ତପରେ ଏକ ମୋଡ଼ ଉପରେ ବାଇକ୍‌ଟି ବନ୍ଦ କରି ଦେଲେ ସେ । ବେଶ୍‌, ତମେ ଏଥର ଚାଲିଯାଅ, ଛାୟା ! ସକାଳେ କିନ୍ତୁ ପାଞ୍ଚଟା ପୂର୍ବରୁ ଯେମିତି ପହଞ୍ଚ ।

 

ସମ୍ମତି ଜଣାଇ ଛାୟା ଚାଲିଗଲା । ତା’ର ଗତିପଥ ଉପରୁ ଦୃଷ୍ଟି ଫେରାଇ ଶତ୍ରୁଜିତ୍‌ ପୁଣି ବାଇକ୍‌ଟିକୁ ସ୍ପିଡ୍‍ ଉପରକୁ ନେଇଆସିଲେ । କେତେକ ମୁହୂର୍ତ୍ତପରେ ତାଙ୍କର ବାଇକ୍‌ଟି ରୟେଲ୍‌ ହୋଟେଲର ପୋର୍ଟିକୋରେ ବନ୍ଦ ହେଲା । କ୍ଷିପ୍ରବେଗରେ ସେ କାଉଣ୍ଟର ପାଖରେ ଆସି ପହଞ୍ଚିଗଲେ ।

 

କାଉଣ୍ଟରରେ ବସିଥିବା ଯୁବକଟି ଶତ୍ରୁଜିତଙ୍କୁ ଦେଖିବା ସଙ୍ଗେ ସଙ୍ଗେ ନମସ୍କାର ଜଣାଇ କହିଲା—ବସନ୍ତୁ ସାର୍‌, ମେନେଜର ସାହେବ ଆଉ ୧୦ । ୧୫ ମିନିଟ୍‌ପରେ ଫେରିଆସିବେ ।

 

ଶତ୍ରୁଜିତ୍‌ ହସିଲେ—ମେନେଜରଙ୍କ ପାଖରେ ମୋର ଦରକାର ନାହିଁ, ରମେଶ, ୫୫ ‘ଏ’ କୋଠରିଟା କୋଉଠାରେ କୁହ ।

 

ଅପ୍‌ଷ୍ଟେୟାରର କଣକୁ...କିନ୍ତୁ...

 

ସେହି କୋଠରିରେ ଚନ୍ଦ୍ରାବତୀ ଦାସ ରହିଛନ୍ତି ତ ?

 

ଚନ୍ଦ୍ରାବତୀ ଦାସ..ବେଶ୍‌, ଟିକିଏ ଅପେକ୍ଷା କରନ୍ତୁ ସାର୍‌ ! କାଉଣ୍ଟର କ୍ଲର୍କଟି ଖଣ୍ତିଏ ମୋଟା ରେଜିଷ୍ଟର ଲେଉଟାଉ ଲେଉଟାଉ ହଠାତ୍‌ ଗୋଟିଏ ଜାଗାରେ ଅଟକି କହିଲା—ହଁ, ସାର୍‌, ଚନ୍ଦ୍ରାବତୀ ଦାସ ୫୫ ‘ଏ’ ରେ ରହୁଛନ୍ତି ।

 

ବେଶ୍‌, ଠିକ୍‌ଅଛି । ଆଉ କିଛି ନ କହି ଶତ୍ରୁଜିତ୍‌ କାଉଣ୍ଟର ପାଖରୁ କିଛି ଦୂରରେ ଥିବା ସିଡ଼ି ସାହାର୍ଯ୍ୟରେ ଦ୍ୱିତୀୟ ମହଲାକୁ ଆସିଲେ । ୫୫ ‘ଏ’ କୋଠରି ପାଖରେ ପହଞ୍ଚିବା ପରେ, ଦ୍ୱାରରେ ଚାବି ବନ୍ଦ ହେଇଥିବା ଦେଖି ଦୀର୍ଘ ନିଶ୍ୱାସ ନେଲେ । ତା ପରେ କେତେକ ସମୟ ସେଠାରେ ଅପେକ୍ଷା କରି ନିରାଶରେ ତଳକୁ ଫେରିଆସିଲେ ।

 

ଦେଖା ପାଇଲେ, ସାର୍‌ ?

 

ଶ୍ରୀମତୀ ଦାସ କଣ ବାହାରକୁ ଯାଇଛନ୍ତି ?

 

ବାହାରକୁ...ଟିକିଏ ରହି କଲିଂବେଲ୍‌ ଚାପିଲେ ରମେଶ । କେତେକ ମୁହୂର୍ତ୍ତ ପରେ ଜଣେ ଚେହେରା ପହଞ୍ଚିଲା । ୫୫ ‘ଏ’ ରେ ରହୁଥିବା ସ୍ତ୍ରୀ ଲୋକଟି ବାହାରକୁ ଯାଇଛନ୍ତି ନା କଣ-?’

 

ଆଜ୍ଞା....ସେ ତ ଆଠଟା ବେଳୁ ଗଲେଣି । କହିଛନ୍ତି ଗୋଟାଏ ବେଳକୁ ଫେରିବେ ।

 

ଗୋଟାଏ ବେଳକୁ...ଚିନ୍ତିତ ହୋଇପଡ଼ିଲେ ଶତ୍ରୁଜିତ୍‌ । ବେଶ୍‌, ଆସିବା ସଙ୍ଗେ ସଙ୍ଗେ ମୋତେ ଟିକିଏ ରିଂ କରିବାକୁ ତାଙ୍କୁ କହିବ, ରମେଶ ! ଖୁବ୍‌ ଏକ ଜରୁରୀ କାମ ତାଙ୍କ ସହ ରହିଛି ।

 

ସେ ବିଶ୍ୱାସ ଆପଣ ରଖନ୍ତୁ, ଆଜ୍ଞା !

 

ବହୁତ ଧନ୍ୟବାଦ । ଆଉ କିଛି ନ କହି ଶତ୍ରୁଜିତ୍‌ ଫେରିଆସିଲେ । ଘରେ ପହଞ୍ଚୁ ପହଞ୍ଚୁ ରାତି ନଅଟାରୁ କିଛି ଊର୍ଦ୍ଧ୍ୱ ହୋଇଯାଇଥିଲା । ସେ ପହଞ୍ଚିବା ସଙ୍ଗେ ସଙ୍ଗେ ରତନା ସମ୍ବାଦ ଦେଲା, ତନ୍ମୟ ଦୁଇଥର ଫୋନ୍‌ କରିସାରିଲେଣି । କହିଛନ୍ତି ଆପଣ ଆସିବା ସଙ୍ଗେ ସଙ୍ଗେ ୨୦୨୩ କୁ ରିଂ କରିବାକୁ । ସେ ସେଇଠି ପାଖରେ ଅଛନ୍ତି ।

 

ବେଶ୍‌, ତମେ ଟିକିଏ କଫି କରିଆଣ ରତନା !

 

ରତନା ଚାଲିଗଲା । ଶତ୍ରଜିତ୍‌ ସିଧାସଳଖ ଡ୍ରଇଂରୁମ୍‌ ଭିତରେ ପ୍ରବେଶ କଲେ । ସେ କିନ୍ତୁ ଟେଲିଫୋନ୍‌ ଉଠାଇବା ପୂର୍ବରୁ ଟେଲିଫୋନ୍‌ ରିଂ ହେଲା । ରିସିଭର ଉଠାଇନେଲେ ସେ ।

 

ହଁ, ତନ୍ମୟ, ମୁଁ ଶତ୍ରୁଜିତ୍‌ କହୁଛି । ବେଶ୍‌ ବେଶ୍‌, ତାକୁ ଫଲୋ କରିଛ ତ ? କ’ଣ କହିଲି-? ସେ ସିଧାସଳଖ ଅଫିସରୁ ଘରକୁ ଫେରିଛି । ବାହାରେ ବି କୁଆଡ଼େ ଯାଇନାହିଁ ? ଯାହାହେଉ, ରକ୍ଷା । ନା, ନା, ସେମାନଙ୍କୁ ସାରାରାତି ରହିବାକୁ କୁହ । ସେ ସକାଳେ ଗାଡ଼ି ଚଢ଼ିବା ପର୍ଯ୍ୟନ୍ତ-। ହଁ, ଖୁବ୍ ତୀକ୍ଷ୍‌ଣ ଦୃଷ୍ଟି ରଖିବାକୁ କୁହ । ଘର ସାମନା ଆଉ ପଛରେ, ଉଭୟ ପାଖ । ଶୁଣ ତନ୍ମୟ ଏ ସମୟ ଭିତରେ ବି ଯଦି କେହି ତା’ ପାଖକୁ ଆସେ, ତାକୁ ଅନୁସରଣ କରିବାକୁ ନ ଭୁଲ୍‍ ଯେମିତି-। ବେଶ୍‌, ଯଦି କିଛି ଅସୁବିଧା ହୁଏ ରିଂ କରିବ । ମୁଁ ଏବେ ଆଉ କୁଆଡ଼େ ଯାଉନାହିଁ-। ଧନ୍ୟବାଦ-। ରିସିଭର ରଖି ଚିନ୍ତିତ ହୋଇପଡ଼ିଲେ ଶତ୍ରୁଜିତ୍‌ ।

 

ସରିତା...ସରିତା ବହିଦାର.....

 

‘ଲା–ବେଲା’ର ସେଇ ଅନିନ୍ଦ୍ୟସୁନ୍ଦରୀ ନର୍ତ୍ତକୀ, ଯାହାର ପୃଷ୍ଠ ଦେଶରେ ରହିଛି ଗଭୀର ରହସ୍ୟ । ଅବଶ୍ୟ ପ୍ରଥମେ ଏ ବିଷୟରେ ଖୁବ୍‌ ସନ୍ଦିହାନ ହୋଇପଡ଼ିଥିଲେ ସେ । ମି: ବହିଦାରଙ୍କର ଝିଅ ହୁଏତ ସେ ହୋଇ ନ ପାରେ । କିନ୍ତୁ ପରେ ପରେ ତାଙ୍କର ଧାରଣାରେ ପରିବର୍ତ୍ତନ ଆସିଥିଲା-। ଯଦି ସରିତା ମି: ବହିଦାରଙ୍କର ଝିଅ ନ ହୋଇଥାଏ...ତା’ ହେଲେ ବି ତା’ ପଛରେ ଥିବା ରହସ୍ୟ ଭେଦ କରିବାକୁ ହେବ । କାରଣ ସେଇ ଅଳ୍ପ କେଇ ମୁହୂର୍ତ୍ତ ଭିତରେ ତାଙ୍କର ଧାରଣା ହୋଇଥିଲା ଯେ ସେ ଯେପରି ତଥାକଥିତ ତା’ର ମନେଜେଜର ସେନ୍‌ର ଆଜ୍ଞାବହ । ତା’ ହୋଇ ନ ଥିଲେ ତା’ର ନିର୍ଦ୍ଦେଶ ପାଇ ସେ ପ୍ରସ୍ଥାନ କରି ନଥାନ୍ତା ।

 

ଚିନ୍ତିତ ମନରେ ଖଣ୍ଡିଏ ସିଗାରେଟରେ ଅଗ୍ନି ସଂଯୋଗ କରିଚାଲିଥିଲେ ଶତ୍ରୁଜିତ । ତାଙ୍କ ଭାବନା ଭିତରେ ପୁଣି ଛିଡ଼ା ହେଉଥିଲେ ଜୟରାମ ମିଶ୍ର । ତାଙ୍କର ସେଇ ଶଙ୍କିତ ଚାହାଣି । ମିଶ୍ର ଏଣ୍ଡ୍‌ ମିଶ୍ର ଏଣ୍ଟରପ୍ରାଇଜର୍ସର ଅନ୍ୟତମ ପାର୍ଟନରର ସେୟାର ଲା–ବେଲାରେ ଆଉ ଲା-ବେଲାକୁ ଘେରି ରହିଥିବା ରହସ୍ୟ, ସର୍ବୋପରି ସେଠାରେ ସରିତାର ଆବିର୍ଭାବ...ଏସବୁ କେମିତି ଏକ ଧନ୍ଦା ଭିତରକୁ ଟାଣିନେଉଥିଲା ଶତ୍ରୁଜିତଙ୍କୁ ।

 

ଦୁଇଟିଯାକ ଘଟଣାକୁ ଗୋଟିଏ କରି ଗ୍ରହଣ କରିନେବାର କୌଣସି ଯଥାର୍ଥତା ବି ନ ଥିଲା । କାରଣ ପ୍ରତ୍ୟେକ ଘଟଣା ସ୍ୱତନ୍ତ୍ର । ଗୋଟିଏ ସହିତ ଅନ୍ୟଟିର ସଂପର୍କ ଥିଲା ପରି ମନେ ହୁଏନା ।

 

ତଥାପି...ପୁଣି ଦ୍ୱନ୍ଦ୍ୱରେ ପଡ଼ୁଥିଲେ ସେ । କେଜାଣି କାହିଁକି ତାଙ୍କର ମନେ ହେଉଥିଲା ହୁଏତ ଏ ସବୁର ମୂଳମନ୍ତ୍ର ଏକ ହୋଇପାରେ ।

 

ରାତ୍ରିଭୋଜନର ପ୍ରସ୍ତୁତି ଜଣାଇ ରତନ ଚାଲିଗଲା । ଚିନ୍ତିତ ମନରେ ତା’ ପଛେ ପଛେ ସେ କୋଠରିରୁ ବାହାରିଗଲେ ଶତ୍ରୁଜିତ୍‌ । କିନ୍ତୁ ରାତ୍ରିଭୋଜନର ଅବ୍ୟବହିତ ପରେ ଯେତେ ଶୋଇବାକୁ ଚେଷ୍ଟା କଲେ ମଧ୍ୟ ନିଦ ଆସିଲା ନାହିଁ ତାଙ୍କୁ ।

 

ହାତଘଣ୍ଟାରେ ରାତ୍ରି ଗୋଟାକର ସଙ୍କେତ ପାଇଲେ ସେ । ବିଛଣା ଛାଡ଼ି ଟେବୁଲ ନିକଟକୁ ଫେରିଆସିଲେ । ଡ୍ରୟର ଖୋଲି ମିସେସ ଦାସ ଦେଇଥିବା ସରିତାର ସେଇ ଫଟୋଟିକୁ ବାହାର କଲେ । ଦୀର୍ଘ ସମୟ ଫଟୋଟିକୁ ନିରୀକ୍ଷଣ କରି ମନକୁମନ କହି ଉଠିଲେ—ନା, ଏଇ ଫଟୋଗ୍ରାଫ୍‌ ଯେ ସରିତାର ଏଥିରେ ତିଳେହେଲେ ବି ସନ୍ଦେହ ନାହିଁ ।

 

ଦ୍ୱାରଦେଶରେ ନକ୍‌ ହେଲା । ବିସ୍ମିତ ଭାବରେ ସେ ଦ୍ୱାର ଖୋଲିଦେବା ମାତ୍ରେ ରତନା କହିଲା—ବାହାରେ ଝିଅଟିଏ ଅପେକ୍ଷା କରିଛି ।

 

ଝିଅଟିଏ...ଚିନ୍ତିତ ହୋଇପଡ଼ି ଶତ୍ରୁଜିତ୍‌ କହିଲେ—ବେଶ୍‌, ତାକୁ ଏଇଠାକୁ ନେଇଆସ ।

 

ରତନ ଚାଲିଗଲା । ସିଗାରେଟରେ ଅଗ୍ନି ସଂଯୋଗ କରୁକରୁ ଶତ୍ରୁଜିତ୍‌ ଭାବୁଥିଲେ—ଏତେ ରାତିରେ ଆସିଥିବା ଝିଅଟି ଆଉ କିଏ ହୋଇପାରେ ? ସରିତା ନୁହେଁ ତ !

 

ପର ମୁହୂର୍ତ୍ତରେ ତାଙ୍କର ଚକ୍ଷୁରେ ଆନନ୍ଦର ଲହରୀ ଖେଳି ଉଠିଲା । ଭୀତତ୍ରସ୍ତା ହରିଣୀ ଭଳି କୋଠରି ଭିତରକୁ ଆସିଲା ସରିତା ।

 

ଶତ୍ରୁଜିତ୍‌ ହସିଲେ—ବସ, ସରିତା, ମୁଁ ଜାଣିଥିଲି ତମେ ନିଶ୍ଚୟ ଆସିବ । ରାହୁର ବଳୟ ଭିତରେ ଅତିଷ୍ଠ ହୋଇଯିବା ପରେ ମୁକ୍ତିର ନିଶ୍ୱାସ କିଏ ନେବାକୁ ନ ଚାହେଁ !

 

ଚାରିଆଡ଼ୁ ଦୃଷ୍ଟି ଫେରାଇଆଣି ସରିତା କହିଲା—ମୋତେ ବିଶ୍ୱାସ କରନ୍ତୁ, ମିଷ୍ଟର ଶତ୍ରୁଜିତ୍‌, ଲା-ବେଲାରେ ସେସବୁ ବିଷୟ ଆଲୋଚନା କରିବାକୁ ମୁଁ ବିଶେଷ ଭୟ ପାଇଯାଇଥିଲି । ତେଣୁ ଆପଣଙ୍କ କଥା ଅମାନ୍ୟ କରିବାକୁ ମୁଁ ବାଧ୍ୟ ହୋଇଥିଲି ।

 

ତା’ ଛଡ଼ା ତମର ଆଉ କୌଣସି ଉପାୟ ନ ଥିଲା । କିନ୍ତୁ ଏବେ କେମିତି ଆସିଲ ?

 

ସାମନା ଦ୍ୱାରବାଟେ ଆସିବାର ଉପାୟ ନ ଥିଲା । ତେଣୁ ବାହାର ଦ୍ୱାର ଦେଇ ମୁଁ ଚାଲିଆସିଲି । ଆପଣଙ୍କ ଠିକଣା ପାଇବାରେ ଅସୁବିଧା ନ ଥିଲା । କାରଣ ଆପଣଙ୍କ ପାଖରୁ ଫେରିବା ପରେ ମାଧୁରୀଠାରୁ ମୁଁ ସଂଗ୍ରହ କରିନେଇଥିଲି ।

 

ତା’ହେଲେ ତୁମର ପ୍ରକୃତ ନାମ ମାୟା ବହିଦାର ?

 

ହଁ !

 

ଶତ୍ରୁଜିତ୍‌ ପୁଣି ଖଣ୍ଡଏ ସିଗାରେଟରେ ଅଗ୍ନି ସଂଯୋଗ କଲେ କିନ୍ତୁ ମାୟା, ତମେ ଏ ଧନ୍ଦା ଭିତରକୁ ଆସିଲ କେମିତି ?

 

ମାୟା କିଛି ସମୟ ଚୁପ୍‌ ହେଇଗଲା । ତା ପରେ କହିଲା—ଆପଣ ଯେ ନିଶ୍ଚିତ ଭାବରେ ମୋର ବାପା ଆଉ ମୋ ବିଷୟରେ ଅନେକ ସମ୍ବାଦ ସଂଗ୍ରହ କରିସାରିଛନ୍ତି ଏଥିରେ ସନ୍ଦେହ ନାହିଁ । କିନ୍ତୁ ମିଷ୍ଟର ଶତ୍ରୁଜିତ୍‌, ମୋ ସମ୍ବାଦ ଯଦି ବାହାରେ ପ୍ରକାଶ ପାଏ, ତା’ହେଲେ......

 

ବୁଝୁଚି, ମାୟା ! କେବଳ ତ ତମ ବାପାଙ୍କର ସମ୍ମାନ ରକ୍ଷା କରିବାପାଇଁ ତମ ପଛରେ ମୁଁ ଲାଗିଥିଲି । ତମର କୌଣସି ସମ୍ବାଦ ବାହାରେ ଯେମିତି ପ୍ରକାଶ ନ ପାଇବ ତାର ଚେଷ୍ଟା ମୁଁ କରିବି । ଏଇ ବିଶ୍ୱାସ ମୋ ଉପରେ ତମେ ରଖିପାର ।

 

ସରିତାର ମୁଖମଣ୍ଡଳ ପୁଣି ଥରେ ଶୁଭ୍ର ହୋଇଆସିଲା । କମ୍ପିତ କଣ୍ଠରେ ସେ କହିଲା–ମୁଁ ଜାଣିପାରୁଛି, ମିଷ୍ଟର ଶତ୍ରୁଜିତ୍‌, ଆପଣଙ୍କ ଆଗରେ ସମସ୍ତ କଥା ନ କହିଲେ ମୋର ମୁକ୍ତି ନାହିଁ । ଏଆଡ଼େ ଏ ଘଟଣା ଯଦି ବାହାରେ ପ୍ରକାଶ ପାଏ ମୋ ଅବସ୍ଥା କଥା ତ ଛାଡ଼ନ୍ତୁ, ମାଆ ନିଶ୍ଚୟ ଆତ୍ମହତ୍ୟା କରିଦେବ ।

 

ଏସବୁ ଜାଣିଶୁଣି ବି...

 

ମୁଁ ଉନ୍ନାଦ ହେଇପଡ଼ିଥିଲି, ମିଷ୍ଟର ଶତ୍ରୁଜିତ୍‌ ! ଏଇ ନୃତ୍ୟସଙ୍ଗୀତ ମୋତେ ଉନ୍ମାଦ କରିଥିଲା । ପିଲାଟିବେଳୁ ମୋର ଏ ନୃତ୍ୟ ଉପରେ ବିଶେଷ ଅନୁରାଗ ରହିଥିଲା । ମୁଁ କେମିତି ଜଣେ ଶ୍ରେଷ୍ଠ ନର୍ତ୍ତକୀ ଭାବରେ ସମସ୍ତଙ୍କଠାରୁ ସମ୍ମାନ ପାଇବି, ଏଇ ଭାବନା ଅହରହ ମୋତେ ବ୍ୟସ୍ତ କରୁଥିଲା । ନିଜର କଥା ଶେଷକରି ତଳକୁ ଅନାଇ ରହିଲା ସେ ।

 

ତା ହେଲେ ପିଲାଟିବେଳୁ ତମେ ନୃତ୍ୟ ଶିକ୍ଷା କରୁଛ ?

 

ନା, ମିଷ୍ଟର ଶତ୍ରୁଜିତ୍‌, ତା ହେଇଥିଲେ ଆଜି ହୁଏତ ମୋତେ ଏଇ ଦୁର୍ଦ୍ଦିନ ଭିତରେ ପଡ଼ିବାକୁ ହେଇ ନ ଥାନ୍ତା । ଏ ସବୁ ପାଇଁ ବାପା ମୋର ଥିଲେ ସଂପୂର୍ଣ୍ଣ ଉଦାସୀନ । ନାଚ ଶିଖିବା ପାଇଁ ମୋର ଆଉ ମାଆଙ୍କର ବହୁ ଅନୁନୟ ବିନୟକୁ ସେ ମାନି ନ ଥିଲେ । ସେ ଏଇ ଦିଗରୁ ମୋତେ ଯୋଉ ପରିମାଣରେ ନିରୁତ୍ସାହିତ କରୁଥିଲେ, ଏ ସବୁ ଶିକ୍ଷା କରିବାପାଇଁ ମୋର ଆଗ୍ରହ ସେତିକି ପ୍ରବଳ ବେଗରେ ବଢ଼ିଚାଲିଥିଲା ।

 

ତା’ହେଲେ ତମେ ଲୁଚିଛପି ନୃତ୍ୟ ଶିକ୍ଷା କରୁଥିଲ ?

 

ନା, ସିନେମା, ଥିଏଟର କିମ୍ବା ନାଚ ପାର୍ଟିର ଡ୍ୟାନ୍‌ସ ଦେଖି ଦେଖି ମୁଁ ମୋର ଶୋଇବାଘରେ କବାଟ ବନ୍ଦ କରି ତା’ର ପୁନରାବୃତ୍ତି କରୁଥିଲି । ଶେଷରେ ମୋତେ ମାମୁଁଙ୍କ ପାଖକୁ ବାଲେଶ୍ୱର ଆସିବାକୁ ହେଲା । ବାପା ବୋଧହୁଏତ ମାମୁଁଙ୍କୁ ସେଇପାଇଁ ସତର୍କ କରାଇ ଦେଇଥିଲେ । ତଥାପି ଲୁଚିଛପି ଦେଖିଥିବା ପ୍ରତ୍ୟେକ ନାଚର ପୁନରାବୃତ୍ତି ମୁଁ କବାଟ ବନ୍ଦ କରି ଅଭ୍ୟାସ କରୁଥିଲି । ମାମୁଁ ବଦଳି ହେଇ ଗଲାପରେ ମୁଁ ହଷ୍ଟେଲରେ ରହିଲି । ଗୋଟିଏ କୋଠରି ଭିତରେ ମୀନା ଆଉ ମୁଁ ରହୁଥିଲୁଁ । ସେତେବେଳେ ପର୍ଯ୍ୟନ୍ତ ମୋର ନୃତ୍ୟ କାହାରିକୁ ଦେଖାଇବାର ସୁଯୋଗ ମୁଁ ପାଉ ନ ଥିଲି । ନୃତ୍ୟରେ ମୀନାର ମଧ୍ୟ ଦକ୍ଷତା ରହିଥିଲା । ଦିନେ ସେଇ ରୁଦ୍ଧ କୋଠରି ଭିତରେ ମୋର ନୃତ୍ୟ ଦେଖି ସେ ବିସ୍ମିତ ହେଇପଡ଼ିଲା । ମୁଁ ଯେ ବିନା ଗୁରୁରେ ଏଭଳି ନୃତ୍ୟ ଶିକ୍ଷା କରିପାରିଛି, ଏହା ସେ ବିଶ୍ୱାସ କରିପାରିଲା ନାହିଁ । ଶତକଣ୍ଠରେ ମୋର ନୃତ୍ୟର ସେ ପ୍ରଶଂସା କରିବାରେ ଲାଗିଲା । ମୁଁ ମଧ୍ୟ ତା ଭଳି ଆହୁରି ଅନେକ ଲୋକଙ୍କ ପାଖରୁ ଏଇଭଳି ପ୍ରଶଂସା ପାଇବାପାଇଁ ଅଧୀର ହେଇପଡ଼ିଲି । କିନ୍ତୁ ତା ସଙ୍ଗେ ସଙ୍ଗେ କାଳେ ଏଇ ଖବର ବାପାଙ୍କ କାନକୁ ଚାଲିଯିବ ଏଇ ଭୟରେ ଅସ୍ଥିର ହେଉପଡ଼ିଲି ।

 

—ମୋର ମନର କଥା ମୀନା ଠିକ ବୁଝିପାରିଥିଲା । ସେ ମୋତେ ଉତ୍ସାହିତ କରିବାପାଇଁ କହିଲା, ମୁଁ ଯଦି କୌଣସିମତେ ସିନେମା ଜଗତରେ ପ୍ରବେଶ କରିପାରନ୍ତି, ତା’ ହେଲେ ଦିନେ ନିଶ୍ଚୟ ପ୍ରଖ୍ୟାତ ମୁଖ୍ୟାଭିନେତ୍ରୀ ଭାବରେ ମାନ, ସମ୍ମାନ ତଥା ପ୍ରଭୃତ ଅର୍ଥର ଅଧିକାରିଣୀ ହେଇପାରନ୍ତି । ମୋତେ ବିଶ୍ୱାସ କରନ୍ତୁ, ମିଷ୍ଟର ଶତ୍ରୁଜିତ୍‌, ତା ନିକଟରୁ ଏଇ କଥା ଶୁଣିବା ପରେ ପରେ ବାପାଙ୍କର ମାନସମ୍ମାନ ପ୍ରତି ଧୀରେ ଧୀରେ ମୁଁ ବୀତସ୍ପୃହ ହୋଇପଡ଼ିଲି । ଆଉ ବମ୍ବେର ସିନେମା ଜଗତ ଆସ୍ତେ ଆସ୍ତେ ମୋତେ ଆକୃଷ୍ଟ କରିବାରେ ଲାଗିଲା । କୋଉଭଳି ଭାବରେ ସେଠାରେ ଯାଇ ପହଞ୍ଚିବି ଏଇ ଭାବନାରେ ମୁଁ ଦିନରାତି ଅସ୍ଥିର ହେଇପଡ଼ିଲି ।

 

—ଦିନେ ମୀନାଠାରୁ ଶୁଣିଲି ଯେ ତା’ର ଜଣେ ଦୂର ସମ୍ପର୍କୀୟ ଭାଇ ମାଡ୍ରାସର ଏ. ଭି. ଏମ. ଷ୍ଟୁଡ଼ିଓରେ ସହକାରୀ କ୍ୟମେରାମ୍ୟାନ ଭାବରେ କାମ କରେ । ସେ କେବେ ଆସିଲେ ଏ ବିଷୟରେ ସେ ତାଙ୍କୁ ଜଣାଇବ । ହୁଏତ ମୋର ସିନେମାରେ ପ୍ରବେଶ କରିବା ପାଇଁ କୌଣସି ରାସ୍ତା ସେ ଦେଖାଇପାରିବେ । ଏଇ ବିଶ୍ୱାସ ନେଇ ତାଙ୍କ ପାଖକୁ ଚିଠି ଦେବାକୁ ମୀନାକୁ କହିଲି । ମୀନା ବି ଲେଖିଲା; କିନ୍ତୁ ତାଙ୍କଠାରୁ ସେ ବିଷୟରେ କୌଣସି ଉତ୍ତର ଆସିଲା ନାହିଁ ।

 

ସେହି ବର୍ଷ ଗ୍ରୀଷ୍ମଛୁଟି ଆଗରୁ ମୋର ବାପା–ମା ଦୁଇଜଣଯାକ ରୁମାନିୟା ସରକାରଙ୍କ ନିମନ୍ତ୍ରଣକ୍ରମେ ରୁମାନିୟା ଚାଲିଗଲେ । ସେ ବର୍ଷ ଗ୍ରୀଷ୍ମଛୁଟିଟା ହଷ୍ଟେଲରେ କଟାଇଦେବାପାଇଁ ମୋତେ ଲେଖିଥିଲେ । ସେମାନେ ରୁମାନିୟା ଯିବା ପୂର୍ବରୁ ବି ମୋ ପାଖକୁ ଆସିଥିଲେ । ଆଉ ଯଦି ମୋର ମନଦୁଃଖ ହୁଏ, କୌଣସି ସାଙ୍ଗସାଥୀ ମେଳରେ କିଛିଦିନ କଟାଇଦେବାକୁ ବି ସେ କହିଥିଲେ ତେଣୁ ସେଇ ଛୁଟିରେ ମୀନା ମୋତେ ତାଙ୍କ ଘରକୁ ଯିବାପାଇଁ ଅନୁରୋଧ ଜଣାଇଲା । ଅସମ୍ମତ ହେବାର କୌଣସି କାରଣ ବି ନ ଥିଲା । ତେଣୁ ତା ସହିତ ତାଙ୍କ ଘରକୁ ଗଲି ।

 

ତା ଘର ଉତ୍ତର ବାଲେଶ୍ୱରରେ । ବଟଗଠାରୁ ବସ୍‌ରୁ ଓହ୍ଲାଇ ପାଦରେ ତିନି ମାଇଲ ଚାଲିଯିବା ପରେ ତାଙ୍କ ଗାଆଁରେ ପହଞ୍ଚିଲୁଁ । ବିରାଟ ଏକ ବାଉଣ୍ଡରୀ ଭିତରେ ତାଙ୍କର ଏକମହଲା ଘର; କିନ୍ତୁ ଘରେ ପହଞ୍ଚି ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ମୀନାର ବାପା–ମା କେହି ନ ଥିଲେ । ପରେ ତାଙ୍କର ଏକ ଚାକରାଣୀଠାରୁ ଖବର ପାଇଲି ଯେ ତିନିଦିନ ତଳେ ସେମାନେ ତୀର୍ଥ କରିବାକୁ ଗୟା ଯାଇଛନ୍ତି । ମୋ ମନରେ ଯୋଉ କିଛିଟା ଆଶଙ୍କା ସୃଷ୍ଟି ହେଇଥିଲା, ମୀନା ଆଉ ତାଙ୍କର ଚାକରଚାକରାଣୀଙ୍କ ମେଳରେ ସେ ସବୁ ଆଶଙ୍କା ଦୂରୀଭୂତ ହେଇଗଲା । ତାଙ୍କ ଗାଆଁଠାରୁ ଅଳ୍ପ ଦୂରରେ ସମୁଦ୍ର । ଝାଉଁବଣ ଭେଦ କରି ଆମେ ସେଠାକୁ ଚାଲିଯାଉଁ । ଆଉ ଦିଗନ୍ତବିସ୍ତାରୀ ସମୁଦ୍ରର ବେଳାଭୂମି ଭିତରେ ତା ଗୀତ ସହିତ ତାଳ ଦେଇ ମୁଁ ନାଚିଉଠେ । ଆଉ ଅବସନ୍ନ ଦେହ ନେଇ ତାଙ୍କ ଘରକୁ ଫେରିଆସି ଶୋଇପଡ଼େ । ଦିନେ ଶେଯରୁ ଉଠୁ ଉଠୁ ସନ୍ଧ୍ୟା ହେଇଯାଇଥିଲା । ମୁଁ ଉଠି ଦେଖେ ତ ମୋର ଅନେଜ ଆଗରୁ ଉଠି ମୀନା କୁଆଡ଼େ ଚାଲିଯାଇଛି । ନିତ୍ୟକର୍ମ ଶେଷ କରି ମୁଁ ଯେତେବେଳେ ଚା’ ପିଇବାକୁ ବସେ ଠିକ୍‌ ସେତିକିବେଳେ ଦୁଇଜଣ ଯୁବକଙ୍କ ସହ ମୀନା ଆସି ପହଞ୍ଚିଲା । ସେମାନଙ୍କୁ ବସିବାକୁ କହି କହିଲା, ‘ଏଇ ହେଉଛି ମାୟା, ଯାହା କଥା ମୁଁ ତମ ପାଖକୁ ଲେଖିଥିଲି । ତମ ପାଖରୁ ତ ଉତ୍ତର ପାଇଲି ନାହିଁ । ଓଲଟି ମାୟା ପାଖରୁ ଗାଳି ଶୁଣିଲି ।’

 

—ହଠାତ୍‌ ଏଭଳି ପରିସ୍ଥିତିରେ ପଡ଼ି ମୁଁ ନିହାତି ଅପ୍ରସ୍ତୁତ ହୋଇପଡ଼ିଲି । ଏଇ ଯେ ମୀନାର ସେଇ ଦୂରସମ୍ପର୍କୀୟ ଭାଇ ଏଥିରେ ମୋର ଆଉ ସନ୍ଦେହ ରହିଲା ନାହିଁ । କିନ୍ତୁ ସେମାନଙ୍କ ଆସିବା ବିଷୟରେ ପୂର୍ବରୁ ମୀନାଠାରୁ କିଛି ସୂଚନା ନ ପାଇ ମୁଁ ମନେ ମନେ ମୀନା ଉପରେ ରାଗିଯାଇଥିଲି ।

 

—ପର ମୁହୂର୍ତ୍ତରେ ମୋ ମୁହଁ ଟେକିଧରି ମୀନା କହିଲା, ‘ଏଇ ହେଉଛନ୍ତି ମୋର ଭାଇ ଅକ୍ଷୟ ସେନ । ବିଚାରା ଲାଗ ଲାଗ ୧୦ । ୧୨ ଟା ସୁଟିଂରେ ବ୍ୟସ୍ତ ରହି ମୋ ପାଖକୁ ଉତ୍ତର ଦେଇ ପାରି ନ ଥିଲେ ।’

 

—ମୀନା ମୁହଁରୁ କଥା ଶେଷ ହେବା ସଙ୍ଗେ ସଙ୍ଗେ ତାଙ୍କ ଉଦ୍ଦେଶ୍ୟରେ ମୋର ହାତ ଦୁଇଟା ଯୋଡ଼ି ହୋଇ ଆସିଥିଲା । ସେ ବି ହସ ହସ ମୁଖରେ ପ୍ରତିନମସ୍କାର ଜଣାଉ ଜଣାଉ କହିଲେ, ‘ଏଭଳି ଲାଜକୁଳୀ ଝିଅ କେବେ ସିନେମା ଜଗତରେ ସ୍ଥାନ ପାଇ ପାରିବ ନାହିଁ, ମିନୀ ! ସେ ଦିଗରେ ତୋର ବନ୍ଧୁଟି ପୂରାପୂରି ଅନ୍‌ଫିଟ୍‌ ।’

 

‘ଇସ୍‌, ସିନେମାକୁ ଯିବା ଆଗରୁ ସବୁ ଝିଅ କୁଆଡ଼େ ଏକାଥରେ ଫିଟ୍‌ହୋଇ ଯାଇଥାନ୍ତି-!’ ବ୍ୟଙ୍ଗ ଭାବରେ କହିଉଠିଲା ମୀନା । ତା’ପରେ କହିଲା, ‘ଏ ଦିଗରେ ମାୟାର ଯେ କେତେ ଟାଲେଣ୍ଟ ଅଛି ତମେ ଆଖିରେ ନ ଦେଖିଲେ ବିଶ୍ୱାସ କରିପାରିବନି, ଭାଇ ! ବିଚରା ନାଚଗୀତ ଶିଖିବାର ସୁଯୋଗ ନ ପାଇ ବି ଯୋଉଭଳି ଭାବରେ ଡ୍ୟାନ୍‌ସ କରିବ ନା, ତମର ସରୋଜା ଦେବୀ ଅବା ବୈଜୟନ୍ତୀମାଳା ବି ତା’ ପାସଙ୍ଗରେ ଉଠିବେ ନାହିଁ । ’

 

—ମୀନାର ଏସବୁ କଥାରେ ମୁଁ ଉପରେ ଉପରେ ବିରକ୍ତ ହେଉଥିଲେ ବି ଭିତରେ ଭିତରେ ଆନନ୍ଦରେ ଶିହରି ଉଠୁଥିଲି । ମୋ ଉପରୁ ଦୃଷ୍ଟି ଫେରାଇ ପୁଣି ମୀନା କହିଲା, ‘ତମେ ଯଦି ଟିକିଏ ମାୟା ପାଇଁ ଚେଷ୍ଟା କରନ୍ତ ନା, ଅଳ୍ପ କେଇଦିନ ଭିତରେ ସେ ଏକାଥରେ ଟପ୍‌କୁ ଚାଲିଯାଆନନ୍ତା ।’

 

—ଗମ୍ଭୀର ଭାବରେ ସିଗାରେଟ୍‌ ଟାଣୁ ଟାଣୁ ଅକ୍ଷୟ ସେନ କହିଲେ, ’ତୋ ବନ୍ଧୁଙ୍କର ନେଚୁରାଲ ବିଉଟି ଯେମିତି ଅଛି, ସେହିଭଳି ଭାବରେ ଯଦି ଟ୍ୟାଲେଣ୍ଟ ଥାଏ, ମୁଁ ତୋତେ କଥା ଦେଉଛି, ସିନେମା ଜଗତରେ ତାଙ୍କ ଭର୍ତ୍ତି କରିବାପାଇଁ ମୁଁ ନିଶ୍ଚିତ ଭାବରେ ଚେଷ୍ଟା କରିବି ।’

 

‘ବେଶ୍‌, ମୋ କଥାରେ ଯଦି ବିଶ୍ୱାସ ନ ଆସୁଛି, ତମେ ନିଜେ ଆଜି ତାର ନାଚ ଦେଖ । ନା, କ’ଣ ମାୟା ?’

 

‘କିନ୍ତୁ, କିନ୍ତୁ...’

 

‘ଏଥିରେ ଲାଜ କରିବାର କ’ଣ ଅଛି ! ତୁ ତ ଦିନେ ତୋ ନାଚ ବାହାରେ ଦେଖାଇବାକୁ ବ୍ୟସ୍ତ ହୋଇପଡ଼ୁଥିଲୁ । ଆଜି ତ ଭାଇ ନିଜେ ଅଛନ୍ତି । ଏଥିରେ ବ୍ୟସ୍ତ ହବାର କ’ଣ ଅଛି ? ତୋ ନାଚରେ କିଛି ଦୋଷତ୍ରୁଟି ଥିଲେ ସେ ତ ସଜାଡ଼ିଦେବେ । ଆଜି ସିନା ସେ କ୍ୟାମେରାମ୍ୟାନ୍, ତା’ ଆଗରୁ ସେ ତ କଳାବିକାଶ କେନ୍ଦ୍ରର ନୃତ୍ୟ ଶିକ୍ଷକ ଥିଲେ । ’

 

—ମୀନା କଥାରେ ମୁଁ ହଠାତ୍‌କିଛି ଉତ୍ତର ଦେଇପାରିଲି ନାହିଁ । ମୋ ଉପରୁ ଦୃଷ୍ଟି ଫେରାଇ ସେ କହିଲା, ‘ମାୟା ଆଜି ନାଚିବ, ତମେ ଦେଖ । ମୋର କଥା ସତ କି ମିଛ ବଳେ ଜାଣିବ । କିନ୍ତୁ ଭାଇ, ମୋର ଅନୁରୋଧ ରଖି ଯଦି ମାୟାକୁ ସିନେମା ଭିତରରୁ ନ ନିଅ ନା, ତମର ମୋର ଆଉ ଭାଇଭଉଣୀ ସମ୍ପର୍କ ରହିବ ନାହିଁ । ’

 

ତା’ପରେ....

 

ମୀନା ଘର ପାଖକୁ ଲାଗି ଏକ ପ୍ରଶସ୍ତ ଉଦ୍ୟାନ ରହିଥିଲା । ମୀନା ଠିକ୍‌କଲା ସେଇଠାରେ ମୁଁ ନାଚିବି, ଆଉ ଏମାନେ ଦୂରରୁ ଥାଇ ମୋର ନାଚ ଦେଖିବେ ।

 

—ମନେ ମନେ ଶଙ୍କିତ ହୋଇପଡ଼ୁଥିଲି ମୁଁ । ସିନେମାର ତାରକାମାନେ କେତେ ଫ୍ରି ସେକଥା ଭଲ ଭାବରେ ଜାଣିଥିଲି । ତା’ଛଡ଼ା ଏତେଦିନ ପର୍ଯ୍ୟନ୍ତ କେବଳ ମୀନା ଆଉ କେତେଜଣ ବାନ୍ଧବୀଙ୍କୁ ନୃତ୍ୟ ଦେଖାଇବା ବ୍ୟତୀତ କୌଣସି ପୁରୁଷ ଲୋକ ଆଗରେ ମୁଁ ନାଚି ନ ଥିଲି । ପୁଣି ଆଜି ନାଚିବାକୁ ପଡ଼ିବ । ସିନେମାର ଜଣେ କ୍ୟାମେରାମ୍ୟାନ ଆଗରେ । ସିନେମାରେ ପ୍ରବେଶ କରିବାର ବାଟ କେବଳ ଏଇ ନୃତ୍ୟ ମାଧ୍ୟମରେ ହିଁ ସମ୍ଭବ । କିନ୍ତୁ ମୁଁ ସେମାନଙ୍କ ଆଗରେ ନାଚିପାରିବି ତ ? ଏଇ ଦ୍ୱନ୍ଦ୍ୱ ଭିତରେ ପଡ଼ିଥିବ ବେଳେ ଅକ୍ଷୟ ସେନ କହିଲେ, ‘ବହୁତ ଶୋଷ ଲାଗୁଛି, ମିନୀ, ଯଦି ସରବତର ବନ୍ଦୋବସ୍ତ କରନ୍ତୁ...’

 

—ତାଙ୍କ ପାଟିରୁ କଥା ଶେଷ ହେଇଛି କି ନାହିଁ ମୀନା ଚାଲିଗଳା । ସେମାନଙ୍କ ଆଗରେ ଏକୁଟିଆ ବସିବାକୁ ଖରାପ ଲାଗୁଥିଲେ ବି, ମୁଁ ନିଜକୁ ସେଥିପାଇଁ ପ୍ରସ୍ତୁତ କରିବାରେ ଲାଗୁଥିଲି । କାରଣ ଯେ କୌଣସିମତେ ସିନେମା ଜଗତରେ ପ୍ରବେଶ କରିବାକୁ ମୁଁ ଉଦ୍‌ବିଗ୍ନ ହୋଇଉଠିଥିଲି । ଆଉ ତା’ ଭିତରକୁ ପ୍ରବେଶ କରିବାର ମୂଳ ଦକ୍ଷତା ହେଲା ଲଜ୍ଜା ତ୍ୟାଗ କରିବା-

 

—କୋଠରି ଭିତରେ ବ୍ୟାପିଯାଇଥିବା ନୀରବତା ଭାଙ୍ଗି ଅକ୍ଷୟ ସେନ କହିଲେ, ପ୍ରକୃତରେ ଏଇ ଲଜ୍ଜାଗୁଣ ପାଇଁ ଆମ ଓଡ଼ିଆ ଝିଅମାନେ ଏଇ ଲାଇନରେ ବେଶି ଆସିପାରୁନାହାନ୍ତି । ଆପଣ ଯଦି କେବେ ମାଡ୍ରାସ କିମ୍ବା ବମ୍ବେ ଯାଆନ୍ତେ, ଦେଖନ୍ତେ କେରଳୀ, ତେଲଗୁ, ଆଉ ବେଙ୍ଗଲୀ ଝିଅମାନେ ଏଇ ଦିଗରେ କେତେ ଏକ୍‌ସ୍‌ପାର୍ଟ । ପୂରା ପୂରା ଖୋଲା ଦେହ ଆଉ ପ୍ରମ୍ପ୍‌ଟ୍‌ହେଇ ବି ସେମାନେ ଏ ଦିଗରେ ସୁବିଧା ପାଇପାରୁନାହାନ୍ତି । ଆଉ ଯେଉଁମାନଙ୍କର ଅଧ୍ୟବସାୟ ଅଛି ଆଉ ପ୍ରକୃତିଦତ୍ତ ଚେହେରା ରହିଛି, ସେମାନଙ୍କ ପାଇଁ ଏ ଲାଇନରେ ପ୍ରବେଶ କରିବାପାଇଁ ପ୍ରଭୂତ ଆଶା ନିଶ୍ଚିତ ଭାବରେ ଅଛି । ’

 

—ତାଙ୍କ କଥାରେ ଉତ୍ତର ନ ଦେଇ ମୁଁ କେବଳ ଶୁଣି ଚାଲିଥିଲି ।

 

—ସେ ପୁଣି କ’ଣ କହିଆସୁଥିଲେ, ଠିକ୍ ସେତିକିବେଳେ ମୀନାର ଜଣେ ପରିଚାରିକା ଗୋଟିଏ ଟ୍ରେରେ ଚାରିଟା ଗ୍ଲାସ ସରବତ ନେଇ ପହଞ୍ଚିଲା । ସରବତର ରଙ୍ଗ ପୂରା ନୀଳ ଦେଖାଯାଉଥିଲା । ପରିଚାରିକାଟି ଟେବୁଲ ଉପରେ ଟେକି ରଖିବା ସଙ୍ଗେସଙ୍ଗେ ମୀନା ପହଞ୍ଚିଯାଇ କହିଲା, ‘ବାପାଙ୍କପାଖରୁ ମୋର ସରବତ କରିବାର ଅଦ୍ଭୁତ ପ୍ରଣାଳୀ ଶୁଣି ତମେ ପିଇବାକୁ ୨ । ୩ ଥର ଜିଦ୍‌ ଧରିଥିଲ । ଆଜି ଦେଖିଲ ଏଇ ସରବତ କେତେ ଚମତ୍କାର ହୋଇଛି ! ଥରେ ପିଇଦେଲେ ନା, ସେଣିକି ମୋତେ ବ୍ୟସ୍ତ କରିବ । କିନ୍ତୁ ସତ କଥା ମୁଁ କହିଦଉଛି ଭାଇ, ଆଉ ଯଦି ଏଭଳି ସର୍ବତ କରିବାକୁ କହିବ ନା ଗ୍ଲାସ ପିଛା ଦଶଟଙ୍କା ନ ନେଇ ମୁଁ ଛାଡ଼ିବି ନାହିଁ ।’

 

ଅକ୍ଷୟ ସେନ ହସ ହସ ମୁହରେ କହିଲେ, ‘ବେଶ୍‌, ଆଗ ସରବତ ପିଆଯାଉ । ଯଦି ଭଲ ଲାଗିବ, ସଙ୍ଗେ ସଙ୍ଗେ ପଚାଶ ଟଙ୍କା ତୋତେ ଦିଆଯିବ ।’

 

—ହସ ହସ ମୁହଁରେ ସେମାନଙ୍କୁ ଗୋଟାଏ ଗୋଟାଏ ଗ୍ଲାସ ବଢ଼ାଇଦେଇ ମୀନା କହିଲା, ‘ବାପାଙ୍କ ଆଲ୍‌ମିରାରୁ ପର୍ସିଆନ ସେଣ୍ଟ୍‌ପକାଉ ପକାଉ ଟିକିଏ ବେଶି ହୋଇଯାଇଛି-। ସେଇଥିପାଇଁ ସରବତ ଟିକିଏ କଡ଼ା ଲାଗିପାରେ । ନେ, ମାୟା !’

 

—ମୋ ହାତକୁ ଗ୍ଲାସଟିଏ ବଢ଼ାଇ ନିଜେ ଗୋଟାଏ ଗ୍ଲାସ ପିଉ ପିଉ ମୀନା କହିଲା, ଏକାନିଶ୍ୱାସରେ ଗ୍ଲାସଯାକ ପି’ଦେ ମାୟା ! ନ ହେଲେ ସେଣ୍ଟ୍‌ ଯେମିତି ପଡ଼ିଛି ନା, ଟିକିଏ ଟିକିଏ ପିଇ ପୂରା ପିଇପାରିବୁ ନାହିଁ । ଫଳରେ ସମସ୍ତଙ୍କ ଆଗରେ ମୁଁ ଅପମାନିତ ହେବି ।’

 

—ଗ୍ଲାସ ଭିତରୁ ସେଣ୍ଟ୍‌ର ସୁଗନ୍ଧ ଆସୁଥିଲା । ମୀନାକୁ ବି ମୁଁ ଅବିଶ୍ୱାସ କରୁ ନ ଥିଲି । ତେଣୁ ତା’ର କହିବା ମୁତାବକ ମୁଁ ଏକା ନିଶ୍ୱାସରେ ଗ୍ଲାସଟି ଶେଷ କରିଦେଲି । ପିଇଲାବେଳେ ତଣ୍ଟି କେମିତି କେମିତି ଲାଗୁଥିଲା । ପରେ ପରେ ସମଗ୍ର ଶରୀରରେ କେମିତି ଏକ ଅଭିନବ ଉନ୍ମାଦନା ମୁଁ ଅନୁଭବ କଲି ।

 

‘ବେଶ୍‌, ଏଥର ମାୟାର ନାଚ ଦେଖାଯାଉ, ଭାଇ ! ଚାଲ, ମୁଁ ବଗିଚାରେ ସମସ୍ତ ବନ୍ଦୋବସ୍ତ କରିଦେଇ ଆସିଛି ।’ ଏତକ କହି ମୀନା ମୋର ହାତ ଧରି ଟାଣିଲା । ତା’ ପଛେ ପଛେ ବାଧ୍ୟ ଶିଶୁଟି ଭଳି ମୁଁ ଆଗକୁ ଚାଲିଲି ।

 

—ମୀନାର ବଗିଚାଟିର ଆକର୍ଷଣ ଥିଲା ଖୁବ୍‌ବେଶି । ଜହ୍ନ ଆଲୋକରେ ସେ ଆହୁରି ଖୁବ୍‌ ଆକର୍ଷଣୀୟ ହୋଇପଡ଼ିଥିଲା । ଏଆଡ଼େ ମୋର ଶିରାପ୍ରଶିରାରେ କେମିତି ଏକ ଅଭିନବ ଉନ୍ମାଦନା ସୃଷ୍ଟି ହୋଇ ମୋତେ ଉତ୍‌ଫୁଲ୍ଲ କରୁଥିଲା ।

 

ଗାର୍ଡନଚେୟାର ଉପରେ ବସୁ ବସୁ ଅକ୍ଷୟ ସେନ ମୋତେ ପାଖକୁ ଡାକିଲେ । ‘ଦେଖ, ଆମେ ଏଠି ବସି ତମ ନାଚ ଦେଖୁଚୁ ବୋଲି ଯେମିତି ସଙ୍କୋଚ ନ କର । ନାଚରେ ଦୋଷତ୍ରୁଟି ଥାଇପାରେ । କିନ୍ତୁ ମୋର ଅନୁରୋଧ ସେ ସବୁ ପ୍ରତି ଲକ୍ଷ୍ୟ ଦେବା ତମର କାମ ନୁହେଁ । ତମେ ଯଦି ସିନେମା ଜଗତରେ ପ୍ରବେଶ କରିବାକୁ ପ୍ରକୃତରେ ଚାହୁଁଥାଅ, ତା’ହେଲେ ତମର ସମସ୍ତ ଦୋଷ ତ୍ରୁଟି ସଜାଡ଼ି, ସିଲେକ୍‌ସନରେ ଯେମିତି ପ୍ରଡ୍ୟୁସର ତଥା ଡାଇରେକ୍‌ଟରଙ୍କ ଆଗରେ ନିଖୁଣ ଭାବରେ ଉତ୍ତୀର୍ଣ୍ଣ ହୋଇପାରିବ, ତା’ର ଚେଷ୍ଟା ମୁଁ କରିବି ।’

 

ଦୀର୍ଘ ନିଶ୍ୱାସ ନେଲା ସରିତା–ମୋତେ ବିଶ୍ୱାସ କରନ୍ତୁ, ମିଷ୍ଟର ଶତ୍ରୁଜିତ୍‌, ମୀନାକୁ ମୁଁ ଖୁବ୍‌ ବିଶ୍ୱାସ କରୁଥିଲି । ତା’ରି ଖାତିରରେ ଅକ୍ଷୟ ସେନଙ୍କୁ ସେତେବେଳେ ମୁଁ ଦେବତା ଭଳି ମାନିବାରେ ଲାଗିଲି । ତାଙ୍କର ପ୍ରତ୍ୟେକ ଉପଦେଶ ମୋର ସଫଳତାର ପାହାଚ ବୋଲି ଧରିନେଲି-। ପୂର୍ବରୁ ସେଇ ସରବତ ସେତେବଳକୁ ପୂରାପୂରି ମୋତେ ଗ୍ରାସ କରିଯାଇଥିଲା । ମୋତେ ପାଖ ଚେୟାରରେ ବସିବାକୁ କହି ଅକ୍ଷୟ ସେନ ପୁଣି କହିଲେ, ‘ତମର ସ୍ୱାଭାବିକ ଲଜ୍ଜା ଏ ପର୍ଯ୍ୟନ୍ତ ତୁଟି ନାହିଁ, ମାୟା ! ମୋର ଭୟ ହୁଏ, ଏଇ ଲଜ୍ଜାଗତ ଦୁର୍ବଳତା ନେଇ ତମେ ନାଚିପାରିବ କି ନାହିଁ-। ମୀନା, ସେଇ ସିଗାରେଟ୍‌ରୁ ସମସ୍ତଙ୍କୁ ଗୋଟାଏ ଦେ । ବିଶେଷ କରି ମାୟାଙ୍କୁ ।’

 

—ଜୀବନରେ କେବେ ଯେ ସିଗାରେଟ୍‌ ପିଇବି ଏହା ମୋର ଧାରଣାର ବାହାରେ ରହିଥିଲା । ତେଣୁ ମୁଁ ଇତସ୍ତତଃ ହେବାରୁ ସେ କହିଲେ, ‘ଏଇ ତ ପ୍ରଥମରୁ ତମେ ତମର ସ୍ୱାଭାବିକ ଲଜ୍ଜା ଛାଡ଼ିପାରୁନାହିଁ । ସିନେମା ଜଗତରେ ପ୍ରବେଶ କରିବାକୁ ହେଲେ ଏସବୁ ନିହାତି ପ୍ରୟୋଜନ-। ଆଉ ଏ ସିଗାରେଟ୍‌ ସାଧାରଣ ସିଗାରେଟ୍‌ଭଳି ନୁହେଁ । ଏଥିରେ ମେରିଜୁଏନାର ଅଂଶ ରହିଛି-। ଏଇ ସିଗାରେଟ୍‌ଟି ମେରିଜୁଏନା ପ୍ରଭାବରେ ମନରେ ବିଶେଷ ଉତ୍ସାହ ଖେଳାଇଦିଏ-। ଅତୀତ ଭବିଷ୍ୟତ ସବୁ କିଛି ଭୁଲି ନିଜର ଉଚ୍ଚ ଆକାଂକ୍ଷା ଚରିତାର୍ଥ କରିବାକୁ ଏ ଯୋଗାଇଦିଏ ପ୍ରେରଣା ।’

 

ତା’ ହେଲେ ତମେ ତା’ର ଅନୁରୋଧରେ ସେଇ ସିଗାରେଟ୍‌ ଟାଣିଥିଲ ?

 

ହଁ, ତା’ପରେ ପରେ ମୁଁ ଅନୁଭବ କଲି ମୋ ଦେହର ଓଜନ ଯେମିତି ହ୍ରାସ ପାଇଯାଉଛି-। ଆଖିରେ ଇନ୍ଦ୍ରଧନୁର ନିଶା । ପାଦ ଦୁଇଟି ଅସ୍ଥିର । ସତରେ ମିଷ୍ଟର ଶତ୍ରୁଜିତ୍‌, ସେଇ ମେରିଜୁଏନାର ପ୍ରଭାବରେ ମୁଁ ଏକାଥରେ ଉନ୍ନାଦ ହୋଇପଡ଼ିଥିଲି । ସ୍ୱତଃପ୍ରବୃତ୍ତ ଭାବରେ ମୁଁ ନାଚିଉଠିଲି । ଆକାଶରେ ଚନ୍ଦ୍ରକିରଣ, ବଗିଚାରେ ଫୁଲ ଆଉ ମେରିଜୁଏନାର ପ୍ରଭାବ ମୋତେ ଏକାଥରେ ଉନ୍ନାଦ କରି ତୋଳିଥିଲା । ସେଇ ଉଦ୍ଦାମ ନୃତ୍ୟ ଭିତରେ କେତେବେଳେ ଯେ ମୋର ସବୁ ଅଙ୍ଗବାସ ଖୋଲି ଫୋପାଡ଼ିଦେଇଥିଲି, ମୋର ଧାରଣା ନ ଥିଲା । ପରେ ପରେ ଅକ୍ଷୟ ସେନ ବି ଅନୁରୂପ ଭାବରେ ମୋ ସହିତ ନାଚିବାରେ ଲାଗିଲେ । ମୁଁ ସେତେବେଳେ ଅତିମାତ୍ରାରେ ଉତ୍ତେଜିତ ହୋଇପଡ଼ିଥିଲି । ସେଇ ଉତ୍ତେଜିତ ଅବସ୍ଥାରେ କେତେବେଳେଯେ ତାଙ୍କର ନିବିଡ଼ ବାହୁବନ୍ଧନ ଭିତରକୁ ଆସିଯାଇଥିଲି, ମୁଁ ଜାଣେ ନାହିଁ । କିନ୍ତୁ ସେତେବେଳେ କ୍ୟାମେରାର ଏକ ଫ୍ଲାସ୍‌ବଲବ ଜଳିଉଠିବା ମୁଁ ଲକ୍ଷ୍ୟ କରିଥିଲି । ପରେ ପରେ ମୋର ଦେହହାତ ଅତ୍ୟନ୍ତ ଅବଶ ହୋଇଆସିଥିଲା । ଆଉ ସେମାନେ ଧରାଧରି କରି ମୋତେ କୋଠରି ଭିତରକୁ ନେଇଯାଇଥିଲେ-

 

ଦୀର୍ଘନିଶ୍ୱାସ ନେଇ ପୁଣି କିଛି ସମୟ ନୀରବ ରହିଗଲା ସରିତା । ତା’ପରେ କହିଲା–ତା’ ପରିଦିନଠାରୁ ମୋର ନୃତ୍ୟଶିକ୍ଷା ଆରମ୍ଭ ହୋଇଗଲା । ମୁଁ ପ୍ରକୃତରେ ଅକ୍ଷୟ ସେନ୍‌କୁ ଭଲ ପାଇଯାଇଥିଲି, ଯାହାଫଳରେ ମୋ ପାଖରୁ ସେ ସମସ୍ତ କିଛି ନେଇସାରିଥିଲା ।

 

ବେଶ୍‌, ତା’ ପରେ... ?

 

ତା’ ପରେ ଅକ୍ଷୟ ସେନ୍‌ ମୋତେ ମେରିଜୁଏନାର ପ୍ରଭାବରେ ସ୍ତମ୍ଭୀଭୂତ କରି କାରବେଟ୍‌ ଡ୍ୟାନ୍‌ସ ଶିଖାଇବାରେ ଲାଗିଲା । ଆଉ ମୋତେ କହିଲା ଫିଲ୍‌ମ୍‌ଜଗତରେ ପ୍ରବେଶ କରିବାପୂର୍ବରୁ ଏକାଧିକ ନାଇଟ୍‌କ୍ଲବ୍‌ ବା ହୋଟେଲରେ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କର ପ୍ରଶଂସା ଅର୍ଜ୍ଜନ କରିବା ଦରକାର ଯାହାକି ସିନେମା ଜଗତରେ ପ୍ରବେଶ କରିବାର ପ୍ରଥମ ସୋପାନ ।

 

—ମୁଁ ମଧ୍ୟ ସର୍ବସାଧାରଣରେ ମୋର ନୃତ୍ୟ ପରିବେଷଣ କରିବାକୁ ଉତ୍କଣ୍ଠିତ ହୋଇପଡ଼ିଥିଲି । ତେଣୁ ଆଗପଛ କିଛି ଭାବିବାର ଅବସର ମୋ ନିକଟରେ ନ ଥିଲା । ବେଙ୍ଗଲର କେତେଟା ନାଇଟ୍‌କ୍ଲବ୍‌ ଆଉ ହୋଟେଲରେ ଡ୍ୟାନସ୍‌କରି ପ୍ରଭୂତ ସୁନାମ ପାଇବା ପରେ ପରେ ମୁଁ ଆହୁରି ଉଲ୍ଲସିତ ହୋଇଉଠିଲି । କିନ୍ତୁ ମୁଁ ଯେତେବେଳେ ଜାଣିଲି ବାହାରେ କାହାରି ସହିତ କଥାବାର୍ତ୍ତା କରିବାର ସୁଯୋଗ ଅକ୍ଷୟ ସେନ୍‌ ମୋତେ ଦେଲା ନାହିଁ, ସେତେବେଳେ ମୋ ମନରେ ସନ୍ଦେହ ଆସିଲା । କିନ୍ତୁ ହଠାତ୍‌ ମୋର ଏଇ ମନର ପତ୍ରିକ୍ରିୟା ତା’ ନିକଟରେ ପ୍ରକାଶ କରିପାରିଲି ନାହିଁ । କିନ୍ତୁ ଯେତେବେଳେ ଦେଖିଲି ତା’ର ଦୃଷ୍ଟି ମୋ ଉପରେ ତୀକ୍ଷ୍‌ଣ ଭାବରେ ରହିଛି, ସେତେବେଳେ ମୁଁ ଆଉ ନୀରବ ରହିପାରିଲି ନାହିଁ । ଫଳରେ ଉଭୟଙ୍କ ଭିତରେ ଝଗଡ଼ା ଆରମ୍ଭ ହେଲା । ତାକୁ ଛାଡ଼ିଦେଇ ମୁଁ ଚାଲିଆସିବାପାଇଁ ସ୍ଥିର କଲି ।

 

କିନ୍ତୁ ଏ ପର୍ଯ୍ୟନ୍ତ....

 

ହଁ, ମି: ଶତ୍ରୁଜିତ୍‌ ! ମୁଁ ଏକ ଥରେ ନିରୂପାୟ ହୋଇପଡ଼ିଥିଲି । ସେଇଦିନ ସେ ମୋତେ ସେଦିନ ରାତ୍ରିର ସେଇ ଉଲଗ୍ନ ଫଟୋଗ୍ରାଫ୍‌ ଦୁଇଟି ଦେଖାଇ କହିଲା, ଯଦି ମୁଁ ତା’ କଥା ନ ମାନେ ଅଥବା ତାକୁ ଛାଡ଼ି ଚାଲିଆସେ, ତା’ହେଲେ ସେଇ ଫଟୋ ଦୁଇଟି ମେ ମ’ ବାପାଙ୍କ ପାଖକୁ ପଠାଇଦେବ । ତା’ ଛଡ଼ା ଆଉ ଗୋଟିଏ ଏଗ୍ରିମେଣ୍ଟ୍‌ ।

ଏଗ୍ରିମେଣ୍ଟ୍‌ ?

ହଁ, ସେଇଭଳି ଏକ ଦୁର୍ବଳ ମୁହୂର୍ତ୍ତରେ ମୋ ପାଖରୁ ଦସ୍ତଖତ ନେଇଯାଇଥିଲା । ସେତେବେଳେ ସେଇ କାଗଜଟା କ’ଣ, ପଢ଼ିବା ପାଇଁ ବି ମୋର ଇଚ୍ଛା ନ ଥିଲା ।

ଏଗ୍ରିମେଣ୍ଟରେ କ’ଣ ଲେଖାଥିଲା ?

ସରିତା ଦୁଇ ହାତରେ ନିଜ ମୁଣ୍ଡକୁ କିଛି ସମୟ ଚିପିଧରି କହିଲା—ସିନେମାରେ ପ୍ରବେଶ କରିପାଇଁ କଲିକତା, ବମ୍ବେ, ମାଡ୍ରାସର ଯାତାୟାତ ଖର୍ଚ୍ଚ, ଆଉ ଅନ୍ୟାନ୍ୟ ଖର୍ଚ୍ଚ ମିଶାଇ ତା’ ପାଖରୁ ନେଇଥିବା ପନ୍ଦର ହଜାର ଟଙ୍କା ମୋତେ ପରିଶୋଧ କରିବାକୁ ପଡ଼ିବ ଯାହାକି ମୋର ଅନୁରୋଧକ୍ରମେ ସେ ମୋତେ ଦେଇଛି । ସଂପୂର୍ଣ୍ଣ ମସ୍ତିଷ୍କରେ ଏଇ ଦଲିଲି ମୁଁ ସଂପାଦନ କରିଛି ।

ହଁ...ତମେ ତା’ହେଲେ ତା’ ସହିତ ବିଭିନ୍ନ ଷ୍ଟୁଡିଓକୁ ଯାଇଥିଲ ?

ନା, ଆଜ୍ଞା ! ମୁଁ ବି ପରେ ପରେ ସମ୍ବାଦ ପାଇଲି ଏଇଭଳି ଅନେକ ଚଳଚ୍ଚିତ୍ର ନାୟକା ସାଜିବାକୁ ଇଚ୍ଛୁକ ଥିବା ଝିଅମାନେ ତା’ ପାଲରେ ପଡ଼ି ଘରଦ୍ୱାର ସମସ୍ତ ଛାଡ଼ଇ ଏବେ ଏକପ୍ରକାର ତାହାରି ଆଶ୍ରିତା ହୋଇପଡ଼ିଛନ୍ତି । ବିଭିନ୍ନ ସହରରେ ତା’ର ଏଜେଣ୍ଟ୍‌ମାନେ ସେମାନଙ୍କ ଜରିଆରେ ରୋଜଗାର କରୁଥିବା ଟଙ୍କା ଅକ୍ଷୟ ସେନ୍‌ ପାଖକୁ ଆସୁଛି ।

‘ଲା ବେଲା’ରୁ ୩,୦୦୦,୦୦ ଟଙ୍କାର ତମେ ଯୋଉ କଣ୍ଟାକ୍‌ଟ ନେଇଥିଲ ସେ ଟଙ୍କା ସମସ୍ତ ଅକ୍ଷୟ ସେନ ନେଇଛି, ନୁହେଁ ?

ହଁ...

ଚମତ୍କାର ! ଆଚ୍ଛା ମାୟା, ଯୋଉ ଫଟୋଗ୍ରାଫ୍‌ ସେ ତମକୁ ଦେଖାଇଥିଲା, ସେଇ ଫଟୋଗ୍ରାଫ୍‌ଟି ସେ ତମ ବାପାଙ୍କ ପାଖକୁ ପଠାଇଦେଇଛି ?

ନା...

ମାୟା ପରିବର୍ତ୍ତେ ଏଇ ସରିତା ନାମ କିଏ ଦେଇଥିଲା ?

ମୁଁ । ମୁଁ ଅକ୍ଷୟ ସେନକୁ ପ୍ରଥମେ ଏ କଥା କହିଥିଲି । କାରଣ ପ୍ରେସବାଲା ଯେଭଳି ମୋ ପିଛା ଲାଗିଯାଇଥିଲେ ଆଉ ଯୋଉଭଳି ସମ୍ବାଦ ସବୁ ସମ୍ବାଦପତ୍ରମାନଙ୍କରେ ଦେଉଥିଲେ, ସେଥିରେ ମୋର ଅସଲ ନାମ ପ୍ରକାଶ ପାଇଥିଲେ, ମୋର ଉଦ୍ଦେଶ୍ୟ ସିଦ୍ଧି ହେଇପାରି ନ ଥାନ୍ତା ବୋଲି ମୁଁ ଭାବିଥିଲି । ମୁଁ କଣ ଜାଣିଥିଲି ଯେ ଅକ୍ଷୟ ସେନ ଏଭଳି ଏକ ଷଡ଼ଯନ୍ତ୍ର ଭିତରେ ମୋତେ ପକାଇବ ।

ଶେଷ ହୋଇଆସୁଥିବା ସିଗାରେଟ ଖଣ୍ଡିକ ଆସଟ୍ରେ ଭିତରେ ପକାଇଦେଇ ଚିନ୍ତିତ ମନରେ ଶତ୍ରୁଜିତ୍‌ କହିଲେ—ଏ ସମ୍ବାଦତ ତମେ ପୋଲିସରେ ଦେଇ ସାହାଯ୍ୟ ଭିକ୍ଷା କରିପାରିଥାଆନ୍ତ...

 

ମୁଁ ଯେ ଉପରିସ୍ଥିତ ଭିତରେ ପଡ଼ିଛି ସେଇ ପରିସ୍ଥିତି ଭିତରେ ଆପଣ ନିଜେ ପଡ଼ିଥିଲେ ବି ଏ କଥା କରିପାରି ନ ଥାନ୍ତେ ମିଷ୍ଟର ଶତ୍ରୁଜିତ୍‌ ! ପୋଲିସ କେବେ ଆପଣଙ୍କ ପରି ମୋ ସମ୍ବାଦ ଗୋପନ କରି ମୋତେ ସାହାଯ୍ୟ କରିବାକୁ ଆଗେଇ ଆସି ନ ଥାନ୍ତା । ତା ଛଡ଼ା ପୋଲିସ ପାଖକୁ ଯିବାପାଇଁ ମଧ୍ୟ ମୋର ଉପାୟ ନ ଥିଲା । ଆପଣ ଜାଣିନାହାନ୍ତି ଆଜ୍ଞା,ବହୁ ଗୁଣ୍ଡା ଆଉ ଅସାମାଜିକ ଲୋକ ତା ହାତରେ ରହିଛନ୍ତି । ସେମାନଙ୍କର ଦୃଷ୍ଟି ମୋ ଉପରେ ସଦାବେଳେ । ଆଜି କିନ୍ତୁ ମୋର ସୌଭାଗ୍ୟ, ମିଷ୍ଟର ଶତ୍ରୁଜିତ୍‌, ରାତିରେ କେହି ମୋ ଘର ଜଗି ନ ଥିଲେ ।

 

ତମେ ଏ ବିଷୟରେ ନିଶ୍ଚିତ ସେ ତମେ ଯେ ସେ ଘର ଛାଡ଼ି ଚାଲିଆସିଛି, ଏ ସମ୍ବାଦ ଅକ୍ଷୟ ସେନ ଜାଣେ ନାହିଁ ?

Unknown

 

ହଁ । କାରଣ ସେ ଭଲ ଭାବରେ ଜାଣେ ଯେ ମୁଁ ଭାରି ଡରକୁଳୀ, ରାତିରେ କେବେହେଲେ ମୁଁ ବାହାରକୁ ବାହରିବି ନାହିଁ । ତା’ଛଡ଼ା,ମୁଁ ଯୋଉ ଘରେ ଏବେ ରହୁଛି ତା’ପଛ ପାଖରେ ଜଙ୍ଗଲ ଅଛି ।

 

ସେ କିନ୍ତୁ ତମକୁ ଏ ପ୍ରାସାଦରେ ଛାଡ଼ି ଅନ୍ୟ ପ୍ରାସାଦରେ ରହିବାର କାରଣ କ’ଣ ?

 

ଏଥର ସରିତାର ମୁଖମଣ୍ଡଳ ଅବନମିତ ହୋଇଆସିଲା । ପୁଣି ଆସ୍ତେ ଆସ୍ତେ କଠୋର ହୋଇଆସିଲା । ତା‘ପରେ ଗମ୍ଭୀରଭାବରେ କହିଲା—ଯୋଉଦିନ ଏଇ ଫଟୋଗ୍ରାଫ୍‌ ଆଉ ଏଗ୍ରିମେଣ୍ଟ୍‌ ତା’ ପାଖରେ ଦେଖିଲି, ସେଦିନ ସେ ଯେ ଜଣେ ବ୍ଲାକମେଲର ଏହା ବୁଝିବାକୁ ଆଉ ମୋତେ ବିଳମ୍ବ ଲାଗିଲା ନାହିଁ । ପୂର୍ବରୁ ତା’ପ୍ରତି ଥିବା ସ୍ନେହ ଅନୁରାଗ ପରିବର୍ତ୍ତେ ପୁଞ୍ଜୀଭୂତ ଘୃଣା ଏକତ୍ରିତ ହୋଇଗଲା । ମୁଁ ତାକୁ ସେଦିନ ସତର୍କ କରାଇଦେଇଥିଲି, ସେ ଯଦି ରାତିରେ କେବେ ମୋ ଶୟନକକ୍ଷକୁ ଆସେ, ଅଥବା ମୁଁ ରହୁଥିବା ଘରେ ରହେ, ତା’ହେଲେ ମୁଁ ନିଶ୍ଚିତ ଭାବରେ ଆତ୍ମହତ୍ୟା କରିବି । ମୋର ଏଇ ଧମକ ଠିକ୍‌ କାମ ଦେଲା । ସେହିଦିନଠାରୁ ସେ କେବେ ଭୁଲରେ ରାତ୍ରିରେ ମୋ ଶୟନକକ୍ଷକୁ ଆସେ ନାହିଁ । ଅଥବା ମୋ ପ୍ରତି କୌଣସି ଅସୌଜନ୍ୟ ବ୍ୟବହାର ଦେଖାଇବାକୁ ସାହସ କରେ ନାହିଁ ।

 

ହଁ....ଆଚ୍ଛା, ତମର ଏଠାରେ କେହି ପରିଚିତ ଲୋକ ଅଛନ୍ତି ?

 

ନା ।

 

ବେଶ୍‌, ତମେ ଗୋଟେ କାମ କର, ସରିତା ! ଆଉ ସେଇ ଘରକୁ ଫେରିଯିବା ତମ ପକ୍ଷରେ ଠିକ୍‌ ହେବ ନାହିଁ । କାରଣ ଆଜି ଯଦି ତମେ ସେଠାକୁ ଫେରିଯାଅ, ତା’ହେଲେ ଆଉ କୌଣସି ମୁହୂର୍ତ୍ତରେ କେହି ତମକୁ ତା’ କବଳରୁ ଉଦ୍ଧାର କରିପାରିବେ ନାହିଁ । କାରଣ ଆଜି ‘ଲା-ବେଲା’ରେ ତମ ସହ ମୋର ସାକ୍ଷାତ ବିଷୟରେ ସେ ଜାଣିବାପାଇଁ ନିଶ୍ଚୟ ବ୍ୟଗ୍ର ହୋଇପଡ଼ିବ । ଏ ସବୁ ଜାଣିସାରିବା ପରେ ସେ ଏଠାରେ ଆଉ ତମକୁ ନେଇ ରହିବା ପାଇଁ ସାହସ କରିପାରିବ ନାହିଁ ।

 

ତା’ହେଲେ... !

 

ଭୟ କରିବାର କୌଣସି କାରଣ ନାହିଁ, ସରିତା । ମୋ ଉପରେ ବିଶ୍ୱାସ ରଖ । ତମର ଏଇ ସମ୍ବାଦ ତମର ବାପା ଏକା କାହିଁକି, ଅନ୍ୟ କେହି ବି ଜାଣିବାର ସୁଯୋଗ ପାଇବେ ନାହିଁ । ମୁଁ ନିର୍ବିଘ୍ନରେ, ନିରାପଦରେ ତମକୁ ତା’ ପାଖକୁ ମୁକ୍ତି ଦେବି । କିନ୍ତୁ ମୋର ଅନୁରୋଧ, ବାପମାଆଙ୍କ କଥାରେ ଅବାଧ୍ୟ ହୋଇ କୌଣସି ଅପରିଚିତ ଲୋକର କୁମନ୍ତ୍ରଣାରେ ପଡ଼ି ପୂନର୍ବାର ଯେମିତି ଏ ଘଟଣାର ପୁନରାବୃତ୍ତି ନ କର ।

 

ସରିତାର ଚକ୍ଷୁରେ ଲୋତକ ଦେଖାଗଲା । ଆଉ ସଙ୍ଗେ ସଙ୍ଗେ ଶତ୍ରୁଜିତଙ୍କର ପାଦ ଛୁଇଁ କହିଲା-ସବୁ କିଛି ହରାଇବା ପରିବର୍ତ୍ତେ ବହୁତ କିଛି ମୁଁ ଶିଖିଲି,ମିଷ୍ଟର ଶତ୍ରୁଜିତ୍‌ ।

 

ଶତ୍ରୁଜିତ୍‌ କ’ଣ କହିଆସୁଥିଲେ,ହଠାତ୍‌ ଟେଲିଫୋନ୍‌ର ରିଂ ହେବାରୁ ସେ ରିସିଭର ଉଠାଇନେଲେ । ହ୍ୟାଲୋ...ମିଷ୍ଟର ହୁସେନ୍‌ । କ’ଣ କହିଲେ ? ଅକ୍ଷୟ ସେନ୍‌ ଆପଣଙ୍କୁ ମୋର ଠିକଣା ପଚାରୁଛି । ନା, ତାକୁ ମନା କରିଦିଅନ୍ତୁ । କ’ଣ କହିଲେ...ବହୁତ ଧନ୍ୟବାଦ । ରିସିଭର ରଖି ଗମ୍ଭୀର ହୋଇପଡ଼ିଲେ ଶତ୍ରୁଜିତ୍‌ ! ତମେ ଯେ ସେଇ ପ୍ରାସାଦ ଛାଡ଼ି ଚାଲିଆସିଛି ଏ ସମ୍ବାଦ ଅକ୍ଷୟ ସେନ୍‌ ପାଇଯାଇଛି, ସରିତା । ମୋର ବିଶ୍ୱାସ, ସେ ହୁଏତ ଆଉ କେତେକ ମୁହୂର୍ତ୍ତ ପରେ ଏଠାରେ ଆସି ପହଞ୍ଚିଯିବ ।

 

ମିଷ୍ଟର ଶତ୍ରୁଜିତ୍‌ !

 

ଭୟ କରିବାର କୌଣସି କାରଣ ନାହିଁ । ତମେ ସିଧାସଳଖ ଭାବରେ ଆମ ବାଡ଼ିପାଖ ଦ୍ୱାର ଦେଇ ବାହାରକୁ ଚାଲିଯାଅ । ଏଠାରୁ ପ୍ରାୟ ଏକ ଫର୍ଲଙ୍ଗ ଦୂରରେ ମୋର ସେକ୍ରେଟେରୀ ଛାୟା ରହେ । ଏକମହଲା କୋଠାର ଗେଟ୍‌ଉପରେ ଲାଲ ଅକ୍ଷରରେ ‘ଛାୟା‘ ବୋଲି ଲେଖାଯାଈଛି ।

 

ଓ...ମୁଁ ଜାଣିଛି, ମିଷ୍ଟର ଶତ୍ରୁଜିତ୍‌ ! ଥରେ ଦୁଇଥର ଗାଡ଼ିରେ ଗଲାବେଳେ ଏଇ ନାମଫଳକ ମୁଁ ଦେଖିଛି ।

 

ଠିକ୍‌ ଆମ ଘର ପଛପାଖରୁ ସିଧାସଳଖ ଏକ ଅଣଓସାରିଆ ରାସ୍ତା । ତା’ଘର ପାଖରେ ଶେଷ ହୋଇଛି । ରିକ୍‌ସାର ବି ଅଭାବ ହେବ ନାହିଁ । ବେଶ୍‌, ଏଇ ଚିଠିଟି ନିଅ । ସେଠାରେ ତମର ଭୟର କୌଣସି ଆଶଙ୍କା ନାହିଁ ।

 

ବାହାରେ କଲିଂ ବେଲ୍‌ର ଘନଘନ ଶବ୍ଦ ଶୁଣାଗଲା । ଯାଅ, ହରିଅପ, ମୋର ବିଶ୍ୱାସ, ଅକ୍ଷୟ ସେନ୍‌ ଆସିଛି । ମୁଁ କାଲି ସକାଳେ ତମ ସହ ସାକ୍ଷାତ କରିବି ।

 

ଶତ୍ରୁଜିତଙ୍କ ହାତରୁ ଚିଠିଟି ନେଇ ସରିତା ସେ କୋଠରିରୁ ବାହାରିଗଲା ।

 

ପର ମୁହୂର୍ତ୍ତରେ ତା’ ଗତିପଥ ଉପରୁ ଦୃଷ୍ଟି ଫେରାଇ ଶତ୍ରୁଜିତ୍‌ ଦ୍ୱାରପାଖକୁ ଆସିଲେ । ସତକୁସତ ଦ୍ୱାରଦେଶରେ ଅକ୍ଷୟ ସେନ୍‌ ଉଦ୍‌ଭ୍ରାନ୍ତି ଭାବରେ ପଦଚାରଣା କରୁଥିଲା ।

 

ଆରେ, ମିଷ୍ଟର ସେନ୍‌ଯେ । ଏତେ ରାତିରେ ହଠାତ୍‌ ? ଆସନ୍ତୁ, ଭିତରକୁ ଆସନ୍ତୁ । ତାକୁ କଥା କହିବାର ଅବସର ନ ଦେଇ ଶତ୍ରୁଜିତ୍‌ ନିଜ କୋଠରିକୁ ଫେରିଆସିଲେ । ପଛେ ପଛେ ଚତୁର୍ଦ୍ଦିଗରେ ତୀକ୍ଷ୍‌ଣ ଦୃଷ୍ଟି ବୁଲାଇ ଅକ୍ଷୟ ସେନ୍‌ବି କୋଠରି ଭିତକୁ ଆସିଲା ।

 

ସରିତା କାହିଁ ? କର୍କଶ କଣ୍ଠରେ ପଚାରିଉଠିଲା ଅକ୍ଷୟ ସେନ ।

 

ସରିତା...

 

ହଁ, ସରିତା । କୁହନ୍ତୁ ମିଷ୍ଟର ଶତ୍ରୁଜିତ୍‌, ସରିତା କାହିଁ ?

 

ଶତ୍ରୁଜିତ୍‌ ହସିଲେ—ଆପଣ ଉଦ୍‌ଭ୍ରନ୍ତ ନୁହନ୍ତିତ ମିଷ୍ଟର ସେନ୍‌ ।

 

ମୁଁ ସରିତାର ସେକ୍ରେଟେରୀ ! ତା’ର ନିରାପତ୍ତାର ଦାୟିତ୍ୱ ମୋ ଉପରେ । ମୁଁ ଜାଣିବାକୁ ଚାହେ ସେ କାହିଁ ?

 

ଅଥଚ ଆପଣ ତା‘ର ସେକ୍ରେଟେରୀ ତାକୁ ଖୋଜିବାକୁ ଆସିଛନ୍ତି ମୋ ଘରକୁ ?

 

ମୁଁ ଜାଣେ ସେ ଏଠାକୁ ଆସିଛି । ଆହୁରି ବି ଜାଣିଛି ଆପଣ ବିଶେଷ ଧୂର୍ତ୍ତ । କିନ୍ତୁ ମୋ ଆଖିରେ ଧୂଳି ଦେବାର ଶକ୍ତି ଆପଣଙ୍କର ନାହିଁ ।

 

ସରିତା ଏଠାକୁ ଆସିନାହିଁ ।

 

ହୁଁ, ମୁଁ ଦେଖୁଛି । ଦ୍ରୁତବେଗରେ ବାଡ଼ିପାଖ ଦ୍ୱାର ଆଡ଼କୁ ଆଗେଇବାରେ ଲାଗିଲା ଅକ୍ଷୟ ସେନ ।

 

ମିଷ୍ଟର ସେନ ! ଆଉ ପାଦେ ଆଗେଇବାକୁ ବି ଚେଷ୍ଟା କରନା । ଏଇଟା ମୋର ଘର ।

 

କିନ୍ତୁ ସରିତାକୁ ନ ନେଇ ମୁଁ ଏଠାରୁ ଫେରୁନାହିଁ । ଅକ୍ଷୟ ସେନ ଦ୍ରୁତ ବେଗରେ ସେ କୋଠରି ଛାଡ଼ିବାକୁ ବସିବାରୁ ଶତ୍ରୁଜିତ୍‌ ଚିତ୍କାର କରିଉଠିଲେ—ଛିଡ଼ା ହୁଅ ମିଷ୍ଟର ସେନ !

 

ସାବଧାନ ମିଷ୍ଟର ଶତ୍ରୁଜିତ୍‌ ମୋତେ ବାଧା ଦେବାକୁ ଚେଷ୍ଟା କଲେ...

 

ହଠାତ୍‌ ତା ହାତରେ ପିସ୍ତଲଟିଏ ଚମକି ଉଠିଲା । ମୁହୂର୍ତ୍ତକ ବିଶ୍ୱାସ ଥିଲା, ଅକ୍ଷୟ ସେନର ପ୍ରତିରୋଧ ଯଦି ନ କରନ୍ତି, ତା’ହେଲେ ସରିତା ନିଶ୍ଚୟ ଧରାପଡ଼ିଯିବ । ଏଆଡ଼େ ଅକ୍ଷୟ ସେନ ହାତରେ ପିସ୍ତଲ । ହଠାତ୍‌ କିଛି ସ୍ଥିର କରି ନ ପାରି ଅକ୍ଷୟ ସେନ ଉପରକୁ ଲମ୍ପ ଦେଲେ ମିଷ୍ଟର ଶତ୍ରୁଜିତ୍‌ । ପର ମୁହୂର୍ତ୍ତରେ ତାର ପିସ୍ତଲ ଧରିଥିବା ହାତଟି ଶତ୍ରୁଜିତ୍‌ ଧରିନେଲେ । କିନ୍ତୁ ଅସମ୍ଭବ ବଳଶାଳୀ ସେନ ହାତରୁ ପିସ୍ତଲ ଛଡ଼ାଇଆଣିବା ସହଜ ନ ଥିଲା । ଆଉ ଟିକିଏ ଅସତର୍କ ହେଲେ, ଗୁଳିରେ ନିଜର ପ୍ରାଣ ଯିବା ବିଚିତ୍ର ନୁହେ ।

 

ଅକ୍ଷୟ ସେନର ଚକ୍ଷୁରେ ଜ୍ୱଳନ୍ତ ଅଗ୍ନିର ନିଆଁ ଫୁଟି ଉଠୁଥିଲା । ହାତ ତା’ର ଟ୍ରିଗାର ଉପରେ ଦୃଢ଼ ହୋଇଆସିଥିଲା । ବୁଲେଟଟିକି ଲକ୍ଷ୍ୟଭ୍ରଷ୍ଟ କରିବାପାଇଁ ଚେଷ୍ଟାକରି ବିଫଳ ହୋଇପଡ଼ିଲେ ସେ । ଟିଗ୍ରାର ଉପରେ ତା ଅଙ୍ଗୁଳିର ଶକ୍ତ ଚାପ ପଡ଼ିଥିଲା । ପର ମୁହୂର୍ତ୍ତରେ କୋଠରିଟିକୁ ପିସ୍ତଲ ଶବ୍ଦ ପ୍ରକମ୍ପିତ କରିଦେଲା । ପରେ ପରେ ଅକ୍ଷୟ ସେନର କରୁଣ ଚିତ୍କାର ।

 

ବିଚଳିତ ହୋଇପଡ଼ିଲେ ଶତ୍ରୁଜିତ୍‌ । ବୁଲେଟଟି ଠିକ୍‌ ତାର ଗଳଦେଶ ଭେଦ କରିଯାଇଥିଲା । ଆଉ ପିସ୍ତଲଟି ପୂର୍ବ ପରି ତା ହାତରେ ରହିଥିଲା । ପିସ୍ତଲର ଗର୍ଜନ ଶୁଣି ରତନାର ନିଦ୍ରା ଅପସରିଗଲା । ସେ ଦୌଡ଼ିଆସି ଭିତରେ ଏ ଦୃଶ୍ୟ ଦେଖି ତଟସ୍ଥ ହୋଇଗଲା ।

 

ନିର୍ନିମେଷ ନୟନରେ ତଳେ ପଡ଼ି ଛଟପଟ ହେଉଥିବା ଅକ୍ଷୟ ସେନର ଶରୀରକୁ ଅନାଇ ରହିଥିଲେ ସେ । କିଛି ସମୟ ଛଟପଟ ହୋଇ ତାହା ସ୍ଥିର ହୋଇଗଲା । ଅସ୍ଥିର ପଦକ୍ଷେପରେ ନିଜର ଶୟନକକ୍ଷକୁ ଫେରିଆସିଲେ ଶତ୍ରୁଜିତ୍‌ । ରିସିଭର ଉଠାଇ ଅପେକ୍ଷା କଲା । ପରେ ପୋଲିସ ଷ୍ଟେସନକୁ ସଂଯୋଗ କରି କହିଲେ—ମୁଁ ଶତ୍ରୁଜିତ୍‌ କହୁଛି । ମିଷ୍ଟର ବହିଦାରଙ୍କ ସହିତ ଅତି ଜରୁରୀ କଥାବାର୍ତ୍ତା ଅଛି । ବେଶ ମୁଁ ଅପେକ୍ଷା କରିଛି । ରିସିଭର ରଖି କିଛି ସମୟ ଇତସ୍ତତଃ ଭାବରେ ପଦଚାରଣ କଲେ ଶତ୍ରୁଜିତ୍‌ । ତା‘ପରେ ପୁଣି ରିସିଭର ଉଠାଇଲେ । S.P.S. residence please. ତା’ପରେ କିଛି ସମୟ ଅପେକ୍ଷା କଲା ପରେ S.Pଙ୍କର ତନ୍ଦ୍ରାଛନ୍ନ କଣ୍ଠସ୍ୱର ଶୁଣିପାରି କହିଲେ—ନମସ୍କାର ସାର୍‌ । ମିଷ୍ଟର ଶତ୍ରୁଜିତ୍‌ କହୁଛି । ...ଶୁଣନ୍ତୁ,ଏଇ କେଇ ମୁହୂର୍ତ୍ତ ମୋ କୋଠରି ଭିତରେ ଏକ ହତ୍ୟାକାଣ୍ଡ ସଂପୂର୍ଣ୍ଣ ହୋଇଯାଇଛି...ନା, ସାର୍‌ । ଲୋକଟି ମୋତେ ମାରିବାକୁ ବସିଥିଲା । କିନ୍ତୁ ନିଜର ଗୁଳିରେ ନିଜ ମୃତ୍ୟୁକୁ ସେ ବରଣ କରିଛି । ହଁ, ଆଉ ଉପାୟ ନ ଦେଖି ମୁଁ ତା’ ଉପରକୁ ଲମ୍ପ ପ୍ରଦାନ କରିଥିଲି । ବୁଲେଟ୍‌ଟିକୁ ଲକ୍ଷ୍ୟଭ୍ରଷ୍ଟ କରାଇପାରିଲି ନାହିଁ । ହଁ.. । ବେଶ୍‌ମୁଁ ଅପେକ୍ଷା କରିଛି, ସାର୍‌ ! ରିସିଭର ରଖି ଉନ୍ମାଦଙ୍କ ଭଳି ଖଣ୍ଡିଏ ସିଗାରେଟରେ ଅଗ୍ନି ସଂଯୋଗ କରି କୋଠରି ଭିତରେ ପଦଚାରଣ କରିବାରେ ଲାଗିଲେ ଶତ୍ରୁଜିତ୍‌-

 

ଦଶ ମିନିଟ୍‌bଅତିବାହିତ ହୋଇଗଲା । ତଥାପି ରଜତ ବହିଦାରଙ୍କ ପାଖରୁ କୌଣସି ରିଂ ଆସିଲା ନାହିଁ । ପୁଣି ଯେତେବେଳେ ସେ ରିସିଭର ଉଠାଇବାକୁ ଯାଉଥିଲେ,ଠିକ୍‌ ସେତିକିବେଳେ ରିଂ ହେଲା । ହ୍ୟାଲୋ ! ଗୁଡନାଇଟ୍‌ ମିଷ୍ଟର ବହିଦାର...କ’ଣ କହିଲେ...ହଁ,ଭାଇ, ଜୀବନରେ ପ୍ରଥମ ଥର ପାଇଁ ଏଭଳି ଏକ ଦୁର୍ଘଟଣା ଭିତରେ ଛନ୍ଦିହୋଇପଡ଼ିଲି । ନା, ନା, ବିଶ୍ୱାସ କରନ୍ତୁ । ବେଶ୍‌, ଏସ.ପି.ଙ୍କ ସହିତ ଆସୁଛନ୍ତି...ରହିଲି । ରିସିଭର ଛାଡ଼ି ଅକ୍ଷୟ ସେନ୍‌ର ଶବ ପାଖକୁ ଫେରିଆସିଲେ ଶତ୍ରୁଜିତ୍‌ । ତାହାର ରକ୍ତରେ କୋଠରି ଚଟାଣର କେତେକ ଅଂଶ ରଞ୍ଜିତ ହୋଇଯାଇଥିଲା । ନିର୍ବୋଧଙ୍କ ଭଳି କେତେବେଳେ ଶବକୁ ଆଉ କେତେବେଳେ ଶତ୍ରୁଜିତ୍‌ଙ୍କୁ ଅନାଇ ରହୁଥିଲା ରତନା ।

 

ସେ ଚାଲିଗଲାଣି…ରତନା... ?

 

କିଏ ?

 

ସେଇ ଝିଅଟି । ପଛ ପାଖ ଦେଇ ମୁଁ ତାକୁ ଚାଲିଯିବାକୁ କହିଥିଲି ।

 

ଦ୍ରୁତ ବେଗରେ ରତନା ସେ କୋଠରି ପରିତ୍ୟାଗ କଲା । କେତକ ମୁହୂର୍ତ୍ତ ପରେ ଫେରିଆସି କହିଲା—ସେ ହୁଏତ ଚାଲିଗଲାଣି ବାବୁ, ପଛ ପାଖ ଦ୍ୱାର ଖୋଲା ରହିଛି ।

 

ଦୀର୍ଘଶ୍ୱାସ ନେଲେ ଶତ୍ରୁଜିତ୍‌ । ପର ମୁହୂର୍ତ୍ତରେ ଏକ ଗାଡ଼ି ଆସି ବାହାରେ ଅଟକିଲା । ସେ ଆଡ଼କୁ ଯାଉ ଯାଉ ଏସ.ପିଙ୍କ ପଛେ ପଛେ ରଜତ ବହିଦାର ଆଉ କେତେଜଣ ପୋଲିସ କର୍ମଚାରୀ ପ୍ରବେଶ କରୁଥିଲେ ।

 

ଏସ.ପି.ଙ୍କ ମୁଖମଣ୍ଡଳ ଖୁବ୍‌ ଗମ୍ଭୀର ଥିଲା । ପ୍ରତିନମସ୍କାର ଜଣାଇ ସେ କହିଲେ—ଲୋକଟା ମରିଛି ନା ବଞ୍ଚିଛି ?

 

ବୁଲେଟ୍‌ଟି କଣ୍ଠନାଳୀ ଛିନ୍ନ କରିଦେଇଛି । ଆସନ୍ତୁ...

 

ଶତ୍ରୁଜିତଙ୍କ ପଛେ ପଛେ ଏସ.ପି.ସାହେବ ଭିତରକୁ ଆସିଲେ । ଶବଟି ଉପରେ ଦୃଷ୍ଟି ପଡ଼ିବା ମାତ୍ରେ ଛିଡ଼ା ହେଇଗଲେ । ସେ ପର୍ଯ୍ୟନ୍ତ ପିସ୍ତଲଟି ମୃତ ଅକ୍ଷୟସେନର ଡାହାଣ ହାତରେ ରହିଥିଲା ।

 

ଆପଣ ସେ ପିସ୍ତଲ ଛୁଇଁଛନ୍ତି ?

 

ନା ।

 

କିନ୍ତୁ ଏଇ ଲୋକଟା କିଏ ଆଉ ଆପଣଙ୍କୁ ହତ୍ୟା କରିବାକୁ ଉଦ୍ୟମ କାହିଁକି କରୁଥିଲା-?

 

ମୁହୂର୍ତ୍ତକ ପାଇଁ ଶତ୍ରୁଜିତଙ୍କ ଚକ୍ଷୁ ମିଷ୍ଟର ବହିଦାରଙ୍କ ଉପରେ ସ୍ଥିର ରହିଲା । ତା’ପରେ ଅନୁଚ୍ଚ କଶ୍ଠରେ କହିଲେ—ଭିତରକୁ ଆସନ୍ତୁ ।

 

ଭିତରକୁ ଯାଉ ଯାଉ ଏସ.ପି ସାହେବ ଅଟକିଲେ—ଘଟଣାଟି ବଡ଼ ଜଟିଳ, ମିଷ୍ଟର ବହିଦାର । କୌଣସି ତଥ୍ୟ ଯେମିତି ଆପଣଙ୍କ ଅନୁସନ୍ଧାନରୁ ବାହାରେ ନ ରହେ । ତା’ପରେ ଶତ୍ରୁଜିତଙ୍କୁ ଅନୁସରଣ କରି ତାଙ୍କ କୋଠରି ଭିତରକୁ ଆସିଲେ ।

 

ଚେୟାରରେ ବସୁ ବସୁ କହିଲେ—ଆଇନ କାନୁନ ବିଷୟରେ ଆପଣଙ୍କୁ ମୋତେ ବିଶେଷ କିଛି କହିବାକୁ ପଡ଼ିବ ନାହିଁ, ମିଷ୍ଟର ଶତ୍ରୁଜିତ୍‌ ! ଆଜିକାଲିର ପରିସ୍ଥିତି ଆପଣ ବିଶେଷ ରୂପରେ ଜାଣିଛନ୍ତି । ଆପଣଙ୍କ ଉପରେ ମୋର ତଥା ସରକାରଙ୍କର ଗଭୀର ବିଶ୍ୱାସ ରହିଛି । ତଥାପି...

 

ମୁଁ ଜାଣେ, ସାର୍‌ ! ମିଷ୍ଟର ବହିଦାର ବି ସ୍ପଟ୍‌ ଦେଖୁଛନ୍ତି । ଆତ୍ମରକ୍ଷା କରିବା ସଙ୍ଗେ ସଙ୍ଗେ ତାକୁ ବଞ୍ଚାଇବାକୁ ମୁଁ ପ୍ରାଣପଣେ ଚେଷ୍ଟା କରିଥିଲି । କିନ୍ତୁ ମୋତେ ହତ୍ୟା କରିବାପାଇଁ ସେ, ଏତେ ପ୍ରତିଜ୍ଞାବଦ୍ଧ ହେଇପଡ଼ିଥିଲା ଯେ...

 

କିନ୍ତୁ କାହିଁକି ମିଷ୍ଟର ଶତ୍ରୁଜିତ୍‌ ?

 

ଏଇ ଲୋକଟାର ଅସଲ ନାମ ମୋତେ ଜଣା ନାହିଁ । ଏବେ ସେ ଅକ୍ଷୟ ସେନ ନାମରେ ପରିଚିତ । ଝିଅମାନଙ୍କୁ ବ୍ଲାକମେଲ କରି ସେମାନଙ୍କ ଅର୍ଥରେ ନିଜର ବ୍ୟାଙ୍କ ବାଲାନ୍‌ସ ବଢ଼ାଇବା ତା’ର କାମ । ମୋର ବିଶ୍ୱାସ ଏଠାକାର ‘ଲା-ବେଲା’ ବିଷୟରେ ଆପଣ ଜାଣିଥିବେ । ଏଇ କିଛିଦିନ ଧରି ସେଠାରେ ପ୍ରତ୍ୟହ ସନ୍ଧ୍ୟାରେ କାରବେଟ ଡ୍ୟାନସ ଚାଲିଥିବାର ସମ୍ବାଦ ଆପଣ ପାଇଥିବେ ।

 

ଏସ. ପି. ସାହେବଙ୍କ ଚକ୍ଷୁ ବିସ୍ଫାରିତ ଭାବରେ ଶତ୍ରୁଜିତଙ୍କ ଉପରେ ଲାଗି ରହିଲା—ଶୁଣିଛି...ଏ ଘଟଣାଟିର ତା’ ହେଲେ ‘ଲା ବେଲା’ ସହିତ ସମ୍ପର୍କ ଅଛି । ?

 

ମୋର ବିଶ୍ୱାସ ନାହିଁ । ତଥାପି ‘ଲା-ବେଲା’ର ସେଇ ସୁନ୍ଦରୀ କାରବେଟ ନର୍ତ୍ତକୀ, ସରିତା, ତାକୁ ବ୍ଲାକମେଲ କରିଥିବା ଅକ୍ଷୟ ସେନ କବଳରୁ ଉଦ୍ଧାର କରିନେବାକୁ ମୋ ପାଖରେ ଆସି ପହଞ୍ଚିଥିଲା ।

 

କେତେବେଳେ ?

 

ରାତି ଗୋଟାଏ ହେବ ।

 

ଏବେ ସେ କୋଉଠି ?

 

ଛାୟା ପାଖରେ...

 

ତା’ପରେ .. ?

 

ସରିତା ଅକ୍ଷୟ ସେନର ଆଖି ଆଗରୁ ଅନ୍ତର ହୋଇଗଲା ପରେ, ଅକ୍ଷୟ ସେନ ‘ଲା ବେଲା’ ଯାଇ ମୋର ଠିକଣା ଅନୁସନ୍ଧାନ କଲା । ଆଉ ପରେ ପରେ ଏଠାରେ ଆସି ପହଞ୍ଚିଲା । ଠିକ୍‌ ସେତିକିବେଳେ ସରିତାକୁ ବାଡ଼ିପଟ ରାସ୍ତା ଦେଇ ମୁଁ ଛାୟା ଘରକୁ ପଠାଇଦେଲି । ପର ମୁହୂର୍ତ୍ତରେ ସେ ଏଠାରେ ପହଞ୍ଚି ସରିତାକୁ ଖୋଜିଲା, ଆଉ ବାଡ଼ିପଟ ଦ୍ୱାର ଦେଇ ଯିବାକୁ ବସିଥିବାରୁ ମୁଁ ତାକୁ ବାଧା ଦେଲି । ସେ ହଠାତ୍‌ ପିସ୍ତଲ ବାହାରକରି ମୋତେ ଫାୟାର କରିବାକୁ ବସିଲା । ଆତ୍ମରକ୍ଷା କରିବାକୁ ଯାଇ....

 

ବୁଝିଲି । କିନ୍ତୁ ମିଷ୍ଟର ଶତ୍ରୁଜିତ୍‌, ଅକ୍ଷୟ ସେନ କେମିତି ଜାଣିଲା ଯେ ସରିତା ଏଠିକି ଆସିଥାଇପାରେ ?

 

ଗମ୍ଭୀର ହୋଇଗଲେ ଶତ୍ରୁଜିତ୍‌ । ସରିତାର ଅସଲ ପରିଚୟକୁ ବାଦଦେଇ ଶ୍ରୀମତୀ ଦାସଙ୍କ ଆସିବା ପରଠାରୁ ‘ଲା-ବେଲା’ରେ ଘଟିଥିବା ସମସ୍ତ ଘଟଣା ବର୍ଣ୍ଣନା କରିଗଲେ ।

 

କିଛି ସମୟ ନୀରବରେ ଚୁରୁଟା ଟାଣିବା ପରେ ଏସ୍‌. ପି, ସାହେବ କହିଲେ—ମୁଁ କିନ୍ତୁ ସରିତା ସହ ଏଇ ମୁହୂର୍ତ୍ତରେ ସାକ୍ଷାତ କରିବାକୁ ଚାହେଁ, ମିଷ୍ଟର ଶତ୍ରଜିତ୍‌ ।

 

ଚାଲନ୍ତୁ...

 

ଏସ.ପି, ସାହେବ ଉଠୁ ଉଠୁ ରଜତ ବହିଦାର ପ୍ରବେଶ କଲେ—ସବୁ କାମ ଶେଷ ହୋଇଯାଈଛି, ସାର୍‌ ! ଲାସ୍‌ ଉଠାଇନେବାକୁ ପଡ଼ିବ ।

 

ବେଶ୍‌, ପୋଲିସ ଷ୍ଟେସନକୁ ନେଇଯିବାକୁ ସେମାନଙ୍କୁ କହନ୍ତୁ । ଆପଣ ଆମ ସଙ୍ଗରେ ଆସନ୍ତୁ ।

 

ରଜତ ବହିଦାର ସେ କୋଠରିରୁ ବାହାରିଗଲେ । କେତେକ ମୁହୂର୍ତ୍ତପରେ ଫେରିଆସି କହିଲେ-ଚାଲନ୍ତୁ, ସାର୍‌ !

 

ଏସ. ପି. ସାହେବଙ୍କ ଗାଡ଼ିରେ ଏମାନେ ଯେତେବେଳେ ଛାୟାର ଘର ନିକଟରେ ପହଞ୍ଚିଲେ, ସେତେବେଳେ ଚାରିଟା ବାଜୁଥିଲା । ଦୀର୍ଘ ସମୟ କବାଟରେ ନକ୍‌ କରିବା ପରେ ତନ୍ଦ୍ରାଳସ ଚକ୍ଷୁରେ ଦ୍ୱାର ଖୋଲିଲା ଛାୟା । ଶତ୍ରୁଜିତଙ୍କ ପଛେ ପଛେ ଏସ.ପି. ସାହେବ ଆଉ ରଜତ ବହିଦାରଙ୍କୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇପଡ଼ିଲା । ବିସ୍ମିତ ଦୃଷ୍ଟିରେ ଶତ୍ରୁଜିତଙ୍କୁ ଅନାଇ ସେ କହିଲା—କଣ ହେଲା, ଆଜ୍ଞା ?

 

ସରିତା କାହିଁ ?

 

ସରିତା... ? ପ୍ରଶ୍ନବାଚକ ଦୃଷ୍ଟିରେ ଶତ୍ରୁଜିତଙ୍କୁ ଅନାଇ କହିଲା ଛାୟା ।

 

‘ଲା-ବେଲା’ ରେ ସେଇ ଡ୍ୟାନ୍‌ସିଂ ଗାର୍ଲ ଏଠାକୁ ଆସିନାହିଁ ?

 

ନା, ତ !

 

ସ୍ଥିର ଭାବରେ ଛିଡ଼ା ହୋଇଗଲେ ଶତ୍ରୁଜିତ୍‌ । ତାଙ୍କ ମସ୍ତିଷ୍କରେ ନାଗ ସାପ ଦଂଶନର ଜ୍ୱାଳା ସେ ଅନୁଭବ କରୁଥିଲେ ।

 

ଆପଣ କହୁଥିଲେ, ଛାୟାଙ୍କ ପାଖକୁ ତାକୁ ପଠାଇଛନ୍ତି ବୋଲି ? ତୀକ୍ଷ୍‌ଣ କଣ୍ଠରେ ଏସ. ପି. ସାହେବ କହିଲେ ।

 

ବୋଧହୁଏ ରାତି ଦୁଇଟାରେ ସେ ଏଠାକୁ ଆସିଥିଲା ?

 

କୁଆଡ଼େ ଗଲା ?

 

ସ୍ଥାଣୁଭଳି ଛିଡ଼ା ହୋଇଯାଇଥିଲା ଶତ୍ରୁଜିତ୍‌ । ହଠାତ୍‌ ତାଙ୍କ ମସ୍ତିଷ୍କ ଯେମିତି ଶୂନ୍ୟ ହୋଇଯାଇଥିଲା । ତା‘ପରେ କଣ ଭାବି କହିଲେ—ବର୍ତ୍ତମାନ ମୁଁ ଗଭୀର ଦ୍ୱନ୍ଦ ଭିତରେ ପଡ଼ିଯାଇଚି, ଆଜ୍ଞା ! ହଠାତ୍‌ ମୁଁ ସ୍ଥିର କରିପାରୁନାହିଁ ସରିତା ନିଜ ଇଚ୍ଛାରେ କୁଆଡ଼େ ଚାଲିଯାଇଛି ଅଥବା ତାକୁ ଅପହରଣ କରାଯାଇଛି ।

 

ଦୀର୍ଘ ସମୟ ଧରି ନୀରବ ହୋଇଯାଇଥିବା ରଜତ ବହିଦାର କହିଲେ—‘ଲା-ବେଲା’ରେ ଶତ୍ରୁଜିତଙ୍କ ସହିତ ଅକ୍ଷୟ ସେନର ଉତ୍ତେଜିତ କଥାବାର୍ତ୍ତା ମୁଁ ଶୁଣିଛି, ସାର୍‌ !

 

ଆପଣ ସେତେବେଳେ ସେଠାରେ ଉପସ୍ଥିତ ଥିଲେ ?

 

ହଁ, ତା ପୂର୍ବରୁ ମିଷ୍ଟର ଶତ୍ରୁଜିତ୍‌ ମୋ ପାଖକୁ ଯାଇ ‘ଲା-ବେଲା’ ସମ୍ପର୍କରେ ଚାଲିଥିବା ତଦନ୍ତର ଫଳାଫଳ ଜାଣିବାକୁ ରହିଥିଲେ । ମୁଁ ସେତେବେଳେ ଘଟଣା କ’ଣ ପଚାରିବାରୁ ସେ କିଛି କହି ନ ଥିଲେ । କେବଳ ନର୍ତ୍ତକୀ ସରିତା ବିଷୟରେ ମୋତେ ରହିଥିଲେ । ଆଉ ସେଠାରେ ପ୍ଲେନ ଡ୍ରେସରେ ଉପସ୍ଥିତ ହେବାକୁ ଅନୁରୋଧ କରିଥିଲେ ।

 

କିନ୍ତୁ ସରିତା ଗଲା କୁଆଡ଼େ ?

 

ହୁଏତ ଅକ୍ଷୟ ସେନର ଗ୍ୟାଙ୍ଗ ଦ୍ୱାରା ଅପହୃତା ହୋଇଥାଇପାରେ ।

 

ଆଉ ମିସେସ୍‌ ଚନ୍ଦ୍ରାବତୀ ଦାସ ?

 

‘ରୟେଲ ହୋଟେଲ’ରେ । ସନ୍ଧ୍ୟାବେଳେ ସରିତା ପାଖରୁ ଫେରି ମୁଁ ତାଙ୍କ ପାଖକୁ ଯାଇଥିଲି । ହୋଟେଲ ବୟ ପାଖରୁ ଜାଣିଲି କେତେକ ମୁହୂର୍ତ୍ତ ଆଗରୁ ସେ କୁଆଡ଼େ ବାହାରକୁ ଚାଲିଯାଇଥିଲେ । ଏ ସମୟ ଭିତରେ ସେ ଫେରିଆସିଥିବେ ନିଶ୍ଚୟ ।

 

ବେଶ୍‌, ଆସନ୍ତୁ ।

 

ପୁଣି ଏସ.ପି.ଙ୍କ ଗାଡ଼ିରେ ସମସ୍ତେ ବସିଲେ । ରୟେଲ ହୋଟେଲ ପାଖରେ ଅଧଘଣ୍ଟାଏ ଭିତରେ ଗାଡ଼ିଟି ପହଞ୍ଚିଗଲା । ହୋଟେଲର ବିରାଟ ଫାଟକ ବନ୍ଦ ହୋଇଯାଇଥିଲା । ଅନତିଦୂରରେ ଚୌକିଦ ରଟି ତୁଳାଇ ପଡ଼ିଥିଲା ।

 

ରଜତ ବହିଦାରଙ୍କ ଡାକରେ ଚମକି ଛିଡ଼ାହୋଇପଡ଼ିଲା ସେ ।

 

ଗେଟ ଖୋଲ ।

 

ତନ୍ଦ୍ରାଜନିତ ଅବସାଦ ପୋଲିସମାନଙ୍କୁ ଦେଖି ଉଭାଇଗଲା ତା’ର । ଗେଟ୍‌ର ଚାବି ଖୋଲୁ ଖୋଲୁ କହିଲା—ମେନେଜର ସାହେବ ଶୋଇଛନ୍ତି, ଆଜ୍ଞା !

 

ଠିକ୍‌ ଅଛି, ଆମେ ଜଣେ ଲୋକକୁ ଦେଖା କରିବାକୁ ଚାହୁଁ ।

 

ଦରଓ୍ୱାନର ଉତ୍ତରକୁ ଅପେକ୍ଷା ନ କରି ସମସ୍ତେ ଭିତରକୁ ପ୍ରବେଶ କଲେ । କାଉଣ୍ଟର କ୍ଲର୍କଟି ଢୁଳାଇପଡ଼ିଥିଲା । କିନ୍ତୁ ଜୋତାର ଶବ୍ଦ ସଙ୍ଗେ ସଙ୍ଗେ ତାର ତନ୍ଦ୍ରା ମଧ୍ୟ ଦୂର ହୋଇଗଲା ।

 

ରମେଶ, ୫୫ ଏ ର ଶ୍ରୀମତୀ ଦାସ ଫେରିଆସିଛନ୍ତି ?

 

ଶ୍ରୀମତୀ ଦାସ..ଚିନ୍ତିତ ହୋଇପଡ଼ି ସେ କହିଲା—ମୁଁ ଠିକ୍‌ଭାବରେ କହିପାରୁନାହିଁ ସାର୍‌, ତେବେ ମୋର ବିଶ୍ୱାସ ସେ ଫେରି ଆସିଥିବେ ନିଶ୍ଚୟ । ଆପଣ ଟିକିଏ ଅପେକ୍ଷା କରନ୍ତୁ, ମୁଁ ନିଜେ ଦେଖିଆସୁଛି ।

 

ନା, ଆମେ ଯାଉଛୁଁ । ଶତ୍ରୁଜିତଙ୍କ ପଛେ ପଛେ ଏସ. ପି. ଓ ରଜତ ବହିଦାର ଉପର ମହଲାକୁ ଉଠିବାରେ ଲାଗିଲେ । ୫୫ ଏ କୋଠରିଟି ପୂର୍ବପରି ତାଲା ବନ୍ଦ ହୋଇଥିବାରୁ ହତୋତ୍ସାହ ହୋଇପଡ଼ିଲେ ଶତ୍ରୁଜିତ୍‌ ।

 

ଶ୍ରୀମତୀ ଦାସ କୌଣସି ବନ୍ଧୁବାନ୍ଧବଙ୍କ ଘରେ ଅଟକି ଯାଇନାହାନ୍ତି ତ ? ରଜତ ବହିଦାର ପ୍ରଶ୍ନ କଲେ ।

 

ଚିନ୍ତିତ ମନରେ ଶତ୍ରୁଜିତ୍‌ କହିଲେ—ସେ କିନ୍ତୁ କହିଥିଲେ ଏଠାରେ ତାଙ୍କର କେହି ପରିଚିତ ନାହାନ୍ତି । ତେଣୁ ସେ ଏଇ ହୋଟେଲରେ ହିଁ ମୋ କଲ୍‌କୁ ନିଶ୍ଚିତ ଭାବରେ ଅପେକ୍ଷା କରିଥିବେ । ଅଥଚ ଏଇ ଶେଷରାତ୍ରି ପର୍ଯ୍ୟନ୍ତ...ଶେଷଆଡ଼କୁ ଶତ୍ରୁଜିତଙ୍କ କଣ୍ଠସ୍ୱର ଅନିଶ୍ଚିତତାରେ ଭରିଉଠିଲା ।

 

ମିଷ୍ଟର ଶତ୍ରୁଜିତ୍‌ ମୋ ମତରେ ଅନ୍ତତଃ ତାଙ୍କ କୋଠରିଟିକୁ ଥରେ ଦେଖିନେବା ଉଚିତ-। କାରଣ ସେ ଯେତେବେଳେ ଆପଣଙ୍କୁ କଥା ଦେଇ ଆସିଥିଲେ ଯେ ଆପଣଙ୍କର ଉତ୍ତରକୁ ସେ ଏଠାରେ ନିଶ୍ଚିତ ଭାବରେ ଅପେକ୍ଷା କରିଥିବେ, ସେଭଳି କ୍ଷେତ୍ରରେ ସେ ହୋଟେଲକୁ ଫେରିଆସିବା କଥା, ଅଥବା ଆପଣଙ୍କ ପାଇଁ କୌଣସି ସମ୍ବାଦ ଏଠାରେ ଛାଡ଼ିଯିବା କଥା...

 

ରଜତ ବହିଦାର ନୀରବରେ ତଳକୁ ଓହ୍ଳାଇଗଲେ । କେତେକ ମୁହୂର୍ତ୍ତ ପରେ ରମେଶଙ୍କ ସହିତ ସେଇ କୋଠରିର ଡୁପ୍ଲିକେଟ୍‌ ଚାବିକାଠି ନେଇ ଫେରିଆସିଲେ । କୋଠରି ଭିତରଟି ଅନ୍ଧକାର ଥିଲା । ସୁଇଚ ବୋର୍ଡର ସୁଇଚ୍‌ ଅନ୍‌ କରିବା ମାତ୍ରେ କୋଠରି ଭିତରେ ଆଲୋକର ପ୍ଳାବନ ଖେଳିଗଲା । ଆଉ ସଙ୍ଗେ ସଙ୍ଗେ ସମସ୍ତେ ଚମକିଉଠିଲେ । କୋଠରିର ମଧ୍ୟଭାଗରେ ସ୍ତ୍ରୀଲୋକଟିଏ ଚିତ୍‌ହୋଇ ପଡ଼ିଥିଲା । କୋଠରିର ଚଟାଣ ରକ୍ତରଞ୍ଜିତ ହୋଇଉଠଥିଲା । ଆଉ ମୁଖମଣ୍ଡଳ ଏଭଳି ଭାବରେ ବିକୃତ ହୋଇ ପଡ଼ିଥିଲା ଯେ ତାକୁ ଚିହ୍ନିବା ସହଜ ସାଧ୍ୟ ନ ଥିଲା ।

 

ତା ହେଲେ ଏଇ ହେଉଛନ୍ତି ମିସେସ୍‌ ଚନ୍ଦ୍ରାବତୀ ଦାସ ? ଏସ. ପି. ଙ୍କର ଜିଜ୍ଞାସୁ ଚକ୍ଷୁ ଶତ୍ରୁଜିତଙ୍କ ଉପରେ ସ୍ଥିର ରହିଲା ।

 

ଶତ୍ରୁଜିତ୍‌ କିନ୍ତୁ ସ୍ତ୍ରୀଲୋକଟିର ଆହୁରି ପାଖକୁ ଚାଲିଯାଇଥିଲେ ।

 

ମିଷ୍ଟର ଶତ୍ରୁଜିତ୍‌ ?

 

ଶତ୍ରୁଜିତଙ୍କର ଧ୍ୟାନ ଭାଙ୍ଗିଗଲା । ମୋତେ କିଛି କହିଲେ…

 

ଆପଣଙ୍କର କ୍ଲାଏଣ୍ଟ ଚନ୍ଦ୍ରାବତୀ ଦାସ ତ ?

 

ଚିହ୍ନିବା ତ ସମ୍ଭବପର ନୁହେଁ, ଆଜ୍ଞା ! ତେବେ ମୋର ଯେତେଦୂର ବିଶ୍ୱାସ...ଶତ୍ରୁଜିତ୍‌ ଅଟକିଲେ । ଏ ମିସେସ ଦାସଙ୍କ ବ୍ୟତୀତ ଆଉ କେହି ହୋଇପାରେନା । କାରଣ ଯୋଉ ପରିଧାନ ସେ ପିନ୍ଧି ମୋ ପାଖକୁ ଯାଇଥିଲେ ସବୁ ଠିକ୍‌ଅଛି ।

 

ତାଙ୍କର ଆଡ୍ରେସ...

 

କେବଳ ସେ କହିଥିଲେ ତାଙ୍କର ସାଙ୍ଗ ହେଉଛନ୍ତି ସରିତାର ମାଆ । ତାଙ୍କର ଅନୁରୋଧରେ ଖୁବ୍‌ ଗୋପନରେ ସେ ଏଠାକୁ ଆସିଛନ୍ତି । ମୋର ଶତ ଅନୁରୋଧ ସତ୍ତ୍ୱେ ତାଙ୍କର ଆଡ୍ରେସ ଦେଇ ନ ଥିଲେ ।

 

ଆପଣଙ୍କ ପକ୍ଷରେ ଏ ସବୁ ଶୁଭସୂଚକ ନୁହେଁ, ମିଷ୍ଟର ଶତ୍ରୁଜିତ୍‌ ! ମୁଁ ସରିତାକୁ ଖୋଜିବାପାଇଁ ଚେଷ୍ଟା କରୁଛି । ଆଉ ସିଏ ଯଦି ନ ମିଳେ ଆପଣଙ୍କ ସପକ୍ଷରେ କିଛି କରିବାକୁ ମୁଁ ପୂରାପୂରି ଅକ୍ଷମ ହୋଇପଡ଼ିବି । ମିଷ୍ଟର ବହିଦାର, ଆପଣ ଶୀଘ୍ର ଏଠାକାର କାମ ଶେଷ କରି ଅଫିସକୁ ଆସନ୍ତୁ । ଏସ. ପି. ସାହେବ କ୍ଷିପ୍ରବେଗରେ ସେଠାରୁ ବାହାରିଗଲେ ।

 

ପ୍ରକୃତରେ ଘଟଣାଟି ଆପଣଙ୍କ ପକ୍ଷରେ ଆଦୌ ଅନୁକୂଳ ନୁହେଁ, ମିଷ୍ଟର ଶତ୍ରୁଜିତ୍‌ ! ମୋର ଯେତେଦୂର ମନେହୁଏ କେହି ଆପଣଙ୍କୁ ଏଭଳି ଷଡ଼ଯନ୍ତ୍ରର ଶିକାର କରିବାକୁ ବହୁ ପୂର୍ବରୁ ଚେଷ୍ଟା କରି ସଫଳ ହୋଇଛି ।

 

ଶତ୍ରୁଜିତ୍‌ କିନ୍ତୁ କୌଣସି ଉତ୍ତର ନ ଦେଇ ଶବଟିର ବିଭିନ୍ନ ଫଟୋଗ୍ରାଫ ନେଉଥିବା ଫଟୋଗ୍ରାଫ୍‌ରଙ୍କୁ ଅନାଇ ରହିଥିଲେ । କେତେଜଣ ପୋଲିସ କର୍ମଚାରୀ ଯେତେବେଳେ ଶବଟିକୁ ଡାହାଣ କଡ଼ ମଡ଼ାଇ ଶୁଆଇଦେଲେ, ସେତେବେଳେ ତାଙ୍କର ଦୃଷ୍ଟି ଶବଟିର ବାମହାତ ମଣିବନ୍ଧ ଉପରେ ଲାଗିରହିଲା । ତତ୍‌କ୍ଷଣାତ୍‌ ସେ ସେଠାକୁ ଦୌଡ଼ିଗଲେ । ଦୃଷ୍ଟି ତାଙ୍କର ଉଜ୍ୱଳ ହୋଇଉଠିଲା । ଉତ୍ସାହିତ କଣ୍ଠରେ ସେ କହିଲେ—ମିଷ୍ଟର ବହିଦାର, ମୋର କାହିଁକି ବିଶ୍ୱାସ ହେଉଛି ଏଇ ସ୍ତ୍ରୀଲୋକଟି ହେଉଛି ପ୍ରକୃତରେ ମିସେସ୍‌ ଚନ୍ଦ୍ରାବତୀ ଦାସ । ଏ କିନ୍ତୁ ମୋ ପାଖକୁ ଯାଇ ନ ଥିଲେ ।

 

ଅର୍ଥାତ୍‌ ?

 

ଦୀର୍ଘନିଶ୍ୱାସ ନେଲେ ଶତ୍ରୁଜିତ୍‌—ମୁଁ ହଠାତ୍‌ କିଛି ଏ ବିଷୟରେ କହିପାରୁ ନାହିଁ, ମିଷ୍ଟର ବହିଦାର ! ତେବେ ମୋ ନିକଟରେ ଯିଏ ନିଜକୁ ଚନ୍ଦ୍ରାବତୀ ଦାସ ବୋଲି ପରିଚୟ ଦେଇଥିଲେ ସେ ଯଦିଓ ଠିକ୍‌ ଏଇ ଅନୁରୂପରେ ପୋଷାକ ପିନ୍ଧିଥିଲେ ତଥାପି ତାଙ୍କ ବାମ ହାତର ଏଥ ବ୍ଲକ ଡାଏଲର ଘଣ୍ଟା ନ ଥିଲା । ଛୋଟ ଗୋଲ୍‌ଡ କଭରର ଦାମିକା ରିଷ୍ଟ ଓ୍ୟାଚଟିଏ ମୁଁ ଦେଖିଥିଲି । ଆଉ ତାଙ୍କର ଅନାମିକା ଅଙ୍ଗୁଳିରେ ଲାଲ ପଥରବସା ମୁଦିଟିଏ ରହିଥିଲା ।

 

ରଜତ ବହିଦାର ବିସ୍ମିତ ଦୃଷ୍ଟିରେ ଶତ୍ରୁଜିତଙ୍କୁ ଅନାଇ ରହିଲେ ।

 

କପାଳରୁ ସ୍ୱେନ୍ଦବିନ୍ଦୁଗୁଡ଼ିକ ରୁମାଲରେ ପୋଛି ଦେଉ ଦେଉ ଶତ୍ରୁଜିତ୍‌ କହିଲେ—ଆପଣ କିନ୍ତୁ ଏ ବିଷୟରେ କିଛି ପ୍ରକାଶ କରନ୍ତୁ ନାହିଁ, ମିଷ୍ଟର ବହିଦାର ! ବର୍ତ୍ତମାନ ପାଇଁ ମୁଁ ଆସୁଛି ।

 

ରଜତ ବହିଦାରଙ୍କ ଉତ୍ତରକୁ ଅପେକ୍ଷା ନ କରି ଦ୍ରୁତବେଗରେ ତଳକୁ ଓହ୍ଳାଇ ଆସିଲେ ଶତ୍ରୁଜିତ୍‌ । ସୌଭାଗ୍ୟବଶତଃ ରୟେଲ ହୋଟଲରୁ କିଛିଦୂର ଅତିକ୍ରମ କଲା ପରେ ଟ୍ୟାକ୍‌ସିଟାଏ ମିଳିଗଲା । ସିଧା ତାଙ୍କ ଘରର ଠିକଣା ଦେଇ ବସିପଡ଼ିଲେ ଶତ୍ରୁଜିତ୍‌ ।

 

ଘରେ ପହଞ୍ଚୁ ପହଞ୍ଚୁ ସକାଳ ସାତଟା ବାଜିଯାଇଥିଲା । ଆଉ ଛାୟା ହିଁ ତାଙ୍କର ପ୍ରତୀକ୍ଷାରେ ରହିଥିଲା ।

 

ଗତକାଲି ଶ୍ରୀମତୀ ଦାସଙ୍କୁ ତମେ ଭଲ ଭାବରେ ଲକ୍ଷ୍ୟ କରିଛ, ନିଶ୍ଚୟ ?

 

ନିଶ୍ଚୟ..କିନ୍ତୁ କାହିଁକି ?

 

ତାଙ୍କର ବାମହାତ ମଣିବନ୍ଧରେ ଗୋଲଡ୍‍ କେସ୍‌ର ଛୋଟ ଘଣ୍ଟାଟିଏ ଥିଲା ନିଶ୍ଚୟ ?

 

ହଁ ।

 

ଆଉ ଅନାମିକା ଅଙ୍ଗୁଳିରେ.... ?

 

ଲାଲ ପଥରବସା ମୁଦିଟିଏ ।

 

ହୁଁ...ଗମ୍ଭୀର ହୋଇ ଚେୟାର ଉପରେ ବସିପଡ଼ିଲେ ଶତ୍ରୁଜିତ୍‌ । ପରେ ପୁଣି ଚଟାଣରେ ପଦାଚାରଣ କରୁକରୁ କହିଲେ—ଚାଲବାଜି, ଭୟଙ୍କର ଚାଲବାଜି, ଛାୟା ! ମିସେସ୍‌ ଦାସଙ୍କୁ ଗତକାଲି ହତ୍ୟା କରି ତାଙ୍କରି ଛଦ୍ମବେଶରେ ମୋ ପାଖକୁ ଆସିଛି ।

 

ମାନେ..... ?

 

ତା’ ନ ହେଲେ ଏସିଡ୍‍ପକାଇ ସ୍ତ୍ରୀଲୋକଟିର ଚେହେରା ଏଭଳି ବିକୃତ କରିଦେବାର ଅର୍ଥ କିଛି ହୁଏନା ।

 

ତା’ ମାନେ, ମିସେସ୍‌ ଦାସଙ୍କୁ ହତ୍ୟା କରିସାରି ସେ ଆପଣଙ୍କ ପାଖକୁ ଆସିଥିଲା ।

 

ମୋର ମନେହୁଏ ତମର କଥା ଠିକ୍‌ । ତା’ପରେ ହଠାତ୍‌ କ’ଣ ଭାବି ହାତଘଣ୍ଟାକୁ ଅନାଇ କହିଲେ—ତନ୍ମୟ ପାଖରୁ କିଛି ଫୋନ୍‌ ଆସିଥିଲା ?

 

ହଁ, ସେ କହୁଥିଲେ ଯେ ସୌଭାଗ୍ୟ ମିଶ୍ର ଗୋଟାଏ ଟ୍ୟାକ୍‌ସି ନେଇ ଆପଣଙ୍କ ଆସିବାର ପ୍ରାୟ ପନ୍ଦର ମିନିଟ୍‌ ପୂର୍ବରୁ ଷ୍ଟେସନ ଆଡ଼କୁ ଗଲେ । ତାଙ୍କର ନିର୍ଦ୍ଦେଶରେ ସୁବ୍ରତ ସୌଭାଗ୍ୟ ମିଶ୍ରଙ୍କୁ ଅନୁସରଣ କରିଛନ୍ତି । ତନ୍ମୟ ଷ୍ଟେସନରେ ପହଞ୍ଚି ତାଙ୍କର ଗତିବିଧି ଜଣାଇବେ-

 

ଆଉ ଜୟରାମ ମିଶ୍ର.... ?

 

ତାଙ୍କ ଠାରୁ କିଛି ଫୋନ୍‌ ଆସିନାହିଁ । କିନ୍ତୁ ସରିତା....

 

ହଠାତ୍‌ ଶତ୍ରୁଜିତଙ୍କ ମୁଖମଣ୍ଡଳ ଗମ୍ଭୀର ହୋଇଆସିଲା । ସ୍ଥିର କଣ୍ଠରେ ସେ କହିଲେ—ସରିତା ନିକଟରୁ ଗତକାଲି ଯୋଉ ଷ୍ଟେଟମେଣ୍ଟ ମୁଁ ନେଇଥିଲି, ସେଥିରେ ତାକୁ ଅବିଶ୍ୱାସ କରି ହୁଏ ନାହିଁ, ଛାୟା ! ଆଉ ଯଦିବା ଏଇଟା ତା’ର ଅଭିନୟ ହେଇଥାଏ, ତା’ହେଲେ ସେ ଯେ ଏକ ସାଂଘାତିକ ଝିଅ ଏଥିରେ ସନ୍ଦେହ ନାହିଁ ।

 

କିନ୍ତୁ ଯଦି ସେ ପ୍ରକୃତରେ ଶ୍ରୀମତୀ ଦାସଙ୍କ ବର୍ଣ୍ଣିତ ସରିତା ହୋଇଥାଏ ?

 

ହଠାତ୍‌ ଟୋଲିଫୋନର ରିଂ ହେବାରୁ ରିସିଭର ଉଠାଇନେଲେ ଶତ୍ରୁଜିତ୍‌ । କିଛି ସମୟ କ’ଣ ଶୁଣିବା ପରେ କହିଲେ, ବେଶ୍‌, ଠିକ୍‌ଅଛି ଆଜ୍ଞା ! ମୁଁ ଆଉ ପନ୍ଦର ମିନିଟ୍‌ ଭିତରେ ପୋଲିସ୍‌ ଷ୍ଟେସନରେ ପହଞ୍ଚିଛି । ରିସିଭର ରଖି ଶତ୍ରୁଜିତ୍‍ କହିଲେ—ତମେ ବି ଚାଲ, ଛାୟା ! ଏଠାକାର କାମ ରତନା ଠିକ୍‌ ଚଳାଇପାରିବ ।

 

କୁଆଡ଼େ..... ?

 

ଏସ. ପି. ସାହେବଙ୍କ ପାଖକୁ । ହୁଏତ ଅକ୍ଷୟ ସେନର ହତ୍ୟା ଅଭିଯୋଗ ମୋ ଉପରେ ସେ ଲଦିଦେବାକୁ ଚେଷ୍ଟା କରିବେ ।

 

ଛାୟାକୁ ଅପେକ୍ଷା ନ କରି ବାହାରକୁ ଆସିଲେ ଶତ୍ରୁଜିତ୍‌ । ତାଙ୍କର ବାଇକ୍‌ଟି ସେମାନଙ୍କୁ ନେଇ ଯେତେବେଳେ ପୋଲିସ୍‌ ଷ୍ଟେସନରେ ପହଞ୍ଚିଲା, ସେତେବେଳକୁ ସାଢ଼େ ଆଠଟା ବାଜୁଥିଲା ।

 

ଅଫିସ ପ୍ରକୋଷ୍ଠରେ ଏସ. ପି. ଆଉ ରଜତ ବହିଦାରଙ୍କ ସହିତ ଅନ୍ୟ ଜଣେ ଭଦ୍ରଲୋକଙ୍କୁ ବସିଥିବାର ଦେଖି ବିସ୍ମିତ ହେଲେ ଶତ୍ରୁଜିତ୍‌ ।

 

ବସନ୍ତୁ ମିଷ୍ଟର ଶତ୍ରୁଜିତ୍‌ ! ସରିତା ବିଷୟରେ କିଛି ସନ୍ଧାନ ପାଇଲେ ?

 

ନା ।

 

ମିଷ୍ଟର ଶତ୍ରୁଜିତ୍‌ ! ଜୟରାମ ମିଶ୍ର କାହାନ୍ତି ? ହଠାତ୍‌ ଅଜଣା ଭଦ୍ରଲୋକଙ୍କ ଗମ୍ଭୀର କଣ୍ଠସ୍ୱରରେ ଟିକିଏ ଚମକିଉଠିଲେ ଶତ୍ରୁଜିତ୍‌ । ସିଧାସଳଖ ଭାବରେ ତାଙ୍କୁ କିଛି ସମୟ ଅନାଇ ରହିବା ପରେ କହିଉଠିଲେଆପଣ ?

 

ମୋ କଥାରେ ଉତ୍ତର ଦିଅନ୍ତୁ ! ଜୟରାମ ମିଶ୍ର କାହାନ୍ତି ?

 

ଆପଣଙ୍କର କୌଣସି ପ୍ରଶ୍ନର ଉତ୍ତର ଦେବାକୁ ମୁଁ ବାଧ୍ୟ ନୁହେଁ, ମିଷ୍ଟର.....

 

କ’ଣ କହିଲେ, ଆପଣ ମୋ ପ୍ରଶ୍ନର ଉତ୍ତର ଦେବେ ନାହିଁ ? ମନେରଖନ୍ତୁ ମୁଁ ଜୟରାମ ମିଶ୍ରଙ୍କର ଆଡ୍‍ଭୋକେଟ । ତାଙ୍କର ଭଲମନ୍ଦ ପଚାରିବାକୁ ମୁଁ ବାଧ୍ୟ.......

 

ଓ ! ସେଇକଥା କହନ୍ତୁ । ଆପଣ ତା’ହେଲେ ଆଡ୍‍ଭୋକେଟ ବାନାମ୍ବର ମହାପାତ୍ର ?

 

ବାନାମ୍ବର ମହାପାତ୍ର ଶତ୍ରୁଜିତଙ୍କ ଉପରେ ଯେମିତି କ୍ଷୁବ୍‌ଧ ହୋଇପଡ଼ିଥିଲେ । ସେହିଭଳି ଅବସ୍ଥାରେ ଥାଇ ସେ କହିଲେ—ମିଷ୍ଟର ମିଶ୍ର ଆପଣଙ୍କ ପାଖକୁ ଯିବା ପୂର୍ବରୁ ମୋ ପାଖକୁ ଆସିଥିଲେ, ଆଉ ଆପଣଙ୍କ ପାଖରୁ ସିଧାସଳଖ ଭାବରେ ମୋ ପାଖକୁ ଫେରିଆସିବାର କଥା ରହିଥିଲା । ଅଥଚ ଏପର୍ଯ୍ୟନ୍ତ ସେ ମୋ ପାଖକୁ ଆସିନାହାନ୍ତି । ସକାଳେ ତାଙ୍କ ଘରକୁ ଫୋନ୍‌କରି ବୁଝିଲି ଯେ ଗତକାଲି ଚାରିଟା ପରଠାରୁ ସେ ଆଉ ଘରକୁ ଫେରିନାହାନ୍ତି ।

 

ତୃତୀୟ ଥର ପାଇଁ ପୁଣି ଏକ ଆଘାତର ସମ୍ମୁଖୀନ ହେଲେ ଶତ୍ରୁଜିତ୍‌ । ଜୟରାମ ମିଶ୍ର ଠିକ୍‌ ସାଢ଼େ ପାଞ୍ଚଟାରେ ମୋ ଅଫିସ ଛାଡ଼ିଥିଲେ । ସେଇଠାରୁ ସିଧାସଳଖ ଭାବରେ ଆପଣଙ୍କ ଘର ପାଖକୁ ଯିବା କଥା...ଅଥଚ ଏପର୍ଯ୍ୟନ୍ତ ସେ....

 

ନା । ଆପଣ ଭଲ ଭାବରେ ଜାଣିଥିଲେ ସେ କୋଉଭଳି ବିପଦରେ ପଡ଼ିଛନ୍ତି । ଜାଣିଶୁଣି.....

 

ତାଙ୍କ କେସ୍‌ ଗ୍ରହଣ କରିବାପାଇଁ ମୋର ସମୟ ନ ଥିଲା । ଠିକ୍‌ ତା ପୂର୍ବରୁ ଖୁବ୍‌ ଏକ ଜରୁରୀ କେସ୍‌ ମୋ ହାତକୁ ନେଇଥିଲି । ତେଣୁ ଡକ୍‌ଟର ତନ୍ମୟ ମୋର ଅନୁରୋଧକ୍ରମେ ତାଙ୍କ କେସ୍‌ ନେଇଥିଲେ । କିନ୍ତୁ ମିଷ୍ଟର ମିଶ୍ରଙ୍କର ଅନୁରୋଧ ଥିଲା କେବଳ ସୌଭାଗ୍ୟ ମିଶ୍ରଙ୍କୁ ଗତ ରାତିକ ପାଇଁ ଗାଇଡ୍‍ କରିବା । କାରଣ ଗୋଟିଏ ରାତି କେବଳ ସୌଭାଗ୍ୟ ମିଶ୍ର ଉପରେ ଧ୍ୟାନ ରଖିପାରିଲେ ଆଜିଠାରୁ ତାଙ୍କ ଉପରେ ଆଉ ବିପଦ ରହିବ ନାହିଁ । ତେଣୁ ଜୟନ୍ତ ଆଉ ସୁବ୍ରତ ତନ୍ମୟଙ୍କ ନିର୍ଦ୍ଦେଶକ୍ରମେ ସୌଭାଗ୍ୟ ମିଶ୍ରଙ୍କୁ ଜଗିରହିଥିଲେ । ମୁଁ ଏବେ ସମ୍ବାଦ ପାଇଲି ଯେ ସୌଭାଗ୍ୟ ମିଶ୍ର ଗତକାଲି ଛଅଟାବେଳେ ଅଫିସରୁ ଫେରି ନିଜ ଘରକୁ ଯାଇଥିଲେ, ଆଉ ସେଇ ସମୟରୁ ସେ ବାହାରକୁ ବାହାରିନାହାନ୍ତି । ଆଜି ସକାଳେ ସାଢ଼େ ସାତଟା ବେଳେ ନିଜର ଜିନିଷପତ୍ର ଟ୍ୟାକ୍‌ସିରେ ନେଇ ଷ୍ଟେସନ ଯାଇଛନ୍ତି ।

 

ହୁଏତ ତାଙ୍କ ତରଫରୁ ନିଯୁକ୍ତ କେହି ଲୋକ ଜୟରାମବାବୁ ଠିକ୍‌ ଆପଣଙ୍କ ଘରୁ ଫେରିବା ପରେ ପରେ ଆପହରଣ କରି ନେଇ ପାରିଥାଆନ୍ତି ?

ଏଥର ଶତ୍ରୁଜିତଙ୍କ ଦୃଷ୍ଟି ସିଧାସଳଖ ଭାବରେ ମିଷ୍ଟର ମହାପାତ୍ରଙ୍କ ଉପରେ ସ୍ଥିର ରହିଲା । ମିଷ୍ଟର ମହାପାତ୍ର ! ପ୍ରଥମତଃ ଜୟରାମ ମିଶ୍ରଙ୍କ କେସ୍‌ ମୁଁ ହାତକୁ ନେଇନାହିଁ । ଦ୍ୱିତୀୟରେ, ତାଙ୍କର ନିର୍ଦ୍ଦେଶ ଯାହା ଥିଲା ତାହା ପାଳନ କରାଯାଇଛି । ତେଣୁ ସେ ବିଷୟରେ ମୁଁ ଆଉ ଅଧିକ ଯୁକ୍ତିତର୍କ ଆପଣଙ୍କ ସହି କରିବାକୁ ଚାହେନା । ତଥାପି ବର୍ତ୍ତମାନ ଚିନ୍ତା କରିବାର ବିଷୟ ଜୟରାମ ମିଶ୍ର କୁଆଡ଼େ ଗଲେ ?

ରଜତ ବହିଦାର କଣ କହିଆସୁଥିଲେ, ଠିକ୍‌ ସେତିକିବେଳେ ଭିତରକୁ ସେଣ୍ଟି ଆସି ଜଣାଇଲା ଏସ. ଆଇ. ମହେଶବାବୁ ତାଙ୍କୁ ଦେଖା କରିବାକୁ ଚାହୁଁଛନ୍ତି ।

ମହେଶବାବୁ ? ବେଶ୍‌, ତାଙ୍କୁ ଏଠାକୁ ପଠାଇଦିଅ ।

ସେଣ୍ଟି ପଛେ ପଛେ ପୋଲିସ ପୋଷାକ ପରିହିତ ଜଣେ ଯୁବକ ଆସି ଏସ. ପି. ଙ୍କ ପାଖରୁ ନିର୍ଦ୍ଦେଶ ପାଇ ଚେୟାରରେ ବସୁ ବସୁ କହିଲେ—ଆଜି ସକାଳ ୭ଟାରେ ମୁଁ ଖବର ପାଇଲି ଯେ ନନ୍ଦନକାନନ ପାଖରେ ଥିବା ଜଳାଶୟରେ ଜଣେ ଲୋକର ଶବ ଭାସୁଛି ।

ତାଙ୍କର କଥା ଶେଷ ହୋଇଛି କି ନାହିଁ ଚମକିଉଠି ଏସ. ପି. ସାହେବ କହିଲେ—ପୁଣି ଗୋଟାଏ ଶବ....ଆତ୍ମହତ୍ୟା ନା ମର୍ଡର ?

ମହେଶବାକୁ ଇତସ୍ତତଃ ହୋଇ କହିଲେ—ନିଶ୍ଚୟ ମର୍ଡର କେସ୍‌, ସାର୍‌ !

ମର୍ଡର କେସ୍‌....ବିରକ୍ତିପୂର୍ଣ୍ଣ କଣ୍ଠସ୍ୱରରେ ଏସ.ପି.କହିଲେ ।

ହଁ, ସାର୍‌, ଶବଟିର ମୁଣ୍ଡରେ ହୁଏତ କୌଣସି ଶକ୍ତ ଜିନିଷରେ ଆଘାତ କରାଯାଇ ହତ୍ୟା କରାଯାଇଛି । ହତ୍ୟା କଲା ପରେ ସେହି ଜଳାଶୟ ଭିତରକୁ ଫୋପଡ଼ିଦିଆଯାଇଛି । କିନ୍ତୁ ସାର୍‌, ଶବଟିର ହାତ, ଗୋଡ଼, ମୁଖମଣ୍ଡଳରେ ଏଭଳି ଭାବରେ ଆଘାତ କରାଯାଇଛି ଯେ ଲୋକଟିକୁ ସନାକ୍ତ କରିବା କଠିନ ହୋଇପଡ଼ିଛି । ସେଠାକାର କୌଣସି ଲୋକ ବି ସେଇ ଶବଟି ବିଷୟରେ କୌଣସି ଧାରଣା ଦେଇପାରିଲେ ନାହିଁ । ମୋର ସନ୍ଦେହ ହେବାରୁ ଏଠାକୁ ନେଇଆସିଛି ।

ମହେଶବାବୁଙ୍କ କଥା ଶେଷ ହେଉ ହେଉ ଏସ୍‌. ପି. ସାହେବ ଉଠିପଡ଼ିଲେ । ପଛେ ପଛେ ଶତ୍ରୁଜିତ୍‌ ଆଉ ମିଷ୍ଟର ବହିଦାର । ଏମାନେ କୋଠରିରୁ ବାହାରକୁ ଆସିବା ବେଳକୁ ଏକ ଟ୍ରକ୍‌ର ଡାଲା ଭିତରୁ କେତେ ଜଣ ଲୋକ ଲୁଗାରେ ଆବୃତ ହୋଇଥିବା ଗୋଟିଏ ମୃତଶରୀର ତଳକୁ ଓହ୍ଲାଉଥିଲେ ।

ମହେଶବାବୁ ଶବଟି ଉପରୁ ଲୁଗା ବାହାର କରିଦେଲେ । ଲୋକଟି ଦେହରେ ଖଣ୍ଡିଏ ନୀଳରଙ୍ଗର ଟେରେଲିନ୍‌ ପ୍ୟାଣ୍ଟ୍‌ ଆଉ ଧଳା ଟେରେଲିନ୍‌ର ହାଓ୍ୟାଇନ୍‌ ରହିଥିଲା । ବାମହାତ ମଣିବନ୍ଧ ଉପରେ ଘଣ୍ଟାଟିଏ ।

ବାନାମ୍ବର ମହାପାତ୍ର କ୍ଷିପ୍ରବେଗରେ ଶବପାଖରେ ଝୁଙ୍କିପଡ଼ି କହିଉଠିଲେ—ଏଇ ଆଜ୍ଞା....ଓଃ...

 

ମିଷ୍ଟର ମହାପାତ୍ର...ଏସ୍‌. ପି.ଙ୍କ କଣ୍ଠରୁ ଉଦବେଗର ଲକ୍ଷଣ ବିଶେଷ ଭାବରେ ପରିସ୍ଫୁଟ ହେଉଥିଲା ।

 

ଜୟରାମ ବାବୁ ଆଜ୍ଞା, ଠିକ୍‌ ଏଇ ପ୍ୟାଣ୍ଟ୍‌, ସାର୍ଟ ଘଣ୍ଟା ପିନ୍ଧି ଚାରିଟାବେଳେ ମୋ ପାଖରୁ ଶତ୍ରୁଜିତ ବାବୁଙ୍କ ପାଖକୁ ଆସିଥିଲେ ।

 

ମିଷ୍ଟର ଶତ୍ରୁଜିତ୍‌ ?

 

ଶତ୍ରୁଜିତ୍‌ ମଧ୍ୟ ଶବଉପରେ ଝୁଙ୍କି ପଡ଼ିଥିଲେ । ଶବଟି ଏତେ ବିକୃତ ହୋଇପଡ଼ିଥିଲା ଯେ କେବଳ ପରିଧାନକୁ ବାଦଦେଲେ ତାକୁ ଜୟରାମ ମିଶ୍ର ବୋଲି ଚିହ୍ନିବାର କୌଣସି ଉପାୟ ନ ଥିଲା । ଧୀରେ ଧୀରେ ସେ ସିଧାହୋଇ ଛିଡ଼ାହୋଇ କହିଲେ—ଏଇଭଳି ପେଣ୍ଟ୍‌ ଆଉ ସାର୍ଟ ପିନ୍ଧି ଜୟରାମ ମିଶ୍ର ମୋ ପାଖକୁ ଯାଇଥିଲେ । ଆଉ ଏଚ୍‌. ଏମ୍‌. ଟି. ର ସିଟିଜନ ଘଣ୍ଟାଟି ମଧ୍ୟ ତାଙ୍କ ହାତରେ ରହିଥିଲା ।

 

ଅର୍ଥାତ୍‌ ଆପଣ କହୁଛନ୍ତି ଏ ଜୟରାମ ମିଶ୍ର ନୁହନ୍ତି ? ଚିହିଙ୍କିଉଠି ବାନାମ୍ବର ମହାପାତ୍ର କହିଲେ ।

 

ମୁଁ ମନା କରୁନାହିଁ, ଅଥବା ଏ ଯେ ଜୟରାମ ମିଶ୍ର ଏ କଥା ନିଶ୍ଚିତ ଭାବରେ କହିପାରୁନାହିଁ ।

 

ନିଜ ଉପରୁ ବିପଦ ଏଡ଼େଇଯିବାକୁ ଆପଣ ଚେଷ୍ଟା କରୁଛନ୍ତି, ମିଷ୍ଟର ଶତ୍ରୁଜିତ୍‌ ! ଜୟରାମବାବୁଙ୍କ ଏଇ ପୋଷାକ ଆଉ ଘଣ୍ଟା ଆପଣ ଚିହ୍ନିଛନ୍ତି । ଆହୁରି ବି ତାଙ୍କର କେଶଗୁଡ଼ିକୁ ଲକ୍ଷ୍ୟ କରନ୍ତୁ, କେଶର ଅର୍ଦ୍ଧେକ ଅଂଶ ଧଳା । ବାନାମ୍ବାର ମହାପାତ୍ର ଖୁବ୍‌ ଗମ୍ଭୀର ଭାବରେ କହିଉଠିଲେ ।

 

ଏଥର ବିବ୍ରତ ହୋଇପଡ଼ିଲେ ଶତ୍ରୁଜିତ୍‌ । ବାନାମ୍ବରବାବୁଙ୍କ କଥାକୁ ଅବିଶ୍ୱାସ କରିବାର ନ ଥିଲା । ତଥାପି ସେ କାହିଁକି ଏ କଥା ବିଶ୍ୱାସ କରି ପାରୁ ନ ଥିଲେ । ପୁଣି ଥରେ ସେ ଶବର ଅତି ନିକଟକୁ ଚାଲିଗଲେ । ମୁଣ୍ଡ ଉପରେ ଏଭଳି ଏକ ଶକ୍ତ ପାହାର ହୋଇଥିଲା ଯେ, ତାହା ଫଳରେ ପ୍ରାୟ ଛ’ ଇଞ୍ଚ ପର୍ଯ୍ୟନ୍ତ ମୁଣ୍ଡ ଫାଟିଯାଇଥିଲା । ଏଇ ଭଳି ପାହାରରେ ଜଣେ ଲୋକ ମୃତ୍ୟୁ ବରଣ କରିବା ସୁନିଶ୍ଚିତ ।

 

କିଛି ଯଦି ମନେ ନ କରନ୍ତି, ସାର୍‌, ମିଷ୍ଟର ବହିଦାର ଆଉ ଆପଣଙ୍କ ସହିତ ମୁଁ ଏକାନ୍ତରେ କିଛି ସମୟ କଥାବାର୍ତ୍ତା ହେବାକୁ ଚାହେ । ଏସ୍‌. ପି. ସାହେବଙ୍କୁ ଲକ୍ଷ୍ୟ କରି ଶତ୍ରୁଜିତ୍‌ କହିଲେ ।

 

ଏସ୍‌. ପି. ସାହେବଙ୍କର ଦୃଷ୍ଟି ବି କିଛି ସମୟ ପାଇଁ ଶତ୍ରୁଜିତଙ୍କ ପରିବର୍ତ୍ତିତ ହେଉଥିବା ମୁଖ ଉପରେ ଅଟକି ରହିଲା । ବେଶ୍‌, ଆପଣ ଅପେକ୍ଷା କରନ୍ତୁ ମିଷ୍ଟର ମହାପାତ୍ର ! ଏତକ କହି ଏସ୍‌. ପି. ସାହେବ ପୁଣି ଅଫିସ ରୂମ ଭିତରକୁ ପ୍ରବେଶ କଲେ । ପଛେ ପଛେ ରଜତ ବହିଦାର ଆଉ ଶତ୍ରୁଜିତ୍‌ ଖୁବ୍‌ ଗମ୍ଭୀର ଭାବରେ ନିଜ ନିଜର ଆସନ ଗ୍ରହଣ କଲେ ।

 

କିଛି ସମୟ ପାଇଁ କୋଠରି ଭିତରେ ଗମ୍ଭୀର ନୀରବତା ଖେଳିଗଲା । ଧୀରେ ଧୀରେ ଏସ୍‌.ପି.ସାହେବଙ୍କ ଉପରେ ଦୃଷ୍ଟି ନିକ୍ଷେପ କରି ଶତ୍ରୁଜିତ୍‌ କହିଲେ—ମୁଁ ନିଶ୍ଚିତ ନ ହେଲେ ବି ମୋର କେମିତି ମନେହେଉଛି ଏହା ଭିତରେ କୋଉଠି ଯେମିତି ଟିକିଏ ଗଣ୍ଡଗୋଳ ରହିଛି ।

 

—ଅର୍ଥାତ୍‌, ମୁଁ ଠିକ୍‌ କହିପାରୁ ନାହିଁ । ତେବେ ଆପଣ ଶବଟିକୁ ଲକ୍ଷ୍ୟକଲେ ନିଶ୍ଚିତ ଭାବରେ ଅନୁମାନ କରିପାରିବେ ଯେ ତାକୁ ମୃତ୍ୟୁମୁଖକୁ ପଠାଇବା ପାଇଁ ମୁଣ୍ଡରେ ସେଇ ଗୋଟିଏ ମାତ୍ର ପ୍ରହାର ଯଥେଷ୍ଟ ଥିଲେ ବି ଅଯଥା, ହାତ, ଗୋଡ଼, ମୁହଁ ଉପରେ ଅତ୍ୟାଚାର କରାଯାଇଛି ।

 

ପ୍ରତିହିଂସାପରାୟଣ ଯେକୌଣସି ବ୍ୟକ୍ତି ପ୍ରତିହିଂସା ଅନଳରେ ଏଭଳି ପୀଡ଼ିତ ହୋଇପଡ଼େ ଯେ ଶତ୍ରୁକୁ ହତ୍ୟାକରି କାଟି ଟିକି ଟିକି କରି ତାର କ୍ରୋଧଜନିତ ଅବସାଦ ମେଣ୍ଟାଇବାକୁ ଭୁଲେ ନାହିଁ । ଏସ୍‌. ପି. ସାହେବ ଏତକ କହି ଚରୁଟରେ ଅଗ୍ନି ସଂଯୋଗ କଲେ ।

 

ଜାଣେ । କିନ୍ତୁ ଜୟରାମ ମିଶ୍ର ତାଙ୍କୁ ଷ୍ଟେଟମେଣ୍ଟରେ ଯାହା କହିଥିଲେ, ସେଥିରେ ସୌଭାଗ୍ୟ ମିଶ୍ର କେବଳ ତାଙ୍କର ଧନସମ୍ପତ୍ତି ଆଉ ସ୍ତ୍ରୀ ପାଇଁ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ବି ଅନ୍ୟ କୌଣସି ମନାନ୍ତର ଥିବାର ସମ୍ବାଦ ଦେଇ ନ ଥିଲେ ।

 

ଏଥର ହଠାତ୍‌ ଏସ୍‌. ପି. ସାହେବ ଆଉ କିଛି କହିପାରିଲେ ନାହିଁ । ରଜତ ବହିଦାର ମଧ୍ୟ ଏ କଥା ସମର୍ଥନ କରିବା ସଙ୍ଗେ ସଙ୍ଗେ କହିଲେ—ତା’ହେଲେ ସୌଭାଗ୍ୟ ମିଶ୍ର ପୁରୀ-ହାଓଡ଼ା ଏକ୍‌ସପ୍ରେସରେ ଯାଇସାରିଲେଣି ?

 

ତାଙ୍କୁ କିନ୍ତୁ ଅଟକାଇବା ଦରକାର, ମିଷ୍ଟର ବହିଦାର !

 

ମୋ ମତରେ ତାଙ୍କୁ ଅଟକାଇ ବିଶେଷ କିଛି ଲାଭ ହେବ ନାହିଁ, ସାର୍‌ !

 

କାହିଁକି ?

 

ତାଙ୍କ ବିରୁଦ୍ଧରେ ମିଷ୍ଟର ଶତ୍ରୁଜିତଙ୍କ ନିକଟରେ ଜୟରାମ ମିଶ୍ର ଆଗତ କରିଥିବା ଅଭିଯୋଗ ଅନୁସାରେ ସୌଭାଗ୍ୟ ମିଶ୍ର ମୁକ୍ତ । କାରଣ ମିଷ୍ଟର ଶତ୍ରୁଜିତଙ୍କ ନିକଟରୁ ଜୟରାମ ମିଶ୍ର ଚାଲିଯିବାବେଳକୁ ସେ ଅଫିସରେ ଥିଲେ । ଆଉ ସେଠାରୁ ଫେରି ତାଙ୍କ ବାସଭବନରେ । ଆଉ ଆଜି ମାତ୍ର ସାଢ଼େ ସାତଟାବେଳେ ସେ ସେ ସ୍ଥାନ ପରିତ୍ୟାଗ କରିଛନ୍ତି ।

 

ମିଷ୍ଟର ବହିଦାରଙ୍କୁ ଲକ୍ଷ୍ୟ କରି ଶତ୍ରୁଜିତ୍‌ କହିଲେ—ଆପଣଙ୍କ କଥା ବେଶ୍‌ ଯୁକ୍ତିଯୁକ୍ତ, ମିଷ୍ଟର ବହିଦାର ! ସିଧାସଳଖ ଭାବରେ ତାଙ୍କ ଉପରେ ଏ ଅଭିଯୋଗ ଆଗତ କରିହେବ ନାହିଁ । ତଥାପି ତାଙ୍କ ଉପରେ ଦୃଷ୍ଟି ରଖିବାଟା ନିହାତି ଉଚିତ । କିନ୍ତୁ ମୁଁ କାହିଁକି ଏଇ ଘଟଣାରେ ବିଶେଷ ସନ୍ଦିହାନ ହୋଇପଡ଼ିଛି । କାରଣ ଜୟରାମ ମିଶ୍ରଙ୍କ ଷ୍ଟେଟମେଣ୍ଟ ଆଉ ଘଟିଯାଇଥିବା ଘଟଣା ଭିତରେ କୌଣସି ମେଳ ନାହିଁ । ତା’ ଛଡ଼ା ପ୍ରକାଶ୍ୟ ମେନ୍‌ରୋଡ୍‍ ଉପରୁ ତାଙ୍କୁ ହରଣଚାଳ କରି ନିଆଯିବା ସହଜ ବୋଲି ମୁଁ ଭାବୁନାହିଁ ।

 

ବେଶ୍‌, ମୁଁ ବର୍ତ୍ତମାନ ହାଓଡ଼ା ଷ୍ଟେସନକୁ ଫୋନ୍‌କରି ସୌଭାଗ୍ୟ ମିଶ୍ରକୁ ଅଟକାଇ ରଖିବାପାଇଁ ନିର୍ଦ୍ଦେଶ ଦେଉଛି ।

 

କିନ୍ତୁ ସେ ଯଦି ବାଟରେ କୌଣସି ସ୍ଥାନରେ ଓହ୍ଲାଇଯାଏ.... ?

 

ଏଥର ଚିନ୍ତିତ ହୋଇପଡ଼ିଲେ ଏସ୍‌.ପି. ସାହେବ ।

 

ଗମ୍ଭୀର କଣ୍ଠରେ ଶତ୍ରୁଜିତ୍‌ କହିଲେ—ମୁଁ କାହିଁକି ସେଭଳି ବିଶ୍ୱାସ କରିପାରୁନାହିଁ । ତଥାପି କଲିକତା ପୋଲିସକୁ ଓୟାରଲେସ ପଠାଇ ତା’ର ଗତିବିଧିର ସମ୍ପୂର୍ଣ୍ଣ ବିବରଣୀ ଜଣାଇବାପାଇଁ ନିର୍ଦ୍ଦେଶ ଦିଅନ୍ତୁ ।

 

ଆଉ ଶବ ବିଷୟରେ......

 

ଜୟରାମ ମିଶ୍ରଙ୍କର ଫଟୋଗ୍ରାଫ୍‌ ନିହାତି ଦରକାର ।

 

ଏସ୍‌. ପି. ସାହେବଙ୍କ ନିର୍ଦ୍ଦେଶରେ ବାନାମ୍ବରବାବୁ କୋଠରି ଭିତରକୁ ଆସିଲେ ।

 

ମିଷ୍ଟର ମହାପାତ୍ର ! ଜୟରାମ ମିଶ୍ରଙ୍କର ଫଟୋଗ୍ରାଫ୍‌ ଦରକାର । ଯେତେଶୀଘ୍ର ପାରନ୍ତି, ନେଇ ଆସି ପାରିଲେ ଆମେ ପରବର୍ତ୍ତୀ ପଦକ୍ଷେପ ଖୁବ୍‌ଶୀଘ୍ର ନେବାରେ ସଫଳ ହୋଇପାରନ୍ତୁ ।

 

ମୁଁ ଦୁଃଖିତ, ଆଜ୍ଞା ! ଜୟରାମବାବୁଙ୍କର ଫଟୋଗ୍ରାଫ୍‌ ମିଳିବା ସମ୍ଭବ ନୁହେଁ ।

 

ମାନେ..... ?

 

ସେ ଏକ ଭିନ୍ନ ପ୍ରକୃତିର ଲୋକ । ତାଙ୍କ ମୁହଁରୁ ମୁଁ ବହୁତଥର ଶୁଣିଛି, ସେ ଏ ସବୁର ପକ୍ଷପାତୀ ନୁହନ୍ତି । ଆଉ ନିଜେ ମଧ୍ୟ ଦେଖିଛି, ବିଭିନ୍ନ ଉତ୍ସବରେ ଏଇ ଫଟୋଗ୍ରାଫ୍‌ଟାରୁ ସେ ଦୂରେଇ ରହିନ୍ତି । ତେଣୁ ତାଙ୍କର ଫଟୋଗ୍ରାଫ୍‌ ମିଳିବା ସମ୍ଭବ ନୁହେଁ । କିନ୍ତୁ ସେ ସବୁର ଏବେ ଦରକାର କଅଣ ?

 

ଶତ୍ରୁଜିତ୍‌ ଉଠିଲେ । ମୁଁ ଅଧଘଣ୍ଟାଏ ଭିତରେ ଫେରିଆସୁଛି, ଆଜ୍ଞା ! ତା’ ପରେ କାହାରି ଉତ୍ତରକୁ ଅପେକ୍ଷା ନ କରି ଦ୍ରୂତ ବେଗରେ ସେ ବାହାରକୁ ଆସିଲେ । ସେଠାରେ ଅପେକ୍ଷା କରିଥିବା ଛାୟା କରିଥିବା ଛାୟା କାନରେ ଅନୁଚ୍ଚ କଣ୍ଠରେ କଣ କହିଲେ । ତା’ପରେ ଉଭୟେ ପୋଲିସ ଷ୍ଟେସନର ବାହାରକୁ ଆସିଲେ ।

 

ବେଶ୍‌, ଏଥର ତମେ କୌଣସି ଟ୍ୟାକ୍‌ସିରେ ଚାଲିଯାଅ । ତା’ପରେ ନିଜେ ବାଇକ ଷ୍ଟାର୍ଟ କରି ସିଧାସଳଖ ମିଶ୍ର ଏଣ୍ଡ ମିଶ୍ର ଏନ୍‌ଟରପ୍ରାଇଜର୍ସର ଅଫିସ ଆଗରେ ଓହ୍ଲାଇ ପଡ଼ିଲେ । ଅଫିସ ଭିତରେ କାର୍ଯ୍ୟରତା ଜଣେ ତରୁଣୀକୁ ଦେଖି ସେ ଛିଡ଼ା ହେଲେ । ବିନା ପ୍ରଶ୍ନରେ ନିଜର କାର୍ଡଟିକୁ ଟେବୁଲ୍‌ ଉପରେ ରଖି କହିଲେ—ଜୟରାମ ବାବୁଙ୍କ ଅଫିସ କୋଉଟା ?

 

ବିସ୍ମିତ ଭାବରେ ତରୁଣୀଟି ତାଙ୍କୁ ଅନାଇ କହିଲା—ସେ କାଲିଠାରୁ ଏ ପର୍ଯ୍ୟନ୍ତ ତାଙ୍କ ଘରକୁ କିମ୍ବା ଅଫିସକୁ ଫେରିନାହାନ୍ତି ।

 

କାଲି ଉପରଓଳି କେତେ ସମୟ ପର୍ଯ୍ୟନ୍ତ ତମେ ଅଫିସରେ ଥିଲ ?

 

ମୁଁ...ଛ’ଟା ପର୍ଯ୍ୟନ୍ତ ।

 

ଜୟରାମବାବୁ ସାଢ଼େ ପାଞ୍ଚଟାରେ ଅଫିସକୁ ଆସି କେତେବେଳ ପର୍ଯ୍ୟନ୍ତ ଏଠାରେ ଥିଲେ ?

 

ତରୁଣୀଟି ହସିଲା—ସେ ଚାରିଟା ପରଠାରୁ ଆଉ ଅଫିସକୁ ଫେରିନାହାନ୍ତି, ଆଜ୍ଞା !

 

ତାଙ୍କ ଅଫିସ୍‌..... ? ହଠାତ୍‌ ତାଙ୍କର ଦୃଷ୍ଟି ତରୂଣୀଟିର ବାମପାର୍ଶ୍ୱରେ ଥିବା ଦ୍ୱାର ଉପରେ ସ୍ଥିର ହେଲା । ଉପରେ ଏନ ମେଲ୍‌ପ୍ଲେଟରେ ଜୟରାମ ମିଶ୍ରଙ୍କ ନାମ ଲେଖାଥିଲା । ତରୁଣୀର ଉତ୍ତରକୁ ଅପେକ୍ଷା ନ କରି ଦ୍ରୂତବେଗରେ ସେ ଅଫିସ୍‌ ଭିତରେ ପ୍ରବେଶ କଲେ । ଅଫିସର ପରିପାଟୀ ବେଶ୍‌ ମନମୁଗ୍‌ଧକର ଥିଲା । ଭିତରେ ଚଟାଣ ଉପରେ କାଶ୍ମିରୀ ଗାଲିଚା । ଠିକ୍‌ ମଧ୍ୟଭାଗରେ ଏକ ଦୀର୍ଘ ଗୋଲାକାର ଟେବୁଲ, ଟେବୁଲ ସମ୍ମୁଖରେ ଗୋଟାଏ ରିଭଲଭିଂ ଚେୟାର । ଟେବୁଲ ଉପରେ କେତେଖଣ୍ଡି ଫାଇଲ୍‌ । ତିନୋଟି ବଡ଼ ରେଜିଷ୍ଟାର । ସବୁ ଡ୍ରୟରଗୁଡ଼ିକ ଲକ୍‌ଡ । କ୍ଷିପ୍ର ବେଗରେ ଟେବୁଲ ଉପରେ ଥିବା ଫାଇଲ୍‌ ଆଉ ରେଜିଷ୍ଟାରଗୁଡ଼ିକ କେଜାଣି କାହିଁକି ଖେଳାଇଚାଲିଥିଲେ ଶତ୍ରୁଜିତ୍‌ ।

 

ମିଷ୍ଟର ଶତ୍ରୁଜିତ୍‌ ! ଏଭଳି ଅନଧିକାର ଚର୍ଚ୍ଚା ଆପଣଙ୍କ ପକ୍ଷରେ ଆଦୌ ଶୋଭନୀୟ ନୁହେଁ । ଦୟାକରି ଆପଣ ବାହାରକୁ ଚାଲନ୍ତୁ । ଗମ୍ଭୀର କଣ୍ଠରେ ତରୁଣୀଟି କହିଉଠିଲା । ତା’କଥାରେ କର୍ଣ୍ଣପାତ ନ କରି ଶତ୍ରୁଜିତଙ୍କର ଦୃଷ୍ଟି କୋଠରିର ଚତୁଃପାର୍ଶ୍ୱରେ ଖେଳି ବୁଲିଲା । ତା’ପରେ ହଠାତ୍‌ ସେଇ କୋଠରି ସଂଲଗ୍ନ ଟଏଲେଟ୍‌ର ଦ୍ୱାର ଖୋଲି ଭିତରକୁ ପ୍ରବେଶ କଲେ । ପ୍ରଥମଟି ବିଦେଶୀ ଧରଣର ଲାଟ୍ରିନ୍‌ । ଲାଟ୍ରିନ୍‌ ଉପରୁ ସତର୍କ ଦୃଷ୍ଟି ଫେରାଇଆଣି ଶତ୍ରୁଜିତ୍‌ ବାଥରୁମ୍‌ ଭିତରେ ପ୍ରବେଶ କଲେ । ବାଥରୁମ୍‌ଟି ବିଶେଷ ଭାବରେ ପରିଷ୍କାର ପରିଚ୍ଛନ୍ନ ରହିଥିଲା । ଓ୍ୟାଲରାକରେ ସାବୁନ କେସ୍‌ ପାଖରେ ଥିବା ପ୍ଲାଷ୍ଟିକର ଏକ ବୋତଲ ତାଙ୍କର ଦୃଷ୍ଟି ଆକର୍ଷଣ କଲା । ତତ୍‌କ୍ଷଣାତ୍‌ ସେହି ବୋତଲଟିକୁ ନେଇଆସିଲେ ।

 

ଉପରେ ‘‘ହେୟାର ଡାଇ’’ର ଲେବଲ । ଚିନ୍ତିତ ମନରେ ପକେଟସ୍ଥ କରି ସିଧାସଳଖ ବାହାରକୁ ଆସିଲେ । ତରୁଣୀଟି କିଛି କହିବା ପୂର୍ବରୁ ସେ ବାଇକ୍‌ଷ୍ଟାର୍ଟ କରିସାରିଥିଲେ ।

 

ପୋଲିସ୍‌ ଷ୍ଟେସନର ଅଫିସ୍‌ କକ୍ଷ ଭିତରେ ପ୍ରବେଶ କରୁ କରୁ ଶତ୍ରୁଜିତ୍‌ କହିଲେ—ମୋର ବିଶ୍ୱାସ, ବେଙ୍ଗଲ ପୋଲିସକୁ ଖବର ପଠାଇସାରିଛନ୍ତି, ଆଜ୍ଞା !

 

ହଁ, କିନ୍ତୁ ସରିତାର ଖବର କ’ଣ, ମିଷ୍ଟର ଶତ୍ରୁଜିତ୍‌ ? ଆପଣ ଗଲା ପରେ ପରେ ନିଜେ ଆଇ.ଜି. ଦୁଇଥର ଅକ୍ଷୟ ସେନ୍‌ ବିଷୟରେ ପ୍ରଶ୍ନ କରିସାରିଲେଣି । ତା’ପରେ ଶ୍ରୀମତୀ ଦାସ...ପୁଣି ଏବେ ଜୟରାମ ମିଶ୍ର ।

 

ହଠାତ୍‌ କିଛି ଉତ୍ତର ଦେଇ ନ ପାରି ଶତ୍ରୁଜିତ୍‌ ନୀରବ ରହିଗଲେ ।

 

ସରିତାର ପିତାଙ୍କର ଠିକଣା ଦରକାର ମିଷ୍ଟର ଶତ୍ରୁଜିତ୍‌, ଯାହା ଫଳରେ ଆଇ. ଜି.ଙ୍କ ନିକଟରେ ଆପଣଙ୍କ କଥାରେ ସତ୍ୟତା ବିଷୟରେ କିଛି.....

 

ଶତ୍ରୁଜିତ୍‌ କଣ ଚିନ୍ତା କରି କହିଲେ—ସରିତା ବିଷୟରେ ଖୁବ୍‌ ଗୋପନୀୟତା ରକ୍ଷା କରିବାକୁ ମୁଁ ଚାହେଁ, ଆଜ୍ଞା ! ମୋର ମନେହୁଏ, ମିଷ୍ଟର ମହାପାତ୍ର ଏ ଆଲୋଚନାରେ ଉପସ୍ଥିତ ରହିବା ଠିକ୍‌ ହେବ ନାହିଁ ।

 

କ୍ଷୁବ୍‌ଧ ଦୃଷ୍ଟିରୁ ଶତ୍ରୁଜିତ୍‌ଙ୍କୁ ଲକ୍ଷ୍ୟ କରି ବାନାମ୍ବର ମହାପାତ୍ର ଚେୟାର ଛାଡ଼ିଲେ ।

 

ତାଙ୍କ ଗତିପଥ ଉପରୁ ଦୃଷ୍ଟି ଫେରାଇ ଶତ୍ରୁଜିତ୍‌ କହିଲେ—ସରିତାର ପ୍ରକୃତ ନାମ ମାୟା ବହିଦାର । ତା’ର ପ୍ରକୃତ ନାମ ତଥା ତା’ର ବାପାଙ୍କର ନାମ ସର୍ବଥା ଗୋପନୀୟ ରଖିବି ବୋଲି ମୁଁ ପ୍ରତିଶ୍ରୁତି ଦେଇଥିଲି । କାରଣ ମାୟାର ଏଇ ଅଧଃପତନ ବିଷୟରେ ତା’ର ବାପା ଆଉ ତାଙ୍କର ସମ୍ପର୍କୀୟମାନେ କେବେ କିଛି ଜାଣିପାରନ୍ତୁ ଏ କଥା ତା’ର ମାଆ ଚାହାନ୍ତି ନାହିଁ । ଆଉ ଆପଣ ବି ତା’ର ବାପାଙ୍କ ନାମ ଆଉ ପରିଚୟ ପାଇଲେ ଏ ଘଟଣାର ସତ୍ୟତା କେତେଦୂର ବୁଝିପାରିବେ ।

 

—ଆଇ. ଏ. ଏସ ପ୍ରଭାସ ବହିଦାରଙ୍କୁ ଆପଣ ଜାଣିଥିବେ....

 

ପ୍ରଭାସ ବହିଦାର....ଚମକିଉଠିଲେ ଏସ. ପି. .......ଯିଏ ବର୍ତ୍ତମାନ ଲକ୍ଷ୍ନୌରେ ଅଛନ୍ତି ? ତା’ ହେଲେ ସରିତା...ମାନେ ମାୟା....

 

ତାଙ୍କରି ଝିଅ ।

 

କିନ୍ତୁ ଏକଥା କ’ଣ କେବେ ସମ୍ଭବ, ମିଷ୍ଟର ଶତ୍ରୁଜିତ୍‌ ? ଜଣେ ଆଇ. ଏ. ଏସ. ଅଫିସରଙ୍କର ଝିଅ ଏଭଳି ଭାବରେ....

 

ଘଟଣାଚକ୍ରରେ ପଡ଼ିଲେ ଅସମ୍ଭବ ବି ଖୁବ୍‌ ସହଜରେ ସମ୍ଭବରେ ପରିଣତ ହୋଇପାରେ, ଆଜ୍ଞା....

 

ମିଷ୍ଟର ଶତ୍ରୁଜିତ୍‌ ! ଆପଣଙ୍କର ଦୂରଦର୍ଶିତା ଆଉ ବିଚକ୍ଷଣତା ପାଇଁ ପ୍ରତ୍ୟେକ ଘଟଣାରେ ସଫଳକାମ ହେଉଥିଲେ ବି ଏ ଘଟଣାରେ ଯେ ଆପଣ ଅତି ଶୋଚନୀୟ ଭାବରେ ଠକିଛନ୍ତି ଏଥିରେ ସନ୍ଦେହ ନାହିଁ । ତଥାପି ମୁଁ ବର୍ତ୍ତମାନ ଲକ୍ଷ୍ନୌ ଟେଲିଫୋନ୍‌ କରି ମିଷ୍ଟର ବହିଦାରଙ୍କ ସହିତ....

 

ନା, ଆଜ୍ଞା, ମିଷ୍ଟର ବହିଦାରଙ୍କ ଅପେକ୍ଷା ମିସେସ୍‌ ବହିଦାରଙ୍କ ସହିତ କଥା ହେବା ସବୁ ଦୃଷ୍ଟିରୁ ଭଲ । ଏସ. ପି.ଙ୍କ ପାଖରୁ କଥା ଛଡ଼ାଇ ନେଇ ଶତ୍ରୁଜିତ୍‌ କହିଲେ ।

 

ବେଶ୍‌, କଲ୍‌ଟା ଆପଣ ବୁକ୍‌କରି ନିଜେ ବୁଝିନିଅନ୍ତୁ ।

 

ଶତ୍ରୁଜିତ୍‌ ରିସିଭର ଉଠାଇ ଟେଲିଫୋନ ଏକ୍‌ସଚେଞ୍ଜକୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେଲେ । ତା’ପରେ ରିସିଭର ରଖି କହିଲେ—ଯଦି ମୋର ଅନୁମାନ ଠିକ୍‌ଥାଏ, ଆଉ ସରିତା ଯଦି ପ୍ରକୃତରେ ମିଷ୍ଟର ବହିଦାରଙ୍କ ଝିଅ ହୋଇଥାଏ, ତା’ହେଲେ ଏଇ ଦୁଇଟିଯାକ ହତ୍ୟାକାଣ୍ଡ ପରସ୍ପର ସଂଶ୍ଳିଷ୍ଟ ବୋଲି ଜାଣିବାକୁ ହେବ, ଅର୍ଥାତ୍‌ ସବୁଗୁଡ଼ିକୁ ଗୋଟିଏ ସୂତାରେ ଗୁନ୍ଥା ବୋଲି ସହଜରେ ଧରିହେବ ।

 

ମାନେ..... ?

 

ଚିନ୍ତିତ ମନରେ ସିଗାରେଟରେ ଅଗ୍ନି ସଂଯୋଗ କରୁ କରୁ ଶତ୍ରୁଜିତ୍‌ କହିଲେ–କେବଳ ସେତିକି ନୁହେ, ‘ଲା-ବେଲା’ ବିଷୟରେ ମଧ୍ୟ ବହୁତଗୁଡ଼ିଏ ତଥ୍ୟ ଜଣାପଡ଼ିଯିବ ।

 

‘ଲା-ବେଲା’.....ରଜତ ବହିଦାର ବିସ୍ମୟରେ ଅଭିଭୂତ ହୋଇ ଶତ୍ରୁଜିତଙ୍କୁ ଲକ୍ଷ୍ୟ କଲେ ।

 

ଟେଲିଫୋନ ଶବ୍ଦାୟିତ ହୋଇଉଠିଲା । କ୍ଷିପ୍ରବେଗରେ ରିସିଭର ଉଠାଇନେଇ ଆନନ୍ଦିତ ହୋଇପଡ଼ିଲେ ଶତ୍ରୁଜିତ୍‌ । ପର ମୁହୂର୍ତ୍ତରେ ତାଙ୍କର ମୁଖମଣ୍ଡଳ ମଳିନ ପଡ଼ିଆସିଲା । ମିସେସ ବହିଦାର କ’ଣ ଏତେ ଅସୁସ୍ଥ ଯେ....ବେଶ୍‌ ଠିକ୍‌ଅଛି, ନର୍ସକୁ ଦିଅନ୍ତୁ....

 

ଦେଖନ୍ତୁ, ମିସେସ୍‌ ବହିଦାରଙ୍କ ସହିତ କଥାଭାଷା ହେବା ଖୁବ୍‌ ଜରୁରୀ । ମୁଁ ଓଡ଼ିଶା ପୋଲିସ ବିଭାଗ ତରଫରୁ କହୁଛି । ଘଟଣା ଖୁବ୍‌ ଗୁରୁତର । କ’ଣ କହିଲେ...ସନ୍ଧ୍ୟା ପୂର୍ବରୁ ତାଙ୍କର ଚେତନା ଆସିବ ନାହିଁ । ଆଚ୍ଛା, ମିଷ୍ଟର ବହିଦାର ? ଓ...ତାଙ୍କର ଅଫିସ ନମ୍ବର ?

 

କାଗଜରେ ନମ୍ବରଟି ଟିପିନେଇ ରିସିଭର ରଖିଲେ ଶତ୍ରୁଜିତ୍‌ ।

 

ପର ମୁହୂର୍ତ୍ତରେ ପୁଣି ରିସିଭର ଉଠାଇ କାଗଜରେ ଲେଖି ରଖିଥିବା ନମ୍ବରଟି ଦେଇ କହିଲେ, ହେ, ପ୍ରଭାସ ବହିଦାର, ବେଶ୍‌, ଧନ୍ୟବାଦ ।

 

ମିସେସ୍‌ ବହିଦାରଙ୍କ କ’ଣ ହେଲା, ମିଷ୍ଟର ଶତ୍ରୁଜିତ୍‌ ?

 

ବ୍ଲଡ୍‍ପ୍ରେସର । ସନ୍ଧ୍ୟା ଛଅଟା ପୂର୍ବରୁ ତାଙ୍କ ସହ କୌଣସି କଥାବାର୍ତ୍ତା କରିବାପାଇଁ ଡାକ୍ତର ଅନୁମତି ଦେଉନାହାନ୍ତି ।

 

ପୁଣି ଟେଲିଫୋନ ରିଂ ହେବାରୁ ଶତ୍ରୁଜିତ୍‌ ରିସିଭ୍ କଲେ । କ’ଣ କହିଲେ ? ମିଷ୍ଟର ବହିଦାର ଦିଲ୍ଲୀ ଯାଇଛନ୍ତି ? ବାରଟା ସୁଦ୍ଧା ଫେରିଆସିବେ ? ବେଶ୍‌, କଲ୍‌ଟା ପେଣ୍ଡିଙ୍ଗ ରଖନ୍ତୁ ।

 

ଦୀର୍ଘନିଶ୍ୱାସ ତ୍ୟାଗ କରି ଚେୟାରର ଆଶ୍ରୟ ନେଲେ ଶତ୍ରୁଜିତ୍‌ । ବାରଟା ପୂର୍ବରୁ ସରିତା ବିଷୟରେ କୌଣସି ସମ୍ବାଦ ପାଇବା ଆମ ପକ୍ଷରେ ସମ୍ଭବ ନୁହେଁ, ଆଜ୍ଞା !

 

ବେଶ୍‌, ବାରଟା ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିବାକୁ ପ୍ରସ୍ତୁତ ରହିଛି । ତା’ଛଡ଼ା ସରିତାକୁ ଖୋଜି ବାହାର କରିବା ପାଇଁ ରଜତବାବୁ ମଧ୍ୟ ଯୋଜନା କରିସାରିଛନ୍ତି ।

 

ପୁଣି କିଛି ସମୟ ପାଇଁ କୋଠରି ଭିତରେ ନୀରବତା ଖେଳିଗଲା । ସିଗାରେଟ୍‌ ଖଣ୍ଡିଏ ବାହାର କରି ଅଗ୍ନି ସଂଯୋଗ କରୁ କରୁ ଶତ୍ରୁଜିତ୍‌ କହିଲେ—‘ଲ-ବେଲା’ ର ଏକ ମୁଖ୍ୟ ଅଂଶୀଦାର ହେଉଛନ୍ତି ସୌଭାଗ୍ୟ ମିଶ୍ର । ଆଉ ଅଂଶୀଦାରମାନଙ୍କ ତରଫରୁ ‘ଲା-ବେଲା’ର ପରିଚାଳନା ଦାୟିତ୍ୱ ମଧ୍ୟ ତାଙ୍କର ।

 

ଓ....ଏସ. ପି. ସାହେବ ସଳଖ ଭାବରେ ବସି କହିଲେ, ତା’ହେଲେ ମିଶ୍ର ଏଣ୍ଡ୍‌ ମିଶ୍ର କମ୍ପାନୀର ପାର୍ଟନର ଏଇ ସୌଭାଗ୍ୟ ମିଶ୍ର ?

 

ହଁ, ଆଜ୍ଞା !

 

ତା’ଛଡ଼ା ଏମାନଙ୍କର ବିଜିନେସ୍‌ ସେତେ କିଛି ଲାଭଜନକ ନୁହେଁ ଯାହା ଫଳରେ ଉଭୟ ପାର୍ଟନର ବେଶ୍‌ କିଛି ଟଙ୍କା ଗଚ୍ଛିତ ରଖିପାରିବେ । ଆଉ ‘‘ଲା-ବେଲା’’ର ନିର୍ମାଣ ଖର୍ଚ୍ଚ ମୋଟାମୋଟି ଭାବରେ ଅନୁମାନ କଲେ ୪ ଲକ୍ଷ ଟଙ୍କାରୁ କମ୍‌ ହେବ ନାହିଁ । ଏମାନଙ୍କ ଭିତରେ ଯୋଉ କେତେଜଣ ପାର୍ଟନର ଅଛନ୍ତି, ସେମାନଙ୍କର ସେୟାର ସବୁ ମିଶି ୧ ଲକ୍ଷ ୮୦ ହଜାର, ମାନେ ଆହୁରି ୧ ଲକ୍ଷ ୨୦ ହଜାର ଟଙ୍କା ସୌଭାଗ୍ୟ ମିଶ୍ରଙ୍କର ଅଂଶ ।

 

ତା’ମାନେ ଏତେ ଟଙ୍କା ଖଟାଇବା ତାଙ୍କର ସାମର୍ଥ୍ୟର ବାହାରେ ?

 

ମୋର ତ ସେହିଭଳି ମନେହୁଏ । ଆଉ ଏମାନେ ଯଦି କୌଣସି ଅସତ୍‌ ଉପାୟରେ ଟଙ୍କା ଉପାର୍ଜନ କରୁ ନ ଥାନ୍ତେ, ତା’ହେଲେ ଏତେଗୁଡ଼ିଏ ସମ୍ପତ୍ତି ଠୁଳ କରିବା ସହଜ ହୁଅନ୍ତା ନାହିଁ-

 

ହୁଁ । ଏସ. ପି. ଚୁରଟରେ ଅଗ୍ନି ସଂଯୋଗ କଲେ ।

 

ଆଉ ଯଦି ମୋର ଅନୁରୋଧ ଆପଣ ରକ୍ଷା କରନ୍ତେ, ତା’ହେଲେ....

 

ମିଷ୍ଟର ଶତ୍ରୁଜିତ୍‌ ! ମୁଁ ଆପଣଙ୍କୁ ବିଶ୍ୱାସ କରେ । ମୋ‘ଠାରୁ ଯୋଉ ସାହାଯ୍ୟ ଆପଣ ଚାହାନ୍ତି ମୁଁ ସେଥିରେ କୁଣ୍ଠିତ ହେବି ନାହିଁ ।

 

ସୌଭାଗ୍ୟ ମିଶ୍ର କଲିକତାରେ ୨ଟା ୩ଟା ଭିତରେ ପହଞ୍ଚିଯିବ । ମୋର ବିଶ୍ୱାସ ଆପଣଙ୍କର ନିର୍ଦ୍ଦେଶ ଅନୁସାରେ କଲିକତା ପୋଲିସ ତା’ର ଗତିବିଧି ନିଶ୍ଚିତ ଭାବରେ ନିରୂପଣ କରୁଥିବେ । ତେବେ ଏଇ ସୌଭାଗ୍ୟ ମିଶ୍ର ପାଇଁ ମୋ ମନରେ ସନ୍ଦେହ ରହିଛି ।

 

ଅର୍ଥାତ୍‌ ସେ ସୌଭାଗ୍ୟ ମିଶ୍ର ନୁହେଁ..... ?

 

ସୌଭାଗ୍ୟ ମିଶ୍ର ଅନ୍ତରାଳରେ ହୁଏତ ଅନ୍ୟ କେହି । ତା ଛଡ଼ା ମୃତ ଜୟରାମ ମିଶ୍ରଙ୍କର ସ୍ତ୍ରୀ ମଧ୍ୟ କଲିକତାରେ । ସେମାନଙ୍କ ଭିତରେ ପୂର୍ବରୁ ଗୁପ୍ତ ପ୍ରଣୟ ରହିଛି । ସେ ନିଶ୍ଚୟ ତାକୁ ସେଠାରେ ସାକ୍ଷାତ୍‌ କରିବ, ହୁଏତ ଭବିଷ୍ୟତରେ କୌଣସି ଯୋଜନା ଆଶାରେ । ତେଣୁ ଆମେ ଯଦି ଏଠାରୁ ୬ଟା ବେଳେ ବାହାରି ପାରନ୍ତେ.....

 

ଅର୍ଥାତ୍‌ ?

 

ମୁଁ, ଆପଣ, ମିଷ୍ଟର ବହିଦାର ଆଉ ବାନାମ୍ବର ମହାପାତ୍ର....

 

ବାନାମ୍ବର ମହାପାତ୍ର......କାହିଁକି ?

 

ଆମେ ତିନିଜଣ କେହି ସୌଭାଗ୍ୟ ମିଶ୍ରଙ୍କୁ ଚିହ୍ନିନାହୁଁ । ମୋର ବିଶ୍ୱାସ ସେ ଯଦି ଆମ ସହ ଯିବେ, ତ’ ହେଲେ ସୌଭାଗ୍ୟ ମିଶ୍ରଙ୍କ ପାଇଁ ଆମକୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ।

 

କିଛି ସମୟ ସ୍ଥିର ଦୃଷ୍ଟିରେ ଶତ୍ରୁଜିତ୍‌ଙ୍କୁ ଲକ୍ଷ୍ୟ କରି ଏସ. ପି. ସାହେବ କହିଲେ—ମୁଁ ଆପଣଙ୍କର ଉଦ୍ଦେଶ୍ୟ ବୁଝିପାରିଲି ନାହିଁ ମିଷ୍ଟର ଶତ୍ରୁଜିତ୍‌ ?

 

ଶୁଷ୍କ ହସଟିଏ ଶତ୍ରୁଜିତ୍‌ଙ୍କ ମୁଖମଣ୍ଡଳରେ ଖେଳି ଉଠିଲା—ମୁଁ ମଧ୍ୟ ଏ ପର୍ଯ୍ୟନ୍ତ ସନ୍ଦେହ ଭିତରେ ରହିଛି, ଆଜ୍ଞା ! ତେବେ ମୋର ଦୃଢ଼ ବିଶ୍ୱାସ ରହିଛି, ମୋର ଏଇ ଅନୁରୋଧ ଯଦି ଆପଣ ରଖନ୍ତି, ତା’ହେଲେ ଏ ସମସ୍ତ ରହସ୍ୟ ନିଶ୍ଚିତ ଭାବରେ ସେହିଠାରେ ଉଦ୍‌ଘାଟିତ ହୋଇଯିବ ।

 

ଗୁଡ଼୍‌ ! ଏସ. ପି. ସାହେବଙ୍କ ମୁଖମଣ୍ଡଳରେ ପ୍ରସନ୍ନତାର ଆଭା ଖେଳିଗଲା; କିନ୍ତୁ ଆମେ ଯଦି ଏଠାରୁ ଛଅଟାରେ ବାହାରୁଁ, ମାନେ କାରରେ, ତା’ହେଲେ ସେଠାରେ ରାତି ୧୨ ଟା ପୂର୍ବରୁ କୌଣସିମତେ ପହଞ୍ଚିପାରିବୁ ନାହିଁ !

 

କାର କଥା ମୁଁ କହୁନାହିଁ, ଆଜ୍ଞା ! ହୁଏତ କାରରେ ଗଲେ ଆମର ଉଦ୍ଦେଶ୍ୟ ସିଦ୍ଧ ହୋଇପାରିବ ନାହିଁ ।

 

ତା’ ହେଲେ....

 

କିଛି ସମୟ ଅପେକ୍ଷା କରି ଶତ୍ରୁଜିତ୍‌ କହିଲେ—କୌଣସିମତେ ଯଦି ପ୍ଲେନର ବନ୍ଦୋବସ୍ତ କରିପାରନ୍ତେ....

 

ପ୍ଲେନ...କିନ୍ତୁ....

 

ମୁଁ ଜାଣିଛି, ଆଜ୍ଞା ! ତଥାପି ଆପଣ ଯଦି ଆଇ. ଜି. ଙ୍କୁ ଅନୁରୋଧ କରନ୍ତି, ତା’ହେଲେ....

 

ବେଶ୍‌, ମୁଁ ଅନୁରୋଧ କରିବି । କିନ୍ତୁ ଯଦି ସଫଳତା ନ ମିଳେ ତା’ର ସମସ୍ତ ଖର୍ଚ୍ଚ ଆପଣଙ୍କୁ ବହନ କରିବାକୁ ପଡ଼ିବ । ଗମ୍ଭୀର ଭାବରେ ଏସ. ପି. ସାହେବ କହିଲେ ।

 

ଆଜ୍ଞା !

 

ଫାଇଭସିଟର୍‌ ପ୍ଲେନଟିଏ ହେଲେ ଚଳିବ । ମୁଁ, ଛାୟା, ଆଉ ଆପଣମାନେ । କିନ୍ତୁ ବାନାମ୍ବର ମହାପାତ୍ରଙ୍କୁ ଯେ କୌଣସିମତେ ନେବାକୁ ପଡ଼ିବ ।

 

ତା ପୂର୍ବରୁ ଗଲେ.......

 

ଅନ୍ତତଃ ସରିତା ବିଷୟରେ କୌଣସି ସମ୍ବାଦ ନ ପାଇ ସେଠାକୁ ଯିବାଟା ମୁଁ ଉଚିତ ମନେକରୁନାହିଁ । ମୋର ବିଶ୍ୱାସ, ଛଅଟା ପୂର୍ବରୁ ତା’ ବିଷୟରେ କିଛି ଗୋଟାଏ ଜଣାପଡ଼ିଯିବ ।

 

ଏସ୍‌. ପି. କିଛି କହିବା ପୂର୍ବରୁ ଟେଲିଫୋନଟି ଶବ୍ଦାୟିତ ହୋଇ ଉଠିଲା । ମିଷ୍ଟର ବହିଦାର ରିସିଭର ଉଠାଇ ନେଇ କହିଲେ—ନିଅନ୍ତୁ ମିଷ୍ଟର ଶତ୍ରୁଜିତ୍‌ ! ମିଷ୍ଟର ବହିଦାର ଆଇ. ଏ. ଏସ. ଟେଲିଫୋନ ରିସିଭ କରିଛନ୍ତି ।

 

କ୍ଷିପ୍ର ବେଗରେ ମିଷ୍ଟର ବହିଦାରଙ୍କ ହାତରୁ ରିସିଭର ନେଇ ଶତ୍ରୁଜିତ୍ କହିଲେ—ନମସ୍କାର ମିଷ୍ଟର ବହିଦାର ! ମୁଁ ଶତ୍ରୁଜିତ୍‌ କହୁଛି, ଆଜ୍ଞା ! ମୋ ପାଖରେ ଇନ୍‌ସପେଟର ମିଷ୍ଟର ବହିଦାର ଆଉ ଏସ. ପି. ସାହେବ ବି ରହିଛନ୍ତି ।

 

ଆଜ୍ଞା ! ନା, ଖୁବ୍‌ ଏକ ଜରୁରୀ ବିଷୟ ନେଇ ଆପଣଙ୍କୁ ବିରକ୍ତ କରିବାକୁ ବାଧ୍ୟ ହେଲି, ମିଷ୍ଟର ବହିଦାର ! ଶୁଣନ୍ତୁ, ଆପଣଙ୍କ ଝିଅ ମାୟା ବିପଦରେ ପଡ଼ିଛି । ମୁଁ ଜାଣିବାକୁ ଚାହୁଁଥିଲି....

 

କ’ଣ କହିଲେ....ଅପର ପାର୍ଶ୍ୱରୁ ଆସୁଥିବା ଶବ୍ଦ ଶୁଣି ଶତ୍ରୁଜିତ୍‌ ଯେମିତି ନିଜକୁ ବିଶ୍ୱାସ କରି ପାରୁ ନ ଥିଲେ । ଆପଣଙ୍କୁ ମାୟା । ଏ କିଛି ସମୟ ପୂର୍ବରୁ ବାଲେଶ୍ୱରରୁ ଫୋନ୍‌ କରିଥିଲେ-? ବେଶ୍‌, ବେଶ୍‌, ତାଙ୍କର ଠିକଣା ?

 

ଟେବୁଲ ଉପରୁ ଖଣ୍ଡିଏ କାଗଜ ଟାଣିଆଣି ଲେଖିଲେ ଶତ୍ରୁଜିତ୍‌ । ବହୁତ ଧନ୍ୟବାଦ ମିଷ୍ଟର ବହିଦାର ! ନା, ନା, ମୋର ଅନୁମାନ ବି ମିଥ୍ୟା ହୋଇପାରେ । ବେଶ୍‌, ଠିକ୍‌ଅଛି । ମୁଁ ଏକ ଗୋଲକଧନ୍ଦା ଭିତରେ ପଡ଼ିଲି, ଆଜ୍ଞା !

 

ଅର୍ଥାତ୍‌ ସରିତା ଅଥବା ସେଇ ମାୟାନାମଧାରୀ ଝିଅଟି ତାଙ୍କର ନୁହେଁ । ମିଷ୍ଟର ବହିଦାର କହନ୍ତି, ଏଇ କେଇ ମୁହୂର୍ତ୍ତ ପୂର୍ବରୁ ମାୟା ତାଙ୍କୁ ଟୋଲିଫୋନ କରି କହିଥିଲା ସେ ଭଲରେ ଅଛି ।

 

ମୁଁ ଜାଣିଥିଲି, ମିଷ୍ଟର ଶତ୍ରୁଜିତ୍‌, ସେମାନେ ହୁଏତ ଆପଣଙ୍କ ବିରୂଦ୍ଧରେ ଏଭଳି ଏକ ଚକ୍ରାନ୍ତ ଖେଳିଥିଲେ ।

 

ମୁଁ କିନ୍ତୁ ଏ କଥା ବିଶ୍ୱାସ କରିପାରୁନାହିଁ, ଆଜ୍ଞା ! ଏ କଥା ମିଥ୍ୟା ହୋଇଥିଲେ ‘ରୟେଲ ହୋଟେଲ’ରେ ମିସେସ୍‌ ଦାସଙ୍କୁ ହତ୍ୟା କରାଯାଇ ନ ଥାନ୍ତା । ତେବେ ମୁଁ ବର୍ତ୍ତମାନ ମାୟା ପାଖକୁ ଯାଉଛି । ଠିକ୍‌ ପାଞ୍ଚଟା ପୂର୍ବରୁ ଫେରିଆସିବି ।

 

ବେଶ୍‌ ଆପଣଙ୍କ ପ୍ଲାନ ଅନୁଯାୟୀ ସବୁ ବନ୍ଦୋବସ୍ତ ହୋଇସାରିଥିବ ।

 

ପୁଣି ଥରେ ଏସ. ପି. ସାହେବଙ୍କୁ ଧନ୍ୟବାଦ ଜଣାଇ ବାହାରକୁ ଆସିଲେ ଶତ୍ରୁଜିତ୍‌ ।

 

ଆସଛାୟା !

 

ଛାୟା ନୀରବରେ ତାଙ୍କୁ ଅନୁସରଣ କରି ବାଇକ ନିକଟକୁ ଆସିଲା । ପର ମୁହୂର୍ତ୍ତରେ ବାଇକ୍‌ଟି ଉଭୟଙ୍କୁ ନେଇ ତାଙ୍କ ପ୍ରାସାଦ ଆଡ଼େ ଅଗ୍ରସର ହେଲା । ପ୍ରାସାଦ ପାଖରେ ପହଞ୍ଚୁ ପହଞ୍ଚୁ ଏଗାରଟା ବାଜିଯାଇଥିଲା ।

 

ଡ୍ରଇଂ ରୁମରେ ସୁବ୍ରତ ଅପେକ୍ଷା କରିଥିଲେ ।

 

 

ତନ୍ମୟବାବୁ ହଠାତ୍‌ ସୌଭାଗ୍ୟ ମିଶ୍ରଙ୍କୁ କେଜାଣି କାହିଁକି ଅନୁସରଣ କରି କଲିକତା ଚାଲିଗଲେ । ସେଠାରେ ପହଞ୍ଚି ଆପଣଙ୍କ ସହ ଯୋଗାଯୋଗ କରିବା ପାଇଁ କହିଛନ୍ତି ।

 

ସୁବ୍ରତଙ୍କ ପାଖରୁ ଏଇ ଉତ୍ତର ପାଇ ଆନନ୍ଦରେ ଯେମିତି ଆତ୍ମହରା ହୋଇପଡ଼ିଲେ ଶତ୍ରୁଜିତ୍‌ । ଆନନ୍ଦିତ ଭାବରେ କହିଲେ—ଖୁବ୍‌ ଭଲ ହୋଇଛି, ସୁବ୍ରତ ! ବେଶ୍‌, ତମେ ଏଇଠି ଅପେକ୍ଷା କରିଯାଅ । ମୁଁ ଏବେ ତନ୍ମୟର ଗାଡ଼ି ନେଇ ବାଲେଶ୍ୱର ଯାଉଛି । ଯଦି ତନ୍ମୟ ସେଠାରୁ ଫୋନ୍‌ କରେ ତା’ଠାରୁ ଠିକଣା ନେଇ ସୌଭାଗ୍ୟ ମିଶ୍ର ଉପରେ ପୂରା ଦୃଷ୍ଟି ରଖିବାକୁ କହିବି । ଯେମିତି ତା’ର ଦୃଷ୍ଟିର ପରିସର ବାହାରକୁ ସେ ଚାଲି ନ ଯାଏ । କେବଳ ଏତିକି କହିବ, ମୁଁ ଠିକ୍‌ ସାଢ଼େ ସାତଟା ଭିତରେ ସେଠାରେ ପହଞ୍ଚିବି ।

 

କଲିକତାରେ..... ?

 

ହଁ । ଆଚ୍ଛା ସୁବ୍ରତ, ସୌଭାଗ୍ୟ ମିଶ୍ର ସହିତ କୌଣସି ତରୁଣୀ ଯିବାର ତମେ ଲକ୍ଷ୍ୟ କରିଛ ?

 

ସୁବ୍ରତ ଟିକିଏ ଆଶ୍ଚର୍ଯ୍ୟ ଭଙ୍ଗୀରେ ଶତ୍ରୁଜିତଙ୍କୁ ଅନାଇ କହିଲେ—ନାହିଁ ତ, ସେ ଏକାକୀ ଗୋଟାଏ ଫାଷ୍ଟ କ୍ଲାସ କମ୍ପାର୍ଟମେଣ୍ଟରେ ଉଠିଲେ । ମୁଁ ଭଲ ଭାବରେ ଲକ୍ଷ୍ୟ କରିଛି, ସେଥିରେ ଗାଡ଼ି ଛାଡ଼ିବା ପରେ ବି ତାଙ୍କୁ ଛାଡ଼ି ତିନିଜଣ ଭଦ୍ରବ୍ୟକ୍ତି ଥିଲେ ।

 

ବେଶ୍‌, ଠିକ୍‌ଅଛି । ଆମେ ହୁଏତ ପାଞ୍ଚଟାବେଳେ ସିଧା ଭୁବନେଶ୍ୱର ଯାଇପାରୁଁ । ମୁଁ ସେଠାରୁ ଟେଲିଫୋନ କରିବି । ମୋ ପାଖରୁ ଟେଲିଫୋନ୍‌ ନ ପାଇବା ପର୍ଯ୍ୟନ୍ତ ତମେ କୁଆଡ଼େ ଯିବ ନାହିଁ ।

 

ସୁବ୍ରତ ସମ୍ମତି ଜଣାଇବାରୁ ଛାୟାର ହାତ ଧରି ବାହାରକୁ ଆସିଲେ ଶତ୍ରୁଜିତ୍‌ ।

 

ପୂରା ବେଗରେ ଗାଡ଼ିଟି ନେଇ ଆସି ବାଲେଶ୍ୱରର ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବାବେଳେ ହାତଘଣ୍ଟାରେ ଦୁଇଟା ବାଜୁଥିଲା । ଖୁବ୍‌ ଅବଶ ହୋଇପଡ଼ିଥିଲେ ସେ । କିନ୍ତୁ ବିଶ୍ରାମ ନେବାକୁ ସମୟ ନ ଥିଲା । ଗାଡ଼ି ବନ୍ଦ କରି ତଳକୁ ଓହ୍ଲାଇ ଆସିଲେ । ଦ୍ୱାରବନ୍ଧରେ ଥିବା ନାମ ପ୍ଲେଟରୁ ସେ ଯେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିଛନ୍ତି ଏହା ଭାବି ଶାନ୍ତିରେ ନିଶ୍ୱାସ ନେଲେ ।

 

ଭିତରୁ ଦ୍ୱାର ବନ୍ଦ ରହିଥିଲା । କିଛି ସମୟ କବାଟରେ ଆଘାତ କରିବା ପରେ ଭିତରୁ କାହାର ପାଦଶବ୍ଦ ଶୁଣାଗଲା । ଅବଶେଷରେ ଯିଏ ଦ୍ୱାର ଖୋଲିଲେ ସେ ଥିଲେ ଜଣେ ସୌମ୍ୟଦର୍ଶନା ତରୁଣୀ । ବୟସ ୨୫ରୁ ଊର୍ଦ୍ଧ୍ୱ ହେବ ।

 

ମୋର ମନେହୁଏ ଆପଣ ହେଉଛନ୍ତି ମହାମାୟା ଦାସ....

 

କିନ୍ତୁ ଆପଣ ?

 

ଶତ୍ରୁଜିତ୍‌ ।

 

ଶତ୍ରୁଜିତ୍‌.....ତରୁଣୀର ଚକ୍ଷୁରେ କେମିତି ଏକ ଚମକ ଖେଳିଗଲା ।

 

ହଁ....ଦୟାକରି ମାୟା ବହିଦାରଙ୍କୁ ଟିକିଏ ଡକାନ୍ତୁ ।

 

ମାୟା...ବେଶ୍‌, ଭିତରକୁ ଆସନ୍ତୁ ।

 

ତାଙ୍କ ପଛେ ପଛେ ଯାଇ ଏକ କ୍ଷୁଦ୍ର ପ୍ରକୋଷ୍ଠରେ ଉଭୟେ ବସିଲେ । କେତେକ ମୁହୂର୍ତ୍ତ ପରେ ମାୟା ଆସିଲା । ମାୟାକୁ ଦେଖିବା ସଙ୍ଗେ ସଙ୍ଗେ ଶତ୍ରୁଜିତ୍‌ ଛିଡ଼ା ହୋଇପଡ଼ି କହିଲେ—ତୁମେ....

କ୍ଷମା କରିବେ, ମିଷ୍ଟର ଶତ୍ରୁଜିତ୍‌ ! ଗତକାଲି ଆପଣଙ୍କ ଘରେ ଯୋଉ ଦୃଶ୍ୟ ମୁଁ ଦେଖିଲି, ସେଥିରେ ମୁଁ ଏଭଳି ବିଚଳିତ ହୋଇ ପଡ଼ିଥିଲି ଯେ....

ତା’ହେଲେ ଅକ୍ଷୟ ସେନର....

ହଁ, ଆଜ୍ଞା ! ସେଭଳି ଏକ ସୈତାନ କବଳରୁ ମୁଁ ଯେ ରକ୍ଷା ପାଇଯାଇଛି, ସେଥିପାଇଁ କୃତଜ୍ଞତା ଜଣାଇବାର ଭାଷା ମୋ ପାଖରେ ନାହିଁ ।

କିନ୍ତୁ ତମେ ଏଠାକୁ ଆସିଲ କେମିତି ?

ଟିକିଏ ଇତସ୍ତତଃ ହୋଇ ମାୟା କହିଲା—ମୁଁ ଜାଣିଥିଲି ଅକ୍ଷୟ ସେନର ହତ୍ୟା ପରେ ପୋଲିସ ଆପଣଙ୍କ ନିକଟରୁ ମୋ ବିଷୟରେ ସମସ୍ତ ତଥ୍ୟ ପାଇଯିବ । ଆଉ କିଛି ଗୋପନୀୟ ହୋଇ ରହିବ ନାହିଁ । ବାପା ନିଶ୍ଚୟ ଏଇ ସମ୍ବାଦ ଜାଣିବେ । ଆଉ ଯଦି....

କିନ୍ତୁ ଆସିଲ କେମିତି ?

ମୁଁ ଦ୍ରୁତ ବେଗରେ ଆପଣଙ୍କ ଘରୁ ଆସୁ ଆସୁ ବାରିପଦା ବସ୍‌ଟି ଛିଡ଼ା ହୋଇଥିବାର ଦେଖିଲି । ତା ପରେ ସିଧାସଳଖ ସେଇଥିରେ ଉଠି ଏଠାକୁ ଚାଲିଆସିଲି ।

ତମେ ଏବେ ମୋ ସହିତ ଆସିପାରିବ ?

ଆପଣଙ୍କ ସହିତ ?

ହଁ, ବର୍ତ୍ତମାନ ଏଇ ମୁହୂର୍ତ୍ତରେ । ଏ ସବୁ କଥା ଯେମିତି ତମ ବାପା ଜାଣି ନ ପାରିବେ, ତା’ର ବନ୍ଦୋବସ୍ତ ମୁଁ କରିଛି ।

ମାୟା ଛିଡ଼ା ହେଲା । ଟିକିଏ ଅପେକ୍ଷା କରନ୍ତୁ, ଆଜ୍ଞା ! ମୁଁ ଜାଣିଥିଲି ମୁଁ ନ ଗଲା ପର୍ଯ୍ୟନ୍ତ ଅକ୍ଷୟ ସେନ ହତ୍ୟା ଅପରାଧରୁ ଆପଣ ମୁକ୍ତ ହେବେ ନାହିଁ । ମୁଁ ଏଇ ସାଙ୍ଗେ ସାଙ୍ଗେ ଆସୁଛି । ଆପଣଙ୍କ ପାଇଁ ଜୀବନ ଦେବାକୁ ପଡ଼ିଲେ ବି ମୁଁ କୁଣ୍ଠାବୋଧ କରିବି ନାହିଁ । ଏତକ କହି ମାୟା ଭିତରକୁ ଚାଲିଗଲା ।

ବିସ୍ମିତ ଦୃଷ୍ଟିରୁ ଶତ୍ରୁଜିତ୍‌ଙ୍କୁ ଅନାଇ ଛାୟା କହିଲା—ଏତେ ଶାନ୍ତ ସରଳ ଝିଅଟିଏ....ଅଥଚ...

ଏ ସବୁ ଆଧୁନିକ ଯୁଗର କୁପରିଣାମ, ଛାୟା ! କେବଳ ମାୟା ନୁହେଁ, ଆଜି ମାୟା ପରି ଅଗଣିତ ଝିଅ ଏଇଭଳି ପଥଭ୍ରଷ୍ଟ ହୋଇ କୋଉ ଅନ୍ଧକାର ମହଲରେ ଆଖିରୁ ଲୁହ ଢାଳୁଛନ୍ତି ତା’ର ସୀମା ନାହିଁ ।

ଏୟାର ବ୍ୟାଗ୍‌ଟିଏ କାନ୍ଧରେ ଝୁଲାଇ ମାୟା ଆସିଲା । ଚାଲନ୍ତୁ, ମିଷ୍ଟର ଶତ୍ରୁଜିତ୍‌ ! ମୋର ମନେହୁଏ, ଏ ହେଉଛନ୍ତି....

 

ଛାୟା ଦେବୀ ।

 

ଛାୟା ତା ସହିତ କରମର୍ଦ୍ଦନ କରି ବାହାରକୁ ଆସୁ ଆସୁ କହିଲା—ଏଥର ଯେ ଏ ଦୁନିଆକୁ ତମେ ଠିକ୍‌ ବାଟରେ ଚିହ୍ନିପାରିବ ଏହା ମୁଁ ତମ ପାଖରୁ ଆଶା କରୁଛି, ମାୟା !

 

ଏମାନେ ଗାଡ଼ିରେ ବସିବା ପୂର୍ବରୁ ଗାଡ଼ି ଷ୍ଟାର୍ଟ କରି ସାରିଥିଲେ ଶତ୍ରୁଜିତ୍‌ । ସିଧାସଳଖ ମେନ୍‌ରୋଡ୍‍ ଉପରକୁ ଚାଲି ଆସି କହିଲେ—ଏଠାକୁ ଚାଲି ଆସିବା ପରେ ତମେ ତମ ବାପାଙ୍କ ନିକଟକୁ ଫୋନ୍‌ କରିଥିଲ ?

 

ହଁ, କାରଣ ଗତ ରାତିର ଘଟଣାରେ ଏତେ ବିବ୍ରତ ହୋଇପଡ଼ିଥିଲି ଯେ...

 

ବୁଝିଲି । ତମେ ଭଲ ଭାବରେ ଜାଣ ମିସେସ୍‌ ଚନ୍ଦ୍ରାବତୀ ଦାସ ବୋଲି ତମ ମାଆଙ୍କର କେହି ଅନ୍ତରଙ୍ଗ ବାନ୍ଧବୀ ନାହାନ୍ତି ?

 

କେହି ଥାଇପାରନ୍ତି, ଯାହାଙ୍କ ସହିତ ମୋର ପରିଚୟ ଆଦୌ ହୋଇନାହିଁ ଅଥବା ମୁଁ ତାଙ୍କୁ କେବେ ଦେଖିନାହିଁ ।

 

ଦେଖିଲେ ହୁଏ ତ ଚିହ୍ନିପାରିବ...ମାନେ, ତାଙ୍କର ନିଜର ନାମ ଯଦି ସେ ବଦଳାଇ ଥାଆନ୍ତି...

 

ପରିଚିତ ହୋଇଥିଲେ ନିଶ୍ଚିୟ ଚିହ୍ନିପାରିବି ।

 

ମୀନାର ଠିକଣା ତମେ ଜାଣ ?

 

ଯୋଉଁଠାରେ ଅକ୍ଷୟ ସେନ୍‌ ସହ ମୋର ପରିଚୟ ହୋଇଥିଲା, ସେଇ ଗାଆଁ ଠିକଣାରେ ମୁଁ ଚିଠି ଦିଏ, ଆଉ ସେଇଠାରୁ ମଧ୍ୟ ଚିଠି ପାଏ ।

 

ଷ୍ଟିଅରିଂ କଣ୍ଟ୍ରୋଲ କରି ଖଣ୍ଡିଏ ସିଗାରେଟରେ ଅଗ୍ନି ସଂଯୋଗ କଲେ ଶତ୍ରୁଜିତ୍ । କେତେକ ମୁହୂର୍ତ୍ତ ପରେ କହିଲେ—ତମରି ଭଳି ଆଉ କେତେକ ଝିଅ ଯେ ଏଇଭଳି ଦୁରବସ୍ଥା ଭିତରେ ରହିଛନ୍ତି, ଏକଥା ତମେ ମୋତେ କହୁଥିଲ ?

 

ହଁ । କିନ୍ତୁ ସେମାନେ ଏବେ ଯେ କୋଉଠି ଆଉ କି ପ୍ରକାର ରହୁଛନ୍ତି ତାହା ଜାଣିବା ମୋ ପକ୍ଷରେ ସମ୍ଭବ ନୁହେଁ । ତେବେ ବିଭିନ୍ନ କ୍ଲବ୍‌ ଆଉ ନାଇଟ୍‌କ୍ଲବ୍‌, ବଡ଼ବଡ଼ ହୋଟେଲମାନଙ୍କରୁ ସେମାନଙ୍କ ଭିତରୁ ନିଶ୍ଚୟ କାହାରିକୁ ଗୋଟିଏ ପାଇବେ । ତା’ପରେ ହଠାତ୍‌ କ’ଣ ଭାବି କହିଲା–ତେବେ ସେମାନଙ୍କର ଠିକଣା ହୁଏତ ଗୋଟାଏ ଜାଗାରୁ ମିଳିପାରିବ ?

 

ଶତ୍ରୁଜିତଙ୍କ ଚକ୍ଷୁ ଉଜ୍ଜ୍ୱଳ ହୋଇଉଠିଲା । ଉତ୍କଣ୍ଠିତା ଭାବରେ ସେ କହିଲେ–କୋଉଠୁ-?

 

କଲିକତାରୁ...ଅବଶ୍ୟ ମୋର ଅନୁମାନ ଯେ କେତେଦୂର ସତ ସେକଥା ମୁଁ କହିପାରୁନାହିଁ । ତଥାପି ଏଠାକୁ ଆସିବା ଆଗରୁ ଅକ୍ଷୟ ସେନ୍‌ ମୋତେ କଲିକତାର....ହଠାତ୍‌ ରହିଗଲା ମାୟା; ହୁଏତ ସେ କ’ଣ ମନେ ପକାଇବାକୁ ଚେଷ୍ଟା କରି ପାରୁ ନ ଥିଲା । ତା’ପରେ କହିଲା—କଲିକତା ମହାନଗରୀ ସହିତ ମୋର ବିଶେଷ ପରିଚୟ ନ ଥିବାରୁ ହଠାତ୍‌ ସେ ସ୍ଥାନଟିର ନାମ ମୋର ମନେ ପଡ଼ୁନାହିଁ । ତଥାପି ତାହା ଗୋଟିଏ ପ୍ରକାଣ୍ଡ ତ୍ରିତଳ ପ୍ରାସାଦ । ଉପରେ ‘ମନାଶ୍ରୀ’ ପିକ୍‌ଚରସର ସାଇନ୍‌ବୋର୍ଡ ରହିଛି ।

 

ବହୁତ ଧନ୍ୟବାଦ । ତା’ହେଲେ ଅକ୍ଷୟ ସେନ୍‌ ତମକୁ ସେଠାକୁ ନେଇଯାଇଥିଲା ?

 

ହଁ । ତା’ ସହିତ ସେଠାରେ ମୁଁ ପ୍ରାୟ ଦଶଦିନ ରହିଥିଲି । ଆଉ ସେଠାରେ ଅନେକଗୁଡ଼ିଏ ଝିଅଙ୍କ ସହିତ ମୋର ମଧ୍ୟ ସାକ୍ଷାତ୍‌ ହୋଇଥିଲା । ମୋର ଯେତେଦୂର ବିଶ୍ୱାସ ସେମାନେ ମଧ୍ୟ ମୋ’ରି ପରି ସେତେବେଳେ ନୂଆ ଥିଲେ ।

 

ଛାୟା ନିଜର ନୋଟ୍‌ବୁକ୍‌ଟି ବନ୍ଦ କରି କହିଲା—ଅକ୍ଷୟ ସେନ୍‌କୁ ବାଦ୍‌ଦେଇ ଆଉ କେହି ପୁରୁଷ ଲୋକ ସେଠାରେ ଥିଲେ ନିଶ୍ଚୟ ?

 

ହଁ, ପ୍ରାୟ ୫।୬ ଜଣ । ସେମାନେ ହେଲେ ନୃତ୍ୟସଙ୍ଗୀତ ଶିକ୍ଷକ । ଆଉ ପ୍ରକୃତରେ ଏଇ କାରବେଟ୍‌ ଡ୍ୟାନ୍‌ସର ତାଲିମ ମୁଁ ସେଇଠାରୁ ପାଇଥିଲି । କିନ୍ତୁ ସମସ୍ତେ ଅକ୍ଷୟ ସେନ୍‌କୁ ସମ୍ମାନ ଦେଉଥିଲେ ।

 

ତା’ପରେ ବେଶ୍‌ ଦୀର୍ଘ କିଛି ସମୟ ପାଇଁ ଗତିଶୀଳ ଯାନ ଭିତରେ ଗମ୍ଭୀରତା ବ୍ୟାପି ରହିଥିଲା । ଗଭୀର ଚିନ୍ତା ଭିତରେ ବୁଡ଼ିରହି ଦ୍ରୁତବେଗରେ ଗାଡ଼ିଟିକୁ ଚଳାଇବାରେ ଲାଗିଥିଲେ ଶତ୍ରୁଜିତ୍‌ । ଏରୋଡ୍ରୋମରେ ପହଞ୍ଚୁ ପହଞ୍ଚୁ ପାଞ୍ଚଟା ବାଜି ପନ୍ଦର ମିନିଟ୍‌ ଅତିକ୍ରାନ୍ତ ହୋଇସାରିଥିଲା-। ଠିକ୍‌ ତା’ର କିଛି ସମୟ ଆଗରୁ ଏସ୍‌. ପି. ରଜତ ବହିଦାର ଆଉ ବାନାମ୍ବର ମହାପାତ୍ର ଆସି ପହଞ୍ଚିଥିଲେ ।

 

ଶତ୍ରୁଜିତ୍‌ଙ୍କ ସହିତ ମାୟାକୁ ଦେଖି ଏସ୍‌. ପି. ସାହେବ ଆନନ୍ଦିତ ହୋଇଉଠିଲେ—ତା’ ହେଲେ ଶେଷରେ ସରିତାଙ୍କୁ ଆପଣ ପାଇଲେ ?

 

କେବଳ ସରିତା ନୁହେ, ଆଜ୍ଞା କଲିକତାରେ ଥିବା ସେମାନଙ୍କର ତାଲିମ କେନ୍ଦ୍ରର ସୂଚନା ମଧ୍ୟ ମିଳିଛି । ମୋର ମନେହୁଏ ଆପଣ ପାଞ୍ଚ ସିଟର୍‌ର ବନ୍ଦୋବସ୍ତ କରିସାରିଛନ୍ତି । କିନ୍ତୁ ସରିତା ମଧ୍ୟ ସେଠାକୁ ଯିବା ନିହାତି ଦରକାର ।

 

ବେଶ୍‌ ଆପଣମାନେ ବସନ୍ତୁ । ମୁଁ ସେସବୁର ବନ୍ଦୋବସ୍ତ କରିଆସୁଛି । ଏସ୍‌. ପି. ସାହେବ ଦ୍ରୁତବେଗରେ ଓ୍ୱେଟିଂ ରୂମ୍‌ରୁ ବାହାରକୁ ଚାଲିଗଲେ । ମାୟା ଉପରୁ ଦୃଷ୍ଟି ଫେରାଇଆଣି ଶତ୍ରୁଜିତ୍‌ ନିକଟସ୍ଥ ଟେଲିଫୋନ୍‌ ବୁଥ୍‌ ଭିତରକୁ ଯାଇ ନିଜ ନମ୍ବରକୁ ରିଂ କଲେ ।

 

ଉତ୍ତର ଆସିଲା—ତନ୍ମୟବାବୁ ସୌଭାଗ୍ୟ ମିଶ୍ରଙ୍କୁ ନିଜର ଦୃଷ୍ଟି ଭିତରେ ରଖିଛନ୍ତି । ସେ ଏବେ ହୋଟେଲ ‘ମେରୀନା’ରେ ରହୁଛନ୍ତି । ସୌଭାଗ୍ୟ ମିଶ୍ର ଅପ୍‌ଷ୍ଟେୟାରରେ । ଆପଣଙ୍କ ଅପେକ୍ଷାରେ ସେ ରହିଛନ୍ତି ।

 

ବହୁତ ଧନ୍ୟବାଦ, ସୁବ୍ରତ ! ଆମେ ବୋଧହୁଏ କାଲି ସଂଧ୍ୟା ସୁଦ୍ଧା ଫେରିଆସିବୁଁ । ତା’ ପୂର୍ବରୁ ତମେ ମିଶ୍ର ଏଣ୍ଡ୍‌ ମିଶ୍ର ଏଣ୍ଟରପ୍ରାଇଜର୍ସ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କର । ରିସିଭର ରଖି ଫେରିଆସିବା ବେଳେ ପ୍ରସନ୍ନ ବଦନରେ ଏସ୍‌. ପି. ସାହେବ କହିଲେ—ପ୍ଲେନ୍‌ର ବନ୍ଦୋବସ୍ତ ହେଇଗଲା । ଏବେ ସମସ୍ତେ ଆସନ୍ତୁ ।

 

ବହୁବଜାର ପୋଲିସ୍‌ଷ୍ଟେସନରୁ ସହାସ୍ୟ ବଦନରେ ଛାୟା ସହିତ ଶତ୍ରୁଜିତ୍‌ ବାହାରକୁ ଆସିଲେ । ଟ୍ୟାକ୍‌ସିଟା ମିଳିବାରେ ବି ବିଳମ୍ବ ହେଲା ନାହିଁ । କେତେକ ମୁହୂର୍ତ୍ତ ପରେ ଲୋଅର ଚିତ୍‌ପୁର ରୋଡରେ ଥିବା ହୋଟେଲ ‘ମେରୀନା’ ନିକଟରେ ଟ୍ୟାକ୍‌ସି ଆସି ଅଟକିଲା ତନ୍ମୟ ଅପେକ୍ଷା କରିଥିଲେ । ଏମାନଙ୍କୁ ସାଙ୍ଗରେ ନେଇ ନିଜେ ରହୁଥିବା ପ୍ରକୋଷ୍ଠ ଭିତରେ ପ୍ରବେଶ କରି କୋଠରିର ଦ୍ୱାର ବନ୍ଦ କଲେ ।

 

ଖଣ୍ଡିଏ ସିଗାରେଟରେ ଅଗ୍ନି ସଂଯୋଗ କରୁକରୁ ଶତ୍ରୁଜିତ୍‌ କହିଲେ—ତମେ ଯେ ଏତେ ଦୂରଦର୍ଶିତା ସହକାରେ ଆଗେଇ ଆସିବ ମୁଁ କେବେ ଭାବି ପାରି ନ ଥିଲି, ତନ୍ମୟ ! ଅବଶ୍ୟ ତମ ଖବର ପାଇବା ଆଗରୁ ଏସ୍‌. ପି. ଏଠାକୁ ଓୟାରଲେସ୍‌ ମେସେଜ୍‌ ପଠାଇଥିଲେ । କିନ୍ତୁ ମୁଁ ଯାହା ଭାବିଥିଲି ଫଳ ଠିକ୍‌ ତାହା ହିଁ ହେଲା । ଏଠାକାର ପୋଲିସ୍‌ ସୌଭାଗ୍ୟ ମିଶ୍ରକୁ ଫଲୋ କରିପାରି ନ ଥିଲେ ।

 

ତା’ ହେଲେ ଆପଣଙ୍କ ସହିତ...

 

ଏସ୍‌. ପି. ମିଷ୍ଟର ବହହିଦାର ଆଉ ଜୟରାମ ମିଶ୍ରଙ୍କର ଆଡ୍‍ଭୋକେଟ୍‌ ମିଷ୍ଟର ବାନାମ୍ବର ମହାପାତ୍ର ବହୁ ବଜାର ପୋଲିସ୍‌ଷ୍ଟେସନରେ ଅପେକ୍ଷା କରିଛନ୍ତି । ଏବେ ସୌଭାଗ୍ୟ ମିଶ୍ର....

 

ସୌଭାଗ୍ୟ ମିଶ୍ର ଏଇ ୧୫ ମିନିଟ୍‌ ଆଗରୁ ବେଣ୍ଟିକ ଷ୍ଟ୍ରିଟରୁ ଫେରିଲା ।

 

ବେଣ୍ଟିକ୍‌ ଷ୍ଟ୍ରିଟ୍‌ ?

 

ହଁ, ମୁଁ ତାକୁ ଖୁବ୍‌ ଗୋପନରେ ଅନୁସରଣ କରି ଯାଇଥିଲି । ସେଠାରେ ‘‘ମନାଶ୍ରୀ ପିକ୍‌ଚର୍ସ’’ ଲେଖାଥିବା ଏକ ବିଲଡ଼ିଂ ଭିତରକୁ ଯାଇ ଅଧଘଣ୍ଟାଏ ପରେ ଫେରିଲା । ତା’ପରେ ସିଧାସଳଖ ଏହି ହୋଟେଲ୍‌କୁ । ଏବେ ସେ ଅପ୍‌ଷ୍ଟୟାରର ରୂମ୍ ନଂ୫୫ରେ ରହିଛି ।

 

ତା’ପରେ.....

 

ସେଠାରୁ ଫେରିବା ପରେ ସେ ସୁଧପୁର ଟେଲିଫୋନ କରିଥିଲା ।

 

ସୁଧପୁର.... ?

 

ଏଇ ହୋଟେଲର ଟେଲିଫୋନ ଅପରେଟରଙ୍କୁ ମୁଁ ନିଜର ପରିଚୟ ଦେଇ ସେ କୁଆଡ଼େ ଟେଲିଫୋନ କଲେ ମୋତେ ଜଣାଇବାକୁ କହିଥିଲି । ତେଣୁ ସୌଭାଗ୍ୟ ମିଶ୍ର ଟ୍ରଙ୍କକଲ୍ ବୁକ୍ କରିବା ସଙ୍ଗେ ସଙ୍ଗେ ସେ ମେତେ ଜଣାଇଲେ । ଆଉ କ୍ରସ୍ ଲାଇନ ବି ଦେଇଥିଲେ ।

 

ଶତ୍ରୁଜିତ୍‌ଙ୍କ ଚକ୍ଷୁ ପୁଣି ଥରେ ଉଜ୍ୱଳ ହୋଇଉଠିଲା । ଉତ୍କଣ୍ଠିତ ଭାବରେ କହିଲେ—କାହା ସହିତ ସେ କଥାବାର୍ତ୍ତା କରୁଥିଲା ?

 

ରୀତା ବୋଲି ଜଣେ ସ୍ତ୍ରୀଲୋକ ସାଙ୍ଗରେ । ମୋର ମନେହୁଏ ଉଭୟଙ୍କର ସମ୍ପର୍କ ଖୁବ୍ ମଧୁର । ଆଜି ଆଠଟାବେଳେ ସେ ଏଇଠାକୁ ଆସିବ । ସେମାନଙ୍କ କଥାବାର୍ତ୍ତାରୁ ମୁଁ ଜାଣିଲି ସେମାନେ କାଲି ସକାଳ ସାତଟା ପ୍ଲେନ୍‌ରେ ସିଙ୍ଗାପୁର ଯାଉଛନ୍ତି ।

 

ସିଙ୍ଗାପୁର ?

 

ହଁ ।

 

ଓଃ ! ତମେ ଯଦି ତାକୁ ଫଲୋ କରି ନ ଥା’ନ୍ତ ତା’ହେଲେ ଆଉ ହୁଏତ ସୌଭାଗ୍ୟ ମିଶ୍ରକୁ ଧରିପାରିବା ଆମ ପକ୍ଷରେ ସମ୍ଭବ ହୋଇ ନ ଥାନ୍ତା ।

 

କିନ୍ତୁ....ସୌଭାଗ୍ୟ ମିଶ୍ରର ଅପରାଧ କ’ଣ ?

 

ଅସଂଖ୍ୟ ଅପରାଧରେ ଅପରାଧୀ ସେ । ପ୍ରଥମେ ଅବଶ୍ୟ ଏ ଘଟଣାଟା ସାମାନ୍ୟ ବୋଲି ମୋର ମନେ ହେଉଥିଲା । ତମେ ଜାଣିନ, ତନ୍ମୟ, ଗତକାଲି ଭିତରେ ଦୁଇ ଦୁଇଟା ହତ୍ୟାକାଣ୍ତ ସେ ଘଟେଇଛି ।

 

କିନ୍ତୁ କେମିତି ?

 

ମୋର ଯେତେଦୂର ମନେହୁଏ ସବୁଗୁଡ଼ିକ ପାଞ୍ଚଟା ପୂର୍ବରୁ । ଆଉ ଉଭୟ ହତ୍ୟାକାଣ୍ତ ସେ ଏତେ ଚତୁରତାର ସହିତ ସମ୍ପନ୍ନ କରିଛି ଯେ ନିଜ ବିରୁଦ୍ଧରେ କୌଣସି ପ୍ରମାଣ ସେ ଛାଡ଼ି ଆସି ନାହିଁ ।

 

ତା’ହେଲେ ଜୟରାମ ମିଶ୍ର....

 

ଶତ୍ରୁଜିତ୍ ହସିଲେ । ଅସଲ ରହସ୍ୟ ସେଇଠାରେ ଅଟକିଛି, ତନ୍ମୟ ! ଅବଶ୍ୟ ସେ ନିଖୁଣ ଭାବରେ ଯୋଉ ଅପରାଧ କରିସାରିଛି, ଆଇନ ଅନୁସାରେ ପୋଲିସ ତାକୁ ଗିରଫ କରିବା ଭଳି ପ୍ରମାଣ କିଛି ନାହିଁ । ଅଥବା ଗିରଫ କଲେ କିଛି ଫଳ ମିଳିବାର ଆଶା ନ ଥିଲା ।

 

ତା’ହେଲେ....

 

ପୁଣି ହସିଲେ ଶତ୍ରୁଜିତ୍ । ଯୋଉ ଫାଶ ବସାଇ ସେ ନିର୍ବିଘ୍ନରେ ଭାରତ ଛାଡ଼ି ପଳାଇଯିବାକୁ ବସିଥିଲା, ସେଇ ଫାଶ ଯେ ତା’ର ଗଳାକୁ ଚାପି ଧରିବ ଏ ବିଶ୍ୱାସ ସେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବି କରିପାରିବ ନାହିଁ ।

 

ଦୁର୍ବୋଧ୍ୟ ଭଙ୍ଗୀରେ ଶତ୍ରଜିତ୍‌ଙ୍କୁ ଅନାଇ ରହିଲେ ତନ୍ମୟ ।

 

ତାଙ୍କର ମନୋଭାବ ବୁଝିପାରି ଶତ୍ରୁଜିତ୍ କହିଲେ—ଏବେ ତ ଆଠଟା ବାଜିବାକୁ ବସିଲାଣି । ତମେ ସିଧାସଳଖ ବହୁବଜାର ପୋଲିସ ଷ୍ଟେସନକୁ ଫୋନ୍ କରି ଏସ. ପି. ସାହେବ ଇତ୍ୟାଦିଙ୍କୁ ଏଠାକୁ ଆସିବାକୁ କୁହ ।

 

ତନ୍ମୟ ରିସିଭର ଉଠାଇ ସମ୍ୱାଦଟି ଜଣାଇଦେଲି । ପର ମୁହୂର୍ତ୍ତରେ କବାଟରେ ନକ୍ ହେଲା । ରିସିଭର ରଖି ଦ୍ୱାରା ଖୋଲିଲେ ତନ୍ମୟ ।

 

ଜଣେ ଯୁବକ ଭିତରକୁ ପ୍ରବେଶ କରି ଏମାନଙ୍କୁ ଦେଖିବା ମାତ୍ରେ ତନ୍ମୟଙ୍କୁ ଅନାଇ ରହିଲେ ।

 

ଏ ହେଉଛନ୍ତି ଶତ୍ରୁଜିତ୍ ଆଉ ତାଙ୍କର ସେକ୍ରେଟେରୀ ଛାୟା । ଆଉ ଏ ହେଉଛନ୍ତି ମିଷ୍ଟର ବାନାର୍ଜୀ, ଟେଲିଫୋନ୍ ଆରେଟର ।

 

ଆପଣଙ୍କର ସାହାଯ୍ୟ ପାଇଁ ଧନ୍ୟବାଦ ନ ଦେଇ ରହିପାରୁ ନାହିଁ, ମିଷ୍ଟର ବାନାର୍ଜୀ ! ବସନ୍ତୁ ।

 

ବହୁତ ଧନ୍ୟବାଦ, ଆଜ୍ଞା ! ଡକ୍‌ଟର ତନ୍ମୟଙ୍କୁ ଏକ ଜରୁରୀ ଖବର ଜଣାଇବାକୁ ମୁଁ ଆସିଥିଲି ।

 

ବେଶ୍, କୁହନ୍ତୁ ।

 

ଏବେ ଜଣେ ତରୁଣୀ ଦୁଇଟି ଲେଦର ସୁଟକେସ୍ ନେଇ ରୁମ୍ ନମ୍ୱର ୫୫କୁ ଗଲେ । ପରେ ପରେ ଜଣେ ୱେଟର ପାଖରୁ ମୁଁ ସମ୍ୱାଦ ପାଇଲି ଯେ ନ’ଟା ବେଳେ ସେମାନେ ଏ ହେଟେଲ ଛାଡ଼ି ଚାଲିଯାଉଛନ୍ତି ।

 

ମାନେ, ଆଜି ରାତି ନଅଟାରେ....

 

ହଁ । ପରେ ଟେଲିଫୋନରେ ମେନେଜରଙ୍କୁ ବି ସେ ଏକଥା ଜଣାଇ ଦେଇଛନ୍ତି । କିନ୍ତୁ ଡକ୍‌ଟର ତନ୍ମୟ, ଆପଣ ଆପଣଙ୍କର ପ୍ରତିଶ୍ରୁତି ପାଳନ କରିବେ ବୋଲି ମୁଁ ଆଶାକରେଁ ।

 

ଓ....ୟେସ୍ ! ଆନନ୍ଦରେ ମିଷ୍ଟର ବାନାର୍ଜୀଙ୍କ ସହ କରମର୍ଦ୍ଦନ କରୁ କରୁ ତନ୍ମୟ କହିଲେ–ଆପଣଙ୍କର ଏ ସାହାଯ୍ୟ ଭୁଲି ହେବ ନାହିଁ, ମିଷ୍ଟର ବାନାର୍ଜୀ ! ଗଲାବେଳେ ଆମେ ନିଶ୍ଚୟ ଆପଣଙ୍କୁ ସାକ୍ଷାତ୍ କରିବୁଁ ।

 

ମିଷ୍ଟର ବାନାର୍ଜୀ କୃତକୃତ୍ୟ ହୋଇ ଚାଲିଗଲେ । ତାଙ୍କ ଗତିପଥ ଉପରୁ ଦୃଷ୍ଟି ଫେରାଇ ତନ୍ମୟ କହିଲେ—ହଠାତ୍ ସୌଭାଗ୍ୟ ମିଶ୍ର ଏ ହୋଟେଲ ଛାଡ଼ିବାର ଉଦ୍ଦେଶ୍ୟ କିଛି ଜଣାଗଲା ନାହିଁ ।

 

ପୁଣି ଦ୍ୱାରଦେଶରେ ଆଘାତ ହେଲା । ତନ୍ମୟ ଦ୍ୱାରା ଖୋଲିବା ମାତ୍ରେ ଏସ. ପି.ଙ୍କ ସହ ଅନ୍ୟମାନେ ଭିତରକୁ ଆସିଲେ । ସେମାନଙ୍କୁ ଦେଖିବା ସଙ୍ଗେ ସଙ୍ଗେ ଛିଡ଼ା ହୋଇପଡ଼ି ଶତ୍ରୁଜିତ୍ କହିଲେ—ଆଉ ଅପେକ୍ଷା କରିବାର ଆବଶ୍ୟକତା ନାହିଁ, ଆଜ୍ଞା ! ହୁଏତ ସୌଭାଗ୍ୟ ମିଶ୍ର ଆଉ କେଇ ମିନିଟ୍ ଭିତରେ ଏ ହୋଟେଲ ପରିତ୍ୟାଗ କରିପାରନ୍ତି ।

 

ସିଧାସଳଖ ତାଙ୍କ କୋଠରିକୁ ?

 

ଆସନ୍ତୁ । ଶତ୍ରୁଜିତ୍‌ଙ୍କ ପଛେ ପଛେ ସମସ୍ତେ ପାହାଚ ପରେ ପାହାଚ ଡେଇଁ ଅପ୍ ଷ୍ଟେୟାରର ୫୫ନମ୍ୱର କୋଠରି ଆଗରେ ପହଞ୍ଚିଲେ । ଦ୍ୱାର ଭିତରୁ ବନ୍ଦ ହୋଇଥିଲା । ଅନ୍ୟମାନଙ୍କୁ ସତର୍କ ରହିବାକୁ କହି କଲିଂ ବେଲରେ ହାତ ଦେଲେ ଶତ୍ରୁଜିତ୍ । ପର ମୁହୂର୍ତ୍ତରେ ଦ୍ୱାର ଖୋଲିଗଲା ।

 

ଦ୍ୱାର ଖୋଲୁଥିବା ଲୋକଟି ଶତ୍ରୁଜିତ୍‌ଙ୍କୁ ଦେଖି ଆଶ୍ଚର୍ଯ୍ୟରେ କହିଉଠିଲା—ଆପଣ ?

 

ଚିହ୍ନିପାରୁ ନାହାନ୍ତି ବୋଧହୁଏ, ଭିତରକୁ ଚାଲନ୍ତୁ...

 

ଆପଣଙ୍କର ପରିଚୟ..... ?

 

ଦୁନିଆରେ ସମସ୍ତଙ୍କୁ ଠକିଲେ ବି ମୋତେ ଠକିପାରିବେ ନାହିଁ, ମିଷ୍ଟର ମିଶ୍ର ! ଭିତରକୁ ଚାଲନ୍ତୁ ।

 

କିନ୍ତୁ ଆପଣ କିଏ ?

 

କାଳ ବିଳମ୍ୱ ନ କରି ଦ୍ୱାର ପୂରାପୂରି ଖୋଲିଦେଲେ ଶତ୍ରୁଜିତ୍ । ବେଡ୍ ଉପରେ ବସିଥିବା ସ୍ତ୍ରୀଲୋକଟି ହଠାତ୍ ଓଢ଼ଣା ଭିତରେ ନିଜର ମୁଖମଣ୍ତଳ ଆବୃତ କରି ଛିଡ଼ା ହୋଇପଡ଼ିଲା-

 

ମୁହୂର୍ତ୍ତକ ପାଇଁ ଶତ୍ରୁଜିତ୍ ଚମକି ଉଠିଲେ । ପରେ ପରେ ଏସ୍. ପି. ଆଉ ରଜତ ବହିଦାର ଭିତରକୁ ଚାଲିଆସିଲେ ।

 

ମିଷ୍ଟର ମିଶ୍ର, ସୌଭାଗ୍ୟ ମିଶ୍ରଙ୍କର ହତ୍ୟାକାରୀ ଭାବରେ ଆପଣଙ୍କୁ ଗିରଫ କରିବାପାଇଁ ଆମେମାନେ ଆସିଛୁଁ । ମୋର ମନେହୁଏ ଏ ଘଟଣାରେ ଆପଣଙ୍କର ଆଉ କିଛି କହିବାର ନାହିଁ ।

 

ସୌଭାଗ୍ୟ ମିଶ୍ର ହସିଲେ । ଆପଣ ସୁସ୍ଥ ମସ୍ତିଷ୍କରେ ଏକଥା କହିପାରୁଛନ୍ତି ତ ? ମୁଁ ନିଜେ ହେଉଛି ସୌଭାଗ୍ୟ ମିଶ୍ର ।

 

ଏସ. ପି. ଆଉ ରଜତ ବହିଦାର ବିସ୍ମିତ ଭାବରେ ଶତ୍ରୁଜିତ୍‌ଙ୍କୁ ଅନାଇ ରହିଥିଲେ । ସେମାନଙ୍କ ଉପରୁ ଦୃଷ୍ଟି ଫେରାଇ ସୌଭାଗ୍ୟ ମିଶ୍ର କହିଲେ—ମୁଁ ଯେ ନିଜେ ସୌଭାଗ୍ୟ ମିଶ୍ର ଏକଥା ଜାଣିବା ପରେ ଆପଣଙ୍କର ଭୁଲ ପାଇଁ ଆପଣ କ୍ଷମା ମାଗିବା ଉଚିତ ।

 

ମୋର ତ ଭୁଲ ହୋଇଛି ନିଶ୍ଚୟ । ଏଇ ଭୁଲ ହୋଇ ନ ଥିଲେ ଜୟରାମ ମିଶ୍ରରୁ ସୌଭାଗ୍ୟ ମିଶ୍ର ସାଜିବା ପାଇଁ ଆପଣ ବି ସୁଯୋଗ ପାଇପାରି ନ ଥାନ୍ତେ । ଆଉ ସେଇ ସୁଯୋଗର ଅନ୍ତରାଳରେ ଦୁଇ ଦୁଇଟା ହତ୍ୟାକାଣ୍ତ ଘଟାଇ ଆସନ୍ତା କାଲି ସକାଳେ ସପତ୍ନୀକ ସିଙ୍ଗାପୁର ଯାତ୍ରା କରିବା....

 

ମିଷ୍ଟର ଶତ୍ରୁଜିତ୍, ଜୟରାମ ମିଶ୍ର ଯେ ମୃତ ! ଏସ. ପି. ସାହେବ ଆଉ ନିଜର ଉତ୍କଣ୍ଠା ଲୁଚାଇ ନ ପାରି ପ୍ରଶ୍ନ କଲେ ।

 

ପୁଣି ଥରେ ହସିଲେ ଶତ୍ରୁଜିତ୍ । ତାଙ୍କର ସେଇ ହସରେ କ୍ଷଦ୍ର ପ୍ରକୋଷ୍ଟଟି ପ୍ରକମ୍ପିତ ହୋଇପଡ଼ିଲା । ପୁଣି ନିଜକୁ ସେ ସଂଯତ କରିନେଇ କହିଲେ—ଅବଶ୍ୟ ମୁଁ ପ୍ରଥମରୁ ହଁ ଏଇ ଘଟଣାଟିକୁ କେମିତି ସନ୍ଦେହ ଚକ୍ଷୁରେ ଦେଖୁଥିଲି । ତା’ର ପ୍ରଧାନ କାରଣ ହେଲା, ଆଜି ଯେତେବେଳେ ଜୟରାମ ମିଶ୍ରଙ୍କ ଶବକୁ ମିଷ୍ଟର ମହାପାତ୍ର ଅନୁମୋଦନ କଲେ, ମୁଁ ସନ୍ଦେହରେ ପଡ଼ିଗଲି । କାରଣ ଗତକାଲି ଚାରିଟା ବେଳେ ଠିକ୍ ସେଇ ସୁଟ୍ ଆଉ ଶାର୍ଟ ପିନ୍ଧି ଜୟରାମ ମିଶ୍ର ମୋ ପାଖକୁ ଯାଇଥିଲେ ଆଉ ତାଙ୍କ ମୁଣ୍ତର ବାଳ ଧଳା ପଡ଼ିଯାଇଥିଲା । କିନ୍ତୁ ତାଙ୍କର ଶବ ଆବିଷ୍କାର ହେବା ପରେ ତାଙ୍କ ମୁଣ୍ତରେ ଗଭୀର କ୍ଷତ ଚିହ୍ନ ଥିଲେ ବି ଅକାରଣରେ ହାତ, ଗୋଡ଼ ଆଉ ମୁଖମଣ୍ତଳ ବିକୃତ କରିଦିଆଯାଇଥିଲା ।

 

ମୁଁ ଆପଣଙ୍କ କଥା ଠିକ୍ ଭାବରେ ବୁଝିପାରିଲି ନାହିଁ, ମିଷ୍ଟର ଶତ୍ରୁଜିତ୍ ! ଗମ୍ଭୀର କଣ୍ଠରେ ଏସ୍. ପି. ସାହେବ କହିଉଠିଲେ ।

 

ମୁଣ୍ତରେ ଯୋଉ କ୍ଷତଚିହ୍ନ ଥିଲା ତାହା ଆତତାୟୀର ତାଙ୍କ ପ୍ରତି ପ୍ରଥମ ଆକ୍ରମଣ । ସେଇଥିରେ ଜୟରାମ ମିଶ୍ର ମୃତ୍ୟୁ ଲଭିଥିବା ସ୍ୱାଭାବିକ । ତେବେ ପରେ କାହିଁକି ତାଙ୍କ ମୁଖମଣ୍ତଳ ଆଉ ହାତ ଅଥବା ଗୋଡ଼ରେ ଅଯଥା ଆଘାତ କରାଯାଇଥିଲା ଏହି ଦ୍ୱନ୍ଦ୍ୱରେ ପହଞ୍ଚି ମୁଁ ନିଶ୍ଚିତ ହେଲି ଯେ ଶବର ଉପରୋକ୍ତ ଅଂଶଗୁଡିକ ବିକୃତ କରି ପ୍ରକୃତ ସନାକ୍ତକୁ ଗୋଳମାଳ ଭିତରେ ରଖିବା ହେଲା ହତ୍ୟାକାରୀର ଉଦ୍ଦେଶ୍ୟ ।

 

—ସେତେବେଳେ ମୋ ମନରେ ହଠାତ୍ କାହିଁକି ସନ୍ଦେହ ହେଲା, ଯୋଉ ଶବଟି ଉଦ୍ଧାର କରାଯାଇଛି, ତାହା ପ୍ରକୃତରେ ଜୟରାମ ମିଶ୍ରଙ୍କର ନୁହେଁ । ଦ୍ୱିତୀୟ ସନ୍ଦେହ ସୃଷ୍ଟି ହେଲା ଜୟରାମ ମିଶ୍ରଙ୍କର କୌଣସି ଫଟୋଗ୍ରାଫ୍ ନ ଥିବା ଯୋଗୁ । କାରଣ ମିଷ୍ଟର ମହାପାତ୍ର କହିଥିଲେ, ଜୟରାମ ମିଶ୍ର ଫଟୋ ଉଠାଇବାରେ ଆଦୌ ପକ୍ଷପାତୀ ନ ଥିଲେ ।

 

ଶତ୍ରୁଜିତ୍‌ଙ୍କୁ ଆଉ କିଛି କହିବାର ଅବସର ନ ଦେଇ ସୌଭାଗ୍ୟ ମିଶ୍ର କହିଲେ—ମୁଁ ନିଜେ ବଞ୍ଚି ଥାଉଁଥାଉଁ ଆପଣ ମୋତେ ଯୋଉଭଳି ଭାବରେ ମୃତ ବୋଲି ବର୍ଣ୍ଣନା କରୁଛନ୍ତି, ଆପଣ ଭାବୁଛନ୍ତି.....

 

ସେ କଥା ମୁଁ ଚିନ୍ତା କରିସାରିଛି, ମିଷ୍ଟର ମିଶ୍ର ! ଆଉ ଆପଣ ଯେ ଆପଣଙ୍କ ସପକ୍ଷରେ କ’ଣ ପ୍ରମାଣ ରଖିଛନ୍ତି ତାହା ମୁଁ ଜାଣେ । ଆହୁରି ମଧ୍ୟ ମୁଁ ଜାଣିଛି ଯେ ସୌଭାଗ୍ୟ ମିଶ୍ରଙ୍କୁ ଦୂର କରି ତାଙ୍କର ସମଗ୍ର ସମ୍ପତ୍ତି ଗ୍ରାସ କରିବାପାଇଁ ଆପଣ ବହୁପୂର୍ବରୂ ଯୋଜନା କରିଆସୁଥିଲେ ।

 

ମିଷ୍ଟର ଶତ୍ରୁଜିତ୍ !

 

ଆଉ ଆପଣ ଏକଥା ମଧ୍ୟ ଭଲ ଭାବରେ ଜାଣିଥିଲେ ଯେ ପୋଲିସ ମୋ କଥା ନିଶ୍ଚିତ ଭାବରେ ବିଶ୍ୱାସ କରିବ । ସେଇଥିପାଇଁ ଆପଣ କାଲି ଉପରଓଳି ସାଢ଼େ ଚାରିଟା ବେଳେ ମୋ ପାଖକୁ ଯାଇଥିଲେ । ତା’ ପୂର୍ବରୂ ଆପଣଙ୍କ ସ୍ତ୍ରୀ ରୀତାଙ୍କୁ ଶ୍ରୀମତୀ ଦାସଙ୍କ ଛଦ୍ମ ନାମରେ ମୋ ପାଖକୁ ପଠାଇଥିଲେ ।

 

—ଅର୍ଥାତ୍, ଏକ ତୀରରେ ତିନୋଟି ପକ୍ଷୀ ଓ ଶିକାର କରିବାର ଉଦ୍ଦେଶ୍ୟ ଆପଣଙ୍କର ରହିଥିଲା । ପ୍ରଥମରେ ‘ମନାଶ୍ରୀ ପିକ୍‌ଚର୍ସ’’ ନାମରେ ସୁନ୍ଦରୀ ଝିଅମାନଙ୍କୁ ଟ୍ରାପ କରି ସେମାନଙ୍କୁ ଅଶ୍ଳୀଳ ନୃତ୍ୟରେ ବିଭିନ୍ନ ଅନୁଷ୍ଠାନ ସହିତ ସଂପୃକ୍ତ କରାଇ ବହୁ ପରିମାଣରେ ଅର୍ଥାଗମ କରୁଥିଲେ-। ଶେଷରେ ଆପଣଙ୍କର ଶିକାର ହେଲା ମାୟା । ମାୟା ଯେ କିଏ ଆପଣ ଭଲ ଭାବରେ ଜାଣନ୍ତି । ଆଉ ତାକୁ କିପରି ଆପଣଙ୍କ ଲୋକେ ଟ୍ରାପ୍ କଲେ ସେ କଥା ବି ଜାଣିଛନ୍ତି । ଆଉ ତାର ସବୁ ପ୍ରମାଣ ମଧ୍ୟ ମୋ ପାଖରେ ରହିଛି । ତେବେ ଆପଣମାନଙ୍କ ଜାଲରେ ଯେ ମାୟା ପଡ଼ିଯାଇଛି ଅଥବା ଅନ୍ୟ କୌଣସି ଅସତ୍ ଉଦ୍ଦେଶ୍ୟରେ ସେ ତାର ପିତାମାତାଙ୍କ ବାକ୍ୟ ଲଙ୍ଘନ କରିଛି ସେକଥା ତାର ମାଆ ଜାଣିପାରିଲେ କାରବେଟ ନୃତ୍ୟରେ ରତ ଥିବା ମାୟାର ଏକ ଫଟୋଗ୍ରାଫ୍ ପାଇ । ସେଇଥି ପାଇଁ ତାଙ୍କ ସ୍ୱାମୀଙ୍କ ଅଜଣାରେ ତାଙ୍କର ଜଣେ ବିଶ୍ୱସ୍ତ ଅନ୍ତରଙ୍ଗଙ୍କୁ ଏଠାକୁ ପଠାଇଥିଲେ, ଯେ କି ପଅର ସନ୍ଧ୍ୟାରେ ‘‘ଲା-ବେଲା’’ରେ ମାୟା ଓରଫ ସରିତାକୁ ଦେଖା କରିବାପାଇଁ ଖଣ୍ତେ ଚିଠି ପଠାଇଥିଲେ । ସେଇ ଚିଠି ତା’ର ମେନେଜର ଅକ୍ଷୟ ସେନର ହସ୍ତଗତ ହେଲା ଆଉ ସେ ଆପଣଙ୍କୁ ମଧ୍ୟ ସେ କଥା ଜଣାଇଥିଲା । ଏହା ପୂର୍ବରୁ ‘ଲା-ବେଲା’ରେ ଚାଲିଥିବା ଅବୈଧ କାର୍ଯ୍ୟ ସମ୍ପର୍କରେ ପୋଲିସ ପକ୍ଷରୁ ତନାଘନା ତଦନ୍ତ ଚାଲିଥିଲା । ତେଣୁ ଆପଣଙ୍କର ଭବିଷ୍ୟତ କ୍ରମେ ଅନ୍ଧକାର ହୋଇବାର ସମସ୍ତ ବନ୍ଦୋବସ୍ତ କରିଦେଲେ । ତା ପୂର୍ବରୂ ଆପଣଙ୍କର ସେୟାରଗୁଡ଼ିକ ମଧ୍ୟ ବିକ୍ରୟ କରିଦେଲେ । ଅବଶେଷରେ ରହିଲେ ସୌଭାଗ୍ୟ ମିଶ୍ର, ଆପଣଙ୍କ ବିଶ୍ୱସ୍ତ ଅନ୍ତରଙ୍ଗ, ଯିଏ ଆପଣଙ୍କର ସମସ୍ତ ଇତିବୃତ୍ତି ଜାଣିଥିଲେ ।

 

ମିଷ୍ଟର ଶତ୍ରୁଜିତ୍ ?

 

ମୋର ଅଭିଯୋଗ ଆପଣ ଅଦାଲତରେ ଖଣ୍ତନ କରିବାକୁ ଚେଷ୍ଟା କରିବେ, ମିଷ୍ଟର ମିଶ୍ର ! ଏଥର ଶୁଣନ୍ତୁ–ସୌଭାଗ୍ୟ ମିଶ୍ରଙ୍କୁ ହତ୍ୟା କଲେ ଆପଣ ସହଜରେ ଏଠାରୁ ଯାଇପାରିବା ନାହିଁ, ପୂରାପୂରି ଧରି ପଡ଼ିଯିବେ, ଏହା ସନ୍ଦେହ କରି ଗୋଟାଏ ବିଧିବଦ୍ଧ ଯୋଜନା ଆରମ୍ଭ କଲେ-। ଆପଣଙ୍କର ଏଇ ଯୋଜନାକୁ ସଫଳ କଲେ ଶ୍ରୀମତୀ ଦାସ । ସେ ମଧ୍ୟ ଆପଣଙ୍କର ଏକ ଉପଗ୍ରହ ଭଳି ମନେକରି ତାଙ୍କୁ ଦୂରେଇଦେଲେ । ଆଉ ତାଙ୍କରି ନାମରେ ମୋ ପାଖକୁ ପଠାଇଲେ ରୀତାଙ୍କୁ । ଆପଣ ଭଲ ଭାବରେ ଜାଣିଥିଲେ ଯେ ମୁଁ ଗୋଟାଏ କେସ୍ ଗ୍ରହଣ କରି ତାର ଅନୁସନ୍ଧାନ ଶେଷ ନ କଲେ ଆଉ କୌଣସି ଜରୁରୀ କେସ୍ ନିଏ ନାହିଁ । ଯାହାହେଉ ରୀତା ଓରଫ ଶ୍ରୀମତୀ ଦାସ ସରିତା ବିଷୟରେ ମୋତେ ସୂଚନା ଦେଲେ । ଆଉ ଠିକ୍ ପରେ ପରେ ଆପଣ ଆସିଲେ ।

 

ମିଶ୍ର ଏଣ୍ଡ ମିଶ୍ର ଏଣ୍ଟରପ୍ରାଇଜର୍ସ୍‌ ସହ ମୋର କୌଣସି ସଂପର୍କ ନ ଥିଲା । ତା’ ଛଡ଼ା ଆପଣମାନେ କେବେ ବାହାର ଲୋକଙ୍କ ପରିଚୟ ପାଇବାକୁ ଅଥବା ନିଜର ପରିଚୟ ଦେବାକୁ ଇଚ୍ଛା କରୁ ନ ଥିଲେ । ତେଣୁ ଜୟରାମ ମିଶ୍ର ଅଥବା ସୌଭାଗ୍ୟ ମିଶ୍ର କିଏ ଆଉ କାହାକୁ ଜାଣିବା ମୋ ପକ୍ଷରେ ସହଜ ନ ଥିଲା ।

 

ହଠାତ୍‌ ଏସ୍‌. ପି. ସାହେବ ଶତ୍ରୁଜିତ୍‌ଙ୍କ କଥାରେ ବାଧା ଦେଇ କହିଲେ—ଆପଣ ନିଜେ କହୁଥିଲେ, ଜୟରାମ ମିଶ୍ରଙ୍କର ଅର୍ଦ୍ଧାଧିକ ଚୂଳ ଧଳା ପଡ଼ିଯାଇଥିଲା । ଆଉ ମୃତ ଶବର ମଧ୍ୟ....

 

ଶତ୍ରୁଜିତ୍‌ ହସିଲେ । ଏହା ହେଉଛି ଜୟରାମ ମିଶ୍ରଙ୍କ ସପକ୍ଷରେ ଏକ ମସ୍ତବଡ଼ ପ୍ରମାଣ-। କାରଣ ପ୍ରକୃତରେ ଜୟରାମ ମିଶ୍ରଙ୍କର ଅର୍ଦ୍ଧାଧିକ ଚୁଳ ଧଳା ଏବଂ ସୌଭାଗ୍ୟ ମିଶ୍ର ସେ ଦୁର୍ଭାଗ୍ୟରୁ ବଞ୍ଚିତ ହୋଇଥିଲେ । ତାଙ୍କର ଚୂଳ ଧଳା କରି ନ ଦେଲେ ସେ ଜୟରାମ ମିଶ୍ର ନାମରେ ପରିଚିତ ହୋଇପାରିବେ ନାହିଁ । ଏହି ଉଦ୍ଦେଶ୍ୟ ନେଇ ଗତକାଲି ୨ଟା ବେଳେ ତାଙ୍କୁ ଏକ ଫରେଷ୍ଟ ନିଲାମରେ ନେବାକୁ ଚନ୍ଦକା ଜଙ୍ଗଲ ଆଡ଼େ ନେଇଯାଇଥିଲେ । ଆଉ ସୌଭାଗ୍ୟ ମିଶ୍ର ଡ୍ରାଇଭ୍‌ କରୁଥିବାବେଳେ ଏକ ଲୁହା ରଡ୍‍ରେ ଶକ୍ତଭାବରେ ତାଙ୍କର ମସ୍ତକରେ ଆଘାତ କରିଥିଲେ-। ସେ ମରିଯିବା ପରେ ତାଙ୍କର ହାତ, ମୁହଁ ଆଉ ଗୋଡ଼ଗୁଡ଼ିକ ବିକୃତ କରି ଏହି ଔଷଧ ଅର୍ଦ୍ଧାଧିକ ଚୂଳରେ ଲେପନ କରି ପାଣି ଭିତରକୁ ଫିଙ୍ଗିଦେଇଥିଲେ । ପକେଟରୁ ପୂର୍ବୋକ୍ତ ଶିଶିଟି ବାହାର କରି ଏସ୍‌. ପି. ସାହେବଙ୍କୁ ଧରାଇଦେଲେ ।

 

ତା‘ପରେ ଗମ୍ଭୀର ଭାବରେ କହିଲେ—ଏହି ତୈଳର ଏଭଳି ଗୁଣ ଅଛି ଯେ ସାଧାରଣତଃ ଧଳା ଚୂଳ କଳା ଦେଖାଯିବ । କିନ୍ତୁ କିଛି ସମୟ ପାଣି ଭିତରେ ଚୂଳଗୁଡ଼ିକ ବୁଡ଼ିରହିଲେ ପାଣି ସହିତ ଏହି ଔଷଧର କେମିକ୍ୟାଲ୍‌ ରିଏକ୍‌ସନ୍‌ହୋଇ ଏଇ ତୈଳ ଲାଗିଥିବା ଅଂଶଗୁଡ଼ିକ ଧଳା ହୋଇଯିବ । ସୌଭାଗ୍ୟ ମିଶ୍ରଙ୍କର ଅବସ୍ଥା ମଧ୍ୟ ଠିକ୍‌ ସେଇ ଅନୁରୂପ ହୋଇଥିଲା । ତାଙ୍କ କାମ ଶେଷ କରି ଜୟରାମ ମିଶ୍ର ସିଧାସଳଖ ମୋ ପାଖକୁ ଆସି ଗୋଟିଏ ପ୍ରସ୍ତାବ ଦେଲେ ଯେ ସୌଭାଗ୍ୟ ମିଶ୍ରଙ୍କୁ ଆଜି ରାତିକ ଯଦି ଜଗି ଦିଆଯାଏ, ତା’ହେଲେ ତାଙ୍କ ଉପରେ ଆଉ କୌଣସି ବିପଦ ଆସିବ ନାହିଁ । ତେଣୁ ମୁଁ ସୌଭାଗ୍ୟ ମିଶ୍ରଙ୍କୁ ଜଗିରହେଁ ଏହା ସେ ଚାହୁଥିଲେ । ଆଉ କିପରି ତାଙ୍କୁ ଫଲୋ କରିବାକୁ ହେବ ଏକଥା ମଧ୍ୟ ମୁଁ ଆପଣଙ୍କୁ କହିଛି । ଏହାଦ୍ୱାରା ସେ ପ୍ରମାଣ କରିବାକୁ ଚାହୁଁଥିଲେ ଯେ ସେ ଯେ ରାତିସାରା କୁଆଡ଼େ ବାହାରିନାହାନ୍ତି, ତାହା ମୋର ଲୋକେ ପ୍ରମାଣ ଦେଇପାରିବେ ଏଇକଥା ମୋ ମନରେ ସନ୍ଦେହର ବୀଜ ସୃଷ୍ଟି କରିଥିଲା ।

 

ତାଙ୍କର ଧାରଣା ଥିଲା ସୌଭାଗ୍ୟ ମିଶ୍ରଙ୍କ ଶବ ପୋଷ୍ଠମୋଟମ ହେଉ ହେଉ ଗୋଟିଏ ଦିନ ଚାଲିଯିବ । ଆଉ ରିପୋର୍ଟ ପାଇ ଯେତେବେଳେ ହତ୍ୟାର ସମୟ ଜଣାପଡ଼ିବ ସେତେବେଳେ ଜୟରାମ ଭାରତ ଛାଡ଼ି ଚାଲିଯାଇଥିବେ । ମିଷ୍ଟର ବହିଦାର ! ମିଷ୍ଟର ମିଶ୍ରଙ୍କର କେଶଗୁଡ଼ିକ ବର୍ତ୍ତମାନ ଏକ ଟର୍କିସ ଟାଓ୍ୱେଲରେ ପୋଛିଦିଅନ୍ତୁ । ତା’ ପରେ ଦେଖନ୍ତୁ ସେ ଚୂଳଗୁଡ଼ିକ ଧଳା କି ନୁହେଁ । ମିଷ୍ଟର ମହାପାତ୍ର ! ଆପଣ ଭିତରକୁ ଆସନ୍ତୁ ।

 

ବାନାମ୍ବର ମହାପାତ୍ରଙ୍କୁ ଭିତରକୁ ଆସିବାର ଦେଖି ମିଷ୍ଟର ମିଶ୍ର ଇତସ୍ତତଃ ହୋଇପଡ଼ିଲେ । ମିଷ୍ଟର ମହାପାତ୍ର ! ଏ ଯେ ସ୍ୱୟଂ ଜୟରାମ ମିଶ୍ର ଏ ବିଷୟରେ ଆପଣଙ୍କର ସନ୍ଦେହ ନାହିଁ ନିଶ୍ଚୟ ?

 

କିଛି ସମୟ ସ୍ତବ୍‌ଧ ଚକିତ ଭାବରେ ତାଙ୍କ ଉପରେ ଦୃଷ୍ଟି ନିବଦ୍ଧ କରି ମୁଖ ଅବନତ କଲେ ବନାମ୍ବର ମହାପାତ୍ର । ତା’ପରେ କହିଲେ—ପ୍ରକୃତରେ ଆପଣଙ୍କର ତୀକ୍ଷ୍‌ଣ ବୁଦ୍ଧିର ପ୍ରଶଂସା ମୁଁ ଅନେକଥର ଶୁଣିଥିଲି, ମିଷ୍ଟର ଶତ୍ରୁଜିତ୍‌ ! କିନ୍ତୁ ଆଜି ସ୍ୱଚକ୍ଷୁରେ ତା’ର ପ୍ରମାଣ ପାଇଲି ।

 

ତା’ ମାନେ ଏ ହେଉଛନ୍ତି ନିଜେ ଜୟରାମ ମିଶ୍ର ? ଏସ୍. ପି. ସାହେବ ପଚାରିଉଠିଲେ ।

 

ଆଜ୍ଞା !

 

ତା’ପରେ ଦ୍ରୁତବେଗରେ ଶତ୍ରୁଜିତ୍ ଓଢ଼ଣା ଭିତରେ ନିଜର ମୁଖକଣ୍ତଳ ଅବନତ କରି ଛିଡ଼ା ହୋଇଥିବା ରୀତାଙ୍କର ଓଢ଼ଣା ଜବରଦସ୍ତ ଉଠାଇନେଇ କହିଲେ—ମୋର ଅନୁମାନ କ’ଣ ମିଥ୍ୟା ରୀତାଦେବୀ, ଯେ ଆପଣ ଶ୍ରୀମତୀ ଦାସ ସାଜି ମୋ ପାଖକୁ ଯାଇଥିଲେ ?

 

ନିଶ୍ଚୟ.....ଚିତ୍କାର କରିଉଠିଲା ଛାୟା ।

 

ରୀତାଙ୍କର ମୁଖମଣ୍ତଳ ଅବନତ ହୋଇ ରହିଲା ।

 

ସାଫଲ୍ୟର ହସ ଶତ୍ରୁଜିତ୍‌ଙ୍କ ମୁଖମଣ୍ତଳରେ ଖେଳିଉଠିଲା । ରୀତା ଦେବୀ, ଏକଥା କ’ଣ ମିଥ୍ୟା ଯେ ଆପଣ ମାୟାକୁ ଟ୍ରାପ୍ କରିବାପାଇଁ ବାଲେଶ୍ୱର ମହିଳା କଲେଜରେ ମୀନା ନାମରେ ଆଡ୍‌ମିସନ ନେଇଥିଲେ ? ବେଶ୍, ଏଥର କୁହନ୍ତୁ, ଯୋଉ ସ୍ତ୍ରୀଲୋକଟି ଶ୍ରୀମତୀ ଚନ୍ଦ୍ରାବତୀ ଦାସ ଭାବରେ ନିଜକୁ ପରିଚୟ ଦେଇ ଏଠାକୁ ଆସିଥିଲେ, ତାଙ୍କୁ ହତ୍ୟା କରିଛି କିଏ ?

 

ଦୀର୍ଘନିଶ୍ୱାସ ନେଇ ଏସ୍. ପି. ସାହେବ କହିଲେ—ଆପଣଙ୍କୁ କୃତଜ୍ଞତା ଜଣାଇବାକୁ ମୁଁ ଭାଷା ପାଉ ନାହିଁ, ମିଷ୍ଟର ଶତ୍ରୁଜିତ୍ ! ଏଥର ସବୁ ଘଟଣା ମୋ ଆଗରେ ପରିଷ୍କାର ହୋଇଯାଇଛି ସେଆଡ଼େ ମନାଶ୍ରୀ’ ପିକ୍‌ଚରସ୍ ମଧ୍ୟ ଅବରୁଦ୍ଧ ହୋଇସାରିଥିବ । ମୋର ବିଶ୍ୱାସ ତାହା ହାଉଛି ଏମାନଙ୍କର କେନ୍ଦ୍ରସ୍ଥଳୀ । ସେଠାରୁ ଅନେକ ପ୍ରମାଣ ଆମକୁ ନେବାକୁ ପଡ଼ିବ । ବେଶ୍, ଜୟରାମ ମିଶ୍ର ଆଉ ରୀତା ଦେବୀ, ଆପଣମାନଙ୍କୁ ଗିରଫ କରାଗଲା । ମୋର ବିଶ୍ୱାସ ଆପଣଙ୍କ ବିରୁଦ୍ଧରେ ଶତ୍ରୁଜିତ୍‌ବାବୁ ଆଗତ କରିଥିବା ଅଭିଯୋଗଗୁଡ଼ିକ ଅପ୍ରମାଣ କରିବାର ରାସ୍ତା ନାହିଁ । ତେଣୁ ନିଜେ ସେ ସବୁର ସ୍ୱତଃ, ବୃତ୍ତ ସ୍ୱୀକୃତି ଦେବା ବାଞ୍ଚ୍ଥନୀୟ ।

Image